ରୁଷ ବିପ୍ଳବର ଶହେ ବର୍ଷ

ଇଂ. ରାଜା ସୁରେଶ

ଆଜକୁ ଶହେ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୧୭ ମସିହା ନଭେମ୍ବର ୭ ତାରିଖରେ ସର୍ବହରାର ମହାନ୍‌ ନେତା ଲେନିନ୍‌ଙ୍କ ନେତୃତ୍ୱରେ ରୁଷର ଶ୍ରମଜୀବୀ ଜନତା ସେଠାକାର ଶାସକ ସମ୍ରାଟ୍‌ ଜାର୍‌ ଓ ପୁଞ୍ଜିପତି ଶ୍ରେଣୀକୁ ସଶସ୍ତ୍ର ବିପ୍ଳବ ମାଧ୍ୟମରେ କ୍ଷମତାରୁ ହଟାଇ ସେଠାରେ କୃଷକ ଓ ଶ୍ରମିକଙ୍କ ଶାସନ ପ୍ରତିଷ୍ଠା କରିଥିଲେ। ରୁଷର ପୁରୁଣା କ୍ୟାଲେଣ୍ଡର ଅନୁସାରେ ଏହି ଦିନଟି ଅକ୍ଟୋବର ମାସରେ ପଡ଼ୁଥିବାରୁ ଏହା ‘ଅକ୍ଟୋବର ବିପ୍ଳବ’ ନାମରେ ପରିଚିତ। ରୁଷର ଶ୍ରମିକ ଓ କୃଷକମାନେ ସେଦିନ ମାନବ ସମାଜର ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ର କ୍ଷମତାକୁ ଦଖଲ କରିବା ସହିତ ଏକ ସମାଜବାଦୀ ଶାସନ ବ୍ୟବସ୍ଥା ସ୍ଥାପିତ କରିଥିଲେ। ଏହି ଶାସନ ପ୍ରଥମେ ଜମି ଓ କଳକାରଖାନା ଉପରେ ରହି ଆସିଥିବା ଜମିଦାର ତଥା ପୁଞ୍ଜିପତିମାନଙ୍କ ବ୍ୟକ୍ତିଗତ ମାଲିକାନାକୁ ସମାପ୍ତ କରି ତା’ ଉପରେ କୃଷକ ଓ ଶ୍ରମିକଙ୍କ ସାମୂହିକ ମାଲିକାନା ପ୍ରତିଷ୍ଠା କରିଥିଲା। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ଶ୍ରମିକ ଓ କୃଷକଙ୍କ ଏହି ସରକାର କିଛିବର୍ଷ ମଧ୍ୟରେ ଦେଶରେ କୁପୋଷଣ, ଅଶିକ୍ଷା ପରି ସମସ୍ୟାର ପରିସମାପ୍ତି ଘଟାଇଥିଲା। ଶ୍ରମିକଶ୍ରେଣୀର ଶାସନରେ ରୁଷରେ ମହିଳାମାନେ ପ୍ରଥମଥର ପାଇଁ ଭୋଟଦାନର ଅଧିକାର ପାଇବା ସହିତ ସମାଜର ସବୁ କ୍ଷେତ୍ରରେ ପୁରୁଷଙ୍କ ସହ ସମାନ ଅଧିକାର ହାସଲ କରିଥିଲେ। ଉପତ୍ାଦନ ତଥା ଅନ୍ୟାନ୍ୟ ସମସ୍ତ ଆର୍ଥିକ ଓ ରାଜନୈତିକ କାର୍ଯ୍ୟରେ ବହୁସଂଖ୍ୟାରେ ମହିଳାଙ୍କ ଯୋଗଦାନକୁ ନିଶ୍ଚିତ କରାଯାଇ ପାରିଥିଲା। ପ୍ରଥମଥର ପାଇଁ ମହିଳାମାନଙ୍କୁ ହାଣ୍ଡିଚୁଲିର ଗୋଲାମିରୁ ମୁକ୍ତ କରିବା ଲକ୍ଷ୍ୟରେ ଦେଶର ସବୁଠି ବଡ଼ ବଡ଼ ସାମୂହିକ ରୋଷେଇଶାଳ, ଲୁଗାସଫା ଲଣ୍ଡ୍ରି ଓ ଶିଶୁଙ୍କ ଯତ୍ନଘର (କ୍ରେଚ୍‌)ର ବ୍ୟବସ୍ଥା ସହ ରୋଷେଇ, ସନ୍ତାନପାଳନ ପରି ଘରୋଇ ଶ୍ରମର ସାମାଜିକୀକରଣ କରାଯାଇଥିଲା। ସମାଜବାଦୀ ଶାସନରେ ରୁଷରେ ସବୁ କ୍ଷେତ୍ରରେ ଅଭୂତପୂର୍ବ ବିକାଶ ହୋଇଥିଲା। ଉପତ୍ାଦନ, ବିଜ୍ଞାନ ଓ ସାଂସ୍କୃତିକ ପ୍ରଗତିରେ ୧୯୧୭ ବେଳକୁ ୨୦ ବର୍ଷ ପଛରେ ରହିଥିବା ରୁଷ ଖୁବ୍‌ କମ୍‌ ସମୟ ଭିତରେ ଦୁନିଆର ମହାଶକ୍ତି ରୂପେ ମୁଣ୍ଡ ଟେକିଥିଲା। କୃଷି ଓ ଶିଳ୍ପ ଉପତ୍ାଦନରେ ସୋଭିଏଟ୍‌ ରୁଷ ବିଶ୍ୱରେ ନୂତନ ରେକର୍ଡ଼ ସୃଷ୍ଟି କରିବା ସହ ବିଜ୍ଞାନ, ଶିକ୍ଷା, ଚିକିତ୍ସା, ପ୍ରତିରକ୍ଷା, ଖେଳ, କଳା ଆଦି ପ୍ରତିଟି କ୍ଷେତ୍ରରେ ବିକାଶର ବେଗ ଏତେ ଦ୍ରୁତ ଥିଲା ଯେ, ଏପରି ସ୍ଥିତି ହାସଲ କରିବାକୁ ଇଂଲଣ୍ଡ, ଜର୍ମାନୀ, ଫ୍ରାନ୍‌ସ ପରି ପାଶ୍ଚାତ୍ୟର ପୁଞ୍ଜିବାଦୀ ଦେଶମାନଙ୍କୁ ଦୁଇ ଶହ ବର୍ଷ ଲାଗିଥିଲା। ପାଶ୍ଚାତ୍ୟ ଦେଶମାନଙ୍କରେ ପୁଞ୍ଜିବାଦୀ ବିକାଶ ସହିତ ଧନୀ ଓ ଗରିବଙ୍କ ମଧ୍ୟରେ ବୈଷମ୍ୟ ବଢ଼ି ଚାଲିଥିବା ବେଳେ ସମାଜବାଦୀ ରୁଷ ବ୍ୟକ୍ତିଗତ ସମ୍ପତ୍ତିର ଉଚ୍ଛେଦ ସହ ପ୍ରତ୍ୟେକ ଲୋକଙ୍କୁ ମାଗଣାରେ ବାସଗୃହ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ମୌଳିକ ସୁବିଧା ଯୋଗାଇ ଇତିହାସ ସୃଷ୍ଟି କରିଥିଲା। ବିଶ୍ୱ ରାଜନୀତିରେ ଏହି ଯୁଗାନ୍ତକାରୀ ବିପ୍ଳବର ପ୍ରଭାବ ଏତେ ବ୍ୟାପକ ଥିଲା ଯେ, ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଶ୍ରମିକଶ୍ରେଣୀ ମାକର୍‌ସବାଦୀ ବିଚାରଧାରା ପ୍ରତି ଆକୃଷ୍ଟ ହୋଇ ନିଜ ନିଜ ଦେଶରେ ସମାଜବାଦ ପ୍ରତିଷ୍ଠା ଲକ୍ଷ୍ୟରେ କମ୍ୟୁନିଷ୍ଟ ପାର୍ଟି ଗଠନ କରିଥିଲେ। ଏସୀୟ ଏବଂ ଆଫ୍ରିକୀୟ ଦେଶମାନଙ୍କରେ ଚାଲିଥିବା ଉପନିବେଶବାଦବିରୋଧୀ ଜାତୀୟ ମୁକ୍ତି ସଂଗ୍ରାମଗୁଡ଼ିକ ସମାଜବାଦୀ ରୁଷର ସମର୍ଥନ ପାଇ ତେଜୀୟାନ୍‌ ହୋଇ ଉଠିଥିଲା। ଚାଇନା ପରି ଅନେକ ଦେଶରେ ଶ୍ରମିକ ଶ୍ରେଣୀ ନେତୃତ୍ୱରେ ହୋଇଥିବା ବିପ୍ଳବକୁ ସୋଭିଏଟ୍‌ ରୁଷର ପ୍ରତ୍ୟକ୍ଷ ସମର୍ଥନ ମିଳିଥିଲା। ରୁଷ ବିପ୍ଳବ ପ୍ରଭାବରେ ଛାନିଆ ହୋଇ ବିଶ୍ୱର ପୁଞ୍ଜିବାଦୀ ଦେଶର ଶାସକମାନେ ନିଜ ଦେଶର ଶ୍ରମିକ ଓ କୃଷକଙ୍କୁ ସମାଜବାଦରୁ ଦୂରେଇ ରଖିବା ପାଇଁ ବିଭିନ୍ନ ଶ୍ରମ ଆଇନ ପ୍ରଣୟନ କରିବା ସହିତ ସାଧାରଣ ଜନତାଙ୍କୁ ସାମାଜିକ ସୁରକ୍ଷା ଓ ରିହାତି ଦେବାକୁ ବାଧ୍ୟ ହୋଇଥିଲେ। ଆମ ଦେଶରେ ବ୍ରିଟିଶ ସରକାର କରିଥିବା ଶ୍ରମ ଆଇନ ସବୁ ରୁଷ ବିପ୍ଳବର ପରିଣତି ହିଁ ଥିଲା। ତେବେ ରୁଷ ବିପ୍ଳବରୁ ସୃଷ୍ଟ ସମାଜବାଦ ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି। ଷ୍ଟାଲିନ୍‌ଙ୍କ ମୃତ୍ୟୁ ପରେ ସେଠାକାର ଶାସନ ବ୍ୟବସ୍ଥା ଓ କମ୍ୟୁନିଷ୍ଟ ପାର୍ଟି ଭିତରେ ମୁଣ୍ଡ ଟେକିଥିବା ପୁଞ୍ଜିବାଦୀଙ୍କ ବିଶ୍ୱାସଘାତକତା ଯୋଗୁ ରୁଷରେ ସମାଜବାଦ କ୍ରମଶଃ ଦୁର୍ବଳ ହେବା ସହ ପୁଞ୍ଜିବାଦର ପୁନଃସ୍ଥାପନ ହୋଇଛି, ଯାହାର ପରିଣତି ସ୍ବରୂପ ୧୯୯୧ ମସିହାରେ ସେଠାରେ ସମାଜବାଦୀ ବ୍ୟବସ୍ଥାର ବିଘଟନ ହେବା ସହ ସେହି ଦେଶ ପନ୍ଦର ଭାଗରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଦେଶରେ ପରିଣତ ହୋଇଛି। ତେବେ ରୁଷରେ ସମାଜବାଦୀ ବ୍ୟବସ୍ଥାର ବିଘଟନ ସହ ଏକ ମହାଶକ୍ତି ଭାବେ ତା’ର ପତନ ଫଳରେ ଆମେରିକା ଏକାଧିପତ୍ୟର ବାଟ ଖୋଲିଥିଲା। ବିଶ୍ୱର ପ୍ରାକୃତିକ ସମ୍ପଦ ଓ ବଜାରକୁ ଲୁଟିବାକୁ ଆମେରିକା, ରୁଷ, ଫ୍ରାନ୍ସ, ଜର୍ମାନୀ, ଇଂଲଣ୍ଡ, ଜାପାନ ଓ ଚାଇନା ପରି ସାମ୍ରାଜ୍ୟବାଦୀ ଶକ୍ତିମାନେ ନିଜ ନିଜ ଭିତରେ ଗଳାକଟା ପ୍ରତିଯୋଗିତାରେ ବ୍ୟସ୍ତ ଥିବା ବେଳେ ତଥା ବିଶ୍ୱର ଅଧିକାଂଶ ସମ୍ପତ୍ତିକୁ ମାତ୍ର କିଛି କର୍ପୋରେଟ୍‌ କରାୟତ୍ତ କରୁଥିବା ବେଳେ ଭାରତ ସମେତ ବିଶ୍ୱର ସାଧାରଣ ଜନତା ଭୟଙ୍କର ଗରିବୀ, ବେକାରି, ଅନାହାର, ପୁଷ୍ଟିହୀନତା, ଅଶିକ୍ଷା, ଯୁଦ୍ଧ ତଥା ଆତଙ୍କର ଶିକାର ହେବାରେ ଲାଗିଛନ୍ତି। ରୁଷ ବିପ୍ଳବର ଶହେ ବର୍ଷ ପରେ ମଧ୍ୟ ଆଜି ବି ତା’ ଦ୍ୱାରା ସୃଷ୍ଟ ସମାଜବାଦୀ ବ୍ୟବସ୍ଥାର ପ୍ରାସଙ୍ଗିକତା ଅକ୍ଷୁଣ୍ଣ ରହିଛି।

ମୋ: ୯୪୩୭୧୭୬୩୭୪, rajasureshchandra@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri