ପିତା-ପୁତ୍ର ଯୋଡ଼ି

ଆଧୁନିକ ଜଗତରେ, ବିଶେଷକରି ପାଶ୍ଚାତ୍ୟ ଦେଶଗୁଡ଼ିକରେ, ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନେ ଏକାଠି ହୋଇ ‘ଥିଙ୍କ୍‌ ଟ୍ୟାଙ୍କ୍‌’ ସୃଷ୍ଟି କରିଥାନ୍ତି। ଏହିଭଳି ମେଳିରେ ସାମିଲ ହୋଇ ବୁଦ୍ଧିଜୀବୀମାନେ ସେମାନଙ୍କର ଚିନ୍ତାକୁ ସରକାର ଏବଂ ବୃହତ୍‌ ବ୍ୟବସାୟ ସମ୍ମୁଖରେ ରଖିବାର ପ୍ରୟାସ ପ୍ରଥମେ ଯୁକ୍ତରାଷ୍ଟ୍ର ଆମେରିକାରେ ଆରମ୍ଭ କରିଥିଲେ। ଆମେରିକାରେ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ଦିଗ୍‌ଦର୍ଶନ ଦେବାରେ ଏହିଭଳି ସଂଗଠନ ଅନେକ ସକାରାତ୍ମକ କାର୍ଯ୍ୟ କରିଥାନ୍ତି। ଏପରି ସଂସ୍ଥାର ଜନ୍ମ ହେବା ପଛରେ ମୁଖ୍ୟ କାରଣ ରହିଲା, ଯେତେବେଳେ ଉନ୍ନତ ଦେଶର ସରକାରମାନେ ବୁଝିଲେ ଯେ କେବଳ ଅମଲାତନ୍ତ୍ରୀଙ୍କ ଉପଦେଶରେ ନୀତି ଓ ଯୋଜନା ପ୍ରଣୟନ କରାଯାଉଥିବା ହେତୁ ଜନସାଧାରଣଙ୍କ ନିକଟରେ କୌଣସି ସରକାରୀ ସୁଫଳ ପହଞ୍ଚତ୍ ପାରୁନାହିଁ। ପରବର୍ତ୍ତୀ ସମୟରେ କେବଳ ଉପଦେଷ୍ଟା ଭାବେ ଗଢ଼ି ଉଠିଥିବା ଥିଙ୍କ୍‌ ଟ୍ୟାଙ୍କ୍‌ଗୁଡ଼ିକ ବ୍ୟବସାୟିକ ଚିନ୍ତାଧାରାରେ ପ୍ରବେଶ କଲେ। ଯେଉଁଠାରେ ବ୍ୟବସାୟ ପ୍ରବେଶ କରେ, ସେଠାରେ ଦୁର୍ନୀତି ମାଡି ଆସିବା ଅବଶ୍ୟମ୍ଭାବୀ।ଦେଖିବାକୁ ଗଲେ ସ୍ବାଧୀନତାର ଦୀର୍ଘ ୭୦ ବର୍ଷ ବିତି ଯାଇଥିଲେ ମଧ୍ୟ ଭାରତର ଶାସନ ବ୍ୟବସ୍ଥା ଏବେ ପର୍ଯ୍ୟନ୍ତ ପ୍ରଶାସକଙ୍କ ହାତମୁଠାରେ ରହିଯାଇଛି। ଏହା ନିଶ୍ଚିତ ଭାବେ ସ୍ବୀକାରଯୋଗ୍ୟ, ଏହି ଦେଶରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଶେଷଜ୍ଞ ହୋଇପାରିଥିବା ବ୍ୟକ୍ତିଙ୍କ ମତ ଲୋଡ଼ାଯାଇ ନୀତି ଓ ଯୋଜନା ନିର୍ଦ୍ଧାରଣ ହେଲେ ହୁଏତ ଜନସାଧାରଣ ଅଧିକ ଉପକୃତ ହୋଇପାରନ୍ତେ। ଏହି ଶୂନ୍ୟସ୍ଥାନକୁ ପୂରଣ କରିବା ଦିଗରେ ଭାରତରେ କିଛି ଲୋକ ବୁଝିପାରି ତାହାର ସୁବିଧା ନେବା ପାଇଁ ଏବେ ନିୟମିତ କସରତ କରୁଛନ୍ତି। ଏହି କସରତରେ ସାମିଲ ହୋଇଛନ୍ତି ଆମ ଦେଶର ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ପୁତ୍ର ଶୌର୍ୟ୍ୟ ଡୋଭାଲ। ଶୌର୍ୟ୍ୟ କିଛି ସମୟ ଧରି ‘ଇଣ୍ଡିଆ ଫାଉଣ୍ଡେଶନ’ ନାମରେ କେତେଜଣ ଅନଭିଜ୍ଞ କିନ୍ତୁ ତଥାକଥିତ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଏହି ସଂଗଠନରେ ସାମିଲ କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳ ବୁଲି ଇଣ୍ଡିଆ ଫାଉଣ୍ଡେଶନ ତରଫରୁ ଗରିବ ବିରୋଧୀ ଚିନ୍ତାଧାରା, କର୍ପୋରେଟ୍‌ଗୁଡ଼ିକୁ ସହାୟକ ହେବା ଭଳି ଯୋଜନା ଏବଂ ସଂଖ୍ୟାଲଘୁ ବିରୋଧୀ ମତ ବାଢ଼ିବାରେ କାର୍ଯ୍ୟ କରାଯାଉଛି। କିଛିମାସ ପୂର୍ବେ ଏହି ଫାଉଣ୍ଡେଶନ ତରଫରୁ ଭୁବନେଶ୍ୱରର ପଞ୍ଚତାରକା ହୋଟେଲରେ ଏକ କ୍ଷୁଦ୍ର ବୈଠକର ଆୟୋଜନ କରାଯାଇଥିଲା। ବିପୁଳ ଅର୍ଥ ଖର୍ଚ୍ଚ କରାଯାଇ ଏବଂ ଲୁକ୍କାୟିତ ଭାବରେ ‘ଥିଙ୍କ୍‌ ଟ୍ୟାଙ୍କ୍‌’ କାର୍ଯ୍ୟ କରିଆସୁଛି ବୋଲି ଅନେକ ଲୋକେ ଜାଣିଥିଲେ। ଏବେ ‘ଓ୍ବାୟର୍‌’ ନାମକ ଅନ୍‌ଲାଇନ୍‌ ଖବର ସଂସ୍ଥା ଶୌର୍ୟ୍ୟଙ୍କ ଅସଲି ରୂପ ପ୍ରକାଶ କରିଦେଇଛି। ଜଣାପଡ଼ିଛି ଇଣ୍ଡିଆ ଫାଉଣ୍ଡେଶନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ, ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଓ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌. ଜେ. ଆକବର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ‘ଇଣ୍ଡିଆ ଫାଉଣ୍ଡେଶନ’ର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶୌର୍ୟ୍ୟ ସଂସ୍ଥାର ଲକ୍ଷ୍ୟ ବାହାରକୁ ଯାଇ ଜେମିନି ଫାଇନାନ୍ସିଆଲ ସର୍ଭିସ ସଂସ୍ଥା ପାଇଁ କାର୍ଯ୍ୟ କରୁଛନ୍ତି। ରାଜନେତାଙ୍କ କ୍ଷମତାର ଅପବ୍ୟବହାର କରି ଏହି ସଂସ୍ଥା ଜରିଆରେ ଅର୍ଥ ହେରଫେର କରିବା, ବିଦେଶୀ ପାଣ୍ଠି ଓ କର୍ପୋରେଟଗୁଡ଼ିକରୁ ଅର୍ଥ ଗୋଟାଇବା ଭଳି ଅଭିଯୋଗ ତାଙ୍କ ବିରୋଧରେ ଆସଛି। ଫଳରେ ଏଥିରେ ତାଙ୍କ ପିତା ଅଜିତଙ୍କ ସମ୍ପୃକ୍ତି ଓ କେନ୍ଦ୍ର ସରକାରଙ୍କ ଭୂମିକାକୁ ନେଇ ସମାଲୋଚନା ଆରମ୍ଭ ହୋଇଯାଇଛି।ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏନ୍‌ଏସ୍‌ଏ ସରକାରୀ ପଦ ନୁହେଁ, ବରଂ ଏକ ରାଜନୈତିକ ନିଯୁକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି କ୍ଷମତାକୁ ଆସିବା ପରେ ଅଜିତ୍‌ଙ୍କୁ ଏହି ପଦବୀରେ ଅବସ୍ଥାପିତ କରିଥିଲେ। ବର୍ତ୍ତମାନ ତାଙ୍କ ପୁତ୍ର ଶୌର୍ୟ୍ୟଙ୍କ ନାମରେ ଆସିଥିବା ଅଭିଯୋଗ ବିଷୟରେ ଅଜିତ କିଛି ଜାଣିନାହାନ୍ତି ବୋଲି କହିପାରିବେ ନାହିଁ। କାରଣ ସରକାରଙ୍କ ସହ ତାଙ୍କର ସିଧାସଳଖ ସମ୍ପୃକ୍ତି ରହିଛି। କିଛିଦିନ ତଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁତ୍ର ଜୟଙ୍କ କମ୍ପାନୀର ସମ୍ପତ୍ତି ମୂଲ୍ୟ ଆଶାତୀତ ବୃଦ୍ଧି ପାଇଥିଲା। ସ୍ବଳ୍ପ ସମୟ ମଧ୍ୟରେ ସମ୍ପତ୍ତିର ଆକାର ବିପୁଳ ପରିମାଣରେ ବଢ଼ିଯିବା ଅମିତଙ୍କୁ ଦୁର୍ନୀତି ବଳୟକୁ ଟାଣିଆଣିଛି। ଏଭଳି ପିତା-ପୁତ୍ର ଯୋଡ଼ିଙ୍କ ଭୂମିକାକୁ ଯଦି ଗଭୀର ଭାବେ ତର୍ଜମା କରାଯାଏ, ତାହା ହେଲେ ଅମିତ ଓ ଅଜିତ ହେଉଛନ୍ତି ମୋଦିଙ୍କ ବିଶ୍ୱସ୍ତ ସମର୍ଥକ। ଅମିତ ରାଜନୈତିକ ପରାମର୍ଶଦାତା ଭାବେ ତାଙ୍କ ପାଖେ ପାଖେ ରହୁଥିବା ବେଳେ ଜାତୀୟ ସୁରକ୍ଷା ସଂକ୍ରାନ୍ତ ଉପଦେଶ ପାଇଁ ଅଜିତଙ୍କ ଉପରେ ମୋଦି ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଜିତ୍‌ଙ୍କ ଉପରେ କେବଳ ଜାତୀୟ ସୁରକ୍ଷା ପାଇଁ ନୁହେଁ, ରାଜନୈତିକ ଦିଗ୍‌ଦର୍ଶନ ସକାଶେ ମୋଦି ତାଙ୍କ ଉପରେ ହାମ୍ବୁଡି ପଡ଼ିଛନ୍ତି। ଏହି ହାମ୍ବୁଡି ପଡ଼ିବା କେତେ ଗୁରୁତର ବୁଝିବାକୁ ହେଲେ ଲାଗି ରହିଥିବା ଡୋକ୍‌ଲାମ୍‌ ସମସ୍ୟାରେ ଚାଇନାକୁ ଶାନ୍ତ କରିବା ପାଇଁ ଭାରତର ଏନ୍‌ଏସ୍‌ଏ ଅଜିତ୍‌ଙ୍କୁ ବେଜିଂ ପଠାଇଥିଲେ ମୋଦି। ଏହା ବ୍ୟତୀତ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲାବେଳେ ମୋଦି ସବୁବେଳେ ଅବସରପ୍ରାପ୍ତ ଅଜିତଙ୍କଠାରୁ ବିଧିବଦ୍ଧ ପରାମର୍ଶ ଲୋଡୁଥିଲେ। ଏଣୁ ଜୟ ଓ ଶୌର୍ୟ୍ୟ ନିଜର ପିତାଙ୍କ କ୍ଷମତା ବଳରେ ବଳୀୟାନ ହୋଇ ଯେଉଁ କେଳେଙ୍କାରୀ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଜାଣିନାହିଁ ବୋଲି କହିବା କଷ୍ଟକର।

The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri