ସ୍ମୃତି ବୋଇତ ବନ୍ଦାଣର

ଡ. ଭାଗ୍ୟଲିପି ମଲ୍ଲ

କାର୍ତ୍ତିକ ପୂର୍ଣ୍ଣମୀର ଶୁଭ୍ର ସକାଳ। ନଈପଠାରେ ଚଅଁର ଉଡ଼ଉଥିବା କାଶତଣ୍ଡୀ ଏବେ ମଉଳିଗଲାଣି। ବଢ଼ନ୍ତା ନଈର ସୁଅ। ନଈ-ପୋଖରୀ ପାଣିରେ ମାଳ ମାଳ କଦଳୀପାଟୁକା ଓ କାଗଜଡଙ୍ଗାର ପଟୁଆର ଝିଅ-ବୋହୂମାନଙ୍କର ଦିହୁଡ଼ି ସହ ନାଚି ନାଚି ଭାସିଯାଉଛି ଆଗକୁ ଆଗକୁ। ହୁଳହୁଳି, ହରିବୋଲ ଧ୍ୱନିରେ ପରିମଣ୍ଡଳ ପ୍ରକମ୍ପିତ। ଦେବାଳୟଗୁଡ଼ିକ ଶଙ୍ଖ, ଘଣ୍ଟା ଓ ମନ୍ତ୍ର ଉଚ୍ଚାରଣରେ ମୁଖରିତ। ସଞ୍ଜରେ ଜଳିଉଠିବ ଆକାଶଦୀପ। ସୁଉଚ୍ଚ ବାଉଁଶ ଅଗରେ କଣା କଣା ମାଟି ଆଟିକା ଭିତରୁ ଦିଶି ଯାଉଥିବ ଦିକ୍‌ଦିକ୍‌ ଜଳୁଥିବା ଦୀପଶିଖା। ସଙ୍କେତ ଦେଉଥିବ କୂଳରେ ଲାଗିବା ପାଇଁ ଅଦୂରରୁ ଭାସି ଆସୁଥିବା ବୋଇତକୁ ଅଥବା ପୂର୍ବପୁରୁଷମାନଙ୍କର ଆତ୍ମାର ପ୍ରଶାନ୍ତି ପାଇଁ ଶୁଭ ମନାସୁଥିବ। ମାତ୍ର ପୂର୍ଣ୍ଣମୀର ସକାଳେ ଡଙ୍ଗା ଭସେଇଲା ବେଳେ କାହିଁକି ଶୁଭୁଥାଏ- ଆ କା ମା ବୈ- ପାନ, ଗୁଆ ଥୋଇ। ପାନଗୁଆ ତୋର, ମାସକ ଧରମ ମୋର? ଆ- ଅର୍ଥାତ୍‌ ଆଣ୍ଡାମାନ, କା- କାମ୍ବୋଡ଼ିଆ, ମା- ମାଳଦ୍ୱୀପ ଓ ବୈ- ବୋର୍ଣ୍ଣିଓ ଏବଂ ମାଳୟ, ଜାଭା, ବ୍ରହ୍ମଦେଶ, ବାଲି ପ୍ରଭୃତି ସ୍ଥାନକୁ ହୁଏତ ବୁଝାଏ। ଅଥବା ବୁଝାଏ ଆ-ଆଷାଢ଼, କା- କାର୍ତ୍ତିକ, ମା-ମାର୍ଗଶିର ଓ ବୈ-ବୈଶାଖ। ଏହି ପବିତ୍ର ସକାଳରେ ସାଧବ ପୁଅଙ୍କ ଦୁଃସାହସିକ ନୌବାଣିଜ୍ୟ ଯାତ୍ରା ସମ୍ପର୍କରେ ଏହା ଏକ ଐତିହାସିକ ସ୍ମୃତିର ରୋମନ୍ଥନ ମାତ୍ର। ଖୁଦୁରୁକୁଣୀ ଓଷା ଏହାର ଏକ ସୁନ୍ଦର ଉଦାହରଣ। ଲାଗେ ଏକ ଓଷା। ମାତ୍ର ସଂସ୍କୃତି ଓ ଇତିହାସର ଯୁଗ୍ମ ମଞ୍ଚାୟନ। ‘କଳିଙ୍ଗାଃ ସାହସିକାଃ’-ମାନଙ୍କର ଦରିଆପାରି ଜୀବନର ଇତିହାସ। ଓଡ଼ିଆଜାତିର ସମୁଦ୍ରପାରି। ସୁଦୂର ଅତୀତରେ ସେମାନେ ନୀଳଦରିଆର ଭୀଷଣତାକୁ ମିତ କରିଥିଲେ। ଅଝାଲପାତି ନୀଳ ଢେଉରେ ନାଚିନାଚି ଭାସି ଯାଉଥିଲା ଦୂର ବିଦେଶକୁ ସାଧବ ବୋଇତ। ନଦୀର ଗଭୀର ମୁହାଣଗୁଡିକ ନିକଟରେ ବନ୍ଦରନଗରୀଗୁଡିଏ ଗଢିଉଠିଥିଲା। ପାଲୁର, ମାନ୍‌ଦା, ସିପ୍‌ପରା, ମାନପୁର, ଦୋସରନ୍‌, କୋକଲା, ଅମର୍‌ଦା, ତାମ୍ରଲିପି- ଏମିତି କେତେ। ଟଲେମି କିନ୍ତୁ ଏଗୁଡିକ ମଧ୍ୟରେ ତାମ୍ରଲିପ୍ତ ବା ତାମ୍ରଲିପିକୁ ସ୍ଥାନ ଦେଇନାହାନ୍ତି। ଖ୍ରୀଷ୍ଟପୂର୍ବ ୬୦୦ ବର୍ଷ ପୂର୍ବରୁ ଯଦିଓ ଏହି ବନ୍ଦରଗୁଡିକ ବିକାଶଲାଭ କରିଛି, ତଥାପି ଟଲେମିଙ୍କ ବର୍ଣ୍ଣନାରୁ ବାଦ ପଡିବା ଆଶ୍ଚର୍ଯ୍ୟ କଥା। ବିଶାଳକାୟ ପୋତଗୁଡିକ ଆକାର ଓ ପ୍ରକାରରେ ସ୍ବତନ୍ତ୍ର। କହ୍ନେଇବର ଚମ୍ପତିରାୟଚୂଡାମଣି ରଚିତ ଓ ସଦାଶିବ ରଥଶର୍ମା ସମ୍ପାଦିତ ‘ପାଇକଖେଦା’ରୁ ନଅ ପ୍ରକାର ପୋତର ବର୍ଣ୍ଣନା ଦେଖିବାକୁ ମିଳେ। ସେଗୁଡିକ ହେଲେ- ବହିତର, ଗାଣ୍ଡିଆ, ଚୋଟମୁଖି, ସୁରଚାତୁରୀ, ରାଜପୁର, ଖଇଦଙ୍ଗା, ଗଙ୍ଗପ୍ରସାଦ ଓ ନଡିଆଖୁଡୁପ। ଫକୀରମୋହନଙ୍କ ‘ଆମତ୍ଚରିତ’ ଓ ‘ବାଲେଶ୍ୱରୀ ପଙ୍ଗାଲୁଣ’ ପୁସ୍ତକରୁ ତିନୋଟି ବଡ ବୋଇତର ନାମ ଦେଖିବାକୁ ମିଳେ। ଗୋରାପ, ସଲୁକ ଓ ଦୁଉଣି। ଚକ୍ରଧର ମହାପାତ୍ରଙ୍କ ‘ଅର୍ଣ୍ଣବବିହାର’ ନୌଶାସ୍ତ୍ରରୁ ଜଣାଯାଏ ବୋଇତଗୁଡିକର ବିଭବ ଥିଲା- ଉତ୍ତମଜାତୀୟ ହାତୀ, ସୂକ୍ଷ୍ମ ପାଟବସ୍ତ୍ର, ଲୌହଜାତ ଦ୍ରବ୍ୟ, ହୀରାପଥର- ଏମିତି କେତେ ପଦାର୍ଥ ଓ ଜୀବ। ପୋତଗୁଡିକ ଖାଲିପେଟରେ ଫେରୁ ନ ଥିଲେ। ଥିଲା ନାନାଜାତିର ମସଲା (ଅଳେଇଚ, ଗୁଜୁରାତି, ଡାଳଚିନି ପ୍ରଭୃତି), ମୁଦ୍ରା, ବ୍ୟବହାର ପାଇଁ ରୁପାର ପିଣ୍ଡ ଏବଂ ମୋତିମାଣିକ ଇତ୍ୟାଦି। କେବଳ ପଦାର୍ଥ ନୁହେଁ- କଳିଙ୍ଗ ଓ ଦରିଆ ସେପାରି ଉଭୟ ଭୂମିର ସାଂସ୍କୃତିକ ସମ୍ପଦ ଯଥା- ଧର୍ମ, ଚିତ୍ର, ସ୍ଥାପତ୍ୟ, ସଙ୍ଗୀତ, ନୃତ୍ୟ, ସାହିତ୍ୟ ଓ ଭାଷା ପରସ୍ପର ସହ ମିଶି ଯାଉଥିଲେ। ଭାରି ବିଚିତ୍ର ଦିଶୁଥିଲା ସାଂସ୍କୃତିକ ପରିମଣ୍ଡଳର ଦୃଶ୍ୟ। ଦକ୍ଷିଣପୂର୍ବ ଏସିଆ ଭୂଖଣ୍ଡର ପ୍ରାୟ ସକଳ ଭୂମି- ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଥାଇଲାଣ୍ଡ, ମାଲେସିଆ, ମଧ୍ୟପ୍ରାଚ୍ୟର ମିଶର, ପାରସ୍ୟ, ଇରାକ, ଇରାନ ଏବଂ ଗ୍ରୀସ୍‌, ରୋମ ସହିତ କଳିଙ୍ଗପୁଅମାନଙ୍କର ବାଣିଜି୍ୟକ ସମ୍ପର୍କ କେତେ ଅନ୍ତରଙ୍ଗ ଥିଲା, ଐତିହାସିକମାନେ ଏ କଥା ସପ୍ରମାଣ ସ୍ବୀକାର କରିଛନ୍ତି। ଖଣ୍ଡଗିରି ଗୁମ୍ଫାରେ ସେଇ ମିଶ୍ର-ସଂସ୍କୃତିର ପ୍ରତିଧ୍ୱନି। ଯବନ-ଦ୍ୱାରପାଳମୂର୍ତ୍ତି, ପକ୍ଷଯୁକ୍ତ-ପଶୁଚିତ୍ର ଓ ସୁଦୃଶ୍ୟ ଇଣ୍ଡୋ-ପାରସିକ ସ୍ତମ୍ଭ ଇତ୍ୟାଦି ସେଇ ପ୍ରତିଧ୍ୱନିର ପଦଧ୍ୱନି। ଲାଗେ ଖ୍ରୀଷ୍ଟଜନ୍ମର ବହୁପୂର୍ବରୁ କଳିଙ୍ଗର କଳାକାର ଓ ଶିଳ୍ପୀମାନେ ନିନେଫ୍‌, ବାବିଲୋନ୍‌ ଓ ପର୍ସିପୋଲିସ୍‌ର କଳାକୃତି ସହ ଖୁବ୍‌ ପରିଚିତ ଥିଲେ। ପ୍ରାଚୀନ କଳିଙ୍ଗର ଲୋକେ ଯେ ଏକଦା ନୌବିଦ୍ୟା, ସମୁଦ୍ରଯାତ୍ରା ଓ ସାମୁଦ୍ରିକ ବାଣିଜ୍ୟରେ ସମଗ୍ର ଉପକୂଳରେ ଅଗ୍ରଣୀ ଥିଲେ, ଏଥିରେ ସନ୍ଦେହ ନାହିଁ। ଏହା ଭାଷା, ସାହିତ୍ୟ, ଚିତ୍ର, ସ୍ଥାପତ୍ୟ, ଧର୍ମ ଓ ସମାଜ ଜୀବନର ଗାଥା କହୁଛି। ସାଧବମାନଙ୍କୁ ନେଇ ଆଉ ଏକ ଚମତ୍କାର କାହାଣୀ। ଏହିଭଳି କେତେ କାହାଣୀ ରହିଛି। ଏ କାହାଣୀ ‘କୁହୁକମଣ୍ଡଳ ଚଢ଼େଇ’ର କାହାଣୀ। ଚଢ଼େଇ ତ ଚଢ଼େଇ ପୁଣି କୁହୁକମଣ୍ଡଳ ଚଢ଼େଇ କ’ଣ? ନିଶ୍ଚୟ ଏକ ଆଶ୍ଚର୍ଯ୍ୟ ଚଢ଼େଇ ହୋଇଥିବ। ନ ହେଲେ କାହିଁକି ବଡ଼ଭାଇମାନଙ୍କୁ ସାନଭାଇ ଏଇ ଚଢ଼େଇ ତା’ ପାଇଁ ଆଣି ଦେବାକୁ ଅଳି କରିଥାନ୍ତା? କାହାଣୀଟି ଏହିପରି- ଚଢ଼େଇଟି କୁହୁକ ଜାଣେ। ଚଢ଼େଇର କୁହୁକରେ ସମସ୍ତଙ୍କୁ ଚକିତ କରି ଦେବାଲାଗି ସାନ ସାଧବର ଇଚ୍ଛା। ତେଣୁ ବଡ଼ ଭାଇଙ୍କୁ ସେ ଅନୁରୋଧ କରିଛି ଏହି ବିରଳ ପକ୍ଷୀଟିକୁ ଆଣିଦେବା ଲାଗି। ବଡ଼ ଭାଇ କୌଣସି ଏକ ରାଜ୍ୟରେ ବଣିଜ ସାରି ଫେରିବା ବେଳକୁ ମନେ ପଡ଼ିଛି କୁହୁକ ଚଢ଼େଇ କଥା। ରାଜାଙ୍କୁ ଜଣାଇଛି। ରାଜା ତିନିଦିନ ମଧ୍ୟରେ ଚଢ଼େଇକୁ ଧରି ଆଣିଦେବା ପାଇଁ ଆଦେଶ ଜାରି କରିଛନ୍ତି। ରାଜ୍ୟର ସବୁତକ କେଳା ଏ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଚଢ଼େଇ ନ ମିଳିଲେ ମୁଣ୍ଡକାଟ। କେଳାମାନଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ। ଶେଷରେ ସଫଳ ହୋଇଛନ୍ତି। ନିଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ବିଶାଳ ବୃକ୍ଷର କୋରଡ଼ରୁ ଏହି କୁହୁକ ଚଢ଼େଇକୁ ଧରିଛନ୍ତି, ରାଜାଙ୍କୁ ହସ୍ତାନ୍ତର କରିଛନ୍ତି ଏବଂ ରାଜା ସାଧବମାନଙ୍କୁ ଏହି କୁହୁକ ପକ୍ଷୀକୁ ଉପହାର ଦେଇଛନ୍ତି। ଏଠାରେ ଏ କାହାଣୀ ଅବତାରଣାର ପ୍ରାସଙ୍ଗିକତା ରହିଛି। ଏହା ହୋଇପାରେ ଏକ ଲୋକକାହାଣୀ। ମାତ୍ର ଏହି କାହାଣୀ ପଛରେ ସନ୍ନିବେଶିତ ଗୂଢ଼ ରହସ୍ୟକୁ ବିଶ୍ଳେଷଣ କରାଯାଉ। ସାଧବମାନେ କେବଳ ରେଶମ, ଲୌହ ସାମଗ୍ରୀ ଅଥବା ମସଲା ସାମଗ୍ରୀ ଆମଦାନି ବା ରପ୍ତାନି କରୁ ନ ଥିଲେ। ବିରଳ ପଶୁପକ୍ଷୀଙ୍କୁ ମଧ୍ୟ ଆମ ଦେଶରୁ ବିଦେଶ ବା ବିଦେଶରୁ ଆମ ଦେଶକୁ ଆମଦାନି ଓ ରପ୍ତାନି କରୁଥିଲେ। ଏହାର ବଳିଷ୍ଠ ପ୍ରମାଣ ରହିଛି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଓ କୋଣାର୍କ ମନ୍ଦିର କାନ୍ଥରେ। ସଂଗ୍ରହାଳୟରେ ରହିଛି ଅଷ୍ଟମ ଶତାବ୍ଦୀରେ ପଥରରେ ନିର୍ମିତ ବୋଇତରେ ରପ୍ତାନି ହେଉଥିବା ହାତୀମାନଙ୍କର ଚିତ୍ର। ସମୁଦ୍ର ବକ୍ଷରେ ବୋଇତ ଭାସିଯାଉଛି। ବୋଇତରେ ଲଦା ହୋଇଛନ୍ତି ହାତୀ। ଅନୁମାନ କରି ହେଉଛି, ସେ ବୋଇତର ଆକାର କେତେ ବିଶାଳ ହୋଇଥିବ। ବୋଇତ ତଳେ ପଥର ଦେହରେ ପାଣି ଓ ମାଛର ଚିତ୍ର, ଯାହା ସମୁଦ୍ର ଓ ସମୁଦ୍ର ଜଳରେ ଭାସି ଚାଲିଥିବା ହାତୀ ବୋଝେଇ ବୋଇତକୁ ପ୍ରତୀକିତ କରେ। ଏହି ପଥର ତିଆରି ସ୍ମୃତିଚିହ୍ନଟି ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱ ଗ୍ୟାଲେରୀରେ ପ୍ରଦର୍ଶିତ। ଅନୁରୂପ ଭାବେ କୋଣାର୍କ ଦେହରେ ଥିବା ଜିରାଫ୍‌ର କଥା। ଜିରାଫ୍‌ ଆମ ଦେଶର ପଶୁ ନୁହେଁ କିମ୍ବା ଏଠାରେ ଜିରାଫ୍‌ ନିକଟରେ ଖୋଦେଇ ହୋଇଥିବା ମଣିଷର ରୂପରେଖ ଓଡ଼ିଶା ଭୂମିର ନୁହେଁ। ବିଦେଶୀ ବିଦେଶୀ ଲାଗୁଛି। ତେଣୁ ସେକାଳରେ ଅର୍ଥାତ୍‌ ତ୍ରୟୋଦଶ ଶତାବ୍ଦୀରେ ଏହି ଜିରାଫ୍‌ ଆମଦାନି ମଧ୍ୟ ବୋଇତ ସାହାଯ୍ୟରେ ହୋଇଥିବା ଅନୁମାନ କରିହୁଏ। ସୁତରାଂ ଏହି ପ୍ରସଙ୍ଗରେ ସାଧବପୁଅର କୁହୁକମଣ୍ଡଳ ଚଢ଼େଇ କାହାଣୀ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରେ ଯେ ବୋଇତରେ ନିଶ୍ଚିତ ଭାବରେ ସାଧବମାନେ ବିରଳ, ଦୁଷ୍ପ୍ରାପ୍ୟ ପଶୁପକ୍ଷୀଙ୍କୁ ନେଉଥିଲେ ଏବଂ ଆଣୁଥିଲେ।

ମୋ- ୯୪୩୯୨୮୧୫୬୧



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri