ଧର୍ମାଚାରରେ ବିଜ୍ଞାନ

ଉପେନ୍ଦ୍ର ବିଶ୍ୱାଳ

ବିଶ୍ୱାସରେ ବନ୍ଧା, ଆସ୍ଥାରେ ଆଶ୍ରିତ ଆମ ଧର୍ମାଚାର ଓ ଆଧ୍ୟାମତ୍ିକତା। ଧ୍ୟାନ-ଧାରଣା, ପୂଜା-ଉପାସନାରେ ଏହା ନିହିତ। ମାତ୍ର ପ୍ରାମାଣିକତାକୁ ନେଇ, ବୌଦ୍ଧିକ ବିଚାରକୁ ନେଇ ବିଜ୍ଞାନ। ବିଜ୍ଞାନ ଓ ଆଧ୍ୟାମତ୍ିକତା ପରସ୍ପର ବିରୋଧୀ ନୁହନ୍ତି। ବରଂ ଆଧ୍ୟାମତ୍ିକତାରେ ହିଁ ନିହିତ ବିଜ୍ଞାନର ସାରବତ୍ତା। ପ୍ରାଚୀନ କାଳରେ ଆମ ପୂର୍ବଜମାନେ ଜଣେ ଜଣେ ପୋଖତ ବିଜ୍ଞାନୀ ଥିଲେ। ବିଜ୍ଞାନର ଗୂଢ଼ ତତ୍ତ୍ୱ ଓ ରହସ୍ୟକୁ ସେମାନେ ଭଲଭାବେ ବୁଝିଥିଲେ, ଯାହାକୁ ଜାଣିବା ଓ ବୁଝିବା ସାଧାରଣ ଲୋକଙ୍କ ପକ୍ଷେ ଅସାଧ୍ୟ ଥିଲା। ଏଣୁ ସେମାନେ ଲୋକ କଲ୍ୟାଣାର୍ଥେ ବିଜ୍ଞାନକୁ ବିନିଯୋଗ କରିଥିଲେ ଆଧ୍ୟାମତ୍ିକତାର ଗଣ୍ଡି ଭିତରେ। ଏଇ ଯେମିତି ମନ୍ଦିରରେ ଘଣ୍ଟି ବଜାଇବାର ବ୍ୟବସ୍ଥା ଓ ମନ୍ଦିରରେ ଦିଅଁ ଦର୍ଶନରେ ପୁଣ୍ୟପ୍ରାପ୍ତିର ପ୍ରଲୁବ୍ଧତା। ଘଣ୍ଟି ଶବ୍ଦରେ ଅନିଷ୍ଟକାରୀ ଜୀବ ଓ ଜୀବାଣୁ ଦୂରେଇ ଯାଆନ୍ତି। ଘଣ୍ଟିି ଶବ୍ଦ ମସ୍ତିଷ୍କରେ ୭ ସେକେଣ୍ଡ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇଥାଏ। ଶରୀରରେ ଥିବା ୭ଟି ଶକ୍ତିକେନ୍ଦ୍ର ବା ଆରୋଗ୍ୟ କେନ୍ଦ୍ର (ମୂଳାଧାର ଚକ୍ର, ସ୍ବାଧିଷ୍ଠାନ ଚକ୍ର, ଅନାହତ ଚକ୍ର, ବିଶୁଦ୍ଧ ଚକ୍ର, ଆଜ୍ଞାଚକ୍ର ଓ ସହସ୍ରାର ଚକ୍ର)ଗୁଡ଼ିକୁ ଏହି ଶବ୍ଦ ସକ୍ରିୟ କରାଇଥାଏ, ସେମାନଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ। ଘଣ୍ଟିରୁ ଜାତ ଶବ୍ଦ ତରଙ୍ଗାୟିତ ହୋଇ ମସ୍ତିଷ୍କରେ ପ୍ରବାହିତ ହୁଏ ଓ ତାକୁ ଖୁବ୍‌ ସକ୍ରିୟ କରାଏ। ଘଣ୍ଟି ଶବ୍ଦ ମନରୁ ନକାରାମତ୍କ ଭାବନା ଓ ଋଣାମତ୍କ ଊର୍ଜ୍ଜାକୁ ଦୂରେଇ ଦେଇ ସାତ୍ତ୍ୱିକ ଭାବନା ଓ ସକରାମତ୍କ ଊର୍ଜ୍ଜାକୁ ଉଜ୍ଜୀବିତ କରାଇଥାଏ। ମସ୍ତିଷ୍କରେ ରକ୍ତ ସଂଚାଳନ ସକ୍ରିୟ ରହେ। ସେମିିତି ମନ୍ଦିରଗୁଡ଼ିକର ନିର୍ମାଣ ମଧ୍ୟ ହୋଇଥାଏ ଶରୀର ବିଜ୍ଞାନକୁ ଦୃଷ୍ଟିରେ ରଖି। ସୂଚନାଯୋଗ୍ୟ ଯେ ଏ ଜଗତ କେତେକ ତରଙ୍ଗର ସମାହାର ମାତ୍ର। ଏହି ତରଙ୍ଗଗୁଡ଼ିକ ବିଭିନ୍ନ ତରଙ୍ଗ ଦୈର୍ଘ୍ୟ ବା (Wave Length)କୁ ନେଇ ପ୍ରବାହିତ ହେଉଥାଏ। ସେଗୁଡ଼ିକ ହେଲା ଜଡ଼ତରଙ୍ଗ (Physical Wave), ମାନସ ତରଙ୍ଗ (Psychic Wave) ଓ ଭୂମା ତରଙ୍ଗ (Cosmic Wave)। ଜୀବ ଦେହରେ ମାନସ ତରଙ୍ଗ ସହିତ ସମାନ୍ତରତା ବଜାୟ ରଖି ଯେତେବେଳେ ଶରୀର ତରଙ୍ଗ ପ୍ରବାହିତ ହୋଇଥାଏ ତାକୁ ଜୀବନ କହନ୍ତି ଏବଂ ଜଡ଼ ତରଙ୍ଗ ସହିତ ମାନସ ତରଙ୍ଗର ସମାନ୍ତରତାରେ ଯେବେ ବିଚ୍ଛେଦ ଘଟେ ତାକୁ ମୃତ୍ୟୁ କହନ୍ତି। ମନ୍ଦିର ଏଭଳି ସ୍ଥାନରେ ନିର୍ମାଣ ହୋଇଥାଏ, ଯେଉଁଠି ତରଙ୍ଗାୟିତ ଭାବେ ପ୍ରଚୁର ଊର୍ଜ୍ଜା ଉଦ୍‌ଗମ ହେଉଥିବ। ଉତ୍ତର-ଦକ୍ଷିଣ ମେରୁ ଦିଗରୁ ବିଚ୍ଛୁରିତ ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗର ଶକ୍ତି ଅଧିକ ପରିମାଣରେ ଉପଲବ୍ଧ ହେଉଥିବ। ସେହି କ୍ଷେତ୍ରସ୍ଥ କେନ୍ଦ୍ରସ୍ଥଳରେ ହିଁ ଗର୍ଭଗୃହ ସ୍ଥାପନ ହୋଇଥାଏ। ଗର୍ଭଗୃହ ପାଇଁ ଚିହ୍ନିତ ଭୂମିର ନିମ୍ନଦେଶରେ ତମ୍ବାପ୍ଲେଟ୍‌ରେ ବୈଦିକ ମନ୍ତ୍ର ଖୋଦିତ ହୋଇ ପୋତା ଯାଇଥାଏ। ଭୂଗର୍ଭରୁ ଆସୁଥିବା ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗକୁ ଏହି ତମ୍ବାପାତ୍ର ଗ୍ରହଣ କରି ଚତୁଃପାର୍ଶ୍ୱକୁ ସମ ପରିମାଣରେ ବିଚ୍ଛୁରିତ କରିଥାଏ। ମନ୍ଦିରରେ ଠାକୁରଙ୍କ ଦର୍ଶନ ସାରି ଗର୍ଭଗୃହ ଚାରିପଟରେ ଦକ୍ଷିଣାବର୍ତ୍ତରେ ଘୂରିବା ଫଳରେ ଏହି ତରଙ୍ଗ ସିଧା ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ଫଳରେ ଶରୀରର ଚକ୍ରଗୁଡ଼ିକ ଖୁବ୍‌ ସକ୍ରିୟ ହୋଇ ଉଠନ୍ତି। ଶରୀରର ରକ୍ତ ସଂଚାଳନ ସନ୍ତୁଳିତ ରହୁଥିବା ବେଳେ ରକ୍ତଚାପ ନିୟନ୍ତ୍ରିତ ହୋଇ ରହେ। ମନରେ ଭକ୍ତିଭାବନା ଜାତ ହେବା ଫଳରେ ବିକାର ଓ ନକାରାମତ୍କ ଚିନ୍ତନଗୁଡ଼ିକ ଦୂରେଇ ଯାଆନ୍ତି। ଫଳରେ ଦେହ ଓ ମନ ସତେଜ ଓ ସୁସ୍ଥ ରହେ। ସେମିତି ଉପବାସ ହେଉଛି ଏକ ପ୍ରକାର ମହୌଷଧି, ଯାହା ସ୍ବାସ୍ଥ୍ୟ ଓ ମନକୁ ଠିକ୍‌ ରଖିବାରେ ସହାୟକ। ଆମ ଶରୀରର ପାକସ୍ଥଳୀ ହେଉଛି ଅଧିକାଂଶ ରୋଗର ନିର୍ଦ୍ଧାରକ। ପାକସ୍ଥଳୀରେ ବିଷାକ୍ତ ଉପାଦାନ ଧୀରେ ଧୀରେ ଜମାଟ ବାନ୍ଧେ। ଯେମିତି ଶରୀରର ବର୍ଜ୍ୟ ବସ୍ତୁଗୁଡ଼ିକୁ ପ୍ରାକୃତିକ ଉପାୟରେ ଦୈନିକ ଆମେ ନିଷ୍କାସନ କରିଥାଉଁ, ସେମିତି ଶରୀରରେ ଗଚ୍ଛିତ ଥିବା ଏହି ଅଦରକାରୀ ଉପାଦାନ ସବୁ ନିୟମିତ ଭାବେ ହଟାଇଦେବା ଉଚିିତ। ପୁନଃ ଅନବରତ କାର୍ଯ୍ୟ କରିଚାଲିଥିବା ପାଚକ ଅଙ୍ଗଗୁଡ଼ିକୁ ମଝିରେ ମଝିରେ ବିଶ୍ରାମ ଦେବା ଜରୁରୀ। ଠିକ୍‌ ଯେମିତି ଯନ୍ତ୍ରପାତିଗୁଡ଼ିକୁ ସୁରକ୍ଷା ଦୃଷ୍ଟିକୋଣରୁ ମଝିରେ ମଝିରେ ସଜଡ଼ା ଯାଇଥାଏ, ପ୍ରିଭେଣ୍ଟିଭ୍‌ ମେଣ୍ଟେନାନ୍‌ସ କରାଯାଇଥାଏ। ଶରୀରକୁ ଖାଦ୍ୟ ନ ଯିବା ଫଳରେ ଗଚ୍ଛିତ ଥିବା ଏହି ଉପାଦାନଗୁଡ଼ିକ ପ୍ରାକୃତିକ କ୍ରିୟାରେ ନିଷ୍କାସିତ ହୋଇଯାଏ। ଶରୀରବିଜ୍ଞାନୀଙ୍କ ମତ ଅନୁଯାୟୀ ଆମ ଶରୀର ପ୍ରାୟ ୮୦ ଭାଗ ତରଳ ଓ ୨୦ ଭାଗ କଠିନ ଉପାଦାନକୁ ନେଇ ଗଠିତ। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଯେମିତି ଭୂପୃଷ୍ଠରେ ଥିବା ଜଳଭାଗ ଉପରେ ପ୍ରଭାବ ପକାଇଥାଏ, ଠିକ୍‌ ସେମିତି ଆମ ଶରୀର ଉପରେ ମଧ୍ୟ ତାହା ପ୍ରଭାବ ପକାଏ। ଫଳତଃ ମାନସିକ ଚାପ, ଅବସାଦ, ଚିଡ଼ିଚିଡ଼ାପଣ ଆଦି ଦେଖାଦିଏ। ଉପବାସ ଆମର ବାତ-ପିତ୍ତ-କଫର ଅନୁପାତକୁ ନିୟନ୍ତ୍ରଣରେ ରଖେ। ପାକସ୍ଥଳୀର ଶୋଧନ କାମ ଉପବାସ ହିଁ କରିଥାଏ। ଏଣୁ ଉପବାସ ଆମ ପାଇଁ ବିଷନିରୋଧକ ପ୍ରକ୍ରିୟା। ଉପବାସ ମଧ୍ୟ ମନକୁ ସାତ୍ତ୍ୱିକ ଭାବନାରେ ଭରିଥାଏ। ଏଇଥିପାଇଁ ଶାସ୍ତ୍ରରେ ମାସରେ ଅନ୍ତତଃ ଦୁଇଥର (ବିଶେଷ କରି ଏକାଦଶୀ ତିଥିରେ) ଉପବାସ କରିବାକୁ ପରାମର୍ଶ ଦିଆଯାଇଥାଏ। ପୁଣି ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣମୀ, ଅଷ୍ଟମୀ ଆଦି ସ୍ବତନ୍ତ୍ର ତିଥିରେ ଉପବାସ କରିବାର ବିଧି ରହିଛି। ଫଳରେ ହୃଦ୍‌ରୋଗ, ଉଚ୍ଚରକ୍ତଚାପ, ବହୁମୂତ୍ର, କର୍କଟ ଆଦି ରୋଗ ଆମଠାରୁ ଦୂରେଇଯାଏ। ଆକଳନ ଅନୁଯାୟୀ ଯଦି ଭାରତବର୍ଷର ପ୍ରତିଟି ନାଗରିକ ମାସରେ ଅନ୍ତତଃ ଥରେ ଏକାଦଶୀରେ ଉପବାସ କରନ୍ତି, ତେବେ ବାର୍ଷିକ ଅନୂ୍ୟନ ୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଗଚ୍ଛିତ ରହିବା ସହିତ ପ୍ରାୟ ୫୦ ଭାଗ ଅପରାଧ ଆପଣାଛାଏଁ ହ୍ରାସ ପାଇଯିବ। ଦେଶର ଦୁର୍ନୀତି, ଭ୍ରଷ୍ଟାଚାର ଅନେକାଂଶରେ ଉଭାନ ହୋଇଯିବ। ମନ୍ଦିରମାନଙ୍କରେ ମାଟିପାତ୍ରରେ ରୋଷେଇ ହୁଏ। ଏଥିରେ ମଧ୍ୟ ବିଜ୍ଞାନର ଗୂଢ଼ ତତ୍ତ୍ୱ ନିହିତ। ମାଟିରେ ଗଢ଼ା ଆମ ଦେହ। ଏଣୁ ମଣିଷ ଦେହକୁ ଏକ ଘଟ ବା ମାଟିପାତ୍ର ମନେ କରାଯାଇଥାଏ। କୁହାଯାଏ- ଯାହା ଅଛି ବ୍ରହ୍ମାଣ୍ଡେ, ତାହା ଅଛି ନିଜ ଭାଣ୍ଡେ। ”ପିଣ୍ଡ ବ୍ରହ୍ମାଣ୍ଡ ଏକମତ। ଜାଣନ୍ତି ସୁଜ୍ଞାନୀ ପଣ୍ଡିତ।ା“ (ଭାଗବତ) ଅର୍ଥାତ୍‌ ଜଗତ ଯେମିତି ପଞ୍ଚଭୂତ (କ୍ଷିତି, ଅପ୍‌, ତେଜ, ମରୁତ୍‌, ବ୍ୟୋମ)ରେ ଗଠିତ ଠିକ୍‌ ସେମିତି ପଞ୍ଚଭୂତରେ ତିଆରି ଆମ ଦେହ। ଦାହ ହେଲା ପରେ ମଣିଷର ଶବ ପ୍ରାୟ ୨୦ଗ୍ରାମ୍‌ ପରିମିତ ପାଉଁଶରେ ପରିଣତ ହୋଇଯାଏ। ପରୀକ୍ଷାରୁ ଜଣାଯାଏ ଯେ ସେହି ପାଉଁଶରେ ପାଞ୍ଚଟି ରାସାୟନିକ ଉପାଦାନ ଯଥା - କ୍ୟାଲସିୟମ୍‌, ଫସ୍‌ଫରସ୍‌, ଜିଙ୍କ୍‌, ଆଇରନ୍‌ ଓ ସଲ୍‌ଫର୍‌ ରହିଥାଏ। ମାଟି ମଧ୍ୟ ଏହି ୫ଟି ଉପାଦାନର ସମାହାର। ଏଣୁ ଆମ ଶରୀରଟି ମାଟି ସହିତ ନିବିଡ଼ ଭାବରେ ସମ୍ବନ୍ଧିତ। ଦୀର୍ଘ ଓ ନିରାମୟ ଜୀବନ ପାଇଁ ଏହି ୫ଟି ଉପାଦାନ ଯଥେଷ୍ଟ ଗୁରୁତ୍ୱ ବହନ କରିଥାଏ। ଏହି ଗହନ ଗାଥାକୁ ଆମ ଋଷି-ବିଜ୍ଞାନୀମାନେ ଖୁବ୍‌ ଭଲଭାବେ ବୁଝିଥିଲେ। ଏଣୁ ମାଟିପାତ୍ରର ବହୁଳ ଉପଯୋଗ ସେମାନେ କରୁଥିଲେ। ପରୀକ୍ଷାରୁ ଜଣାଯାଏ ଯେ ମାଟିପାତ୍ରରେ ରୋଷେଇ ହେଲେ ଖାଦ୍ୟରେ ଥିବା ସୂକ୍ଷ୍ମ ପୋଷକ ତତ୍ତ୍ୱଗୁଡ଼ିକ ନଷ୍ଟ ନ ହୋଇ ଅକ୍ଷୁଣ୍ଣ ରୁହନ୍ତି। ମାତ୍ର ଆଲୁମିନିୟମ୍‌ ବା ଷ୍ଟିଲ ପାତ୍ରରେ ରୋଷେଇ ହେଲେ ସେଗୁଡ଼ିକ ନଷ୍ଟ ହୋଇଯାଏ। ମାଟିପାତ୍ରରେ ରୋଷେଇ ଦ୍ୱାରା ଶତକଡ଼ା ୧୦୦ଭାଗ, କାଂସ୍ୟ ବାସନରେ ଶତକଡ଼ା ୯୭ଭାଗ, ପିତ୍ତଳରେ ଶତକଡ଼ା ୯୩ଭାଗ ସୂକ୍ଷ୍ମ ପୋଷକ ତତ୍ତ୍ୱ ଅକ୍ଷୁଣ୍ଣ ରହୁଥିବା ବେଳେ ପ୍ରେସର୍‌ କୁକର୍‌ରେ ମାତ୍ର ୭ଭାଗ ଅକ୍ଷୁଣ୍ଣ ରହେ। ବାକିତକ ନଷ୍ଟ ହୋଇଯାଏ। କାରଣ ପ୍ରେସର୍‌ କୁକର୍‌ର ଅତ୍ୟଧିକ ଚାପ ଫଳରେ କଣିକା କଣିକା ଭିତରେ ଥିବା ରାସାୟନିକ ବନ୍ଧ ଭାଙ୍ଗିିଯାଏ। ମାଟିପାତ୍ରରେ ପାକ କଲେ ଅଧିକ ସମୟ ସୁରକ୍ଷିତ ରହିଥାଏ। ପୁଣି ତାହା ଅଧିକ ସୁସ୍ବାଦୁ ମଧ୍ୟ ହୋଇଥାଏ। ପୁରୀ ଶ୍ରୀମନ୍ଦିରର ପ୍ରସାଦ (ଡାଲି) ୩୬ ଘଣ୍ଟାରୁ ଅଧିକ ସମୟ ନଷ୍ଟ ନ ହୋଇ ସୁରକ୍ଷିତ ରହୁଥିବା ପରୀକ୍ଷାରୁ ଜଣାପଡ଼େ। ୭୦/୮୦ବର୍ଷ ପୂର୍ବରୁ ଆମ ଦେଶରେ ମାଟିପାତ୍ରର ବହୁଳ ବ୍ୟବହାର ହେଉଥିଲା। ଆଜି ବି ବନବାସୀ ଅଧ୍ୟୁଷିତ ଇଲାକାରେ ଲୋକେ ମାଟିହାଣ୍ଡିରେ ରୋଷେଇ କରୁଥିବାର ଜଣାଯାଏ। ସେଇଥିପାଇଁ ବୋଧହୁଏ ଗାଁଗହଳିର ଲୋକେ, ବନବାସୀମାନେ ହୃଦ୍‌ରୋଗ, ବହୁମୂତ୍ରରୋଗ, ଉଚ୍ଚରକ୍ତଚାପ ଆଦି ରୋଗରେ ପ୍ରାୟତଃ କମ୍‌ ଆକ୍ରାନ୍ତ ହୁଅନ୍ତି। ସେଥିପାଇଁ ପୂର୍ବକାଳରେ ଲୋକମାନେ ଶତାଧିକ ବର୍ଷ ବଞ୍ଚୁଥିଲେ। ମରିବା ପର୍ଯ୍ୟନ୍ତ ତାଙ୍କ ଦାନ୍ତ ଅକ୍ଷୁଣ୍ଣ ରହିବା ସହ ଶରୀର ବେଶ୍‌ ଚଳଚଞ୍ଚଳ ରହୁଥିଲା।

ମୋ- ୯୪୩୭୪୩୬୦୭୩, ଇ-ମେଲ : unbiswal05@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri