ଭାଜପାର ଆଦର୍ଶ କ’ଣ

ଆକାର ପଟେଲ

ପ୍ରଧାନମନ୍ତ୍ରୀଙ୍କର କିଛି ଆଦର୍ଶ ଅଛି କି? ଆପଣ ଏହାକୁ ଏକ ଅଦ୍ଭୁତ ପ୍ରଶ୍ନ ବୋଲି ଭାବିପାରନ୍ତି, କାରଣ ତାଙ୍କ ଦଳର ଓ୍ବେବ୍‌ସାଇଟ୍‌ ଏକ ଆଦର୍ଶର ପ୍ରଚାର କରୁଛି, ଯାହାର ନାମ ‘ହିନ୍ଦୁତ୍ୱ’। କିନ୍ତୁ ଏବେ ଏ ପ୍ରଶ୍ନ ପଚାରିବାର ଆବଶ୍ୟକତା ଅଛି, କାରଣ ଆମର ଜଣେ ଅତି ବିଜ୍ଞ ରାଜନେତା କହିଛନ୍ତି ଯେ, ତାଙ୍କଦଳର କୌଣସି ଯଥାର୍ଥ ଆଦର୍ଶ ନାହିଁ। ଏକ ବିଜ୍‌ନେସ୍‌ ଡେଲି ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ପ୍ରଶ୍ନ କରାଯାଇଥିଲା- ଏକ ଜନମଙ୍ଗଳ ରାଷ୍ଟ୍ରରେ ଶିକ୍ଷା, ସ୍ବାସ୍ଥ୍ୟ, ସମାନତା, ବ୍ୟବସାୟିକ ସ୍ବଚ୍ଛନ୍ଦତା ଆଦିର ଉତ୍କର୍ଷ ସାଧନରେ ରାଷ୍ଟ୍ରର ଭୂମିକା କ’ଣ ହେବା ଉଚିତ, ସେ ନେଇ ଭାଜପାର ଦାର୍ଶନିକ ସ୍ଥିତି ଦୃଷ୍ଟିରୁ ସେ ଉକ୍ତ ଦଳକୁ କେଉଁ ସ୍ଥାନରେ ରଖିବେ? ଏହା ଏକ ସରଳ ପ୍ରଶ୍ନ ନୁହେଁ। ବ୍ୟବସାୟିକ ସ୍ବଚ୍ଛନ୍ଦତା (Laissez-faire) ମାନେ ବିନା ସରକାରୀ ହସ୍ତକ୍ଷେପରେ ବ୍ୟବସାୟୀମାନେ ସ୍ବଚ୍ଛନ୍ଦରେ ବ୍ୟବସାୟ କରିବା। ଆୟନ ର଼୍ୟାଣ୍ଡ ପରି ଲେଖକଙ୍କ ମତରେ ଏହା ଏପରି ଏକ ସମାଜର ଚିତ୍ର ବହନ କରେ ଯେଉଁଠି ପୁଞ୍ଜିପତିମାନେ ପ୍ରତିଯୋଗିତା ମାଧ୍ୟମରେ ସମାଜକୁ ଉନ୍ନତ କରିତୋଳନ୍ତି। ସରକାର ସେଥିରେ ହସ୍ତକ୍ଷେପ କରନ୍ତି ନାହିଁ। ଏପରି କି ଶିକ୍ଷା, ସ୍ବାସ୍ଥ୍ୟ ପରି କ୍ଷେତ୍ରକୁ ସରକାର ଘରୋଇ ସଂସ୍ଥା ଉପରେ ଛାଡ଼ିଦିଅନ୍ତି ଏବଂ ନାଗରିକମାନେ ନିଜର ସୁରକ୍ଷା ନିଜେ କରନ୍ତି। ୨୦୧୪ ନିର୍ବାଚନ ପ୍ରଚାର ସମୟରେ ମନେକରାଯାଉଥିଲା ଯେ, ମୋଦି ସମ୍ଭବତଃ ଏପରି ବ୍ୟବସ୍ଥା ସପକ୍ଷରେ ଅଛନ୍ତି, ଯାହା କଂଗ୍ରେସର ସମାଜବାଦଠାରୁ ଅଲଗା। କିନ୍ତୁ ଗତ ତିନିବର୍ଷ ଭିତରେ କଂଗ୍ରେସର ମନ୍‌ରେଗା ଇତ୍ୟାଦି ଭଳି ସମାଜବାଦୀ ଯୋଜନା, ଯାହାକୁ ମୋଦି ବନ୍ଦ କରିଦେବେ ବୋଲି କହୁଥିଲେ, ତାହାକୁ ସେ ଅଧିକ ଦୃଢ଼ଭାବରେ ଧରିରଖିଛନ୍ତି। ମନେହୁଏ ରାଷ୍ଟ୍ରର ଭୂମିକା ସମ୍ପର୍କରେ ଉପା ସରକାରର ଆଭିମୁଖ୍ୟ ଯାହା ଥିଲା, ଏନ୍‌ଡିଏ ସରକାରର ଆଭିମୁଖ୍ୟ ତା’ଠାରୁ କିଛି ବି ଭିନ୍ନ ନୁହେଁ। ସେଥିପାଇଁ ଭାଜପାର କୌଣସି ନିଜସ୍ବ ଆଦର୍ଶ ନାହିଁ ବୋଲି ଚିଦାମ୍ବରମ୍‌ କହିଥିଲେ। ସେ କହିଲେ ଯେ, ଭାଜପାର କୌଣସି ମୂଳ ଅର୍ଥନୈତିକ ଆଦର୍ଶ ନାହିଁ। ଏହାର ମୂଳ ଆଦର୍ଶ ହେଉଛି କେବଳ ହିନ୍ଦୁତ୍ୱ। ଯଦିଚ ମୁଁ ଜଣେ କଂଗ୍ରେସ ଭୋଟର ନୁହେଁ, ତଥାପି ମୁଁ ଭାବୁଛି ଚିଦାମ୍ବରମ୍‌ଙ୍କ କଥାର ସାରବତ୍ତା ବୁଝିବାକୁ ଚେଷ୍ଟା କରିବା ଉଚିତ। ସେ କହିଲେ ଯେ, କଂଗ୍ରେସର ଆଭିମୁଖ୍ୟ ଠିକ୍‌ ଥିଲେ ହେଁ ଯୋଜନାଗୁଡ଼ିକର ରୂପାୟନରେ ଅନେକ ଦୋଷତ୍ରୁଟି ଥିବା ସେ ସ୍ବୀକାର କରନ୍ତି। ମାତ୍ର କଂଗ୍ରେସ ତିନି ଚାରିଟା ପ୍ରସଙ୍ଗ ଉପରେ ବେଶି ଜୋର ଦେଇଛି, ଯେଉଁଥିରୁ ତା’ର ମୂଳ ଆଦର୍ଶ ବୁଝିହେଉଛି। ପ୍ରଥମତଃ ଭୋକରେ କେହି ମରିବା ଉଚିତ ନୁହେଁ। ସେଥିପାଇଁ କଂଗ୍ରେସ ମନ୍‌ରେଗା ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କଲା। ଅନ୍ୟ ପ୍ରସଙ୍ଗଗୁଡ଼ିକ ହେଉଛି: ଗର୍ଭବତୀ ଓ ସ୍ତନ୍ୟଦାୟୀ ମହିଳା, ୫ ବର୍ଷରୁ କମ୍‌ ଶିଶୁଙ୍କ ସ୍ବାସ୍ଥ୍ୟ, ଟିକାକରଣ ଏବଂ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ୍‌। ଏଥିରୁ କଂଗ୍ରେସର ବିଶ୍ୱାସ ଓ ଆଦର୍ଶ ବୁଝାପଡ଼େ। କିନ୍ତୁ ମୋଦିଙ୍କ ଦୃଷ୍ଟିଭଙ୍ଗୀରେ ଏପରି କୌଣସି ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନାହିଁ ବୋଲି ଚିଦାମ୍ବରମ୍‌ କହିଛନ୍ତି। ଗୋରଖପୁରରେ ୨୮୨ ଶିଶୁ ମରିଗଲେ, ଅଥଚ ତାହା କେନ୍ଦ୍ର ସରକାର ବା ଉତ୍ତରପ୍ରଦେଶ ସରକାର ଉପରେ କିଛି ପ୍ରଭାବ ପକାଇଲା ନାହିଁ। ଦୀପାବଳିରେ ବାରାଣସୀରେ ଦୀପ ଜାଳିବା ଏବଂ ମନ୍ଦିର ନିର୍ମାଣ କରିବା ସେମାନଙ୍କ ପାଇଁ ଶିଶୁ ଓ ମାତୃ ମୃତ୍ୟୁ, ଅପୁଷ୍ଟି ଓ କ୍ଷୁଧାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଚିଦାମ୍ବରମ୍‌ ଅଭିଯୋଗ କରିଛନ୍ତି। ତେବେ ତା’ର ମାନେ ନୁହେଁ ଯେ, ଉତ୍ତମ ଶାସନ ପ୍ରଦାନ କ୍ଷେତ୍ରରେ ଉପା ଏନ୍‌ଡିଏଠାରୁ ଭଲ ଥିଲା- ଚିଦାମ୍ବରମ୍‌ ତାଙ୍କ ସରକାରର ଦୋଷଦୁର୍ବଳତାକୁ ବି ସ୍ବୀକାର କରିଛନ୍ତି। ପ୍ରଶ୍ନ ହେଉଛି: ଭାଜପା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିଜସ୍ବ କିଛି ସ୍ବତନ୍ତ୍ର ନୀତି ଓ ଆଦର୍ଶ ଅଛି କି, ଯାହାଦ୍ୱାରା ସେମାନଙ୍କ କାର୍ଯ୍ୟଧାରା ପରିଚାଳିତ ହେଉଛି? ସରକାର ଯେଉଁସବୁ ବଡ଼ ବଡ଼ ପଦକ୍ଷେପ ନେଉଛନ୍ତି, ସେସବୁକୁ ଏକାଠି ବାନ୍ଧି ରଖିବା ପାଇଁ ସେମାନଙ୍କର କୌଣସି ସୁସଙ୍ଗତ ଆଖ୍ୟାନ (coherent narrative) ନାହିଁ ବୋଲି ଚିଦାମ୍ବରମ୍‌ ଯାହା କହିଲେ ତାହା କ’ଣ ଠିକ୍‌? ମେକ୍‌ ଇନ୍‌ ଇଣ୍ଡିଆ, ସ୍ବଚ୍ଛ ଭାରତ, ବିମୁଦ୍ରୀକରଣ, ସର୍ଜିକାଲ ଷ୍ଟ୍ରାଇକ୍‌, ବୁଲେଟ୍‌ ଟ୍ରେନ୍‌, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଜିଏସ୍‌ଟି: ଏସବୁ କିଛି ବିରାଟ ବା ସମଗ୍ରର ଅଂଶ କି? ନା ଏଗୁଡ଼ିକ ସବୁ ଏକକ ଯୋଜନା, ଯେଉଁଗୁଡ଼ିକ ମଧ୍ୟରେ କିଛି ବି ପାରସ୍ପରିକ ଯୋଗସୂତ୍ର ନାହିଁ? ଏହା ଏକ ଜଟିଳ ପ୍ରଶ୍ନ, ଯାହାର ଉତ୍ତର ଭାଜପା ଭୋଟରଙ୍କ ସମେତ ଆମେ ସମସ୍ତେ ଜାଣିବା ଉଚିତ। କଂଗ୍ରେସର କହିବା ଅନୁସାରେ, ଏହା ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକ ଉପରେ ଗୁରୁତ୍ୱ ଦେଇଆସିଛି। ସେମାନଙ୍କର ଉଦ୍ଦେଶ୍ୟ ମହତ୍‌ ହେଲେ ମଧ୍ୟ ଯୋଜନାଗୁଡ଼ିକ ଠିକ୍‌ଭାବେ କାର୍ଯ୍ୟକାରୀ କରିବାରେ ସେମାନେ ଯେ ବିଫଳ ହୋଇଛନ୍ତି, ଏଥିରେ ସନ୍ଦେହ ନାହିଁ। ତେବେ ସେମାନଙ୍କ ପାଳି ସରିଯାଇଛି। ଏବେ ଭାଜପାର ପାଳି: ସେମାନେ କ’ଣ କରିବାକୁ ଚାହୁଁଛନ୍ତି ଏବଂ ସେମାନଙ୍କ ବଡ଼ ଯୋଜନା କ’ଣ ତାହା ଜନସାଧାରଣଙ୍କୁ ବୁଝାଇବା ଦରକାର। ବ୍ୟକ୍ତିଗତ ଭାବରେ ମୁଁ ଭାବୁଛି ଯେ ଚିଦାମ୍ବରମ୍‌ ଭୁଲ୍‌ କହୁଛନ୍ତି। ନିଜର ୫ ବର୍ଷ ବା ୧୦ ବର୍ଷର ସଫଳତା ପାଇଁ ଏନ୍‌ଡିଏର ନିଶ୍ଚିତଭାବେ କିଛି ଧ୍ୟାନକେନ୍ଦ୍ରିତ ଚିନ୍ତାଧାରା ଥିବ। ଯଦି ଭାଜପାର ଆଦର୍ଶ କେବଳ ‘ହିନ୍ଦୁତ୍ୱ’ ହୁଏ, ଯଥା: ଗୋହତ୍ୟା, ମନ୍ଦିର ପ୍ରସଙ୍ଗ, ଲଭ୍‌ ଜିହାଦ ଇତ୍ୟାଦି ଏବଂ ତା’ ସହ ଅର୍ଥନୀତି ଓ ବିଦେଶ ନୀତି ପ୍ରସଙ୍ଗରେ କିଛି ଏଣୁତେଣୁ କାର୍ଯ୍ୟକ୍ରମ ହାତକୁ ନିଅନ୍ତି, ତା’ହେଲେ ତାକୁ ଦେଶର ଦୁର୍ଭାଗ୍ୟ ଛଡ଼ା ଆଉ କିଛି କୁହାଯାଇ ନ ପାରେ।

Email: aakar.patel@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri