ବିକାଶର ମଳ

ବିଚିତ୍ର ବିଶ୍ୱାଳ

ବସ୍ତୁବାଦୀ ବିକାଶ ରାସ୍ତାରେ ଦୌଡ଼ି ଦୌଡ଼ି ଆମେ ଆସି ଏମିତି ଜାଗାରେ ପହଞ୍ଚିଯାଇଛୁ ଯେ, ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଉପକରଣ ଆମ ଜୀନର ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଖାଦ୍ୟ, ବସ୍ତ୍ର, ବାସଗୃହ ପରି ମୋବାଇଲ୍‌, କମ୍ପ୍ୟୁଟର, ଲାପ୍‌ଟପ୍‌, ଟିଭି, ଫ୍ରିଜ୍‌, ଏଆର୍‌କଣ୍ଡିଶନର୍‌ ଆଦି ଇଲେକ୍ଟ୍ରୋନିକ୍‌ସ ଉପକରଣ ଆମକୁ ମୌଳିକ ଆବଶ୍ୟକତା ପରି ବୋଧ ହେବାକୁ ଆରମ୍ଭ କଲାଣି। ଭଳିକି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣ ଆଧାରରେ ଏକ ଅଜବ ପ୍ରକାର ଭୋଗବାଦୀ ବିକାଶ ପଥରେ ଆଗେଇ ଚାଲିଛି ଆମ ଦୁନିଆ। ଯେପରି ଭାବେ ଆଜିର ବିକାଶ ପ୍ରକ୍ରିୟା ଆଗେଇ ଚାଲିଛି, ସେହି ହିସାବରେ ବିକାଶର ମଳ ବା ଇଲେକ୍ଟ୍ରୋନିକ୍ସ ଆବର୍ଜନା ବି ପାହାଡ଼ ପ୍ରମାଣେ ଗଦା ହେବାରେ ଲାଗିଛି ସମଗ୍ର ବିଶ୍ୱରେ। ଆସନ୍ତା ଦିନରେ ଏହି ଆବର୍ଜନା ହଁି ସମଗ୍ର ବିଶ୍ୱର ମୁଣ୍ଡବ୍ୟଥାର କାରଣ ହେବାକୁ ଯାଉଛି। ‘ଜାତିସଂଘ ପରିବେଶ କାର୍ଯ୍ୟକ୍ରମ’ର ଗବେଷଣା ଅନୁଯାୟୀ ଇଲେକ୍ଟ୍ରୋନିକ୍ସ ଉଦ୍ୟୋଗଗୁଡ଼ିକ ପ୍ରତିବର୍ଷ ୪୧ ମିଲିୟନ୍‌ ଟନ୍‌ ଆବର୍ଜନା ସୃଷ୍ଟି କରୁଛନ୍ତି। ଯେପରି ଭାବେ ଇଲେକ୍ଟ୍ରୋନିକ୍ସ ଉପକରଣର ଉପଭୋକ୍ତାମାନଙ୍କ ସଂଖ୍ୟା ବଢ଼ୁଛି ଓ ଇଲେକ୍ଟ୍ରୋନିକ୍ସ ଉପକରଣର ଆୟୁଷ କମିବାରେ ଲାଗୁଛି ଚଳିତବର୍ଷ ଏହି ଆବର୍ଜନାର ପରିମାଣ ୫୦ ମିଲିୟନ୍‌ ଟନ୍‌କୁ ଛୁଇଁବ ବୋଲି ଆକଳନ କରାଯାଉଛି। ଏହି ପ୍ରଚୁର ପରିମାଣର ବିଷାକ୍ତ ଆବର୍ଜନାକୁ ବଡ଼ ବଡ଼ ମାଫିଆମାନଙ୍କ ସହାୟତାରେ ବେଆଇନ୍‌ଭାବେ ବିକାଶଶୀଳ ଦେଶମାନଙ୍କରେ ଓ ସେମାନଙ୍କ ସମୁଦ୍ର ସୀମାରେ ଫୋପାଡ଼ି ଦିଆଯାଉଛି। ବିକଶିତ ଦେଶମାନଙ୍କରୁ ବାହାରୁଥିବା ପ୍ରଚୁର ପରିମାଣର ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ପଶ୍ଚିମ ଆଫ୍ରିକା ଓ ଏସିଆ ମହାଦେଶର ଅନେକ ଦେଶରେ ଗଦା କରାଯାଉଛି, ଯାହାର ସ୍ବାସ୍ଥ୍ୟଗତ କୁପରିଣାମ ସେହି ଦେଶର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ୁଛି। ପୁରୁଣା କମ୍ପ୍ୟୁଟର, ଅଚଳ ମୋବାଇଲ୍‌ ଫୋନ୍‌, ଅଚଳ ଟିଭି, ଫ୍ରିଜ୍‌, ଏସି, କଫି ମେଶିନ, ପ୍ରିଣ୍ଟର, ବୈଦ୍ୟୁତିକ କେବୁଲ୍‌ ଆଦି ରୂପରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଟନ୍‌ ଇଲେକ୍ଟ୍ରୋନିକ୍ସ ଆବର୍ଜନା ସୃଷ୍ଟି ହେଉଛି। ଗବେଷଣା ଅନୁଯାୟୀ ଏହି ସବୁ ଆବର୍ଜନାରେ ପ୍ରଚୁର ପରିମାଣରେ ବିଷାକ୍ତ ତତ୍ତ୍ୱ ଭରିରହିଛି, ଯାହା ମଣିଷର ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ୧୯୯୭ ମସିହାରେ ଗୋଟିଏ କମ୍ପ୍ୟୁଟରର ହାରାହାରି ଆୟୁଷ ପ୍ରାୟ ୫ ବର୍ଷ ଥିବା ବେଳେ ସଂପ୍ରତି ଏହା ୨ ବର୍ଷକୁ କମିଯାଇଛି। ସେହିପରି ସଂପ୍ରତି ବିକାଶର ନାଭିନାଡ଼ ଭାବେ ପରିଚିତ ମୋବାଇଲ୍‌ ଫୋନ୍‌ର ଆୟୁଷ ବି ସର୍ବାଧିକ ୨ ବର୍ଷ ବୋଲି ବିବେଚନା କରାଯାଉଛି। ତେଣୁ ଅଚଳ ହେଉଥିବା ଏହିସବୁ ଉପକରଣ ଆମ ପୃଥିବୀରେ ଆବର୍ଜନା ରୂପେ ଜମା ହେଉଛି। ଏହିସବୁ ଆବର୍ଜନାର ବିକିରଣ ବହୁତ ଅଧିକ, ଯାହା ମଣିଷର ସ୍ବାସ୍ଥ୍ୟ, ଜୀବଜନ୍ତୁ ଓ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ତୃତୀୟ ବିଶ୍ୱର ତଥା ବିକାଶଶୀଳ ଦେଶର ଜନସାଧାରଣଙ୍କ ପ୍ରତି ଏହି ବିପଦ ଅତ୍ୟନ୍ତ ଅଧିକ। କାରଣ ବିକଶିତ ଦେଶମାନେ ଭିନ୍ନ ଭିନ୍ନ ବୈଶ୍ୱିକ ଆଇନ୍‌କାନୁନ୍‌ର ବାଟରେ ଏହି ସବୁ ଆବର୍ଜନାକୁ ବିକାଶଶୀଳ ଦେଶମାନଙ୍କୁ ରପ୍ତାନି କରି ସେଠାରେ ଜମା କରୁଛନ୍ତି ବା ପ୍ରକ୍ରିୟାକରଣ କରାଉଛନ୍ତି। ଏହିସବୁ ଇଲେକ୍ଟ୍ରୋନିକ୍ସ ଉପକରଣକୁ ଯେଉଁ ଦେଶରେ ପୋଡ଼ି ଦିଆଯାଉଛି, ପୋତି ଦିଆଯାଉଛି କିମ୍ବା ପ୍ରକ୍ରିୟାକରଣ କରାଯାଉଛି, ଏହାର ବିକିରଣଜନିତ କୁପ୍ରଭାବ ସେହି ଦେଶର ପରିବେଶ ଓ ଜନସାଧାରଣଙ୍କ ଉପରେ ପଡ଼ିବା ନିଶ୍ଚିତ। ଅନ୍ୟ ଦେଶର ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ପ୍ରକ୍ରିୟାକରଣ କରୁଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଗୋଟିଏ। ଏହି ଆବର୍ଜନା ବିଭିନ୍ନ ପ୍ରକାର ମାରାତ୍ମକ ରୋଗକୁ ଜନ୍ମ ଦେଉଛି ବୋଲି ଡାକ୍ତରମାନେ ମତ ଦେଉଛନ୍ତି। ଏହିସବୁ ଆବର୍ଜନାକୁ ଗୋଟିଏ ଦେଶରୁ ସମୁଦ୍ର ପଥ ଦେଇ ଆଉ ଗୋଟିଏ ଦେଶକୁ ନେବାକୁ ବିଭିନ୍ନ ପ୍ରକାର ଅପରାଧୀ କଂପାନୀମାନେ ବି କାମ କରୁଛନ୍ତି। ତୃତୀୟ ବିଶ୍ୱର ଦେଶମାନଙ୍କର ଦୁର୍ନୀତିଖୋର ନେତା ଓ ଅମଲାଙ୍କୁ ଧରି ଏହି ବେପାର ଖୁବ୍‌ ଜୋର୍‌ରେ ଚାଲୁଛି। ଯଦିଓ ଏହି ଅପରାଧୀ କଂପାନୀମାନେ ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ନିରାପଦ ଭାବେ ପରିଚାଳନା କରିବା ପାଇଁ ମୋଟା ଅଙ୍କର ଟଙ୍କା ନିଅନ୍ତି ସେମାନେ ବେଆଇନ୍‌ ଭାବେ ଏହାକୁ ଖୋଲାରେ ଛାଡ଼ି ଦିଅନ୍ତି ବା ପୋଡ଼ି ଦିଅନ୍ତି। ଏହିସବୁ କଂପାନୀ ଅଚଳ ବ୍ୟାଟେରି, ଅଚଳ କମ୍ପ୍ୟୁଟର ମନିଟର ଆଦି ଇଲେକ୍ଟ୍ରୋନିକ୍‌ସ ଆବର୍ଜନାକୁ କୌଶଳ କରି ପ୍ଲାଷ୍ଟିକ୍‌ ଓ ଧାତବ ଟୁକୁଡ଼ା ଘୋଷଣା କରି ଫୋପାଡ଼ି ଦିଅନ୍ତି ବା ପୋଡ଼ି ଦିଅନ୍ତି। ଏହିସବୁ ଆବର୍ଜନାକୁ ଖୋଲାରେ ଫୋପାଡ଼ିଲେ ବା ପୋଡ଼ିଲେ ଏଥିରୁ ବିଭିନ୍ନ ପ୍ରକାର ଘାତକ ଗ୍ୟାସ୍‌ ନିର୍ଗତ ହୋଇଥାଏ, ଯାହା ମାରାତ୍ମକ କ୍ୟାନ୍‌ସର ଓ ଅନ୍ୟାନ୍ୟ ଜୀବନଘାତୀ ରୋଗର କାରଣ ହୋଇଥାଏ। ଜାତିସଂଘର ପରିବେଶ କାର୍ଯ୍ୟକ୍ରମର ଗବେଷଣା ଅନୁସାରେ ଏହିସବୁ ଇଲେକ୍ଟ୍ରୋନିକ୍‌ସ ଆବର୍ଜନାକୁ ଅତ୍ୟନ୍ତ ଯତ୍ନର ସହିତ ପରିଚାଳନା କରିବାକୁ ପଡ଼ିଥାଏ, ଯାହାଦ୍ୱାରା ପରିବେଶ ଓ ମାନବ ଶରୀର ଉପରେ କୁପ୍ରଭାବକୁ କମ୍‌ କରିହେବ। କିନ୍ତୁ ଏହା ବ୍ୟୟବହୁଳ ପ୍ରକ୍ରିିୟା ହୋଇଥିବାରୁ ଅନେକ ଦେଶ ଏହି ପ୍ରକ୍ରିୟା ଆପଣେଇବାକୁ ପଛଘୁଞ୍ଚା ଦେଇଥାନ୍ତି। ତେବେ ଏହାର ବିପଦ ସମଗ୍ର ବିଶ୍ୱକୁ ମୁଣ୍ଡେଇବାକୁ ହେବ ବୋଲି ଗବେଷକମାନେ ଚେତେଇ ଦେଇଛନ୍ତି। ଯଦିଓ ସଂପ୍ରତି ଇଲେକ୍ଟ୍ରୋନିକ୍‌ସ ଉପକରଣମାନ ଆମ ଜୀବନର ଏକ ଅଭିନ୍ନ ଅଂଗ ପାଲଟି ଯାଇଛନ୍ତି, କିନ୍ତୁ ଏହାର ଆବର୍ଜନାର କୁପରିଣାମକୁ ଭୁଲିଗଲେ ସମଗ୍ର ବିଶ୍ୱ ବିଷାକ୍ତ ଅଳିଆକୁଣ୍ଡରେ ପରିଣତ ହୋଇଯିବ। ଆମେ ଭୁଲିଯିବା ଉଚିତ ନୁହେଁ ଯେ, ଆମର ଅୟସଆରାମକୁ ବଢ଼େଇବା ପାଇଁ ଆମେ ଯେତେ ପରିମାଣରେ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର କରୁଛେ ସେତିକି ପରିମାଣରେ ଆବର୍ଜନାକୁ ବି ଜନ୍ମ ଦେଉଛେ। ବିକାଶ ପଛରେ ଧାଇଁ ଧାଇଁ ବିକାଶର ଏହି ମଳର କୁପ୍ରଭାବକୁ ଭୁଲିଯିବା ସମଗ୍ର ମାନବ ଜାତି ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେବ। ତେଣୁ ଏହି ସବୁ ଆବର୍ଜନାର ସୁପରିଚାଳନା ଉପରେ ଗୁରୁତ୍ୱ ଦେବା ସହିତ ଇଲେକ୍ଟ୍ରୋନିକ୍ସ ଉପକରଣ ପାଇଁ ଆମ ମନରେ ଥିବା ଭୋକ ଉପରେ ବି ଲଗାମ୍‌ ଲଗାଇବାକୁ ହେବ। ତା’ହେଲେ ଆମ ଉତ୍ତରପିଢ଼ି ପାଇଁ ଆମେ ଏକ ବାସୋପଯୋଗୀ ପୃଥିବୀ ଛାଡ଼ି ଯାଇପାରିବା।

ମୋ-୯୪୩୮୪୬୮୪୭୪



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri