ଆଜିର ଅର୍ଥନୀତି/ ମାନବକୃତ ସଙ୍କଟ

ସମ୍ପ୍ରତି ଚାଷୀ ଆତ୍ମହତ୍ୟା ଘଟଣା ଓଡ଼ିଶାର ସମସ୍ତ ଆଞ୍ଚଳିକ ଖବରକାଗଜରେ ମୁଖ୍ୟ ଶିରୋନାମା ପାଲଟିଛି। ଯଦି ଏପରି ଧାରା ଚାଲୁ ରହେ, ତେବେ ଚାଷୀ ଆତ୍ମହତ୍ୟାରେ ଓଡ଼ିଶା ଭାରତରେ ଏକ ନମ୍ବର ରାଜ୍ୟର ମାନ୍ୟତା ପାଇବାକୁ ବେଶିଦିନ ଲାଗିବ ନାହିଁ। ବରଗଡ଼, ବଲାଙ୍ଗୀର ପରି ଜିଲାରେ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରିଛି, ଯଦିଚ ଅନ୍ୟ ଜିଲାଗୁଡ଼ିକରେ ବି ଏପରି ଘଟଣା କିଛି କମ୍‌ ଘଟୁନାହିଁ। ଚାଷ ଉଜୁଡ଼ିଯିବା, ଋଣ ଶୁଝି ନ ପାରିବା, ଋଣ ଶୁଝିବାକୁ ମହାଜନମାନଙ୍କ ଜୁଲମ୍‌, ଅମଳ ହ୍ରାସ, ରୋଜଗାରର ଅନ୍ୟ ବିକଳ୍ପର ଅଭାବ ପ୍ରଭୃତି ଚାଷୀ ଆତ୍ମହତ୍ୟାର ମୁଖ୍ୟ କାରଣ। ଗତ କିଛିଦିନ ହେଲା ପ୍ରାୟ ପ୍ରତିଦିନ ଏପରି ଦୁଃଖଦ ଖବର ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ରାଜ୍ୟ ସରକାର ବୁଧବାର ବରଗଡ଼ ଜିଲାକୁ ଏକ ବୈଷୟିକ ବିଶେଷଜ୍ଞ ଦଳ ପଠାଇଥିଲେ। ସେମାନେ ଦେଇଥିବା ରିପୋର୍ଟ ଅନୁସାରେ ଚଳିତବର୍ଷ ଚାଷୀମାନେ ଅନନୁମୋଦିତ କୀଟନାଶକ ବହୁଳ ମାତ୍ରାରେ ବ୍ୟବହାର କରିଛନ୍ତି। କେବଳ ବରଗଡ଼ ଜିଲାରେ ସପ୍ତାହକ ଭିତରେ ଚାରିଜଣ କୃଷକ ଏପରି ଚରମ ପଦକ୍ଷେପ ନେଲେଣି। ଚକଡ଼ା ପୋକ ଧାନ ଫସଲକୁ ଉଜାଡ଼ି ଦେବାରୁ ତିନିଜଣ ହତାଶ ଚାଷୀ ମଙ୍ଗଳବାର ନିଜ ଉଜୁଡ଼ା ଫସଲରେ ନିଆଁ ଲଗାଇ ପୋଡ଼ିଦେଇଥିଲେ, ଯାହା ଥିଲା ସେମାନଙ୍କର ପ୍ରତିବାଦ କରିବାର ଏକ ନୂଆ ତରିକା। ଯଦିଚ ଓଡ଼ିଶାରେ ବର୍ଷାଭାବ ଓ ମରୁଡ଼ି କିଛି ନୂଆ କଥା ନୁହେଁ, ତଥାପି ଜିଲାରେ ଜଣକ ପରେ ଜଣେ ଚାଷୀ ଏପରି ଭାବେ ଆତ୍ମହତ୍ୟା କରିବା ଘଟଣା ଆଗରୁ କେବେ ଘଟି ନ ଥିଲା। ରାଜ୍ୟ ସରକାର ମରୁଡ଼ି ସାହାଯ୍ୟ ଘୋଷଣା କରିବା ସତ୍ତ୍ୱେ ଏପରି ଘଟଣା ଘଟୁଥିବାରୁ ଏଥିରୁ ପ୍ରମାଣିତ ହେଉଛି ଯେ, ସଙ୍କଟ ଟାଳିବାରେ ଏ ସାହାଯ୍ୟ ଘୋଷଣା ବିଫଳ ହୋଇଛି। ସଦ୍ୟତମ ଘଟଣାରେ କଳାପାଣି ଗଁାର ବୃନ୍ଦାବନ ସାହୁ ମଙ୍ଗଳବାର ତାଙ୍କର ୭ ଏକର ଉଜୁଡ଼ା ଫସଲରେ ନିଅଁା ଲଗାଇଦେଇ ବୁଧବାର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଯଦି ପ୍ରଶାସନ ତାଙ୍କ ପାଖରେ ଠିକ୍‌ ସମୟରେ ପହଞ୍ଚିଥାନ୍ତା, ତେବେ ବୃନ୍ଦାବନଙ୍କ ଜୀବନ ରକ୍ଷା ପାଇଯାଇ ପାରିଥାନ୍ତା। ରାଜ୍ୟର ଅନେକ ଜିଲାକୁ ସରକାର ମରୁଡ଼ି ପ୍ରପୀଡ଼ିତ ଘୋଷଣା କରିବା ସହିତ ସେଥିପାଇଁ ସାହାଯ୍ୟ ବି ଘୋଷଣା କରିଛନ୍ତି। ମରୁଡ଼ି ସତ୍ତ୍ୱେ ଯେତିକି ବି ଫସଲ ବଞ୍ଚିଥିଲା, ତାକୁ ଚକଡ଼ା ଆଦି ପୋକମାନେ ଉଜାଡ଼ିଦେଲେ। ବରଗଡ଼, କଳାହାଣ୍ଡି, ବାଲେଶ୍ୱର ଓ ଗଞ୍ଜାମ ଜିଲାରୁ ରୋଗପୋକ ଆକ୍ରମଣର ଖବର ମିଳିଛି। ମରୁଡ଼ିରୁ ବଞ୍ଚିଯାଇଥିବା ହଜାର ହଜାର ହେକ୍ଟର ଧାନ ଫସଲ ରୋଗପୋକର ଶିକାର ହୋଇଛି। ବର୍ତ୍ତମାନ ଧାନ ପାଚିବା ସମୟ ଏବଂ ଚାଷୀମାନେ ଆଉ ୧୫ ଦିନ ଭିତରେ ଧାନ କାଟିବା ଯୋଜନାରେ ଥିଲେ। ଏପରି ସମୟରେ ଚକଡ଼ା ପୋକ, ଜଉପୋକ, କାଣ୍ଡବିନ୍ଧା ପୋକ, ପତ୍ରମୋଡ଼ା ରୋଗ ପ୍ରଭୃତି ଫସଲକୁ ଉଜାଡ଼ିଦେଲା। ନିଜର ପାଚିଲା ଧାନ ଫସଲ ନଷ୍ଟ ହେବାର ଦେଖି ଚାଷୀ ହତାଶ ହୋଇପଡ଼ିବା ସ୍ବାଭାବିକ। ଦୁଃଖ ଓ ହତାଶାରେ ସେମାନେ ହେକ୍ଟର ହେକ୍ଟର ଜମିରେ ନିଅଁା ଲଗାଇଦେଲେ। ବରଗଡ଼, ସମ୍ବଲପୁର, ଗଞ୍ଜାମ ଓ ରାୟଗଡ଼ା ଜିଲାରେ ଏପରି ଘଟଣା ଘଟିଥିବାର ଖବର ମିଳିଛି। ଯଦି ସମୟୋଚିତ ପଦକ୍ଷେପ ନିଆଯାଇଥାନ୍ତା, ତେବେ ରୋଗପୋକ ଆକ୍ରମଣରୁ ଫସଲକୁ ରକ୍ଷା କରାଯାଇପାରିଥାନ୍ତା। ଜିଲା କୃଷି ଅଧିକାରୀମାନେ ଚାଷୀମାନଙ୍କ ସହ କୌଣସି ସମ୍ପର୍କ ରଖୁନାହାନ୍ତି। ଉକ୍ତ ଉଚ୍ଚ ବେତନଭୋଗୀ ଅଫିସରମାନେ ନିଜ ବାତାନୁକୂଳିତ ପ୍ରକୋଷ୍ଠରୁ କ୍ୱଚିତ୍‌ ପଦାକୁ ବାହାରିଥାନ୍ତି। ସରକାର ଚାଷୀମାନଙ୍କ ହିତ ପାଇଁ ଯେଉଁସବୁ କାର୍ଯ୍ୟକ୍ରମ ଏହିସବୁ ଅଫିସରମାନଙ୍କ ଦ୍ୱାରା କରାଉଛନ୍ତି, ସେଗୁଡ଼ିକର ଠିକ୍‌ଭାବେ ତଦାରଖ କରାଯାଉ ନାହିଁ। ସଚେତନତା ଏବଂ ସମୟୋଚିତ ମାର୍ଗଦର୍ଶନର ଅଭାବ ଯୋଗୁ ଚାଷୀମାନେ ଲାଭଖୋର କୀଟନାଶକ କମ୍ପାନୀ ଓ ଡିଲରମାନଙ୍କ ପରାମର୍ଶ ନେବାକୁ ବାଧ୍ୟ ହେଉଛନ୍ତି। କୀଟନାଶକ ଓ ପୀଡ଼କମାରୀ ଔଷଧ ବିକ୍ରି କରୁଥିବା କମ୍ପାନୀମାନେ ଚାଷୀଙ୍କ ଦୁଃଖ ସମୟରେ ପ୍ରଚୁର ଲାଭ ଅର୍ଜନ କରିଥାନ୍ତି। ଡିଲର ଓ କମ୍ପାନୀ ଏଜେଣ୍ଟମାନେ ସରଳବିଶ୍ୱାସୀ କୃଷକମାନଙ୍କୁ ଭୁଲାଣିଆ କଥା କହି ନିଜ ଉତ୍ପାଦଗୁଡ଼ିକୁ ବିକ୍ରି କରିଥାନ୍ତି। କୃଷକମାନେ ଉକ୍ତ ବିଷାକ୍ତ ଔଷଧକୁ ପାଚିଲା କ୍ଷେତରେ ପକାଇଥାନ୍ତି। କିନ୍ତୁ ଔଷଧର ଭାଗମାପ ଭୁଲ୍‌ ହେଲେ ତାହା ଲାଭ ପରିବର୍ତ୍ତେ ଅଧିକ କ୍ଷତି କରିଥାଏ। ଅଧିକ କୀଟନାଶକ ପ୍ରୟୋଗ ଯୋଗୁ ଧାନଗଛ ଶୁଖି ନଷ୍ଟ ହୋଇଯିବା ପରି ଘଟଣା ସମ୍ବଲପୁର, ବରଗଡ଼ ଓ କଳାହାଣ୍ଡି ଜିଲାରେ ଘଟିଛି। ଅବିବେକୀ ବ୍ୟବସାୟୀମାନେ ଗୋଳିଆପାଣିରୁ ମାଛ ମାରିବା ଭଳି କୃଷକମାନଙ୍କ ଅସମୟରେ ସେମାନଙ୍କୁ ଶୋଷଣ କରିଥାନ୍ତି। ଜିଲାସ୍ତରୀୟ କୃଷି ଅଧିକାରୀମାନଙ୍କ ପାଖରେ ବିଶେଷଜ୍ଞ ଦଳ ଓ ବୈଜ୍ଞାନିକ ଯନ୍ତ୍ରପାତି ରହିଛି। ସେମାନେ ଗତାନୁଗତିକ ଧାରା ପରିତ୍ୟାଗ କରି ଏପରି ସଙ୍କଟ ସମୟରେ ଅତ୍ୟନ୍ତ ସକ୍ରିୟଭାବେ କାର୍ଯ୍ୟ କରିବା ଉଚିତ। ସେମାନେ ଗଁା ଗଁାରେ କୃଷକମାନଙ୍କୁ ଭେଟି ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ଆବଶ୍ୟକ। ଫସଲରେ ରୋଗପୋକ ହେଲେ କି କି ଔଷଧ କେତେ ମାତ୍ରାରେ ପ୍ରୟୋଗ କରିବା କଥା ତାହା ସେମାନେ କୃଷକମାନଙ୍କୁ ଶିଖାଇବା ଦରକାର। ଏପରି ସକ୍ରିୟ ପଦକ୍ଷେପ ଓ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ବାରମ୍ବାର ଘଟୁଥିବା ଏତାଦୃଶ ମାନବକୃତ ସଙ୍କଟକୁ ଟାଳି ଦିଆଯାଇ ପାରିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri