ଦୁର୍ନୀତିମୁକ୍ତ ଶାସନ ଏକ ଦିବାସ୍ବପ

ଡ. ସନ୍ତୋଷ କୁମାର ମହାପାତ୍ର

ବର୍ତ୍ତମାନ ଦୁର୍ନୀତି ଗଣତନ୍ତ୍ରର ୪ଟା ଯାକ ସ୍ତମ୍ଭକୁ ଆକ୍ରାନ୍ତ କଲାଣି। କ୍ଷମତାରେ ଥିଲାବେଳେ ଦୁର୍ନୀତି କରି ପ୍ରଚୁର ସମ୍ପତ୍ତି ଠୁଳ କରିବା ଏବଂ କ୍ଷମତାରୁ ଗଲାପରେ ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିବା ନିତିଦିନିଆ ଘଟଣା ହୋଇଗଲାଣି। ସ୍ବାଧୀନତା ପରଠାରୁ ପ୍ରତ୍ୟେକ ସରକାର ଅମଳରେ ଛୋଟବଡ଼ ଦୁର୍ନୀତି ଘଟିଯାଇଛି। ୧୯୪୮ ମସିହାରେ ପ୍ରଥମେ ଜିପ୍‌ ସ୍କାମ୍‌ ଘଟିଥିଲା। ପରେ ୧୯୫୧ରେ ସାଇକେଲ ସ୍କାମ୍‌, ୧୯୫୭ରେ ମୁଦ୍ରାସ୍କାମ୍‌ ଏବଂ ୧୯୭୦ରେ ମାରୁତି ସ୍କାଣ୍ଡାଲ ଘଟିଥିଲା। କିନ୍ତୁ ୧୯୮୬ର ବୋଫର୍ସ ଦୁର୍ନୀତି ବେଶି ଚହଳ ସୃଷ୍ଟି କରିଥିଲା। ଦେଶରେ ୧୯୯୧ରେ ଆର୍ଥିକ ସଂସ୍କାର ଆରମ୍ଭ ହେଲାପରେ ଅର୍ଥନୀତି ଉପରେ ସରକାରଙ୍କ କର୍ତ୍ତୃତ୍ୱ ହ୍ରାସପାଇବା ସହିତ ଶିଳ୍ପପତିଙ୍କ କର୍ତ୍ତୃତ୍ୱ ବୃଦ୍ଧିପାଇବା ଯୋଗୁ ବଡ଼ଧରଣର ଦୁର୍ନୀତି ଘଟିଥିଲା। ସେଥିରେ ରହିଛି ୧୯୯୨ରେ ହର୍ଷଦ ମେହେଟ୍ଟାଙ୍କ ପ୍ରତିଭୂତି ସ୍କାମ୍‌, ୧୯୯୭ରେ ଲାଲୁ ଯାଦବଙ୍କ ଗୋଖାଦ୍ୟ ସ୍କାମ୍‌, ୧୯୯୯ରେ କଫିନ ସ୍କାମ୍‌, ୨୦୦୭ରେ ତେଲ୍‌ଗୀ ଷ୍ଟାମ୍ପପେପର ସ୍କାମ୍‌, ୨୦୧୦ର କମନ୍‌ଓ୍ବେଲ୍‌ଥ ଗେମ୍‌ ସ୍କାମ, ୨-ଜି ସ୍ପେକ୍ଟ୍ରମ୍‌ ସ୍କାମ୍‌ ଇତ୍ୟାଦି। ଅନେକ ବଡ଼ଧରଣର ଦୁର୍ନୀତି ପାଇଁ ଉପା ସରକାରକୁ ୨୦୧୪ ଲୋକ ସଭା ନିର୍ବାଚନରେ ବିଫଳତାର ସମ୍ମୁଖୀନ ହେବାକୁ ପଡିଥିଲା।୨୦୧୪ ନିର୍ବାଚନ ବେଳେ ଭାଜପା ତଥା ନରେନ୍ଦ୍ର ମୋଦି ଦୁର୍ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବା ତଥା ଏକ ସ୍ବଚ୍ଛ ସରକାର ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। ତିନି ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହେଲେ ମଧ୍ୟ ଭାଜପା ନେତୃତ୍ୱାଧୀନ ସରକାର ଅମଳରେ କୌଣସି ଦୁର୍ନୀତି ଘଟିନାହିଁ ବୋଲି ସରକାର ତରଫରୁ ପ୍ରଚାର କରାଯାଉଛି। ପ୍ରଧାନମନ୍ତ୍ରୀ ବାରମ୍ବାର କହୁଛନ୍ତି ଯେ, କୌଣସି ପ୍ରକାର ଦୁର୍ନୀତି ସହ୍ୟ କରାଯିବ ନାହିଁ। ବାସ୍ତବରେ ମୋଦିଙ୍କ ସରକାର ଦୁର୍ନୀତିମୁକ୍ତ ନୁହେଁ। ଯଦି ଏହା ହୋଇଥାନ୍ତା ତେବେ ବିଭିନ୍ନ ପ୍ରକାର ପ୍ରଚାର, ସଭାସମିତିରେ ଯେଉଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହା କେଉଁଠୁ ଆସୁଛି? କାରଣ ବିନା ଅର୍ଥବଳ ଓ ବାହୁବଳରେ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଏବଂ ଜିତିବା ଅସମ୍ଭବ। ଅଧିକାଂଶ ରାଜନେତା ଅର୍ଥ ଖର୍ଚ୍ଚ କରି ଭୋଟ କିଣିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଜଣେ ରାଜନେତାଙ୍କୁ ସଚ୍ଚୋଟ କୁହାଯିବ ଯଦି ତାଙ୍କର ଦୁର୍ନୀତିର ମାତ୍ରା ଚଳନୀୟ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପ୍ରଧାନମନ୍ତ୍ରୀ ତାଙ୍କ ଦଳ ବା ସହଯୋଗୀ ଦଳର ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରୋକ୍ଷରେ ସୁରକ୍ଷା ଦେଲାବେଳେ ଅନ୍ୟ ଦଳର ଦୁର୍ନୀତିଗ୍ରସ୍ତ ନେତାଙ୍କୁ ଦଣ୍ଡିତ ବା ବଦ୍‌ନାମ କରିବାକୁ ଚେଷ୍ଟା କରୁଛନ୍ତି। ଉଦାହରଣ ସ୍ବରୂପ ନିକଟରେ ଭାଜପା ସଭାପତି ଅମିତ ଶାହଙ୍କ ପୁତ୍ର ଜୟ ଶାହଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଏକ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ଜୟ ଶାହ ନିର୍ଦ୍ଦେଶକ ଥିବା ଏକ କମ୍ପାନୀର ଟର୍ନଓଭର ଗୋଟିଏ ବର୍ଷରେ ୧୬ ହଜାର ଗୁଣ ବୃଦ୍ଧି ପାଇଛି। ୨୦୧୪-୧୫ରେ କମ୍ପାନୀର ଟର୍ନଓଭର ୧୫୦୦୦ ଟଙ୍କା ଥିଲାବେଳେ ୨୦୧୫-୧୬ରେ ଏହା ୮୦.୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାପଡିଛି। ଏହି କ୍ଷେତ୍ରରେ ଅମିତ ଶାହ ତାଙ୍କ ପଦବୀରୁ ଇସ୍ତଫା ଦେଇ ଅଭିଯୋଗର ନିରପେକ୍ଷ ତଦନ୍ତ କରିବା ଉଚିତ ଥିଲା। କିନ୍ତୁ ଅଭିଯୋଗକାରୀଙ୍କୁ ଡରାଇବା ବା ସତ୍ୟକୁ ଚାପିଦେବା ଲାଗି ଜୟ ଶାହ ଉକ୍ତ ଓ୍ବେବ୍‌ସାଇଟ୍‌ ବିରୋଧରେ ୧୦୦ କୋଟି ଟଙ୍କାର ଫୌଜଦାରି ମାନହାନି ମାମଲା ଦାଏର କରିଛନ୍ତି। ଏପରି ପରିସ୍ଥିତିରେ ନରେନ୍ଦ୍ର ମୋଦି ଚୁପ୍‌ ରହିବା କେତେଦୂର ସମୀଚୀନ? ଅତ୍ୟନ୍ତ ପରିତାପର ବିଷୟ ହେଉଛି ସରକାରୀ ଓକିଲ ବା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜୟ ଶାହଙ୍କ ପାଇଁ କେସ୍‌ ଲଢିବାକୁ ଯାଉଛନ୍ତି। ଏହା କ୍ଷମତାର ଅପବ୍ୟବହାର ବୋଲି କହିଲେ କିଛି ଭୁଲ୍‌ ହେବନାହିଁ। ଅମିତ ଶାହଙ୍କ ପୁଅ କେବଳ ନୁହେଁ ସ୍ବୟଂ ଅମିତ ଶାହଙ୍କ ସମ୍ପତ୍ତି ଗତ ୫ ବର୍ଷରେ ୩୦୦ ଗୁଣ ବୃଦ୍ଧିପାଇଛି। ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ପରିମାଣ ୨୦୧୨ରେ ୮.୫୪ କୋଟି ଟଙ୍କା ଥିଲାବେଳେ ୨୦୧୭ରେ ୩୪.୩୧ କୋଟି ଟଙ୍କାକୁ ବୃଦ୍ଧିପାଇଛି। ଏହି ଖବର ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇବା ପରେ ହଠାତ୍‌ କିଛି ଖବରକାଗଜର ଓ୍ବେବ୍‌ସାଇଟ୍‌ରୁ କାଢି ଦିଆଯାଇଥିଲା। କାହିଁକି ଏବଂ କାହା ଚାପରେ କାଢିଦିଆଯାଇଥିଲା ସେ କଥା ଆଜି ମଧ୍ୟ ଅଜଣା। ପୂର୍ବ ସରକାର ପରି ଭାଜପା ସରକାର ବା ଭାଜପାଶାସିତ ରାଜ୍ୟ ସରକାରରେ ଦୁର୍ନୀତିର ଛାପ ଦେଖାଦେଇଛି। ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ସାହାରା ଓ ବିର୍ଲା ଡାଏରୀ ମୁତାବକ ଦୁର୍ନୀତି ଅଭିଯୋଗ ଉଠିଛି। ଆହୁରି ମଧ୍ୟ ମଧ୍ୟପ୍ରଦେଶରେ ଲେଖା ଓ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ଘଟିଛି, ଯାହାକୁ ଭ୍ୟାପମ୍‌ ମହାଦୁର୍ନୀତି କୁହାଯାଏ। ଭାଜପା ନେତା, ମନ୍ତ୍ରୀ, ସରକାରୀ ଅଫିସର ଓ ସେମାନଙ୍କ ନିକଟତମ ମହଲ ଏବଂ ବାହାରେ ଥିବା କେତେକ ବ୍ୟକ୍ତି ଏହି ପରୀକ୍ଷାର ଧାରାକୁ ଜବରଦଖଲ କରିନେଇଥିଲେ। ୨୦୦୭ରୁ ୨୦୧୩ ମଧ୍ୟରେ ୭୬,୭୬,୭୧୮ଜଣ ଛାତ୍ରୀଛାତ୍ରଙ୍କୁ ୧୬୭ଟି ବିଭିନ୍ନ ପରୀକ୍ଷାରେ ଠକେଇର ଶିକାର ହେବାକୁ ପଡିଥିଲା। ରାଜ୍ୟ ସରକାରଙ୍କ ଅନିଚ୍ଛାସତ୍ତ୍ୱେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲୁଛି। କିନ୍ତୁ ଦେଶର ଇତିହାସରେ ଏହା ପ୍ରାୟ ଏକମାତ୍ର ଘଟଣା ଯେଉଁଥିରେ ସମ୍ପୃକ୍ତ ସାକ୍ଷୀ ଓ ଅଭିଯୁକ୍ତ ୪୫ଜଣଙ୍କର ଅସ୍ବାଭାବିକ ଭାବରେ ମୃତ୍ୟୁ ଘଟିଛି। ଆଉ ଏକ ଦୁର୍ନୀତିର ଅଭିଯୋଗ ହେଉଛି ଯେ ମୋଦିଙ୍କ କ୍ୟାବିନେଟ୍‌ରେ ଥିବା ଜଣେ ମନ୍ତ୍ରୀଙ୍କର ବିହାରରେ ସଂଗଠିତ ଶ୍ରୀଜନ ଦୁର୍ନୀତିର ମୁଖ୍ୟ ନାୟିକାଙ୍କ ସହ ଅତି ନିବିଡ ସମ୍ପର୍କ ଥିଲା, ଯେଉଁ ଦୁର୍ନୀତିରେ ସରକାରୀ ତହବିଲରୁ ହଜାର ହଜାର କୋଟି ଟଙ୍କା ସରକାରୀ ବ୍ୟାଙ୍କ ଜମାରୁ ଖୁବ୍‌ କାଇଦାରେ ଶ୍ରୀଜନ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର ହୋଇଥିଲା। ଏହାକୁ ଶ୍ରୀଜନ ହାଉସିଂ ସ୍କାମ୍‌ କୁହାଯାଏ। ଆହୁରି ମଧ୍ୟ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ୟେଦୁରପ୍ପା ଖଣି କମ୍ପାନୀକୁ ଅନୁକମ୍ପା ଦେଖାଇବାକୁ ୪୦ କୋଟି ଟଙ୍କା ଲାଞ୍ଚ ନେଇଥିବାର ଅଭିଯୋଗ ଯୋଗୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥିଲା।ଭାଜପା ଶାସିତ ଛତିଶଗଡରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ୩୬,୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି। ପୁନଶ୍ଚ ଗତ ୩୧ ମାର୍ଚ୍ଚ ୨୦୧୬ରେ ବି ଗୁଜରାଟ ବିଧାନସଭାରେ ପେଶ୍‌ ହୋଇଥିବା ସିଏଜି ରିପୋର୍ଟରେ କୁହାଯାଇଥିଲା ଯେ ଗୁଜରାଟ ଷ୍ଟେଟ୍‌ ପେଟ୍ରୋଲିୟମ୍‌ କର୍ପୋରେଶନରେ ୧୯,୭୧୬ କୋଟି ଟଙ୍କାର ଦୁର୍ନୀତି ହୋଇଛି। ସେହି ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେହିପରି ୨୭ ଜୁନ୍‌ ୨୦୧୦ରେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲାବେଳେ ଗୁଜରାଟର ଜଣକୁ ୨୫୦ ଏକର ଜମି ଶାଗମାଛ ଦରରେ ଦେଇଥିଲେ। ୨୦୦୯ରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରାରାଜେ ସିନ୍ଧିଆଙ୍କ ନାମରେ ଜମି ଦୁର୍ନୀତି ଅଭିଯୋଗ ଉଠିଥିଲା, ଯାହାକୁ ଦୀନ୍‌ଦୟାଲ ଉପାଧ୍ୟାୟ ଟ୍ରଷ୍ଟ ଲ୍ୟାଣ୍ଡ୍‌ ସ୍କାମ୍‌ କୁହାଯାଏ। ଗଙ୍ଗାନଦୀ ସଫେଇ ପାଇଁ ୭୦୦୦ କୋଟି ଟଙ୍କା ଦୁଇବର୍ଷରେ ଖର୍ଚ୍ଚ ହୋଇଥିଲେ ମଧ୍ୟ କୌଣସି ସଫେଇ ହୋଇନାହିଁ ବୋଲି ନ୍ୟାଶନାଲ ଗ୍ରୀନ୍‌ ଟ୍ରିବୁନାଲ ମତ ଦେଇଛି। ଭାଜପା ନେତା ଓ ମନ୍ତ୍ରୀ ପଙ୍କଜା ମୁଣ୍ଡେ ମଧ୍ୟ ଚିକ୍କି ଦୁର୍ନୀତିରେ ସମ୍ପୃକ୍ତ ବୋଲି ଅଭିଯୋଗ ହୋଇଛି। ଏହା ବ୍ୟତୀତ ୨୦୧୫ରେ ୪୫୦ କୋଟି ଟଙ୍କାର ଅରୁଣାଚଳ ଡ୍ୟାମ୍‌ ସ୍କାମ୍‌ ଏବଂ ୨ଲକ୍ଷ ୫୦ ହଜାର କୋଟି ଟଙ୍କାର ଡାଲି ଦୁର୍ନୀତି ଆଦି ଘଟିଛି। ବଡ ବଡ ବ୍ୟବସାୟୀମାନେ ଓ ରାଜନେତାଙ୍କ ପୃଷ୍ଠପୋଷକତାରେ ହଠାତ୍‌ ଡାଲି ମୂଲ୍ୟ କିଲୋ ପିଛା ୭୦ରୁ ୨୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ଏହାଦ୍ୱାରା କାହାର ପକେଟ ଗରମ ହୋଇଛି ତାହା ଅଜଣା ରହିଛି। ଆମ ଓଡିଶାରେ ମଧ୍ୟ ଚିଟ୍‌ଫଣ୍ଡ ଦୁର୍ନୀତି ଘଟିଯାଇଛି। ପାନାମା ପେପର୍ସରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁତ୍ର ଅଭିଷେକଙ୍କ ନାମ ରହିଛି। ୨୦୧୭ ମାର୍ଚ୍ଚ ୭ରେ ପ୍ରକାଶିତ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ରିପୋର୍ଟ ଅନୁଯାୟୀ ୧୬ଟି ଏସୀୟ ପ୍ରଶାନ୍ତ ମହାସାଗରୀୟ ଦେଶ ଭିତରେ ଭାରତ ସବୁଠାରୁ ଅଧିକ ଲାଞ୍ଚଖୋର ଦେଶ। ଭାରତରେ ଦୁର୍ନୀତିହାର ୬୯% ହୋଇଥିଲାବେଳେ ପାକିସ୍ତାନରେ ମାତ୍ର ୪୦%। ଏହି ସଂସ୍ଥାର କରପସନ ପରସିପ୍ସନ ଇଣ୍ଡେକ୍ସ ୨୦୧୬ ଅନୁଯାୟୀ ଭାରତ ୧୭୬ଟି ଦେଶ ମଧ୍ୟରୁ ୭୯ତମ ସ୍ଥାନରେ ରହିଛି। ଏଣୁ ନିଜକୁ ଦୁର୍ନୀତିବିରୋଧୀ ବୋଲି ପ୍ରଧାନମନ୍ତ୍ରୀ ଯେତେ ପ୍ରଚାର କଲେ ବି ଦୁର୍ନୀତି ପୂର୍ବ ପରି ରହିଛି। କାରଣ ଏହା ଏକ ମାନସିକତା। ସ୍ବୟଂ ପ୍ରଧାନମନ୍ତ୍ରୀ ଯେତେବେଳେ ନିଜକୁ ଲୋକପାଳ ଆଇନର ପରିସରଭୁକ୍ତ କରୁନାହାନ୍ତି ସେତେବେଳେ ଦୁର୍ନୀତି ବିରୁଦ୍ଧରେ କିଏ ଲଢିବ ?

ମୋ-୯୪୩୭୨୦୮୭୬୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri