ସମ୍ପାଦକୀୟ/ ଓଡ଼ିଶାରୁ ମୁହଁ ମୋଡ଼ିବେ

ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ (ଏସ୍‌ଏସ୍‌ଏ) ଆରମ୍ଭ କରିଥିଲେ। ୬ରୁ ୧୪ ବର୍ଷ ବୟସର ପିଲାଙ୍କ ପାଖରେ କିଭଳି ଗୁଣାତ୍ମକ ଶିକ୍ଷା ପହଞ୍ଚିପାରିବ, ସେହି ଦିଗରେ ରାଜ୍ୟ ସରକାରଗୁଡ଼ିକଙ୍କ ଦାୟିତ୍ୱ ଅଛି। ଏପରିକି ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଅଭିବୃଦ୍ଧି ଲାଗି ନିଜର ସ୍ବତନ୍ତ୍ର ଦୃଷ୍ଟିପତ୍ର ବିକଶିତ କରିବାର ସୁଯୋଗ ରହିଛି। ହେଲେ ଓଡ଼ିଶାର ବହୁ ଉପାନ୍ତ ଓ ଆଦିବାସୀ ଅଞ୍ଚଳରେ ଏହି ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଆସୁଛି। ବିପର୍ଯ୍ୟସ୍ତ ପ୍ରାଥମିକ ଶିକ୍ଷାର ଏକ ନଗ୍ନ ଉଦାହରଣ ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଣ୍ଡ୍ରାହାଲ ପଞ୍ଚାୟତର ପାହାଡ଼ତଳି ଅଞ୍ଚଳ ଖାଲଗୁଡ଼ା ଗାଁରେ ଦେଖିବାକୁ ମିଳିଛି। ଏହି ଗାଁ ୭୦ ବର୍ଷ ତଳର ପୁରୁଣା ହୋଇଥିଲେ ମଧ୍ୟ ସେଠାରେ ଅଦ୍ୟାବଧି ଗୋଟିଏ ସ୍କୁଲ ପ୍ରତିଷ୍ଠା କରାଯାଇପାରି ନାହିଁ। ସର୍ବଶିକ୍ଷା ଅଭିଯାନରେ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଶିକ୍ଷାର ଆନୁଷଙ୍ଗିକ ଉପକରଣ ଯୋଗାଣ ପର୍ଯ୍ୟନ୍ତ ଯାବତୀୟ ସୁବିଧା ଯୋଗାଇବାର ବ୍ୟବସ୍ଥା ରହିଛି। ୨୦୦୦-୦୧ ମସିହାରୁ ଏସ୍‌ଏସ୍‌ଏ ଆରମ୍ଭ ହୋଇଥିଲେ ମଧ୍ୟ ଜିଲା ଶିକ୍ଷା ଅଧିକାରୀଙ୍କ ନଜର ଏଭଳି ଗାଁ ଉପରେ ପଡ଼ିପାରିନାହିଁ। ଦୁର୍ଭାଗ୍ୟର କଥା, କୋରାପୁଟ ଜିଲା ଲମତାପୁଟ ଅଞ୍ଚଳର ଏକ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ଏହି ଗାଁର ପିଲାଙ୍କୁ ପାଠ ପଢ଼ାଇବାକୁ ଯାଇ ପ୍ରତ୍ୟେକଙ୍କଠାରୁ ମାସିକ ୧୦ ଟଙ୍କା ଆଦାୟ କରିଚାଲିଛିି। ଯେଉଁ ଅଞ୍ଚଳରେ ପିଲାମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳିପାରୁ ନାହିଁ, ସେଠାରେ ଅଭିଭାବକମାନେ ଅର୍ଥ ଦେଇ ପିଲାଙ୍କୁ ଶିକ୍ଷିତ କରିବା ପାଇଁ କିଭଳି ବ୍ୟଗ୍ର ଥିବେ ବୁଝିବା କଷ୍ଟକର। ଓଡ଼ିଶାର ବହୁ ଅନୁନ୍ନତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ଥିବା ମୂଳରେ ରହିଛି ସେଠାରେ ବିକାଶର ଆଲୋକ ପହଞ୍ଚି ନ ପାରିବା। ଶିକ୍ଷକ, ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀ ସମ୍ପୃକ୍ତ ଇଲାକାରେ ରହିବାକୁ ପସନ୍ଦ କରୁ ନ ଥିବାରୁ ଲୋକେ ମୌଳିକ ଓ ସରକାରୀ ସୁବିଧା ପାଇପାରୁନାହାନ୍ତି ବୋଲି ବାରମ୍ବାର ଅଭିଯୋଗ ହେଉଛି। କିନ୍ତୁ କୌଣସି ଅଧିକାରୀ ସେଠାରେ ରହୁ ନ ଥିବାରୁ ପରିସ୍ଥିତିରେ ପରିବର୍ତ୍ତନ ଆସିପାରୁନାହିଁ। ତେଣୁ ସେଠାକାର ଆବଶ୍ୟକତା ପୂରଣ ସକାଶେ ପଡ଼ୋଶୀ ରାଜ୍ୟଗୁଡ଼ିକ ଆଗେଇ ଆସୁଛନ୍ତି। ଖାଲଗୁଡ଼ା କଥା ଦେଖିଲେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର ଏହିଭଳି ଗ୍ରାମଗୁଡ଼ିକରେ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା କରାଇ ଦେଉଛନ୍ତି। ସ୍ଥଳବିଶେଷରେ ଦେଖାଯାଉଛି, ସୀମାନ୍ତ ଅଞ୍ଚଳର ଅଧିବାସୀ ପଡ଼ୋଶୀ ରାଜ୍ୟ ପ୍ରଶାସନ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ସ୍ବରୂପ ସେଠାକୁ ଢଳି ଯାଉଛନ୍ତି। ସମାନ ପ୍ରକାର ସ୍ଥିତି ଉତ୍ତର ଓ ପଶ୍ଚିମ ଓଡ଼ିଶାର ସୀମାନ୍ତ ଇଲାକାରେ ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ ବାଲେଶ୍ୱର ଜିଲାର ଶଙ୍ଖାମେଦୀ ଗାଁ ପ୍ରତି ପଶ୍ଚିମବଙ୍ଗ ପ୍ରଶାସନ ଏବଂ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକର କନକତୋରା, କଣ୍ଢେଇକେଲା, ପିଥିଣ୍ଡା ଗ୍ରାମବାସୀଙ୍କୁ ଛତିଶଗଡ଼ ପକ୍ଷରୁ ସାହାଯ୍ୟ ମିଳୁଥିବା ଜଣାଶୁଣା। ଯେତେବେଳେ ଗୋଟିଏ ଗାଁ ଓ ଏହାର ଅଧିବାସୀ ପଡ଼ୋଶୀ ରାଜ୍ୟକୁ ପଳାଇ ଯାଉଥିବା ଅଭିଯୋଗ ହେଉଛି, ସେତେବେଳେ ନାମକୁମାତ୍ର ପ୍ରଶାସନ କିଛି ସମୟ ପାଇଁ ଜାଗି ଉଠୁଛି। ଦେଖିବାକୁ ଗଲେ ଯେଉଁସବୁ ସ୍ଥାନ ଓଡ଼ିଶାର ଅଫିସରମାନଙ୍କୁ ନାପସନ୍ଦ ହେଉଛି, ସେହିସବୁ ଅଞ୍ଚଳର ଅନ୍ୟପଟରେ ଅନୁରୂପ ପରିସ୍ଥିତି ଥିବା ସତ୍ତ୍ୱେ ସେଠାକାର ଅଫିସର ତାଙ୍କ ରାଜ୍ୟ ଲୋକଙ୍କ କଥା ବୁଝିବା ସହିତ ଆମ ଲୋକଙ୍କର ଦୁଃଖ ବୁଝିବା ପାଇଁ ଆଗେଇ ଆସୁଛନ୍ତି। ଏହାକୁ ମାନବିକତା କିମ୍ବା ଦାୟିତ୍ୱବୋଧର ଆଖ୍ୟା ଦିଆଯାଇପାରେ। ଏଭଳି ପରିସ୍ଥିତିକୁ ଦେଖିଲେ ବୁଝାପଡ଼େ ଯେ, ଭୁବନେଶ୍ୱରର ସଚିବାଳୟରେ ବସି ରହିଥିବା ଅଧିକାରୀମାନଙ୍କର କାର୍ଯ୍ୟକ୍ଷେତ୍ର ସହିତ ସମ୍ପର୍କ ବହୁକାଳରୁ ବିଚ୍ଛିନ୍ନ ହୋଇଯାଇଛି। ସେମାନେ କନିଷ୍ଠ ଅଧିକାରୀଙ୍କ ସମସ୍ୟା ବୁଝିବା ପାଇଁ ସକ୍ଷମ ନୁହନ୍ତି କିମ୍ବା ସେହି କନିଷ୍ଠମାନେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ତଦାରଖ କରିବା ପାଇଁ ଅକ୍ଷମ। ଏହି ଆଭିମୁଖ୍ୟ ବଜାୟ ରଖିଲେ ଓଡ଼ିଶାର ସୀମାଞ୍ଚଳରେ ବସବାସ କରୁଥିବା ଜନସାଧାରଣ କ୍ରମଶଃ ଓଡ଼ିଶା ସହିତ ନିଜର ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ତୁଟାଇ ଅନ୍ୟଆଡ଼େ ମୁହଁାଇବେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri