ସୁନାମି ସଚେତନତା

ହିମାଂଶୁ ଶେଖର ଫତେସିଂହ

୨୦୦୪ ଡିସେମ୍ବର ୨୬ ତାରିଖ ସକାଳେ ଭାରତର ଦକ୍ଷିଣ ଉପକୂଳରେ ଏକ ଭୟଙ୍କର ସୁନାମି ସଂଘଟିତ ହୋଇଥିଲା। ଏହାର ପ୍ରଭାବରେ ଭାରତ ସମେତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଥାଇଲାଣ୍ଡ, ଫିଲିପାଇନ୍‌ସ ଆଦି ଭାରତ ମହାସାଗର ତଟବର୍ତ୍ତୀ ୧୪ଟି ଦେଶରେ ବିପୁଳ ଧନଜୀବନ ହାନି ଘଟିଥିଲା। ଏଥିରେ ଇଣ୍ଡୋନେସିଆରୁ ୧,୬୫,୭୦୮, ଶ୍ରୀଲଙ୍କାରୁ ୩୫,୩୯୯, ଭାରତରୁ ୧୬,୩୮୯ ଓ ଥାଇଲାଣ୍ଡରୁ ୮,୩୪୫ ଜଣ ମୃତ୍ୟୁମୁଖରେ ପଡ଼ିଥିଲେ ଏବଂ ନିୟୁତାଧିକ ଲୋକ ପ୍ରଭାବିତ ହୋଇଥିଲେ। ବହୁ ବାସଗୃହ ଓ ସୌଧ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ଏହା ଥିଲା ଇତିହାସରେ ଅନ୍ୟତମ ଭୟାବହ ପ୍ରାକୃତିକ ବିପର୍ଯ୍ୟୟ। ସୁନାମି ହେଉଛି ଏକ ଜାପାନୀ ଶବ୍ଦ। ଏହାର ଅର୍ଥ ହେଲା ପୋତାଶ୍ରୟ ତରଙ୍ଗ। ସାଧାରଣତଃ ଏହାକୁ ଜୁଆରିଆ ତରଙ୍ଗ କୁହାଯାଏ। ତେବେ ଜୁଆର ସହିତ ଏହାର କୌଣସି ସମ୍ପର୍କ ନାହିଁ। ସାଧାରଣତଃ ମହାସାଗର, ସାଗର କିମ୍ବା ହ୍ରଦ ପୃଷ୍ଠତଳର ଭୂଲମ୍ବ ଚଳନ ଫଳରେ ଏହା ଘଟିଥାଏ। ସାଗରଗର୍ଭରେ ତୀବ୍ର ଭୂକମ୍ପ ପ୍ରଭାବରେ ସମୁଦ୍ର ଜଳରେ ତୀବ୍ର ଆଲୋଡନ ସୃଷ୍ଟି ହୁଏ। ବିରାଟକାୟ ତରଙ୍ଗ ତଟ ଅଞ୍ଚଳକୁ ଗତି କରିଥାଏ। ଗଭୀର ଜଳଭାଗରେ ଏହି ଜଳ ତରଙ୍ଗର ବେଗ ଘଣ୍ଟା ପ୍ରତି ୭୦୦ କି.ମି. ରହିଥିବା ବେଳେ ସ୍ଥଳଭାଗ ସ୍ପର୍ଶ କରିବା ବେଳକୁ ଏହାର ବେଗ କମ୍‌ ରହେ। ଏହି ସମୟରେ ସୃଷ୍ଟି ହେଉଥିବା ତରଙ୍ଗଗୁଡ଼ିକର ଦୈର୍ଘ୍ୟ ବହୁତ ଲମ୍ବା ହୋଇଥାଏ। ତେଣୁ ଏହାକୁ ଜୁଆରିଆ ତରଙ୍ଗ କୁହାଯାଏ। ଏଗୁଡ଼ିକର ଆବର୍ତ୍ତି କାଳ ୧ ମିନିଟ୍‌ରୁ ଆରମ୍ଭକରି ୧ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ। ଏହି ତରଙ୍ଗର ଉଚ୍ଚତା ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ହୋଇଯାଏ। ଏହାର ଧ୍ୱଂସକାରୀ ଶକ୍ତି ଅମାପ। ଏହା ଶହ ଶହ ମିଟର ପର୍ଯ୍ୟନ୍ତ ସ୍ଥଳଭାଗ ମଧ୍ୟକୁ ଗତି କରିଥାଏ। ଏହା ତଟବର୍ତ୍ତୀ ଇଲାକାରେ ଭୟଙ୍କର ବନ୍ୟାର ବିଭୀଷିକା ସୃଷ୍ଟି କରିଥାଏ। ସାଧାରଣତଃ ଭୂମିକମ୍ପ ଦ୍ୱାରା ସୁନାମି ଘଟୁଥିଲେ ହେଁ ଅଗ୍ନି ଉଦ୍‌ଗିରଣ, ଉଲ୍‌କାପାତ, ଭୂସ୍ଖଳନ ଆଦି କାରଣରୁ ମଧ୍ୟ ଘଟୁଥିବାର ଜଣାଯାଏ। ୨୦୦୪ରେ ଭାରତରେ ଘଟିଯାଇଥିବା ସୁନାମିରେ ୧୦ ମିଟର ଉଚ୍ଚର ତରଙ୍ଗ ମାଡ଼ିଆସି ଉପକୂଳ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଅତୀତରେ ସୁନାମି ଦ୍ୱାରା ବହୁ ଜୀବନ ହାନି ଓ ବ୍ୟାପକ କ୍ଷୟକ୍ଷତି ଘଟିଥିବାର ନଜିର ରହିଛି। ଏହା ୧୯୬୦ରେ ଚିଲିରେ, ୧୯୭୬ରେ ଫିଲିପାଇନ୍‌ସରେ, ୧୯୯୮ରେ ପାପୁଆ ନିଉଗିନିରେ, ୧୯୯୯ରେ ତୁର୍କୀରେ, ୨୦୦୧ରେ ପେରୁରେ, ୨୦୦୪ରେ ଭାରତ ମହାସାଗର ତଟବର୍ତ୍ତୀ ଦେଶଗୁଡ଼ିିକରେ, ୨୦୦୯ରେ ସାମୋଆ ଓ ଟୋଙ୍ଗା ଏବଂ ୨୦୧୧ରେ ପୂର୍ବ ଜାପାନରେ ଯେଉଁଁ ସଂହାରଲୀଳା ଘଟାଇଥିଲା, ତାହା ବିଶ୍ୱବାସୀଙ୍କ ସ୍ମୃତିରେ ଏବେ ମଧ୍ୟ ସତେଜ ରହିଛି। ୧୭୫୫ରେ ୟୁରୋପରେ ସୁନାମିରେ ୬୦,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ୧୮୮୩ ମସିହାରେ କାକ୍ରାତୋଆ ବିସ୍ଫୋରଣ ଜନିତ କାରଣରୁ ସଂଘଟିତ ସୁନାମିରେ ୩୬,୦୦୦ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ୧୮୯୬ ମସିହାରେ ଜାପାନ ସୁନାମିରେ ୨୭,୦୦୦ ଲୋକ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ବ୍ୟାପକ କ୍ଷୟକ୍ଷତି ଓ ମୃତାହତକୁ ଲକ୍ଷ୍ୟକରି ରାଷ୍ଟ୍ରସଂଘ ସୁନାମି ସମ୍ପର୍କିତ ପ୍ରାକ୍‌ପ୍ରସ୍ତୁତି ଓ ଜନସଚେତନତା ସୃୃଷ୍ଟି ଉପରେ ଗୁରୁତ୍ୱାରୋପ କରୁଛି। ତଦନୁଯାୟୀ ୨୦୧୫ ଡିସେମ୍ବର ୨୨ରେ ରାଷ୍ଟ୍ରସଂଘର ସାଧାରଣ ସଭାରେ ଗୃହୀତ ପ୍ରସ୍ତାବ ଅନୁସାରେ ପ୍ରତିବର୍ଷ ନଭେମ୍ବର ୫ ତାରିଖ ଦିନଟିକୁ ସୁନାମି ସଚେତନତା ଦିବସ ରୂପେ ପାଳନ କରାଯିବାକୁ ସ୍ଥିର ହୋଇଛି। ରାଷ୍ଟ୍ରସଂଘ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକରେ ଏ ସମ୍ପର୍କିତ ବ୍ୟାପକ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛିି। ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟ ହୋଇଥିବାରୁ ଆଗାମୀ ୨୦୧୮-୧୯ ଶିକ୍ଷାବର୍ଷରୁ ଓଡ଼ିଶାରେ ସୁନାମି ସମେତ ଭୂମିକମ୍ପ, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଶିକ୍ଷାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ, ପ୍ରପୀଡ଼ିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଛାତ୍ରୀଛାତ୍ରମାନଙ୍କୁ ତାଲିମ ଦିଆଯିବାର ଲକ୍ଷ୍ୟ ରହିଛି। ଏହା ହେଲେ ପିଲାମାନେ ସୁନାମି ସମେତ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସଚେତନ ହୋଇପାରିବେ। ଉପଗ୍ରହ ସର୍ବେକ୍ଷଣ ଯୋଗେ ଓଡ଼ିଶାର ସମୁଦ୍ରଠାରୁ ପ୍ରାୟ ୩ କିଲୋମିଟର ମଧ୍ୟରେ ଥିବା କେତେକ ଅଞ୍ଚଳକୁ ସୁନାମିପ୍ରବଣ ରୂପେ ଚିହ୍ନଟ କରାଯାଇଛି। ଓଡ଼ିଶାର ଉପକୂଳ ଜିଲାରେ ସୁନାମି ଓ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କିତ ଭାବୀ ସତର୍କ ସୂଚନା ପ୍ରଦାନ ପାଇଁ ଖୁବ୍‌ଶୀଘ୍ର ପ୍ରାକ୍‌ ବିପଦ ସଙ୍କେତ ପ୍ରଦାନ ବ୍ୟବସ୍ଥା କରାଯିବାର ଯୋଜନା ରହିଛି। ଏହି ସ୍ବୟଂଚାଳିତ କେନ୍ଦ୍ରଗୁଡ଼ିକ ସୁନାମି ସମୟରେ ନୂଆଦିଲ୍ଲୀସ୍ଥିତ ପାଣିପାଗ ଗବେଷଣା କେନ୍ଦ୍ର ଏବଂ କଲିକତା ଓ ହାଇଦ୍ରାବାଦସ୍ଥିତ ଆଞ୍ଚଳିକ ପାଣିପାଗ ଗବେଷଣା କେନ୍ଦ୍ରକୁ ଏ ସମ୍ପର୍କିତ ସଙ୍କେତ ପ୍ରଦାନ କରିବ। ଫଳରେ ସୁନାମି କିମ୍ବା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଘଟିବା ପୂର୍ବରୁ ଖୁବ୍‌ ଜୋରରେ ସାଇରନ ବାଜିଉଠି ସତର୍କ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଅତଏବ ଗୋଟିଏ ସୁଇଚ୍‌ରେ ସମଗ୍ର ଉପକୂଳ ଅଞ୍ଚଳକୁ ସତର୍କ କରାଯାଇପାରିବ ଏବଂ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ଉଦ୍ଧାର କରାଯାଇପାରିବ। ଏହା ବ୍ୟତୀତ ପ୍ରଶାସନ ତରଫରୁ ପ୍ରତିବର୍ଷ ସୁନାମି, ବାତ୍ୟା ସତର୍କତା ପାଇଁ ଏହି ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେବା ସହିତ ମକ୍‌ ଡ୍ରିଲ କରାଯାଉଛି।

(୫ା୧୧ ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ)

ମୋ-୮୯୦୮୨୮୯୪୧୧



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri