ଈଶ୍ୱର କେତେବେଳେ ହସନ୍ତି

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ

ପ୍ରତି ମୁହୂର୍ତ୍ତରେ ବିଶ୍ୱର ଆର୍ତ୍ତଜନମାନଙ୍କର ଅପରିମିତ ଦୁଃଖ ଶୁଣି ଶୁଣି ଦୁଃଖହାରୀ ଈଶ୍ୱର ନିଜେ କିଛି କମ୍‌ ଦୁଃଖରେ ନ ଥିବେ! ଆଉ ଦୁଃଖରେ ଥିବା ଲୋକ ମନଖୋଲି ହସିପାରନ୍ତେ ବା କିପରି? ତଥାପି ଦୁଃଖୀ ଈଶ୍ୱର ବେଳେବେଳେ ହସନ୍ତି। ବିଜ୍ଞଜନେ କହିଛନ୍ତି, ମୁଣ୍ଡରେ ଦିବ୍ୟଜ୍ଞାନର ବରଦାନ ନେଇ ସୃଷ୍ଟିକୁ ଆସିଥିବା ମଣିଷ ଯେତେବେଳେ ଅଜ୍ଞାନ ଭଳି ଆଚରଣ କରେ, ସେତେବେଳେ ଈଶ୍ୱର ହସନ୍ତି। ପୁଣି ମୃତ୍ୟୁ ସୁନିଶ୍ଚିତ ଜାଣି ମଧ୍ୟ ନିବିଡ ଆଶ୍ଳେଷରେ ଜୀବନକୁ ଜଡାଇ ଧରୁଥିବା ପ୍ରାଣୀର ଆକୁଳତା ଯେତେବେଳେ ଦେଖନ୍ତି, ସେତେବେଳେ ବି ଈଶ୍ୱର ହସନ୍ତି। ଏମିତି ଦିନେ ହସିଥିଲେ ଈଶ୍ୱର ଏଇ ଅଳ୍ପ କେଇଦିନ ତଳେ। ଭୁବନେଶ୍ୱରରୁ ପୁରୀ ଯାଉଥିଲା ବସ୍‌ଟିଏ। ମଝି ବାଟରେ କୌଣସି ଏକ ରହଣିସ୍ଥଳରେ ବସ୍‌ ରହିଲା। କିଛି ଯାତ୍ରୀ ଓହ୍ଲାଇଲେ ଓ କିଛି ଚଢିଲେ। ଦୁଇଜଣ ଯୁବକ ଏମିତି ଏକ ସ୍ଥାନକୁ ଯିବା ପାଇଁ ବସ୍‌ରେ ଉଠିଲେ, ଯେଉଁଠି ଦ୍ରୁତଗାମୀ ବୋଲାଉଥିବା ସେଇ ବସ୍‌ଟି ରହେନାହିଁ। କଣ୍ଡକ୍ଟର ମନାକଲେ। ଯୁବକ ଦୁହିଁଙ୍କର ଜିଦ୍‌, ସେମାନେ ନିଶ୍ଚୟ ଯିବେ। କିଛି ସମୟ ଉଚ୍ଚବାଚ ପରେ ବସ୍‌ର ଟୋକା ହେଲ୍‌ପର ବଳପ୍ରୟୋଗ କରି ଯୁବଯାତ୍ରୀଦ୍ୱୟଙ୍କୁ ତଳକୁ ଓହ୍ଲାଇ ଦେଲା ପରେ ବସ୍‌ ଚାଲିଲା। ଉତ୍‌କ୍ଷିପ୍ତ ଯାତ୍ରୀଦ୍ୱୟ ଚିତ୍କାର କରି ଭବିଷ୍ୟବାଣୀ ଶୁଣାଇଲେ, ଏ ଗାଡି ପୁରୀ ପହଞ୍ଚିବ ନାହିଁ। ଜଗନ୍ନାଥ ଯଦି ଠିକ୍‌ ଥିବେ ଆମ କଥା ଫଳିବ। ଶୂନ୍ୟକୁ କିଛି ଅଶ୍ରାବ୍ୟ ଅପଶବ୍ଦ ଫିଙ୍ଗି ହେଲ୍‌ପର ତାଙ୍କ ଚେତାବନୀର ଜବାବ ଦେଲା, ଯାହା ଭବିଷ୍ୟବକ୍ତାଙ୍କ କାନରେ ପହଞ୍ଚିପାରିଲା ନାହିଁ। କିଛି ଅନ୍ଧବିଶ୍ୱାସୀ ଯାତ୍ରୀ ଶଙ୍କିତ ହୋଇଉଠିଲେ ଏକ ଅନାଗତ ବିପଦର ଆଶଙ୍କାରେ। ମାତ୍ର ବୃଦ୍ଧ ଯାତ୍ରୀ ଜଣେ ଉଚ୍ଚସ୍ବରରେ ହସିଉଠି କହିଲେ, ”ଦୁଇଜଣଙ୍କ ମାଗୁଣି ପୂରଣ ହେଲାନି ବୋଲି ଷାଠିଏ ଜଣଙ୍କ ମୃତ୍ୟୁ କାମନା କରୁଥିବା ଅଜ୍ଞାନ ଯୁବକଙ୍କ ଅଭିଶାପ ଶୁଣି ସେଠି ଜଗନ୍ନାଥ ବି ହସୁଥିବେ। ସାରା ଜଗତର ପ୍ରାଣସତ୍ତା ବୋଲି ତାଙ୍କ ନାମ ପରା ଜଗନ୍ନାଥ! ତହିଁରେ ଦୁଇଜଣଙ୍କ ଡାକ ଶୁଣି ଷାଠିଏ ଜଣଙ୍କୁ ମାରିବା ପାଇଁ ସେ ଆଗେଇ ଆସିବେ କିପରି?“ କହିବା ବାହୁଲ୍ୟ, ବସ୍‌ଟି ସେଦିନ ନିରାପଦରେ ଯାଇ ପୁରୀରେ ପହଞ୍ଚିଥିଲା। ଈଶ୍ୱର ଏମିତି ହସନ୍ତି। ତାଙ୍କ ନାଁ ନେଇ ନିଜ ସ୍ବାର୍ଥ ହାସଲ କରିବା ପାଇଁ ଅନ୍ୟମାନଙ୍କୁ ଶୋଷଣ କରୁଥିବା ତଥା ତାଙ୍କ ପାଖଲୋକ ବୋଲାଇ ମିଛମହାତ୍ମା ରୂପରେ ଧନଯୌବନର ସୌଦାଗର ସାଜିଥିବା ଭଣ୍ଡ ପାମରମାନଙ୍କ ଶେଷଗତି ଦେଖିଲେ ସେ ହସନ୍ତି। ଏଇ ଯେମିତି ଅଳ୍ପଦିନ ତଳେ ଡେରା ସଚ୍ଚା ସୌଦା ମୁଖ୍ୟ ବାବା ଗୁରୁମିତ୍‌ ରାମରହିମ ସିଂ ଯେତେବେଳେ କାନ୍ଦି କାନ୍ଦି ନିଜ ଦଣ୍ଡ କୋହଳ କରିବାକୁ ହାତଯୋଡି ବିଚାରପତିଙ୍କୁ ଅନୁନୟ ହେଉଥିଲେ, ସେତେବେଳେ ନିଶ୍ଚୟ ମନଖୋଲି ହସିଥିବେ ଆମ ଅଦୃଷ୍ଟ ଈଶ୍ୱର। ପୁଣି ନିଶ୍ଚୟ ହସିଥିବେ ସେଇଦିନ, ଯେଉଁଦିନ ପ୍ରବଳ ପ୍ରତାପୀ ରାମପାଲ, ଆଶାରାମ ବାପୁ, ନାରାୟଣ ସାଇ ଅବା ଆମ ରାଜ୍ୟର ସୁର, ସାରଥିମାନେ ସେମାନଙ୍କ ସମୁଚିତ ପ୍ରାପ୍ୟ ଲାଭକରି କାରାଗାରର କାଳକକ୍ଷରେ ନିକ୍ଷିପ୍ତ ହୋଇଥିଲେ। ଈଶ୍ୱର ଆଉ ଏକ କାରଣ ପାଇଁ ବି ହସନ୍ତି, ଯେତେବେଳେ ତାଙ୍କ ନାଁ ନେଇ ମଣିଷ ପୁଳାଏ ଧନ ଅର୍ଜନ କରିବାର ସହଜ ମାର୍ଗଟିଏ ଆପଣେଇନିଏ ଅବା ପଶୁସୁଲଭ ଯୌନ ଜୀବନର ନିଷିଦ୍ଧ ଇଲାକାରେ ସ୍ବଚ୍ଛନ୍ଦରେ ବିଚରଣ କରେ। ମାତ୍ର ସବୁଠୁଁ ବେଶି ହସନ୍ତି, ଯେତେବେଳେ ମଣିଷ ନିଜକୁ ଈଶ୍ୱର ବୋଲି ଘୋଷଣା କରେ ଓ ସେଇ ମିଥ୍ୟା ଈଶ୍ୱରଙ୍କୁ ନିଜ ତ୍ରାଣକର୍ତ୍ତା ବିଚାରି ଆଉ ଥୋକେ ନିର୍ବୋଧ ମଣିଷ ତାଙ୍କ ପାଦତଳେ ନିଃସଙ୍କୋଚରେ ସେମାନଙ୍କ ଧନଯୌବନ ସମର୍ପଣ କରିଦିଅନ୍ତି। ମହାନ୍‌ ସାଧକ ସନ୍ନ୍ୟାସୀ ବିବେକାନନ୍ଦ ଏହି ଭଣ୍ଡ ଭଗବାନମାନଙ୍କ ଶଠତାପୂର୍ଣ୍ଣ କଳୁଷିତ ବ୍ୟକ୍ତିତ୍ୱ ବିରୋଧରେ ଯୁଦ୍ଧ ଘୋଷଣା କରି ଆହ୍ବାନ ଜଣାଇଥିଲେ,”ପ୍ରତ୍ୟେକ ମଣିଷ ଜଣେ ଜଣେ ଈଶ୍ୱର। ମଣିଷ ଭିତରେ ଥିବା ଅନ୍ତର୍ନିହିତ ଈଶ୍ୱରତ୍ୱର ବିକାଶ କରିବା ପରିବର୍ତ୍ତେ ଯେଉଁମାନେ ନିଜକୁ ଈଶ୍ୱର ବୋଲି ଦାବିକରି ଧର୍ମ ଚେତନାକୁ ଭୁଲ୍‌ ରାସ୍ତାରେ ପରିଚାଳିତ କରନ୍ତି ସେମାନେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ସଦୃଶ। ଏହି ଭଣ୍ଡମାନଙ୍କୁ ଧକ୍କାମାରି ନିକାଲି ନ ଦେବା ଯାଏ ଏ ସଂସାରରେ ଐଶ୍ୱରୀୟ ଚେତନାର ବ୍ୟାପକ ବିଭ୍ରାନ୍ତି ଘଟି ଚାଲିଥିବ। ବିଡମ୍ବନାର ବିଷୟ, ସ୍ବାମିଜୀ ଏ ସଂସାରରୁ ବାହୁଡିଯିବାର ଶହେବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ବି ଭଣ୍ଡ ଭଗବାନମାନଙ୍କୁ ନିକାଲିବା ଦୂରେ ଥାଉ, ସେମାନଙ୍କୁ ଆପଣେଇବା ପାଇଁ ଆମ ସମାଜରେ ଏକ ପାଗଳ ପ୍ରତିଯୋଗିତା ଚାଲିଛି। ତାହା ହୋଇ ନ ଥିଲେ ରାମପାଲଙ୍କୁ ନିକାଲିବା ପାଇଁ ଏକ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା କି ରାମରହିମ ସିଂଙ୍କୁ ଦଣ୍ଡ ଶୁଣାଇବା ଦିନ ଅଶ୍ରୁତପୂର୍ବ ଭାବେ ଚାରିଶହ ଗାଡି ପଟୁଆରରେ ଆସି ନ ଥାନ୍ତେ କି ହରିୟାଣାର ଛୋଟ ସହରରେ ଦେଢଲକ୍ଷ ବାହାର ଲୋକଙ୍କର ସମାଗମ ହୋଇ ନ ଥାନ୍ତା ଏବଂ ପରେ ପରେ ଅଡ଼ତିରିଶଟି ଅମୂଲ୍ୟ ଜୀବନର ଅକାଳ ଅବସାନ ଘଟି ନ ଥାନ୍ତା। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି, ସମଗ୍ର ବିଶ୍ୱଭୂଖଣ୍ଡରେ ପରିବ୍ୟାପ୍ତ ୬ କୋଟି ଡେରା ଭକ୍ତଙ୍କର ଭଗବାନ ଗୁର୍‌ମିତ୍‌ ସିଂ ୭ ଲକ୍ଷ ଟଙ୍କିଆ ବାଇକ ଚଳାଉଥିଲେ। ୬୦ ଲକ୍ଷ ଟଙ୍କିଆ ୬ଟିରୁ ଊର୍ଦ୍ଧ୍ୱ କାରରେ ବସି ଯାତାୟାତ କରୁଥିଲେ, ରଙ୍ଗବେରଙ୍ଗର ପୋଷାକ ପିନ୍ଧି ରଙ୍ଗିନ ମିଜାଜରେ ଗୀତ ଗାଇ ନିଶାର୍ଦ୍ଧରେ ହଜାର ହଜାର ଲଳନାଙ୍କୁ ନଚାଉଥିଲେ, ପ୍ରତିଦିନ ଭିନ୍ନ ଭିନ୍ନ ମହିଳାଙ୍କ ସହ ରାତ୍ରିଯାପନ କରୁଥିଲେ। ନିଜକୁ ନାୟକ କରି ବ୍ୟବସାୟିକ ସିନେମା ତିଆରି କରୁଥିଲେ ଏବଂ ସର୍ବୋପରି ତାଙ୍କର ଏହି ଅଭିନବ, ଆଧ୍ୟାତ୍ମିକ ଜୀବନର ରସାଳ କାହାଣୀକୁ ଲୋକଲୋଚନକୁ ଆଣିବାର ଦୁଃସାହସ କରିଥିବା ନିଜ ସଂସ୍ଥାର ମ୍ୟାନେଜର ଓ ‘ପୂରା ସଚ୍ଚ’ ପତ୍ରିକାର ପତ୍ରକାର ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରାଇପାରୁଥିଲେ। କେବଳ ଏତିକି ନୁହେଁ, ତାଙ୍କ ସୁଡଙ୍ଗ ତଳର ଗୋପନ ଗୃହରୁ ଉଦ୍ଧାର କରାଯାଇଥିଲା ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ଯୌନ ବ୍ୟଭିଚାରର କିଛି ଆନୁଷଙ୍ଗିକ ସାଜସରଞ୍ଜାମ। ରାଜକୀୟ ଐଶ୍ୱର୍ଯ୍ୟ, ଅସରନ୍ତି ପ୍ରାଚୁର୍ଯ୍ୟ ଓ ଦେହଭୋଗର ଶୀର୍ଷତମ ସୋପାନରେ ଅଧିଷ୍ଠିତ ବାବା ରାମରହିମ୍‌ ତଥାପି ଥିଲେ କୋଟି କୋଟି ଭକ୍ତଙ୍କ ଭଗବାନ। ଭକ୍ତ ଓ ଭଗବାନଙ୍କର ଏହି ଭିନ୍ନ ପରିଭାଷା ମଧ୍ୟରେ ଲାଳିତ ହେଉଥିବା ଶଠତା, ଧର୍ମାନ୍ଧତା ଓ ବ୍ୟଭିଚାରର ଲମ୍ବା କାହାଣୀ ଆମ ସାମାଜିକ ଜୀବନକୁ ଯେମିତି କଳୁଷିତ କରୁଛି, ସେଥିପାଇଁ ଆମେ ଦୋଷ ଦେବା କାହାକୁ? ଖବର ପ୍ରକାଶ ପାଇଥିଲା, ହରିୟାଣା ଓ ଅନ୍ୟ କେତେକ ରାଜ୍ୟର କିଛି ପ୍ରତିଷ୍ଠିତ ରାଜନେତା ଏହି ବ୍ୟଭିଚାରୀ ବାବାଙ୍କ ପାଦତଳେ ଲୋଟିପଡି ତାଙ୍କ ଆଶୀର୍ବାଦ ଭିକ୍ଷା କରୁଥିଲେ। ବାବାଙ୍କ ପାଦ ଓ ନେତାଙ୍କ ନଇଁପଡୁଥିବା ମୁଣ୍ଡ ମଧ୍ୟରେ ଥିଲା ପାରସ୍ପରିକ ସହଯୋଗର ସମ୍ପର୍କ। ନେତାଙ୍କୁ ମିଳୁଥିଲା ବାବାଙ୍କ କଥାକୁ ବେଦବାକ୍ୟ ବିଚାରୁଥିବା ଭକ୍ତମାନଙ୍କ ଭୋଟ ଓ ବାବାଙ୍କୁ ମିଳୁଥିଲେ ଆଉ କିଛି ନୂଆ ଭକ୍ତ। ବିଶ୍ୱାସ ଅବିଶ୍ୱାସର ସୀମାରେଖାରେ ଥିବା ସାଧାରଣ ଧର୍ମଭୀରୁ ଲୋକଟିଏ ଭାବୁଥିଲା, ରାଜ୍ୟର ଶାସକଙ୍କ ମୁଣ୍ଡ ଯାହାଙ୍କ ପାଖରେ ଅବନତ, ସିଏ କି କେବେ ହୋଇପାରନ୍ତି ମିଛମହାତ୍ମା! ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ବଳାତ୍କୃତା ଦୁହିଁଙ୍କୁ ଅପେକ୍ଷା କରିବାକୁ ପଡେ ଦୀର୍ଘ ପନ୍ଦରବର୍ଷ। କେବଳ ଗୁର୍‌ମିତ୍‌ ସିଂ ନୁହେଁ, ରାଜନୈତିକ ପୃଷ୍ଠପୋଷକତା ଲାଭ କରି ଆମ ରାଜ୍ୟର ଜଣେ ଦରିଦ୍ର ବ୍ରାହ୍ମଣ ପୂଜକ ଭବିଷ୍ୟବକ୍ତା ଭଗବାନ ହୋଇ ଯେଉଁ ଅକଳନୀୟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଓ ଉତ୍ତୀର୍ଣ୍ଣ ବୟସରେ ବି ସୁନ୍ଦରୀମାନଙ୍କ ସହ ରାସଲୀଳା କରୁଥିଲେ, ତାହାର ଶେଷ ଗତି ଆଉ କାହା ନିକଟରେ ଅଛପା ହୋଇ ରହିନାହିଁ। ନିଜେ ନିଜ କୁ ଭଗବାନ ବୋଲାଇ କାରାକକ୍ଷରେ କାଳ କାଟୁଥିବା ମାନ୍ୟବରମାନଙ୍କ ପାଇଁ ଶେଷ ପରୀକ୍ଷାଟି ଏଯାଏ ବି ବାକି ଅଛି। ସିମେଣ୍ଟ ଗାଈଠୁ କ୍ଷୀର ଝରାଇବା ଭଳି ଚମତ୍କାର ପ୍ରଦର୍ଶନ କରି ଭକ୍ତମାନଙ୍କୁ ଭଣ୍ଡୁଥିବା ଏହି ତଥାକଥିତ ଭଗବାନମାନେ ଯଦି ପ୍ରକୃତରେ ଈଶ୍ୱର, ତେବେ ମାତୃଗର୍ଭରୁ ଭୂମିଷ୍ଠ ହେଲାମାତ୍ରେ ଭଗବାନ କୃଷ୍ଣ ବନ୍ଦୀଶାଳାରୁ ବାହାରିଆସିଲା ପରି ନିଜ ନିଜର କାରାଗୃହରୁ ବାହାରି ଆସୁନାହାନ୍ତି କାହିଁକି? ଏମିତି ହେଲେ ସେମାନଙ୍କ ପ୍ରଭୁପଣର ପରିଚୟ ସାରା ଜଗତ ଜାଣନ୍ତା! ଅନ୍ୟଥା ଏଇ ଭଣ୍ଡ ପାମରମାନଙ୍କ ଶଠତା ଦେଖି ଓ ଏମାନଙ୍କୁ ଭଗବାନ ମାନି ହୃଦୟରେ ବସାଇଥିବା ବାଚାଳ ଭକ୍ତମାନଙ୍କ ମୂର୍ଖତା ଦେଖି ଅଦୃଷ୍ଟ ଈଶ୍ୱର ହସିଚାଲିଥିବେ ଅନନ୍ତ କାଳ ଯାଏ।

ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri