ବିପର୍ଯ୍ୟସ୍ତ ପରିମଳ ଓ ଡେଙ୍ଗୁ

ଡା. ଉମେଶ ଚନ୍ଦ୍ର ପାତ୍ର

ହାଡ଼ଭଙ୍ଗା (ବ୍ରେକ ବୋନ୍‌ ଫିଭର୍‌) ବା ଡେଙ୍ଗୁ ଜ୍ୱର ସାଧାରଣତଃ ଗ୍ରୀଷ୍ମମଣ୍ଡଳ ବା କ୍ରାନ୍ତି ବଳୟରେ ଦେଖାଯାଇଥାଏ। ପ୍ରତିବର୍ଷ ୫୦୦ ଲକ୍ଷ ଲୋକ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି ଓ ୫ ଲକ୍ଷ ଲୋକ ଚିକିତ୍ସାଳୟରେ ଭର୍ତ୍ତି ହେଉଛନ୍ତି। ସମଗ୍ର ଦକ୍ଷିଣ ଏସିଆ, ଆଫ୍ରିକା ଓ ଆମେରିକାରେ ଏହି ରୋଗର ପ୍ରାଦୁର୍ଭାବ ଦେଖାଯାଏ। ପୁଣି ସେହି ଦେଶକୁ ଯେଉଁମାନେ ବୁଲିବାକୁ ଯାଆନ୍ତି ସେମାନେ ମଧ୍ୟ ଏ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଛି। ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ୧୯୯୦ରୁ ୧୯୯୯ ମଧ୍ୟରେ ପ୍ରତିବର୍ଷ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪.୭ ଲକ୍ଷ ଥିଲାବେଳେ ୨୦୦୦ରୁ ୨୦୦୫ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ଦୁଇଗୁଣ ବଢ଼ି ୯.୨ ଲକ୍ଷ ହୋଇଛି। ଏହି ଜ୍ୱର ଏଡିସ୍‌ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ମ୍ୟାଲେରିଆ ଓ ଡେଙ୍ଗୁ ଉଭୟ ମଶା ଦ୍ୱାରା ସଂକ୍ରମିତ ହୁଏ। ଏହି ଜ୍ୱର ଫ୍ଲେଭିଭାଇରସ୍‌ ଭୂତାଣୁ ଦ୍ୱାରା ହୋଇଥାଏ। ଏହା ଏକ ଆର୍‌ଏନ୍‌ଏ ଭୂତାଣୁ ଓ ଏହାର ଜିନୋମ୍‌ ଏକଧାରାବାହୀ। ସମ୍ପ୍ରତି ଡେଙ୍ଗୁର ଭୟାବହତା ରାଜ୍ୟର ବହୁ ସ୍ଥାନରେ ଦେଖାଯାଉଛି। ଏହି ଭୂତାଣୁକୁ ବହନ କରୁଥିବା ମଶା ହେଉଛି ଏଡିସ୍‌ ଇଜିପ୍ଟିି ଏବଂ ଏଡିସ୍‌ ଆଲ୍‌ବୋପିକ୍ଟସ୍‌। ଦେଖିବାକୁ କଳା ରଙ୍ଗର ଏବଂ ସେମାନଙ୍କ ଉପରେ ଧଳା ଦାଗ ଥିବାରୁ ଏହି ମଶାକୁ ବାଘୁଆ ମଶା କୁହାଯାଏ। ଏହି ମଶାମାନେ ବିଶେଷକରି ସନ୍ତସନ୍ତିଆ ଜାଗା, ପାଣି ଜମିଥିବା ସ୍ଥାନ ଏବଂ ଆବର୍ଜନା ଜମିଥିବା ସ୍ଥାନରେ ବଂଶ ବୃଦ୍ଧି କରିଥାନ୍ତି। ଏହି ମଶା କାମୁଡ଼ିବାର ପାଞ୍ଚ ଛଅ ଦିନ ପରେ ଡେଙ୍ଗୁର ଲକ୍ଷଣ ଦେଖାଯାଇଥାଏ। ଏହି ଭୂତାଣୁ ଶରୀରରେ ଚାରିରୁ ଦଶଦିନ ପର୍ଯ୍ୟନ୍ତ ରହିଥାଏ। ଡେଙ୍ଗୁ ଭୂତାଣୁ ଶରୀରର ବିଭିନ୍ନ ଅଙ୍ଗକୁ ଅଚଳ କରିଦିଏ। ଡେଙ୍ଗୁ ଯୋଗୁ ରକ୍ତଚାପ କମିଯାଏ, ଶରୀରରେ ପ୍ଲାଟିଲେଟ୍‌ ହ୍ରାସ ପାଏ। ଡେଙ୍ଗୁ ଭୂତାଣୁ ଜଣ୍ଡିସ୍‌ ସୃଷ୍ଟି କରିବାର ସମ୍ଭାବନା ବି ରହିଛି। ଏହା ଯକୃତ, ବୃକ୍କ, ମସ୍ତିଷ୍କ, ଅଗ୍ନ୍ୟାଶୟ ଓ ହୃତ୍‌ପିଣ୍ଡ ଉପରେ ପ୍ରଭାବ ପକାଇଥାଏ। କେବଳ ସେତିକି ନୁହେଁ ଡେଙ୍ଗୁ ଯୋଗୁ ମଲ୍ଟିଅର୍ଗାନ ଫେଲିଓର ହେବାର ସମ୍ଭାବନା ବି ରହିଛି। ଡେଙ୍ଗୁ ଭୂତାଣୁ ଯକୃତ ଉପରେ ବିଶେଷ ପ୍ରଭାବ ପକାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡେଙ୍ଗୁର ପ୍ରାଦୁର୍ଭାବକୁ ଚାରିଟି କ୍ରମରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା- ଜ୍ୱର ସହିତ କିଛି କ୍ଷେତ୍ରରେ ବାନ୍ତି ହେବା ସହ ନିଦ୍ରା ହୋଇ ନ ଥାଏ। ରୋଗୀଟି ପ୍ରାୟତଃ ଅସ୍ଥିର ରହି ଦୀର୍ଘ ସମୟ ଧରି କାନ୍ଦିଥାଏ। ନିଃଶ୍ୱାସ ନେବାରେ କଷ୍ଟ ହେବା ସହ ଦ୍ୱିତୀୟ କ୍ରମରେ ଶରୀରର ନାକ, ପାଟି, ଦାନ୍ତମାଢ଼ିରୁ ରକ୍ତସ୍ରାବ ହୋଇଥାଏ। ତୃତୀୟ କ୍ରମରେ ରକ୍ତଚାପ କମିଯିବା ସହ ନାଡ଼ିର ଗତି ଦୁର୍ବଳ ହୋଇଥାଏ। ଚତୁର୍ଥ କ୍ରମରେ ନାଡ଼ିର ସ୍ପନ୍ଦନ ଜଣା ନ ପଡ଼ିଲେ ଏବଂ ରକ୍ତଚାପ କମିଗଲେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଭୟ ବି ରହିଥାଏ। ଏହାକୁ ଯଥାକ୍ରମେ ଡେଙ୍ଗୁ ଜ୍ୱର, ଡେଙ୍ଗୁ ରକ୍ତଜ୍ୱର ଓ ଡେଙ୍ଗୁ ସକ୍‌ସିଣ୍ଡ୍ରୋମ କୁହାଯାଏ। ଲିଭର ସଂକ୍ରମଣ ସାଧାରଣତଃ ମହିଳା ଓ ଶିଶୁମାନଙ୍କଠାରେ ବିଶେଷ ଭାବେ ଦେଖାଦିଏ ଏବଂ ଏମାନଙ୍କ କ୍ଷେତ୍ରରେ ଡେଙ୍ଗୁର ପ୍ରାଦୁର୍ଭାବ ବେଶି। ଡାଇବେଟିସ୍‌, ଆଜ୍‌ମା, କ୍ରନିକ୍‌ ଲିଭର ଡିଜିଜ୍‌ ଓ ଅନ୍ୟାନ୍ୟ ରୋଗୀଙ୍କୁ ଡେଙ୍ଗୁ ହେଲେ ଡେଙ୍ଗୁର ପ୍ରାଦୁର୍ଭାବ ଅଧିକ ଉପଲବ୍ଧ ହୁଏ। ଯକୃତ ଆକ୍ରାନ୍ତ ହେଲେ ପେଟ ବ୍ୟଥା ହୁଏ, ଭୋକ କମିଯାଏ, ବାନ୍ତି ହୁଏ, ପେଟ ଓ ଛାତିରେ ପାଣି ଜମିଯାଏ। ଯକୃତ ଫୁଲିଯାଏ ଓ ବେଳେ ବେଳେ ମସ୍ତିଷ୍କ ଓ ହୃତ୍‌ପିଣ୍ଡ ମଧ୍ୟ ଆକ୍ରାନ୍ତ ହୁଏ। ଏହି ଭୂତାଣୁ ସିଧାସଳଖ ଲିଭରକୁ ଆକ୍ରମଣ କରନ୍ତି। ବେଳେ ବେଳେ ରୋଗପ୍ରତିରୋଧକ ଶକ୍ତିର ପରିବର୍ତ୍ତନ ଯୋଗୁ ମଧ୍ୟ ଲିଭର କୋଷ ଆକ୍ରାନ୍ତ ହୁଏ। ଦେହରେ ଆଲବୁମିନ୍‌ କମିଯାଏ ଓ ଦେହହାତ ଫୁଲିଯାଏ। ରକ୍ତଜମାଟ ବାନ୍ଧିବା ପଦ୍ଧତି ବା ସ୍ପନ୍ଦନରେ ତ୍ରୁଟି ଦେଖାଦିଏ। ଯଦିଓ ଏହା ଏକ ଭୟାବହ ରୋଗ କିନ୍ତୁ ଅଧିକାଂଶ କ୍ଷେତ୍ରରେ ରୋଗୀମାନେ ଆରୋଗ୍ୟ ଲାଭ କରନ୍ତି। ଡେଙ୍ଗୁର ମୃତ୍ୟୁହାର ଏକ ପ୍ରତିଶତରୁ କମ୍‌। ଗତବର୍ଷ ସମଗ୍ର ଦେଶରେ ୯୯,୦୦୦ ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୨୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଓଡ଼ିଶାରେ ମଧ୍ୟ ଗତବର୍ଷ ୦.୭% ରୋଗୀ ମୃତ୍ୟୁବରଣ କରିଥିଲେ। ଏହି ରୋଗର ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଏ। ଶରୀରରେ ପ୍ଲାଟିଲେଟ୍‌ ଓ ସ୍ପନ୍ଦନ ଉପାଦାନ କମିଗଲେ ରୋଗୀକୁ ପ୍ଲାଟିଲେଟ୍‌ ଦିଆଯାଏ। ବେଳେ ବେଳେ ଆଲବୁମିନ୍‌ ମଧ୍ୟ ଦେବାକୁ ପଡ଼େ। ବାନ୍ତି, ଜ୍ୱର ଓ ଡିହାଇଡ୍ରେଶନ୍‌ ଇତ୍ୟାଦି ହେଲେ ତଦନୁଯାୟୀ ଚିିକିତ୍ସା କରିବାକୁ ପଡ଼େ। ସାଲାଇନ୍‌, ରାବିପ୍ରାଜୋଲ୍‌, ଅଣ୍ଡେନ୍‌ସେଟ୍ରନ, ମଲ୍ଟି ଭିଟାମିନ ଓ ପାରାସିଟାମଲ୍‌ ଇତ୍ୟାଦି ଔଷଧ ଦିଆଯାଏ। ଡ୍ରେନ୍‌ରେ ମଶାତେଲ ଓ ମଶାଧୂଅଁା ଦେବାର ବନ୍ଦୋବସ୍ତ ହେଲେ ଭଲ। ଶିଳ୍ପାଞ୍ଚଳ ଓ ଖଣି ଖାଦାନରେ ପାଣି ନ ଜମିବା ଓ ବୃକ୍ଷରୋପଣ ଇତ୍ୟାଦିର ବନ୍ଦୋବସ୍ତ କଲେ ମଶାମାନେ ବଢ଼ିପାରିବେ ନାହିଁ। ସ୍ବଚ୍ଛ ଭାରତ ଯୋଜନାର ଉପଯୁକ୍ତ ରୂପାୟନରେ ଡେଙ୍ଗୁର ନିରାକରଣ ହୋଇପାରିବ। ଡେଙ୍ଗୁ ପାଇଁ ସମ୍ପ୍ରତି ସରକାର ଗ୍ରାମାଞ୍ଚଳର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଜିଲାସ୍ତରୀୟ ହସ୍ପିଟାଲ ଏବଂ ବଡ଼ ମେଡିକାଲ ସବୁଠି ପର୍ଯ୍ୟାପ୍ତ ବ୍ୟବସ୍ଥା କରିଛନ୍ତି। ଏ କ୍ଷେତ୍ରରେ ତୁଟୁକାତୁଟୁକି ଚିକିତ୍ସା ବା ବିଶ୍ୱାସ ଅପେକ୍ଷା ସରକାରୀ ଚିକିତ୍ସା ଓ ସହାୟତା ହିଁ ନିର୍ଭରଯୋଗ୍ୟ ଓ ଜରୁରୀ।

ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ, କଟକ, ମୋ- ୯୪୩୭୦୫୧୯୫୭



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri