ସଂରକ୍ଷଣ ବ୍ୟବସ୍ଥା ଓ ଦୁର୍ନୀତି

ବୈକୁଣ୍ଠନାଥ ମିଶ୍ର

ଯଦି ମୋତେ କେହି ପ୍ରଶ୍ନ କରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ ତେବେ ମୁଁ ନିଃସନ୍ଦେହରେ ଦୁଇଟି କଥାକୁ ଗୁରୁତ୍ୱ ଦେଇପାରେ। ପ୍ରଥମତଃ ସଂରକ୍ଷଣ ବ୍ୟବସ୍ଥା ଓ ଦ୍ୱିତୀୟଟି ଦୁର୍ନୀତି। ଏ ଥିଲା ଗୁଜରାଟ ହାଇକୋର୍ଟର ବରିଷ୍ଠ ବିଚାରପତି ଜେ.ବି. ପାର୍ଡିଓ୍ବାଲାଙ୍କ ମତ। ସ୍ବାଧୀନତାର ସତୁରି ବର୍ଷ ପରେ ଏ ଦେଶର କିଛି ପରିବାର ସଂରକ୍ଷଣର ସୁବିଧା ହାସଲ କରୁଛନ୍ତି, ଯଦିଓ ସେମାନେ ଅର୍ଥନୈତିକ ଦୃଷ୍ଟିରୁ ଆଉ ଦୁର୍ବଳ ନୁହନ୍ତି। ଡ. ଆମ୍ବେଡକରଙ୍କ ସଭାପତିତ୍ୱରେ ପ୍ରଣୀତ ସମ୍ବିଧାନ ଅର୍ଥନୈତିକ ତଥା ସାମାଜିକ ଅନଗ୍ରସର ଜାତି ଓ ଜନଜାତିଙ୍କୁ ଦଶବର୍ଷ ପାଇଁ ଚାକିରି ଓ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ସୁବିଧା ପ୍ରଦାନର ବ୍ୟବସ୍ଥା କରିଥିଲା। ଉଦ୍ଦେଶ୍ୟ ଥିଲା ଉକ୍ତ ଦଶବର୍ଷ ମଧ୍ୟରେ ସେମାନେ ଦାରିଦ୍ର୍ୟରୁ ମୁକ୍ତ ହୋଇ ମହାଭାରତୀୟ ସ୍ରୋତରେ ସାମିଲ ହେବେ। ମହାତ୍ମା ଗାନ୍ଧୀ ସେମାନଙ୍କୁ ହରିଜନ ଓ ଗିରିଜନ ଭାବେ ନାମିତ କରି ସମାଜର ଏକ ବଡ ବ୍ୟାଧି ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ସ୍ବାଧୀନୋତ୍ତର ଭାରତବର୍ଷରେ ସାମାଜିକ ସ୍ତରରେ ଅନେକାଂଶରେ ସମାନତା ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଅସ୍ପୃଶ୍ୟତାର ଘୃଣ୍ୟ ସତ୍ତା ଲୋପ ପାଇଛି। ସବୁ ମଣିଷ ଗୋଟିଏ ଜାତି ବୋଲି ସମାଜ ଗ୍ରହଣ କରିସାରିଥିଲେ ମଧ୍ୟ ସରକାରୀ ସ୍ତରରେ ଏହା ଉଜ୍ଜୀବିତ ରହିଛି ଓ ଆଉ କେତେକାଳ ଯେ ରହିବ ତା’ର ଠିକଣା ନାହିଁ। ଭୋଟ ରାଜନୀତି ପାଇଁ ସଂରକ୍ଷଣ ଏକାନ୍ତ ଅପରିହାର୍ଯ୍ୟ ବୋଲି ରାଜନୈତିକ ଦଳଗୁଡ଼ିକ ମନେକରନ୍ତି। ଏଲ୍‌ପିଜି ସବ୍‌ସିଡି ତ୍ୟାଗ କରିବାକୁ ସରକାର ଯେପରି ସ୍ବଚ୍ଛଳ ବର୍ଗଙ୍କୁ ଆହ୍ବାନ ଦେଉଛନ୍ତି, ସେହିପରି ଆର୍ଥିକ ସ୍ବଚ୍ଛଳତା ହାସଲ କରିଥିବା ତଫସିଲଭୁକ୍ତ ପରିବାରକୁ ସଂରକ୍ଷଣ ତ୍ୟାଗ କରିବାକୁ ଆହ୍ବାନ ଦେବେ କି? ସେମାନେ ମଧ୍ୟ ସ୍ବତଃ ଏହା ତ୍ୟାଗ କରିବାକୁ ଆଗଭର ହେବା ଉଚିତ। ସେମାନଙ୍କ ପିଲାଙ୍କୁ କେହି ଅଙ୍ଗୁଳି ନିର୍ଦ୍ଦେଶ ନ କରୁ ଯେ ସେମାନେ ନିଜ ଯୋଗ୍ୟତାରେ ନୁହେଁ, ବରଂ ସଂରକ୍ଷଣ ବଳରେ ତାଙ୍କ ସ୍ଥିତି ଲାଭ କରିଛନ୍ତି। ସଂରକ୍ଷଣ ଜାତି ଭିତ୍ତିରେ ନ ହୋଇ ଆର୍ଥିକ ଭିତ୍ତିରେ ହେବା ଉଚିତ। କିନ୍ତୁ ସଂରକ୍ଷଣ ତ୍ୟାଗ ତ ଦୂରର କଥା, ବରଂ ଅଧିକରୁ ଅଧିକ ସମ୍ପ୍ରଦାୟ ନିଜକୁ ଏଥିରେ ସାମିଲ କରିବା ପାଇଁ ଆନ୍ଦୋଳନ କରୁଛନ୍ତି। ଉଦାହରଣସ୍ବରୂପ, ଗୁଜରାଟରେ ପଟେଲମାନଙ୍କୁ ସଂରକ୍ଷଣ ଅନ୍ତର୍ଭୁକ୍ତ କରିବା ପାଇଁ ହାର୍ଦ୍ଦିକ ପଟେଲଙ୍କ ଆନ୍ଦୋଳନ ସାରା ଦେଶରେ ଚହଳ ପକାଇଥିଲା। ହରିୟାଣାର ଜାଠ୍‌ମାନଙ୍କ ଆନ୍ଦୋଳନ ଅନ୍ୟ ଏକ ଦୃଷ୍ଟାନ୍ତ। ଆଦିବାସୀ ମାନ୍ୟତା ପାଇଁ ଓଡ଼ିଶାର କୁଡୁମୀ ସମ୍ପ୍ରଦାୟର ଆନ୍ଦୋଳନ ଜାରି ରହିଛି। ସଂରକ୍ଷଣ ଅନ୍ତର୍ଭୁକ୍ତ ନ ହୋଇଥିବା କିଛି ଜନଜାତିଙ୍କର ସଂରକ୍ଷଣ ଦାବି ଚାଲୁ ରହିଛି। ସଂରକ୍ଷଣର ମାତ୍ରା ପଚାଶ ପ୍ରତିଶତକୁ ନ ଟପିବା ପାଇଁ ସୁପ୍ରିମକୋର୍ଟଙ୍କର ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ରାଜ୍ୟ ସରକାରମାନେ ଏହାକୁ ବୃଦ୍ଧି କରିଚାଲିଛନ୍ତି। ସ୍ବାଧୀନତୋତ୍ତର ଭାରତରେ ଇତିମଧ୍ୟରେ କେତେ ପଞ୍ଚବାର୍ଷିକ ଯୋଜନା, କେତେ ଅର୍ଥକମିଶନ ବସିବା ପରେ ମଧ୍ୟ ଅନୁସୂଚିତ ବର୍ଗଙ୍କର ଯଦି ଆର୍ଥିକ ପ୍ରଗତି ହୋଇ ନ ପାରିଲା, ତେବେ ଏହାର କାରଣ ଖୋଜିବାର ଆବଶ୍ୟକତା ରହିଛି। ଏହା ମୂଳରେ ଯେ ଦୁର୍ନୀତି ଅଛି, ଏଥିରେ ଦ୍ୱିରୁକ୍ତି ନାହିଁ। ଯୋଜନା ପ୍ରସ୍ତୁତ ହେଉଛି, ମାତ୍ର ଫଳ ଶୂନ। ଦୁର୍ନୀତି ଏକ ଓଲଟ ବୃକ୍ଷ ସଦୃଶ, ଯାହା ତଳୁ ଉପରକୁ ନ ଯାଇ ଉପରୁ ତଳକୁ ଆସିଛି। ଯେତେ ପ୍ରତିକାର କଲେ ମଧ୍ୟ ସବୁ ବୃଥା। କାରଣ ଡାଳ କାଟିଲେ ଗଛ ମରେ ନାହିଁ। ବାଡ ଆଜି କ୍ଷେତ ଖାଉଛି। ସେବ୍ୟ ଓ ସେବକର ସମ୍ପର୍କ ଆଜି ଓଲଟିଯାଇଛି। ସେଦିନ ପଶ୍ଚିମ ଓଡ଼ିଶାର ଆଦିବାସୀ ବୃଦ୍ଧା ଜଣକ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ଖୋଦ୍‌ ଜିଲାପାଳଙ୍କ ହାତକୁ ପନ୍ଦରଶହ ଟଙ୍କାର ନୋଟ୍‌ ବିଡାଟି ବଢାଇଦେଇ କହିଲା, ବାବୁ ଏ ଟଙ୍କାତକ ନିଅ, ଆଉ ମୋ କାମ କରିଦିଅ। ସବୁଠାରୁ ନିରାଶ ହେଲା ପରେ ତୁମ ପାଖକୁ ଆସିଛି। ବୃଦ୍ଧା ଜଣକ ନିଃସନ୍ତାନ। ସ୍ବାମୀଙ୍କର ମୃତ୍ୟୁ ପରେ ଜଣେ ପ୍ରଭାବଶାଳୀ ପଡୋଶୀ ଚଞ୍ଚକତା କରି ତା’ର ପାଞ୍ଚ ଏକର ଜମିକୁ ନିଜ ନାମରେ କରାଇନେଇଛି। ବିଚାରୀ ବୃଦ୍ଧା ପାଞ୍ଚବର୍ଷ ହେଲା ତହସିଲ କାର୍ଯ୍ୟାଳୟଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ହତାଶ ହେବା ପରେ କେହି ଜଣେ ହିତାକାଂକ୍ଷୀର ପରାମର୍ଶ ଅନୁଯାୟୀ ଖୋଦ୍‌ ଜିଲାପାଳଙ୍କୁ ଲାଞ୍ଚ ଯାଚନାର ଧୃଷ୍ଟତା କରିଛି। ଜିଲାପାଳ ହତଚକିତ। ଏ ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତି ପାଇଁ ସେ ଆଦୌ ପ୍ରସ୍ତୁତ ନ ଥିଲେ। କିନ୍ତୁ ଏହା ହେଉଛି ସାମ୍ପ୍ରତିକ ସମୟର ଏକ ନିରାଟ ବାସ୍ତବତା। ଜିଲାପାଳ ନିଜ କ୍ରୋଧ ଓ ବିରକ୍ତିକୁ ଚାପିରଖି ସ୍ବକୀୟ ମାନବିକତା ପ୍ରଦର୍ଶନ କଲେ। ସମ୍ପୃକ୍ତ ତହସିଲଦାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ। ବୃଦ୍ଧା ତାଙ୍କ ପ୍ରାପ୍ୟ ପାଇଲେଣି କି ନାହିଁ ଜଣାନାହିଁ। କିନ୍ତୁ ସାଧାରଣ ଅଶିକ୍ଷିତା ଜନଜାତି ବୃଦ୍ଧା ଜଣକ ବୁଝିପାରିଛି ଯେ ଏ ଦେଶରେ ଲାଞ୍ଚ ବିନା ନ୍ୟାୟ ମିଳେନା। ୨୦୧୫ ମସିହାରେ କଲିକତାର ହାଓଡ଼ାଠାରେ ନିର୍ମାଣାଧୀନ ଫ୍ଲାଇଓଭର ଭୁଶୁଡି ପାଞ୍ଚଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା। ଫ୍ଲାଇଓଭରର ପ୍ରତ୍ୟେକ ଖମ୍ବ ପଚାଶ ଫୁଟ୍‌ ଗଭୀର ହେବା ପାଇଁ ବ୍ୟବସ୍ଥା ଥିବାସ୍ଥଳେ ଦୁର୍ନୀତିଖୋର ଇଞ୍ଜିନିୟର, ଠିକାଦାର ଓ ରାଜନେତାଙ୍କର ମଧୁଚନ୍ଦ୍ରିକାରେ ଖମ୍ବଗୁଡିକର ଗଭୀରତା ୨୦/୨୫ ଫୁଟ ମଧ୍ୟରେ ସୀମିତ ଥିଲା ବୋଲି ତଦନ୍ତରୁ ଜଣାପଡିଲା। ନବକଳେବର ସମୟରେ ପୁରୀର ମାଳତୀପାଟପୁର ଓଭରବ୍ରିଜ ନିର୍ମାଣ ସରି କାର୍ଯ୍ୟରେ ଲାଗିବା ପୂର୍ବରୁ ପୋଲ ଦବିଯାଇ ଗମନାଗମନ ଅନୁପଯୋଗୀ ହୋଇପଡିଲା। ବୁଗୁଡା ସେତୁ, ଗୁରୁପ୍ରିୟା ସେତୁ ଓ ବରଗଡ ଜିଲାର ଜିରାନଦୀରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡି ପଡିଛି। ଭୁବନେଶ୍ୱର ବମିଖାଲ ଓଭରବ୍ରିଜ ଦୁର୍ଘଟଣା ଦୁର୍ନୀତି ଗନ୍ଧ ବହନ କରୁଥିବା ଅନ୍ୟତମ ନମୁନା। ନିର୍ମାଣ ଶେଷ ହେବା ପୂର୍ବରୁ ଏହା ମରଣଯନ୍ତା ପାଲଟିଲା। ପିସି କାରବାର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ପିସି କାରବାର ଚାଲିଥିବାର ପରୋକ୍ଷ ସ୍ବୀକାରୋକ୍ତି। ପିସି ସବୁ ମୂଳରେ ଥିଲା ଏବଂ ଏକ ଦୁରାରୋଗ୍ୟ ବ୍ୟାଧି ପରି ପ୍ରଗତିକୁ ରୁଗ୍‌ଣ କରିସାରିଛି। ପିସି କାରବାର ବା ଲାଞ୍ଚଖୋର ମନୋବୃତ୍ତି ଏକ ଦୁର୍ବଳ ମାନସିକତାର ପରିଚାୟକ। ସେଥିପାଇଁ ଧାର୍ମିକ ଚେତନା ଓ ଆଧ୍ୟାତ୍ମିକ ଭାବନାର ଆବଶ୍ୟକତା ରହିଛି। ସଚେତନତାର ପବିତ୍ର ଜଳଧାରା ଦୁର୍ନୀତିର ପାପକୁ ଧୋଇଦେଉ। ଦେଶକୁ ସ୍ବଚ୍ଛ କରିବାଠାରୁ ଚରିତ୍ରର ସ୍ବଚ୍ଛତା ପ୍ରାଥମିକତା ବହନ କରୁ। ସବୁକିଛି ଛାଏଁ ଛାଏଁ ଠିକ୍‌ ହୋଇଯିବ।

ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri