ଅପପୁଷ୍ଟି: ଏକ ସାମାଜିକ ବ୍ୟାଧି

ଡା. ବାସୁଦେବ ପ୍ରଧାନ

ମଣିଷର ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ଉତ୍ତମ ଖାଦ୍ୟ ମଣିଷକୁ ପୁଷ୍ଟି ଯୋଗାଏ। ଶରୀରକୁ ନୀରୋଗ ଓ ସୁସ୍ଥ ରଖେ। ସୁଷମ ଖାଦ୍ୟ ଅଭାବରୁ ମଣିଷ ବିଭିନ୍ନ ବ୍ୟାଧିର ଶିକାର ହୁଏ। ଦାରିଦ୍ର୍ୟ ଏବଂ ଶିକ୍ଷାର ଅଭାବ ଅପପୁଷ୍ଟିକୁ ଖୋରାକ ଯୋଗାଏ। ଅପପୁଷ୍ଟି କେବଳ କେତେକ ରାଜ୍ୟର ସମସ୍ୟା ନୁହେଁ, ଏହା ସମଗ୍ର ବିଶ୍ୱରେ ମଧ୍ୟ ଦେଖାଯାଏ। ତେବେ ଯେଉଁ ଦେଶରେ ଆର୍ଥିକ ଅବସ୍ଥା ସୁଦୃଢ, ନାଗରିକମାନେ ଶିକ୍ଷିତ, ସେମାନେ ଅପପୁଷ୍ଟିର ଶିକାର କମ୍‌ ହୋଇଥାନ୍ତି। ଶାରୀରିକ ସୁସ୍ଥତା ମଣିଷକୁ ରୋଜଗାରକ୍ଷମ କରୁଥିବା ବେଳେ ଶିକ୍ଷା ଜୀବନଶୈଳୀରେ ପରିବର୍ତ୍ତନ ଆଣେ। କିନ୍ତୁ ଶିକ୍ଷା ଅପେକ୍ଷା ପ୍ରଥମ ଆବଶ୍ୟକତା ସ୍ବାସ୍ଥ୍ୟ। ଯେଉଁ ପରିବାରର ମୁଣ୍ଡପିଛା ଆୟ କମ୍‌ ସେହି ପରିବାରର ପିଲାମାନେ ଅଧିକ ଅପପୁଷ୍ଟିର ଶିକାର ହୋଇଥାନ୍ତି। ଅପପୁଷ୍ଟିର ଲକ୍ଷଣଗୁଡିକ ହେଲା: ଦୁର୍ବଳ ଶରୀର, ଚୁଟି କହରା ଓ ରୁକ୍ଷ, ପେଟ ବାହାରିପଡ଼ିବା ବା ଏକ ପୁଟୁଳି ପରି ଦେଖାଯିବା, ଆଖି ଶେତା ଦେଖାଯିବା, ଶରୀରରେ ରକ୍ତ ଏବଂ ଗ୍ଲୁକୋଜର ମାତ୍ରା କମିଯିବା, ଅସ୍ଥି ଦୁର୍ବଳ, ଓଜନ ହ୍ରାସ, ଗାଲର ମାଂସପେଶୀ ଶିଥିଳ ହେବା କାରଣରୁ ପାଟି ମେଲା ହୋଇ ରହିବା, ଜିଭରେ ଆସ୍ତରଣ ଜମିବା। ସେହିପରି ଅନ୍ଧାରକଣା, ଥଣ୍ଡା, କାଶ, ଟନ୍‌ସିଲାଇଟିସ୍‌, ବ୍ରୋଙ୍କାଇଟିସ୍‌, ନିମୋନିଆ, ଝାଡାବାନ୍ତି ଓ ବିଭିନ୍ନ ପ୍ରକାର ଚର୍ମରୋଗ ଆକ୍ରାନ୍ତ କରିଥାଏ। ପିଲାମାନେ ଚିଡିଚିଡା, କ୍ରନ୍ଦନରତ ରହନ୍ତି, ଏପରି କି ମା’କୋଳ ଛାଡନ୍ତି ନାହିଁ। ଅପପୁଷ୍ଟିର ଦୁଇଟି ବଳିଷ୍ଠ ଉଦାହରଣ ହେଲା କ୍ୱାସିର୍‌କର ଏବଂ ମାରାସମସ୍‌ ରୋଗ।ଅପପୁଷ୍ଟିକୁ ରୋକିବା ପାଇଁ ଆମକୁ ମା’ର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହେବ। ଅର୍ଥାତ୍‌ ଗର୍ଭାବସ୍ଥାରେ ମା’ର ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଦରକାର। ମା’କୁ ଉତ୍ତମ ଖାଦ୍ୟ ଦେବା ଆବଶ୍ୟକ। ମା’ ସୁସ୍ଥ ରହିଲେ ଉତ୍ତମ ସନ୍ତାନ ଜନ୍ମଦିଏ। ତା’ ସାଙ୍ଗକୁ ଛୁଆର ଲାଳନପାଳନ ଉତ୍ତମ ରୂପେ କରିପାରିଥାଏ। କେଉଁ ଅତୀତ କାଳରୁ ବୋହୂଟି ମା’ ହେବାକୁ ଥିଲେ ଘରକୁ ‘ସ୍ବାଦଭାର’ ଅର୍ଥାତ୍‌ ଉତ୍ତମ ପିଠାପଣା, ବ୍ୟଞ୍ଜନ ବୋହୂ ପାଇଁ ଆସିଥାଏ। ସ୍ବାଦଖିଆରେ ଆମିଷ ଦିଆଯାଏ ନାହିଁ। ଅପପୁଷ୍ଟି ରୋକିବା ପାଇଁ ଆମ ପାଖରେ ଅନେକ ଉପାୟ ରହିଛି। ସେଗୁଡିକ ହେଲା- ଗର୍ଭାବସ୍ଥାରେ ଆଇରନ୍‌ ଏବଂ କ୍ୟାଲ୍‌ସିୟମର ଆବଶ୍ୟକତା ଯଥେଷ୍ଟ। ସେଥିପାଇଁ ବିଭିନ୍ନ ପ୍ରକାର ଶାଗ ଖାଇବା ଦରକାର। ଶାଗ ମଧ୍ୟରେ ପୁରୁଣି ଶାଗ ଶ୍ରେଷ୍ଠ। ଏହା ଖାଇଲେ ରକ୍ତହୀନତା ଦୂର ହୁଏ। ଏଥିପାଇଁ ଉପାଦେୟ ଔଷଧ ହେଉଛି ପୁନର୍ନବାଦି ମଣ୍ଡୁର, ଧାତ୍ରିଲୌହ। ଏହି ଔଷଧ ପ୍ରସବ ପୂର୍ବରୁ ଏବଂ ପରେ ଦିଆଯାଇଥାଏ। ସେହିପରି କ୍ୟାଲ୍‌ସିୟମ ପାଇଁ ମୁକ୍ତାଶୁକ୍ତି ଉପଯୁକ୍ତ ଔଷଧ। ମାଣ୍ଡିଆରେ ପ୍ରଚୁର କ୍ୟାଲ୍‌ସିୟମ୍‌ ଅଛି। କ୍ଷୀର ଏବଂ କ୍ଷୀରରୁ ପ୍ରସ୍ତୁତ ଅନ୍ୟାନ୍ୟ ଖାଦ୍ୟ, ଦହି, ଛେନା ଲାଭଦାୟକ ହୋଇଥାଏ। ପ୍ରସବ ପରେ କ୍ଷୀର ବୃଦ୍ଧି ପାଇଁ ଜିରା, ଶତାବରୀ ଦିଆଯାଇପାରିବ। କଳମ ଶାଗ ମଧ୍ୟ ଉପାଦେୟ। ଦଶମୂଳାରିଷ୍ଟ, ମୃତସଞ୍ଜୀବନୀ ସୁରା ଏବଂ ଜୀରକାଦି ମୋଦକ ମା’କୁ ଦେଲେ ମା’ ନୀରୋଗ ରୁହେ। ମାତୃସ୍ତନ୍ୟରୁ ଉତ୍ତମ ଏବଂ ଉପଯୁକ୍ତ ମାତ୍ରାରେ କ୍ଷୀର ସୃଷ୍ଟି ହୁଏ। ୬ ମାସ ପାଇଁ ଛୁଆକୁ କେବଳ ମା’କ୍ଷୀର ଦେବା ଉଚିତ। ୬ ମାସ ପରେ ବହଳିଆ ଖାଦ୍ୟ ଦେବା ସାଙ୍ଗକୁ ୨ ବର୍ଷ ପର୍ଯ୍ୟନ୍ତ ମା’କ୍ଷୀର ଦେବା ଉଚିତ। ସେହିପରି ଢିଙ୍କିକୁଟା ଉଷୁନାଚାଉଳ ଭାତ, ତୋରାଣି ଏବଂ ଚକିପେଷା ଅଟା, ମାଣ୍ଡିଆ, ଯଅ ମଧ୍ୟ ଉତ୍ତମ ପୋଷକ ଖାଦ୍ୟ ଭାବେ ନିଆଯାଇପାରିବ। ପ୍ରସବ ପରେ ଲୁଣ ଓ ଲେମ୍ବୁଦିଆ ତୋରାଣି ହେଉଛି ଶ୍ରେଷ୍ଠ ଟନିକ୍‌। ଏଥିରେ ଭିଟାମିନ୍‌ ବି ଓ ସି ଅଛି। ତୋରାଣିରେ ସାମାନ୍ୟ ପରିମାଣରେ ଭଜା ଜିରାଗୁଣ୍ଡ ପକାଇ ଖାଇଲେ ମା’ର ସ୍ବାସ୍ଥ୍ୟ ଭଲ ରହେ। ହର୍ଲିକ୍ସ କିମ୍ବା ଅନ୍ୟାନ୍ୟ ଡବା ଖାଦ୍ୟର ଆବଶ୍ୟକତା ନାହିଁ। ଏହା ବ୍ୟୟବହୁଳ। ତା’ଅପେକ୍ଷା ଘରେ ଛତୁଆ ତିଆରି କରି ସେଥିରେ କ୍ଷୀର ଓ ଗୁଡ଼ ମିଶାଇ ଖାଇଲେ ଆମେ କମ୍‌ ପଇସାରେ ଉତ୍ତମ ପୁଷ୍ଟିସାର ପାଇପାରିବା। ଆମ ବାଡିବଗିଚାରେ ପୁଷ୍ଟିକର ଖାଦ୍ୟର ଅଭାବ ନାହିଁ। କେବଳ ମାନସିକ ପ୍ରସ୍ତୁତି ରହିଲେ ଆମେ ଅପପୁଷ୍ଟିର ସରଳ ଚିକିତ୍ସା କରିପାରିବା।ଆମେ ଦେଶୀ ଗାଈଟିଏ ରଖିଲେ କ୍ଷୀର, ଘିଅ, ଦହି, ଛେନା ପାଇପାରିବା। କିଚେନ ଗାର୍ଡେନଟିଏ କଲେ ସବୁଜ ପନିପରିବା ପାଇପାରିବା। କ୍ଷେତରୁ ମିଳୁଥିବା ଡାଲି, ଶିମ୍ବଠାରୁ ଅଧିକ ପୁଷ୍ଟିକର ଖାଦ୍ୟ ନାହିଁ। ବାଡିରେ ଯଦି କଦଳୀ, ଅମୃତଭଣ୍ଡା, ଶଜନା ଗଛ ଅଛି ତେବେ ଉତ୍ତମ ଆହାର ପାଇପାରିବା। ମାତୃ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ସରକାର ଅନେକ ବ୍ୟବସ୍ଥା କରୁଛନ୍ତି। ଏହାର ସୁଯୋଗ ନେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ବ୍ୟବସ୍ଥା ଏବଂ ପଥିପାଚନ କରାଗଲେ ମା’ ଓ ଛୁଆ ସୁସ୍ଥ ରହିବେ। ପିଲାମାନେ ଅପପୁଷ୍ଟିର ଶିକାର ହେବେ ନାହିଁ। ଅପପୁଷ୍ଟି କେବଳ ପରିବାରର ସମସ୍ୟା ନୁହେଁ, ଏହା ଏକ ସାମାଜିକ ବ୍ୟାଧି। ଏହି ବ୍ୟାଧି ଦୂର ହେବା ଦରକାର।

ମୋ-୯୪୩୯୯୯୦୦୬୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri