ଦ୍ୱାରଦେଶରେ ଆଇନସେବା

ଗିରିଜାଶଙ୍କର ତରାସିଆ

ଇଂଲଣ୍ଡରେ ନାମକୁମାତ୍ର ରାଜତନ୍ତ୍ର ଥିଲେ ମଧ୍ୟ ଆଧୁନିକ ସମାଜରେ ଏହା ସଂସଦୀୟ ଗଣତନ୍ତ୍ରର ଜନନୀ ବୋଲି ପ୍ରସିଦ୍ଧି ଲାଭ କରିଛି। ତ୍ରୟୋଦଶ ଶତାବ୍ଦୀର ଆଦ୍ୟ ଭାଗରେ ଇଂଲଣ୍ଡରେ ଆତ୍ମପ୍ରକାଶ କରିଥିବା ମାଗ୍‌ନାକାର୍ଟା ଥିଲା ଆଧୁନିକ ବିଶ୍ୱରେ ଆଇନର ଶାସନ (Rule of law) ପ୍ରଚଳନର ଆଦ୍ୟ ବାର୍ତ୍ତା। ମାଗ୍‌ନାକାର୍ଟାର ପରିଚ୍ଛେଦ ୩୯ ଉଦ୍‌ଘୋଷଣା କରେକି: No freeman shall be arrested or imprisoned or outlawed except by the lawful judgement of his peers or by the law of the land. ଅର୍ଥାତ୍‌ ସମାଜରେ ପ୍ରଚଳିତ ଆଇନ କିମ୍ବା ବିଚାରପତିଙ୍କ ରାୟ ବ୍ୟତୀତ କୌଣସି ମୁକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ପାରିବ ନାହିଁ କିମ୍ବା ବନ୍ଦୀ କରାଯାଇ ପାରିବ ନାହିଁ କିମ୍ବା ପଳାତକ ଅପରାଧୀ ଭାବେ ଦର୍ଶାଯାଇ ପାରିବ ନାହିଁ। ମାଗ୍‌ନାକାର୍ଟାର ଉଦ୍ଭବ ପରେ ଆମେରିକା ସମେତ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ରମାନେ ଆଇନର ଶାସନକୁ ଗୁରୁତ୍ୱାରୋପ କଲେ। ସ୍ବାଧୀନ ଭାରତର ନୂତନ ସମ୍ବିଧାନରେ ଆମେରିକୀୟ ଢାଞ୍ଚାର Due process of law (ଆଇନର ସମୁଚିତ ଧାରା) ଅନୁଯାୟୀ ଶାସନ ପ୍ରଚଳନ ନିମନ୍ତେ ବ୍ୟବସ୍ଥା ରଖିବା ପାଇଁ ଆସିଥିବା ପ୍ରସ୍ତାବକୁ ସମ୍ବିଧାନର ଖସଡ଼ା ପ୍ରଣୟନ କମିଟିର ଅଧ୍ୟକ୍ଷ ଡକ୍ଟର ବି.ଆର୍‌. ଆମ୍ବେଦକର ସଂଶୋଧିତ କରାଇ ଭାରତରେ ଆଇନ ଦ୍ୱାରା ପ୍ରତିଷ୍ଠିତ କାର୍ଯ୍ୟବିଧି ବା Procedure established by law ନୀତି ପ୍ରଚଳନ କରାଇଥିଲେ। ଆଇନ ଆଗରେ ସମସ୍ତେ ସମାନ ବୋଲି ସମ୍ବିଧାନର ଧାରା ୧୪ରେ ଉଲ୍ଲେଖ ରହିଲା। ମୂଳ ସମ୍ବିଧାନରେ ଗରିବ ଲୋକମାନଙ୍କ ପାଇଁ ମାଗଣାରେ ଆଇନ ସହାୟତା ନିମନ୍ତେ କୌଣସି ବ୍ୟବସ୍ଥା ନ ଥିଲା। ଏହି ଅଭାବକୁ ଲକ୍ଷ୍ୟ କରି ପ୍ରତ୍ୟେକ ନାଗରିକକୁ ଆଇନ ସହାୟତା ଯୋଗାଇବା ଏବଂ ଗରିବ ବ୍ୟକ୍ତିଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ନିମନ୍ତେ ୧୯୭୬ ମସିହାରେ ୪୨ତମ ସମ୍ବିଧାନ ସଂଶୋଧନ କରାଯାଇ ସମ୍ବିଧାନରେ ଧାରା ୩୯ (କ) ସଂଯୋଗ କରାଗଲା। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଆଇନ ସହାୟତା ପରିକଳ୍ପନାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ କାର୍ଯ୍ୟକାରୀ ତଥା ତଦାରଖ କରିବା ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳୟର ତଦନାନ୍ତୀନ ବିଚାରପତି ନ୍ୟାୟମୂର୍ତ୍ତି ପି.ଏନ୍‌. ଭଗବତୀଙ୍କ ଅଧ୍ୟକ୍ଷତାରେ ୧୯୮୦ ମସିହା ସେପ୍ଟେମ୍ବର ୨୬ ତାରିଖ ଦିନ ଏକ କମିଟି ଗଠନ କରାଗଲା। ଏହି କମିଟିର ନାମ ରଖାଗଲା Committee for Implementing legal Aid Schemes. ଭାରତବର୍ଷର ବିଭିନ୍ନ ନିମ୍ନ ଅଦାଲତଙ୍କଠାରୁ ଆରମ୍ଭକରି ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ବିଭିନ୍ନ ଅଦାଲତରେ ଦୀର୍ଘଦିନ ଧରି ବିଚାର ନ ହୋଇ ପଡ଼ିରହିଥିବା ଗଦା ଗଦା ମକଦ୍ଦମାର ଫଇସଲା ପାଇଁ ଉପାୟ ଚିନ୍ତା କରାଗଲା ଏବଂ ଏଥିପାଇଁ ୧୯୮୭ ମସିହାରେ ଆଇନ ସେବା ପ୍ରାଧିକରଣ ଆଇନ ସଂସଦରେ ଗୃହୀତ ହୋଇ ସେହିବର୍ଷ ଅକ୍ଟୋବର ୧୧ ତାରିଖରେ ରାଷ୍ଟ୍ରପତିଙ୍କ ସ୍ବାକ୍ଷର ବହନ କରିଥିଲା। କିନ୍ତୁ ଏହା କାର୍ଯ୍ୟକାରୀ କରାଯାଇ ନ ଥିଲା। ପ୍ରାୟ ସାତବର୍ଷ ପରେ ୧୯୯୪ ମସିହା ଅକ୍ଟୋବର ୨୯ ତାରିଖରେ ଏହି ଆଇନରେ ସଂଶୋଧନ କରାଯାଇ ସଂଶୋଧିତ ଆଇନକୁ ମହାମହିମ ରାଷ୍ଟ୍ରପତି ଅନୁମୋଦନ କରିବା ପରେ ଏହା ୧୯୯୫ ନଭେମ୍ବର ୯ ତାରିଖରୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେଲା। ଏହି ନୂତନ ଆଇନକୁ ବ୍ୟାପକ ଜନାଭିମୁଖୀ କରିବା ପାଇଁ ୧୯୯୫ ଡିସେମ୍ବର ୫ ତାରିଖରେ National Legal Services Authority (NALSA) ଗଠିତ ହେଲା। ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଡ. ଜଷ୍ଟିସ୍‌ ଆଦର୍ଶ ସେନ୍‌ ଆନନ୍ଦ NALSAର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ୧୯୯୭ ଜୁଲାଇ ୧୭ ତାରିଖରେ ଦାୟିତ୍ୱ ଗ୍ରହଣ କଲେ। ନ୍ୟାୟମୂର୍ତ୍ତି ଡ. ଆନନ୍ଦ ୧୯୯୮ ମସିହା ଅକ୍ଟୋବର ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ। ତାଙ୍କର ପ୍ରଥମ ବାର୍ଷିକ ବୈଠକରେ ସେ ପ୍ରତିବର୍ଷ ନଭେମ୍ବର ୯ ତାରିଖକୁ ଜାତୀୟ ଆଇନ ସେବା ଦିବସ ଭାବେ ପାଳନ କରିବା ପାଇଁ ଆହ୍ବାନ ଦେଇଥିଲେ ଏବଂ ତାଙ୍କ ଆହ୍ବାନ ଅନୁଯାୟୀ ପ୍ରତିବର୍ଷ ନଭେମ୍ବର ୯ ତାରିଖକୁ ଜାତୀୟ ଆଇନ ସେବା ଦିବସ ଭାବେ ପାଳନ କରାଯାଇ ଆସୁଛି। ଜାତୀୟ ସ୍ତରରେ ଜାତୀୟ ଆଇନ ସେବା ପ୍ରାଧିକରଣ ରହିଥିବା ବେଳେ ରାଜ୍ୟ ସ୍ତରରେ, ଜିଲା ସ୍ତରରେ ଏବଂ ତାଲୁକ ସ୍ତରରେ ଆଇନସେବା ପ୍ରାଧିକରଣ କମିଟିମାନ ରହିଛି। ଆଇନ ସେବା ପ୍ରାଧିକରଣ ଧାରା ୧୨ ଅନୁଯାୟୀ ଆର୍ଥିକ ଏବଂ ସାମାଜିକ ଦୁର୍ବଳ ଶ୍ରେଣୀ ବ୍ୟକ୍ତିମାନଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇ ଦିଆଯାଉଛି। ଏହି ଯୁଗାନ୍ତକାରୀ ଆଇନକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ତାଲୁକ ସ୍ତର ଏବଂ ଜିଲା ସ୍ତରରେ ପ୍ରଶିକ୍ଷଣ ପାଇଥିବା ପାରା ଲିଗାଲ ଭଲ୍ୟୁଣ୍ଟିୟର୍ସଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ବାସ୍ତବରେ ଆଇନ ସେବା ଆଜି ଦ୍ୱାରଦେଶରେ ପହଞ୍ଚି ପାରିଛି।

(ଜାତୀୟ ଆଇନସେବା ଦିବସ ଉପଲକ୍ଷେ)

ଖଣ୍ଡପଡ଼ା, ନୟାଗଡ଼, ମୋ: ୯୯୩୭୩୩୪୮୦୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri