ରାଜନୈତିକ ପଶାପାଲିରେ ଅର୍ଥନୀତି

ଡ. ବିଶ୍ୱରଞ୍ଜନ ମହାନ୍ତି

ଭାରତରେ ଅର୍ଥନୀତିକୁ ନେଇ ଗତ କିଛି ମାସ ହେବ ରାଜନୀତି ଜୋର ଧରିଛି। ପ୍ରମୁଖ ଗଣମାଧ୍ୟମ, ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ସବୁ ରାଜନୈତିକ ଦଳ ଦେଶର ଅର୍ଥନୀତିକୁ ନେଇ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଇତିମଧ୍ୟରେ ବିଶ୍ୱବ୍ୟାଙ୍କ୍‌, ଆଇଏମ୍‌ଏଫ୍‌ ଏବଂ ଏଡିବି ଭଳି ପ୍ରତିଷ୍ଠିତ ଆର୍ଥିିକ ସଂସ୍ଥାରେ ଭାରତୀୟ ଅର୍ଥନୀତିକୁ ନେଇ ପ୍ରକାଶ ପାଇଥିବା ତଥ୍ୟ ଅତ୍ୟନ୍ତ ନୈରାଶ୍ୟଜନକ। ସେହିଭଳି ‘ଦି ଇକୋନୋମିଷ୍ଟ’, ‘ଫୋର୍ବସ ଇଣ୍ଡିଆ’ ଭଳି ପତ୍ରିକାରେ ମଧ୍ୟ ଭାରତୀୟ ଅର୍ଥନୀତିର ମାନ୍ଦାବସ୍ଥାକୁ ନେଇ ବିଭିନ୍ନ ତଥ୍ୟ ପ୍ରକାଶ ପାଇଛି। ଗତମାସରେ ୱାଶିଂଟନ୍‌ସ୍ଥିତ ଆଇଏଫ୍‌ପିଆର୍‌ଆଇ ଭଳି ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତର ସ୍ଥାନ ୧୦୦କୁ ଖସିଆସିଛି। ୨୦୧୪ରେ ଭାରତ ୫୫ତମ ସ୍ଥାନରେ ଥିବାବେଳେ ତିନିବର୍ଷ ମଧ୍ୟରେ ଏହା ଆଉ ୪୫ଟି ଦେଶ ତଳକୁ ଆସିଯାଇଛି, ଯାହାକି ଆମ ପାଇଁ ସତର୍କଘଣ୍ଟି ସଦୃଶ। ସେହିଭଳି ବିଶ୍ୱ ସୁଖ ସୂଚକାଙ୍କରେ ମଧ୍ୟ ଭାରତର ସ୍ଥାନ ୧୧୪ରୁ ୧୮୪କୁ ଖସିଆସିଛି- ଏହା ଆମ ଅର୍ଥବ୍ୟବସ୍ଥା ପ୍ରତି ନିଶ୍ଚିତ ଭାବେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏଠି ପ୍ରଶ୍ନ ଉଠୁଛି, ଦେଶରେ ଆର୍ଥିତ୍କ ସଂସ୍କାର ନାମରେ ସରକାର ଆଣିଥିବା କିଛି ପରିବର୍ତ୍ତନ ଆର୍ଥିିକ ସୁଧାର ଆଣିଛି ନା ସେଥିରେ ବାଧକ ହୋଇଛି? ପ୍ରକୃତରେ ସରକାର ଏଥିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ଚେଷ୍ଟା କରୁଥିଲା ବେଳେ ଏହା ଦେଶର ଅର୍ଥ ବ୍ୟବସ୍ଥାକୁ ଦୁର୍ବଳ କଲାଭଳି ମନେହେଉଛି। ବିମୁଦ୍ରୀକରଣ ଓ ଜିଏସ୍‌ଟି ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଇଛି ତା’ର ଆକଳନ ହେବା ଆବଶ୍ୟକ। ଗତବର୍ଷ ୮ ନଭେମ୍ବର ମଧ୍ୟରାତ୍ରିରେ ସରକାର ବିମୁଦ୍ରୀକରଣ ନିଷ୍ପତ୍ତି ନେଲେ। ଏହାର ପ୍ରମୁଖ ଲକ୍ଷ୍ୟ ଥିଲା ଦେଶରେ କଳାଧନ ନିୟନ୍ତ୍ରଣ ସହ ନକଲି ନୋଟ୍‌ କାରବାର ଏବଂ ଆତଙ୍କବାଦୀ ଓ ମାଓବାଦୀ କାର୍ଯ୍ୟକଳାପ ଉପରେ ରୋକ୍‌ ଲଗାଇବା। ଏପରି ନିଷ୍ପତ୍ତିି ଯୋଗୁ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ ଏବଂ ବହୁ ଲୋକଙ୍କ ଜୀବନ ମଧ୍ୟ ଗଲା। କିନ୍ତୁ ଏଥିରୁ କେତେ କଳାଟଙ୍କା ଜବତ ହେଲା ଏବଂ ପ୍ରକୃତ କଳାଧନ ମହଜୁଦକାରୀମାନେ କିଏ ତାହା ଏ ଯାଏ ଜଣାପଡ଼ିଲା ନାହିଁ। ଆର୍‌ବିଆଇ ରିପୋର୍ଟ ଆଧାରରେ ଯେଉଁ ୧୫.୪୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ଅଚଳ କରାଯାଇଥିଲା ତାହା ମଧ୍ୟରୁ ୧୫.୨୮ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍‌କୁ ଫେରିଆସିଛି। ହେଲେ ୧୬,୦୦୦ କୋଟି ଟଙ୍କା ଆସିପାରିନାହିଁ। ଏହା ମଧ୍ୟରେ କିଛି ପରିମାଣର ପୁରୁଣା ନୋଟ୍‌୍‌ ବିଦେଶରେ ରହୁଥିବା ଭାରତୀୟଙ୍କ ପାଖରେ ଥିଲାବେଳେ କିଛି ଟଙ୍କା ରୟାଲ୍‌ ବ୍ୟାଙ୍କ ନେପାଳ ଓ ଭୁଟାନରେ ମଧ୍ୟ ଗଚ୍ଛିତ ରହିଛି। ସରକାରଙ୍କ ଭାଷାରେ ଏହି ୧୬,୦୦୦ କୋଟି ଟଙ୍କା ମଧ୍ୟରେ କିଛି କଳାଧନ ରହିଛି। ଏଠି ପ୍ରଶ୍ନ ଉଠୁଛି ଏହି ୧୬,୦୦୦ କୋଟି ଟଙ୍କା ଠାବ ପାଇଁ, ନୂଆ ନୋଟ ଛାପିବାରେ ରିଜର୍ଭ ବ୍ୟାଙ୍କ ୨୫,୩୯୧ କୋଟି ଟଙ୍କା ଖର୍ଚ୍ଚ କରିବା କେଉଁ ପ୍ରକାର ଅର୍ଥନୀତି? ୧୦ ଡିସେମ୍ବର ୨୦୧୬ରେ ଦେଶର ଆଟର୍ନି ଜେନେରାଲ୍‌ ସୁପ୍ରିମ୍‌କୋର୍ଟରେ ଯୁକ୍ତି ବାଢ଼ିଥିଲେ, ଏହି ୧୫ ଲକ୍ଷ କୋଟିରୁ ୧୦ରୁ ୧୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍‌କୁ ଫେରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ସମାନ ଯୁକ୍ତି ବାରମ୍ବାର ସର୍ବସାଧାରଣରେ ରଖୁଥିଲେ। ଜନସାଧାରଣ ଆଶା କରୁଥିଲେ ଏହି ୪/୫ ଲକ୍ଷ କୋଟି ଟଙ୍କା ବୋଧହୁଏ କଳାଧନ ଏବଂ ଏହା ବ୍ୟାଙ୍କ୍‌କୁ ଫେରିବନି। ଅଥଚ ମାତ୍ର ୧୬,୦୦୦ କୋଟି ଟଙ୍କା ଫେରିଲାନି। ଆର୍‌ବିଆଇ ଦ୍ୱାରା ପ୍ରକାଶିତ ରିପୋର୍ଟ ଆଧାରରେ ଯେଉଁ ୧୫.୨୮ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମାହେଲା ତାହା ମଧ୍ୟରୁ କେବଳ ୪୧ କୋଟି ଟଙ୍କା ଜାଲ୍‌ ନୋଟ୍‌ ଥିଲା, ଯାହାକି ସମୁଦାୟ ଟଙ୍କାର ମାତ୍ର ୦.୦୦୧୩ ପ୍ରତିଶତ। ଏହା ମଧ୍ୟରେ ବିଭିନ୍ନ ରାଜ୍ୟରେ ନକଲି ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଜବତ ହେବା ଏବଂ ଏଟିଏମ୍‌ ମେଶିନ୍‌ରୁ ନକଲି ନୋଟ୍‌ ବାହାରିବା ଚିତ୍ର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଲା। ବିମୁଦ୍ରୀକରଣ ପରେ କେବଳ ଜମ୍ମୁ-କଶ୍ମୀରରେ ୪୦ ଥର ଆତଙ୍କବାଦୀ ଆକ୍ରମଣ ଘଟିସାରିଲାଣି। ସେହିପରି ୧୩ଟି ବଡବଡ ମାଓବାଦୀ ଆକ୍ରମଣରେ ଦେଶରେ ୬୯ ଜଣ ସୁରକ୍ଷାକର୍ମୀଙ୍କ ସହ ୮୧ ଜଣ ନିରୀହ ଲୋକଙ୍କ ଜୀବନ ଯାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଯୁକ୍ତି ହେଲା ବିମୁଦ୍ରୀକରଣ ପରେ ମେ ୨୦୧୭ ସୁଦ୍ଧା ୧୭,୫୨୬କୋଟି ଟଙ୍କାର ଅଘୋଷିତ ଆୟ ବା କଳାଧନ ଠାବ ହୋଇଛି। କିନ୍ତୁ ଏହାପୂର୍ବରୁ ୨୦୧୨-୧୩ରେ ୨୯,୬୩୦ କୋଟି, ୨୦୧୩-୧୪ରେ ୧,୦୧,୧୮୩ କୋଟି, ୨୦୧୪-୧୫ରେ ୨୩,୧୦୮ କୋଟି, ୨୦୧୫-୧୬ରେ ୨୦,୭୨୧ କୋଟି ଏବଂ ୨୦୧୬-୧୭ରେ ୨୯,୨୧୧ କୋଟି ଟଙ୍କାର ଅଘୋଷିତ ଆୟ ବା କଳାଧନ ସରକାର ଜବତ କରିଛନ୍ତି। ତେବେ ବିମୁଦ୍ରୀକରଣ ଦ୍ୱାରା ଅଧିକ କି ଲାଭ ମିଳିଲା ତା’ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀଙ୍କ ମତରେ ‘ବିମୁଦ୍ରୀକରଣ, କଳାଟଙ୍କାକୁ ଧଳା କରିବାର ଏକ ବଡ ଯୋଜନା’। ହଠାତ୍‌ ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟ ନିର୍ବାଚନ ସମୟରେ ଏ ନିଷ୍ପତ୍ତି କିଛି ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ନୁହେଁ ତ? ଦେଶରେ ଟିକସ ସଂସ୍କାର ଆଣିବା ପାଇଁ ସରକାରଙ୍କ ଆଉ ଏକ ବଡ ନିଷ୍ପତ୍ତି ଥିଲା ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ, ଯାହାକୁ ନେଇ ଏବେ ବି ଦେଶରେ ବହୁ ତର୍କବିତର୍କ ଚାଲିଛି। ଜିଏସ୍‌ଟିର ମୂଳ ଉଦ୍ଦେଶ୍ୟ ଥିଲା, ଏକ ସରଳ, ସ୍ବଚ୍ଛ ଏକକ ଟିକସ ବ୍ୟବସ୍ଥା କରିବା, ଯାହାଦ୍ୱାରା ଦରଦାମ୍‌ ବୃଦ୍ଧିକୁ ରୋକି ହେବ। କିନ୍ତୁ ଏହା ଏକକ ଟିକସ ବ୍ୟବସ୍ଥା ବଦଳରେ ବହୁଟିକସ ବ୍ୟବସ୍ଥା ତଥା ସରଳ ବଦଳରେ ଜଟିଳ ଟିକସ ବ୍ୟବସ୍ଥାରେ ପରିଣତ ହେଲା। ଏଥିରେ ୭ରୁ ଅଧିକ ପ୍ରକାରର ଟିକସ ବ୍ୟବସ୍ଥା ରହିଛି। ରାଜନୈତିକ ଫାଇଦା ପାଇଁ ଏହାକୁ ତରବରିଆ ଭାବେ ଲାଗୁ କରାଯିବାରୁ ବିମୁଦ୍ରୀକରଣ ପରେ ଭୁଶୁଡି ପଡିଥିବା କୃଷି ଆଦି ଅଣସଙ୍ଗଠିତ କ୍ଷେତ୍ର ଉପରେ ଏହାର କୁପ୍ରଭାବ ପଡିଛି। କ୍ଷୁଦ୍ର ଓ ମଧ୍ୟମ ବେପାରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଏହି ଦୁଇଟି ପ୍ରମୁଖ ଆର୍ଥିିକ ସଂସ୍କାର ଦ୍ୱାରା ଭାରତର ଅର୍ଥନୀତି ଉପରେ ସକାରାମତ୍କ ନା ନକାରାମତ୍କ ପ୍ରଭାବ ପଡିଛି? ଏହା ମଧ୍ୟରେ ଦେଶର ଅଭିବୃଦ୍ଧି ହାର ଯଥେଷ୍ଟ କମିଛି। ଏବେ ଦେଶରେ ଅର୍ଥନୀତିର ସମସ୍ତ ସୂଚକାଙ୍କ ଯେପରିକି ଶିଳ୍ପ ଉପତ୍ାଦନ, କୃଷି ଅଭିବୃଦ୍ଧି, ମାନୁଫ୍ୟାକ୍ଚରିଂ, ବାଣିଜ୍ୟ ଓ ରପ୍ତାନିର ଅଭିବୃଦ୍ଧି ହାର ହ୍ରାସ ପାଇଥିବା ବେଳେ ଦେଶର ଅର୍ଥନୀତି ଦ୍ରୁତଗତିରେ ଆଗେଇଛି ଓ ମଜବୁତ ଅଛି ବୋଲି କହିବା ରାଜନୈତିକ ଟିପ୍ପଣୀ ପରି ମନେହୁଏ। ଦେଶରେ ମୁଦ୍ରାସ୍ଫୀତି କମିଛି ବୋଲି କୁହାଯାଉଛି, ଅଥଚ ଦରବୃଦ୍ଧିରେ ଲଗାମ୍‌ ନାହିଁ। ଦେଶରେ ଥିବା ବ୍ୟାଙ୍କ୍‌ଗୁଡ଼ିକର ଅନାଦେୟ ଋଣ ୩ ବର୍ଷରେ ୩୬,୦୦୦ କୋଟି ଟଙ୍କାରୁ ଯାଇ ୮.୩୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କ୍‌ର ଏହି ଦେବାଳିଆ ସ୍ଥିତିକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ଏବେ ୨.୧୧ ଲକ୍ଷ କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଥିରୁ ବ୍ୟାଙ୍କ ଅର୍ଥନୀତି କିଭଳି ସ୍ତରରେ ପହଞ୍ଚିଛି ସହଜରେ ଅନୁମେୟ। ରାଜନୀତିମୁକ୍ତ ଓ ନିରପେକ୍ଷ ଅର୍ଥନୀତି ଦେଶର ବିକାଶ କ୍ଷେତ୍ରରେ ସହାୟକ ହୁଏ, କିନ୍ତୁ ଅର୍ଥନୀତିକୁ ଯଦି ରାଜନୀତି ସହ ଯୋଡ଼ି ଦିଆଯାଏ ଓ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ପରିଚାଳନା କରାଯାଏ, ତେବେ ଦେଶ ବିକାଶ ବଦଳରେ ବିନାଶ ଆଡକୁ ଯିବ।

ସାଧାରଣ ସମ୍ପାଦକ ଓ ମୁଖପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ମୋ- ୯୯୩୭୭୧୫୨୭୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri