ଜୀବନବାଦର ଲେଖିକା

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ‘ଜ୍ଞାନପୀଠ ପୁରସ୍କାର’ ପ୍ରଦାନ କରାଯାଇଆସୁଛି। ପ୍ରଖ୍ୟାତ ହିନ୍ଦୀ ଲେଖିକା କ୍ରିଷ୍ଣା ସୋବ୍‌ତୀ ୯୨ ବର୍ଷ ବୟସରେ ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ମନୋନୀତ ହୋଇଥିବାରୁ ତାଙ୍କ ଜୀବନ ଓ ସାମଗ୍ରିକ ସାହିତ୍ୟ କୃତିକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ୧୯୨୫ ଫେବୃୟାରୀ ୧୮ରେ ବ୍ରିଟିଶ୍‌ ଇଣ୍ଡିଆ ଅଧୀନ ଗୁଜରାଟ ସହର (ବର୍ତ୍ତମାନ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ)ରେ କ୍ରିଷ୍ଣା ଜନ୍ମଗ୍ରହଣ କରିଥିଲେ। ଲାହୋରର ଫତେଚାନ୍ଦ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ। କିନ୍ତୁ ଭାରତ-ପାକିସ୍ତାନ ବିଭାଜନ ପରେ ସେ ଭାରତ ଚାଲିଆସିଥିଲେ। ପିଲାଟି ବେଳୁ ଲେଖାଲେଖି ପ୍ରତି ତାଙ୍କର ପ୍ରବଳ ଆଗ୍ରହ ଥିଲା। ଉଚ୍ଚଶିକ୍ଷା ବେଳେ ତାହା ପ୍ରସ୍ଫୁଟିତ ହୋଇଥିଲା। ୧୯୬୬ରେ ଉପନ୍ୟାସ ‘ମିଟ୍ରୋ ମାରାଜନି’ ତାଙ୍କୁ ପ୍ରଥମେ ଖ୍ୟାତି ଆଣିଦେଇଥିଲା। ଜଣେ ବିବାହିତା ବିନା ଅନୁଶୋଚନାରେ ତାଙ୍କ ଯୌନ ଇଚ୍ଛାକୁ କିଭଳି ପରିପ୍ରକାଶ କରିଛନ୍ତି, ସେହି ପୃଷ୍ଠଭୂମି ଉପରେ ଏହି ଉପନ୍ୟାସ ଗଢ଼ି ଉଠିଛି। ମଣିଷ ଜୀବନର ଗହନ କଥାକୁ ସାହିତ୍ୟ ମାଧ୍ୟମରେ ବ୍ୟକ୍ତ କରିବାର ଶବ୍ଦ କାରିଗରି କ୍ରିଷ୍ଣାଙ୍କୁ ଜଣାଥିବାରୁ ତାଙ୍କ ଲେଖାଗୁଡ଼ିକ ଅତ୍ୟନ୍ତ ମର୍ମସ୍ପର୍ଶୀ ବୋଲି ଆଲୋଚକମାନେ ମତ ଦିଅନ୍ତି। ପଞ୍ଜାବୀ ଓ ଊର୍ଦ୍ଦୁ ଶବ୍ଦାବଳୀକୁ ହିନ୍ଦୀ ଭାଷାରେ ଅତି ମାପିଚୁପି ବ୍ୟବହାର କରୁଥିବା ଏହି ଲେଖିକାଙ୍କ ଉପନ୍ୟାସ ‘ଦର୍‌ ସେ ବିଚୋରି’, ‘ସୁରଜମୁଖୀ ଅନ୍ଧେରେ କେ’, ‘ୟାରୋଁ କି ୟାର’, ‘ଜିନ୍ଦେଗିନାମା’ରେ ଶବ୍ଦ ସଂଯୋଜନା ଏଭଳି ରହିଛି ଯେ ପାଠକ ପୁସ୍ତକ ଧରିବାମାତ୍ରେ ତାକୁ ଶେଷ କରିବାକୁ ବାଧ୍ୟ ହେବେ। ସେହିଭଳି ‘ନାଫିସା’, ‘ସିକା ବଦଲ ଗୟା’, ‘ବଡାଲୋମ୍‌ କି ଘେରି’ ହେଉଛି ତାଙ୍କ ଜଣାଶୁଣା କ୍ଷୁଦ୍ରଗଳ୍ପ। ଏହିସବୁ କୃତି ଲାଗି ତାଙ୍କୁ ୧୯୮୦ରେ ସାହିତ୍ୟ ଏକାଡେମୀ ସମ୍ମାନ, ୧୯୮୧ରେ ‘ଶିରୋମଣି ପୁରସ୍କାର’, ୧୯୮୨ରେ ‘ହିନ୍ଦୀ ଏକାଡେମୀ ସମ୍ମାନ’, ୧୯୯୬ରେ ‘ସାହିତ୍ୟ ଏକାଡେମୀ ଫେଲୋଶିପ୍‌’ ଓ ୧୯୯୯ରେ ‘କଥା ଚୂଡ଼ାମଣି ପୁରସ୍କାର’ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ୨୦୦୮ରେ ଉପନ୍ୟାସ ‘ସମୟ ସରଗମ୍‌’ ପାଇଁ ବ୍ୟାସ ସମ୍ମାନର ସେ ଅଧିକାରିଣୀ ହୋଇପାରିଥିଲେ। କେବଳ ହିନ୍ଦୀ ନୁହେଁ, ୨୦୦୫ରେ ‘ଦିଲ୍‌-ଓ-ଦାନିସ’ ଇଂଲିଶ ଭାଷାରେ ଅନୂଦିତ ହେବା ପରେ ଭାରତୀୟ ଭାଷାରେ କାଳ୍ପନିକ କଥାବସ୍ତୁ ଆଧାରିତ ଏହି ଲେଖା କ୍ରସ୍‌ଓ୍ବାର୍ଡ ସମ୍ମାନ ପାଇପାରିଥିଲା। ଅବଶ୍ୟ ତାଙ୍କ ଲେଖାରେ ଉପଭାଷାର ଛାପ ଦେଖିବାକୁ ମିଳୁଥିବାରୁ ତାହାକୁ ସହଜରେ ଅନୁବାଦ କରିବା ସମ୍ଭବ ହୋଇ ନ ଥାଏ ବୋଲି ସମାଲୋଚନା ହୋଇଥାଏ। ଯଦିଓ ମହିଳାଙ୍କ ସ୍ବତନ୍ତ୍ର ପରିଚୟ ସୃଷ୍ଟି ଓ ଯୌନଜୀବନ ଉପରେ ତାଙ୍କ ସର୍ଜନା କେନ୍ଦ୍ରୀଭୂତ ହୋଇଥାଏ, ତଥାପି ନିଜକୁ ନାରୀ ଲେଖିକାଙ୍କ ଭିତରେ ସୀମିତ ରହିବାକୁ ସେ ଚାହାନ୍ତି ନାହିଁ। ତେବେ ସେ କାଳ୍ପନିକ ଲେଖାକୁ ଛଦ୍ମନାମରେ ଲେଖିବାକୁ ପସନ୍ଦ କରିଥାନ୍ତି। ଶୁଦ୍ଧ ସାହିତ୍ୟ ବ୍ୟତୀତ ପ୍ରବନ୍ଧ ଓ ବିଭିନ୍ନ ପତ୍ରପତ୍ରିକାରେ ସ୍ତମ୍ଭ ଲେଖି ପାଠକୀୟ ସ୍ବୀକୃତି ପାଇଛନ୍ତି। ଜୀବନର ସାୟାହ୍ନରେ ଉପନୀତ ହୋଇଥିଲେ ହେଁ କଲମକୁ ଭଲ ପାଇଚାଲିଛନ୍ତି। ତାଙ୍କ ‘ଏ ଲଡ୍‌କି’ ନାମକ ସଦ୍ୟ ଉପନ୍ୟାସ ଏବେ ପ୍ରକାଶ ପାଇଛି। ମରଣଶଯ୍ୟାରେ ପଡ଼ିଥିବା ଜଣେ ବୃଦ୍ଧାଙ୍କ ପାଇଁ ତାଙ୍କ କନ୍ୟା କିଭଳି ଜଣେ ସେବିକା ଓ ସାଥୀର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି ତାହା ଏଥିରେ ବର୍ଣ୍ଣନା କରାଯାଇଛି। ଏହି ଲେଖାରୁ ଜୀବନବାଦର ଛବି ଦେଖିବାକୁ ମିଳିଥାଏ ବୋଲି ସମୀକ୍ଷକମାନେ ମତ ଦିଅନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri