ସମ୍ପାଦକୀୟ/ଧନୀ ନୁହେଁ, ଗରିବ ମଲା

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି ଟେଲିଭିଜନ ଭାଷଣ ଜରିଆରେ ଦୁଇଟି ବଡ଼ ଅଙ୍କର ନୋଟ୍‌ ୧୦୦୦ ଏବଂ ୫୦୦ ଟଙ୍କିଆକୁ ଅଚଳ ଘୋଷଣା କରି ଦେଶବାସୀଙ୍କୁ ଚକିତ କରିଦେଇଥିଲେ। ବୁଧବାର ୨୦୧୭ ନଭେମ୍ବର ୮କୁ ଏହି ଘୋଷଣାର ଏକବର୍ଷ ପୂର୍ତ୍ତି ହେଉଛି। କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି (ଭାଜପା) ଏହି ଦିନଟିକୁ ‘କଳାଧନ ବିରୋଧୀ ଦିବସ’ ଭାବେ ପାଳନ କରିବ ବୋଲି ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନୋଟ୍‌ ଅଚଳ ଘୋଷଣା କରି କହିଥିଲେ ଯେ, ଦେଶ ଭିତରେ ଥିବା କଳାଧନକୁ ବାହାର କରିବା ହେଉଛି ‘ବିମୁଦ୍ରୀକରଣ’ର ମୁଖ୍ୟ ଉଦ୍ଦେଶ୍ୟ। ଗତ ୧ ବର୍ଷ ମଧ୍ୟରେ ମୋଦି ସରକାର କେତେ ପରିମାଣର କଳା ଟଙ୍କା ଜବତ କରିବାରେ ସମର୍ଥ ହୋଇଛନ୍ତି ତାହା ମା’ ଗଙ୍ଗେ ଜାଣନ୍ତି। ଏ ପର୍ଯ୍ୟନ୍ତ ଦେଶବାସୀଙ୍କ ସମ୍ମୁଖକୁ ସେହି ହିସାବ ଆସିଲା ନାହିଁ। ବରଂ କଳାଧନ ବିରୋଧୀ ଦିବସ ପାଳନର ଦୁଇଦିନ ପୂର୍ବରୁ ‘ପାରାଡାଇଜ୍‌ ପେପର୍ସ’ ସାରା ପୃଥିବୀରେ ବିପୁଳ କଳାଧନ ଜମାକାରୀଙ୍କର ଯେଉଁ ନାମ ପ୍ରକାଶ କରିଛି ତନ୍ମଧ୍ୟରେ ଭାରତର ୭୧୪ଜଣଙ୍କ ନାମ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୋଦି ସରକାରଙ୍କର ରାଷ୍ଟ୍ରମନ୍ତ୍ରୀ ଥିବା ଜୟନ୍ତ ସିହ୍ନା, ଭାଜପାର ଜଣେ ରାଜ୍ୟ ସଭା ସଦସ୍ୟ ଆର.କେ. ସିହ୍ନାଙ୍କ ସମେତ ଅନେକ ରାଜନେତା, ପଳାତକ ଶିଳ୍ପପତି ବିଜୟ ମାଲ୍ୟା, ବିଶିଷ୍ଟ ଚଳଚ୍ଚିତ୍ର ତାରକା ଅମିତାଭ ବଚ୍ଚନଙ୍କ ଭଳି ବହୁ ସେଲିବ୍ରିଟି ଓ ବ୍ୟବସାୟୀଙ୍କର ନାମ ଏହି ତାଲିକାରେ ରହିଛି। ପ୍ରାୟ ୧୮ ମାସ ପୂର୍ବରୁ ପାନାମା ପେପର୍ସ ପ୍ରଘଟ ଘଟଣାରେ ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ପ୍ରକାଶ ପାଇଥିଲା। ସେମାନେ ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ବିଦେଶର ବିଭିନ୍ନ କମ୍ପାନୀରେ ପୁଞ୍ଜିନିବେଶ କରି ମୁନାଫା ଉଠାଉଛନ୍ତି। ପାନାମା ପେପର୍ସ ଲିକ୍‌ ହେବା ପରେ ସରକାର କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ନେତୃତ୍ୱରେ ଏକ ବହୁମୁଖୀ ତଦନ୍ତ ଗୋଷ୍ଠୀ ଗଠନ କରି ଏହାର ଯାଞ୍ଚ କରୁଛନ୍ତି। ମାତ୍ର ଅଦ୍ୟାବଧି ଜଣେ ହେଲେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇପାରିନାହାନ୍ତି। ଏଥିରୁ କେନ୍ଦ୍ର ସରକାରଙ୍କର କଳାଧନ ଖୋଜି ବାହାର କରିବାର ଆନ୍ତରିକତା କେତେ ରହିଛି ତାହା ସ୍ପଷ୍ଟ ହେଉଛି। ସେହି ଦୃଷ୍ଟିରୁ ଦେଖିଲେ ପଡୋଶୀ ଦେଶ ପାକିସ୍ତାନ କଳାଧନ ବିରୋଧୀ ଅଭିଯାନରେ ଯଥେଷ୍ଟ ଆଗରେ ଅଛି ବୋଲି କୁହାଯାଇପାରିବ। ପାନାମା ପେପର୍ସରେ ନାମ ଆସିଥିବା ସେହି ଦେଶର ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ଙ୍କୁ ଉକ୍ତ ଦୁର୍ନୀତି ସକାଶେ ପଦଚ୍ୟୁତ ହେବାକୁ ପଡିଛି। ଭାରତରେ କଳାଟଙ୍କା ବିରୋଧୀ ଅଭିଯାନ କେବଳ ପ୍ରଧାନମନ୍ତ୍ରୀ ଓ ତାଙ୍କ ଚେଲାଚାମୁଣ୍ଡାଙ୍କ ଭାଷଣବାଜିରେ ସୀମିତ ହୋଇ ରହିଯାଇଛି। କୁହାଗଲାଣି ଯେ, ପାନାମା ପେପର୍ସ ପ୍ରଘଟ ଘଟଣାର ତଦନ୍ତ କରୁଥିବା ବହୁମୁଖୀ ଗୋଷ୍ଠୀ ପାରାଡାଇଜ୍‌ ପେପର୍ସ ଲିକ୍‌ର ତଦନ୍ତ କରିବ। ମୋଦିଙ୍କର ବିମୁଦ୍ରୀକରଣ କଳାଧନ ଖୋଜି ବାହାର କରିବାର ଏକ ବାହାନା ଥିଲା ବୋଲି ଗତ ଏକବର୍ଷ ମଧ୍ୟରେ ସ୍ପଷ୍ଟ ହୋଇଗଲାଣି। ବାସ୍ତବରେ ଏହି ଅପରିଣାମଦର୍ଶୀ ନିଷ୍ପତ୍ତି ସବୁଠାରୁ ଅଧିକ ଯନ୍ତ୍ରଣା ଦେଇଛି ଦେଶର ସାଧାରଣ ଗରିବ ଜନତାଙ୍କୁ। ଏବେ ମଧ୍ୟ ସେହି ସଂକଟରୁ ଲୋକେ ମୁକ୍ତି ପାଇନାହାନ୍ତି। ସେତେବେଳେ କୁହାଗଲା ଯେ, ବଡ ଅଙ୍କର ନୋଟ୍‌ ପ୍ରଚଳିତ ଥିବା କାରଣରୁ ଅନେକ ବିତ୍ତଶାଳୀ ବ୍ୟକ୍ତି ନଗଦ କୋଟି କୋଟି ଟଙ୍କା ନିଜ ପାଖରେ ଜମା କରି ରଖିଛନ୍ତି। ଏହାକୁ ଅଚଳ କରିଦେଲେ ସେହି ନୋଟ୍‌ ଅର୍ଥନୈତିକ ବ୍ୟବସ୍ଥାରୁ ବାହାରକୁ ଚାଲିଯିବ ଏବଂ ଦେଶ କଳାଧନମୁକ୍ତ ହୋଇଯାଇ ପାରିବ । କିନ୍ତୁ ବାସ୍ତବରେ ଏହାର ପ୍ରଭାବ ସାଧାରଣ, ମଧ୍ୟବିତ୍ତ ଶ୍ରେଣୀ, ଖଟିଖିଆ ଗରିବ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଉପରେ ପଡିଲା। ସେମାନେ ନିଜ ଦୈନିକ ରୋଜଗାରରୁ ବଳକା କରି ଘରେ ରଖିଥିବା ଯତ୍‌କିଞ୍ଚତ୍ତ୍‌ ଟଙ୍କା ଅଚଳ ହୋଇଯିବାରୁ ନିର୍ଦ୍ଧାରିତ ସମୟରେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ରେ ଜମା କରିଦେଲେ। ସାଧାରଣ ଲୋକଙ୍କ ନଗଦ ଅର୍ଥବଳ ବ୍ୟାଙ୍କ ଅପହରଣ କରିନେଲା। ଅନ୍ୟ ପକ୍ଷରେ ପ୍ରକୃତ କଳାଟଙ୍କା ବିଦେଶକୁ ଚାଲିଯାଇଛି, ଯାହାକି ପାନାମା ପେପର୍ସ ଓ ପାରାଡାଇଜ୍‌ ପେପର୍ସ ପ୍ରଘଟ ଘଟଣାରୁ ସ୍ପଷ୍ଟ ହେଉଛି। ସରକାର ଦାବି କରୁଛନ୍ତି ଯେ, ଅଚଳ ହୋଇଥିବା ଟଙ୍କା ମଧ୍ୟରୁ ୯୯ ପ୍ରତିଶତ ବ୍ୟାଙ୍କକୁ ଫେରିଛି। ଯଦି ତାହା ସତ ହୋଇଥାଏ, ତେବେ ଏହା ପ୍ରମାଣ କରିଦେଉଛି ଯେ, ତଥାକଥିତ କଳାଧନ ବ୍ୟବସ୍ଥା ବାହାରକୁ କେବେହେଲେ ଯାଇ ନ ଥିଲା । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଫେରିଥିବା ଟଙ୍କାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଅଦ୍ୟାବଧି ଯାଞ୍ଚ କରାଯାଇପାରିନାହିଁ। ଏହା ସମସ୍ତେ ଜାଣନ୍ତି ଯେ, ବିମୁଦ୍ରୀକରଣ ଯୋଗୁ ଅନେକ ଲୋକ ଅକାଳରେ ପ୍ରାଣ ହରାଇଛନ୍ତି। କେତେକ ବାହାଘର ଭାଙ୍ଗିଯାଇଛି। ବହୁ ଚାକିରିଜୀବୀ ବେକାର ହୋଇଯାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦନ ହ୍ରାସ ଘଟି ଦେଶର ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଛି। ଯାହାଫଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି) ନିମ୍ନଗାମୀ ହୋଇ ଅଭିବୃଦ୍ଧିକୁ ମନ୍ଥର କରିଦେଇଛି। ପ୍ରାୟ ୮ ପ୍ରତିଶତରେ ପହଞ୍ଚିଥିବା ଜିଡିପି ଆଜି ୫.୭ ପ୍ରତିଶତକୁ ଖସି ଆସିଲାଣି । ଗତ ନଭେମ୍ବର ୮ ପରେ ଦେଶବାସୀ ଭାବିଲେ ସବୁ ଧନୀ ମରିଯିବେ । ଆଜିର ପରିସ୍ଥିତି ଦେଖିଲେ ବୁଝାପଡୁଛି ଯେ, ଗରିବ ମରିଗଲେ । ପୂର୍ବରୁ ଧନୀଙ୍କର ଯେଉଁ ଆଦବକାଇଦା ଥିଲା ତାହା ଆଜି କୌଣସି ଭାବରେ ହ୍ରାସ ପାଇନାହିଁ । କିନ୍ତୁ ଦେଶବ୍ୟାପୀ ଅନେକ କୋଟି ଲୋକ ଜୀବିକା ହରାଇ ବସିଲେଣି । ବିମୁଦ୍ରୀକରଣ ଆତଙ୍କବାଦ ଓ ମାଓବାଦ ଭଳି ଗୁରୁତର ସମସ୍ୟାକୁ ରୋକି ଦେଇପାରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ସେତେବେଳେ ଜୋର ଦେଇ କହିଥିଲେ। ବାସ୍ତବତା କିନ୍ତୁ ଭିନ୍ନ କଥା କହୁଛି। ସୀମାନ୍ତରେ ପ୍ରତିଦିନ ଯବାନଙ୍କ ମୃତ୍ୟୁ, ସେନା ଶିବିର ଉପରେ ଆକ୍ରମଣ, ମାଓବାଦୀ ଅଧ୍ୟୁଷିତ ରାଜ୍ୟଗୁଡିକରେ ନିରୀହ ଜନତାଙ୍କୁ ଲାଲବାହିନୀର ହତ୍ୟା ଆଦି ଘଟଣା ପ୍ରମାଣିତ କରୁଛି ଯେ, ମୋଦି ବାସ୍ତବତାଠାରୁ ଦୂରରେ ଅଛନ୍ତି । ସେହିଭଳି କଳାଧନ ବାହାରିଲା ନାହିଁ କିମ୍ବା ଜାଲ ନୋଟର ପ୍ରାଦୁର୍ଭାବ ହ୍ରାସ ପାଇନାହିଁ । ‘କ୍ୟାଶ୍‌ଲେସ୍‌’ ମଧ୍ୟ ଏବେ ତ୍ରୁଟିପୂର୍ଣ୍ଣ ନୀତି ବୋଲି ପ୍ରମାଣିତ ହେବାରେ ଲାଗିଛି ।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri