କେନ୍ଦ୍ରର ପାତରଅନ୍ତର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ସବୁବେଳେ କେନ୍ଦ୍ର ସରକାରଙ୍କ ପାତରଅନ୍ତର ନୀତିର ଶିକାର ହେଉଥିବାରୁ ଆଇପିଏସ୍‌ ଅଫିସରମାନେ ଅସନ୍ତୋଷ ପ୍ରକାଶ କରିବା ଦେଖାଯାଉଛି। ସରକାର ଯୁଗ୍ମ ସଚିବ ପାହ୍ୟାରେ ଅଣ-ଆଇଏଏସ୍‌ ଅଫିସରଙ୍କୁ ନିଯୁକ୍ତି ଦେଉଥିବା ବେଳେ ଆଇପିଏସ୍‌ ଅଫିସରମାନେ ଏ କ୍ଷେତ୍ରରେ ପଛରେ ପଡ଼ିଯାଉଛନ୍ତି। ଯଦିଚ ଉଭୟ ଆଇଏଏସ୍‌ ଓ ଆଇପିଏସ୍‌ ଅଫିସରମାନେ ଚାକିରିର ୧୪ ବର୍ଷରେ ଯୁଗ୍ମ ସଚିବ ପାହ୍ୟାର ଦରମାହାରକୁ ପଦୋନ୍ନତି ପାଇବା କଥା, ଏ କ୍ଷେତ୍ରରେ ସରକାର କେବଳ ଆଇଏଏସ୍‌ ଅଫିସରମାନଙ୍କୁ ବିଚାରକୁ ନେଉଛନ୍ତି। ଆଇଏଏସ୍‌ ଅଫିସରମାନଙ୍କୁ ନିୟମିତ ଭାବେ ପଦୋନ୍ନତି ଦିଆଯାଇ ଆଇପିଏସ୍‌ ଅଫିସରମାନଙ୍କୁ ଉପେକ୍ଷା କରାଯାଉଥିବାରୁ ସେମାନେ ଘୋର ଅସନ୍ତୋଷ ପ୍ରକାଶ କରୁଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ଅଫିସରମାନଙ୍କୁ ୧୯ ବର୍ଷ ପରେ ପଦୋନ୍ନତି ଦିଆଯିବା ଅବହେଳାର ଏକ ଦୃଷ୍ଟାନ୍ତ ବୋଲି କୁହାଯାଇପାରେ। ବରିଷ୍ଠ ପଦଗୁଡ଼ିକରେ ନିଯୁକ୍ତି କ୍ଷେତ୍ରରେ ଅନ୍ୟ ସେବାର ଅଫିସରମାନଙ୍କୁ ଉପେକ୍ଷା କରି ଆଇଏଏସ୍‌ ବିରାଦରି ନିଜେ ସବୁ ସୁବିଧା ମାରିନେଉଥିବା ଅନୁଭବ କରାଯାଏ। ସେଥିପାଇଁ ଉକ୍ତ ଦୁଇ ସେବା କ୍ଷେତ୍ରର ଅଧିକାରୀଙ୍କ ଭିତରେ କ୍ଷମତା ଲଢ଼େଇ କେଉଁ କାଳୁ ଚାଲିଆସିଛି ଓ ତାହା ଏବେ ବି ବଳବତ୍ତର ରହିଛି। ତେବେ ଉପା ସରକାର ଅମଳରେ ପରିସ୍ଥିତି ଏକ ପ୍ରକାର ଭଲ ଥିଲା। କାରଣ ସବୁ ସେବା ବ୍ୟାଚ୍‌ର ଅଫିସରଙ୍କୁ ଏକ ସମୟରେ ପଦୋନ୍ନତି ମିଳୁଥିଲା।

ସଙ୍କଟ ପରିଚାଳନା

ତେଲେଙ୍ଗାନାରେ ବାବୁ ସଙ୍କଟ ଏତେ ତୀବ୍ର ହେଲାଣି ଯେ, ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏକ ନୂଆ ରାଜ୍ୟ ସେବା ପ୍ରତିଷ୍ଠା କରିବାକୁ ଆଗ୍ରହୀ। ପ୍ରସ୍ତାବିତ ତେଲେଙ୍ଗାନା ରାଜ୍ୟ ପ୍ରଶାସନିକ ସେବା (ଟିଏସ୍‌ଏଏସ୍‌)ର ପଦବୀଗୁଡ଼ିକ ସାମ୍ପ୍ରତିକ ସଂରଚନାରେ ଗ୍ରୁପ୍‌-୧ ଓ ଗ୍ରୁପ୍‌-୧ ବି ବା ତତ୍ତୁଲ୍ୟ ଅଫିସରମାନଙ୍କ ଦ୍ୱାରା ପୂରଣ କରାଯିବ। ବରିଷ୍ଠ ଜିଏଡି ଅଫିସର ଏବଂ କେନ୍ଦ୍ର ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ସହ ପରାମର୍ଶ କରି ତେଲେଙ୍ଗାନା ରାଜ୍ୟ ଲୋକସେବା ଆୟୋଗ ଏ ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବ। ସୁଷ୍ଠୁ ପ୍ରଶାସନିକ ପରିଚାଳନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୂ୍ୟନ ୪୦ ଜଣ ଆଇଏଏସ୍‌, ୩୫ ଜଣ ଆଇପିଏସ୍‌ ଓ ୩୦ ଜଣ ଆଇଏଫ୍‌ଏସ୍‌ ଅଫିସର ମଞ୍ଜୁର କରିବା ପାଇଁ ବାରମ୍ବାର ଅନୁରୋଧ କଲେ ମଧ୍ୟ କେନ୍ଦ୍ର ସରକାର ତାହା ଦେଇପାରୁ ନ ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଉପମୁଖ୍ୟମନ୍ତ୍ରୀ କାଡ଼ିଆମ ଶ୍ରୀହରି, ମନ୍ତ୍ରୀ ହରିଶ ରାଓ, ପୋଚାରାମ ଶ୍ରୀନିବାସ ରେଡ୍ଡୀ, ଏଟେଲା ରାଜେନ୍ଦର, ମୁଖ୍ୟ ସଚିବ ଏସ୍‌ପି ସିଂ, ବରିଷ୍ଠ ଅଫିସର ଏସ୍‌କେ ଜୋଷୀ, ସୁରେଶ ଚନ୍ଦ୍ର, ଅଜୟ ମିଶ୍ର, ବିଆର୍‌ ମୀନା, ରାଜୀବ ରଞ୍ଜନ ଆଚାର୍ଯ୍ୟ, ଅଧର ସିହ୍ନା ଏବଂ ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଶର୍ମାଙ୍କୁ ନେଇ ଗଠିତ କମିଟି ଉକ୍ତ ପ୍ରସ୍ତାବ ଉପରେ କାର୍ଯ୍ୟ କରୁଛନ୍ତି, ଯାହାକୁ ସେମାନେ ଖୁବ୍‌ଶୀଘ୍ର କେନ୍ଦ୍ରକୁ ପଠାଇବେ।

ବାବୁଙ୍କ ମୁହଁରେ ତୁଣ୍ଡି

ମୋଦି ସରକାର ଡିଜିଟାଲ ଭାରତ କଥା କହୁଥିବା ଏବଂ ବାବୁମାନଙ୍କୁ ସାଧାରଣ ଜନତାଙ୍କ ସହ ଯୋଗାଯୋଗ ପାଇଁ ଡିଜିଟାଲ ପ୍ଲାଟ୍‌ଫର୍ମ ବ୍ୟବହାର କରିବାକୁ ଉତ୍ସାହିତ କରୁଥିବା ବେଳେ ରାଜସ୍ଥାନର ଭାଜପା ସରକାର କାର୍ଯ୍ୟରେ ଏହାର ବିପରୀତ କରୁଥିବା ଦେଖାଯାଉଛି। ନିକଟରେ ରାଜ୍ୟ ସରକାର ପ୍ରେସ୍‌ ବା ସାମାଜିକ ଗଣମାଧ୍ୟମ ଜରିଆରେ କୌଣସି ବ୍ୟକ୍ତି, ଦଳ ବା ଅନୁଷ୍ଠାନ ବିରୋଧରେ ଅଭିଯୋଗ ନ ବାଢ଼ିବା ବା କୌଣସି ଭିତ୍ତିହୀନ ମନ୍ତବ୍ୟ ନ ଦେବା ଲାଗି ସମସ୍ତ ଅଫିସର ଓ କର୍ମଚାରୀଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟ କାର୍ମିକ ସଚିବ ଭାସ୍କର ଏ. ସାଓ୍ବନ୍ତଙ୍କ ଦ୍ୱାରା ଇସ୍ୟୁ କରାଯାଇଥିବା ଉକ୍ତ ସର୍କୁଲାରରେ ସର୍ବଭାରତୀୟ ସେବା ଆଚରଣ ବିଧି ୧୯୬୮ ଏବଂ ରାଜସ୍ଥାନ ପ୍ରଶାସନିକ ସେବା ଆଚରଣ ବିଧିର ସୂଚନା ଦିଆଯାଇ କୁହାଯାଇଛି ଯେ, କୌଣସି ଅଫିସର ବା କର୍ମଚାରୀ ଗଣମାଧ୍ୟମରେ ଏପରି ମନ୍ତବ୍ୟ ବା ବିବୃତି ଦେବେ ନାହିଁ, ଯାହା ସରକାରଙ୍କ ନୀତି ଓ କାର୍ଯ୍ୟଧାରାକୁ ସମାଲୋଚନା କରୁଥିବ। ଏପରି ଭିତ୍ତିହୀନ ବିବୃତି ବା ମନ୍ତବ୍ୟ ଦେଇଥିବାର ଜଣାପଡ଼ିଲେ ସମ୍ପୃକ୍ତ କର୍ମଚାରୀ ବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ସର୍କୁଲାରରେ ଚେତାଇ ଦିଆଯାଇଛି।

Email: dilipcherian@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri