ଜିଏସ୍‌ଟି : ଦିଅଁ ଗଢୁ ଗଢୁ ମାଙ୍କଡ଼

ଶ୍ୟାମସୁନ୍ଦର ଅଗ୍ରଓ୍ବାଲା

ବୁଦ୍ଧି, ଜ୍ଞାନ ଓ ମେଧାଶକ୍ତିର ଅଭୂତପୂର୍ବ ଅଧିକାରୀ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ଙ୍କ ମତରେ ଆୟକର ନିୟମ ହେଉଛି ପୃଥିବୀର ସବୁଠୁ ଦୁର୍ବୋଧ୍ୟ ନିୟମ, ଯାହାକୁ ସେ ଶତଚେଷ୍ଟା କରି ମଧ୍ୟ ବୁଝିପାରିଲେ ନାହିଁ। ଆଜି ଯଦି ଆଇନ୍‌ଷ୍ଟାଇନ ବଞ୍ଚି ଥାଆନ୍ତେ ଆଉ ବର୍ତ୍ତମାନର ଦ୍ରବ୍ୟ ଓ ସେବାକର (ଜିଏସ୍‌ଟି) ନିୟମକାନୁନ ସବୁ ପଢ଼ିଥାନ୍ତେ, ତେବେ ସେ କ’ଣ ମତାମତ ଦେଇଥାନ୍ତେ ତାହା ଅନୁମେୟ। ବେଳେବେଳେ ନିୟମ ପ୍ରସ୍ତୁତକାରୀଏ ଅତ୍ୟନ୍ତ ସହଜ ଓ ସରଳ ନିୟମଗୁଡ଼ିକୁ କ’ଣ ପାଇଁ ବୁଲେଇ ବଙ୍କେଇ ଏତେ ଜଟିଳ କରିପକାନ୍ତି, ତାହା ବୁଝି ହୁଏନା। ଜିଏସ୍‌ଟି ଏକ ଅତି ସୁନ୍ଦର ପରିକଳ୍ପନା, କିନ୍ତୁ ଏହାର ଜଟିଳ ଉପସ୍ଥାପନା ଓ ସମ୍ପାଦନା ଏହାକୁ ଦିଅଁ ଗଢୁ ଗଢୁ ମାଙ୍କଡ଼ କରିଦେଇଛି। ଏଇଠି କଥାଟିଏ ମନେ ପଡ଼େ। ଥରେ ଦୁଇଜଣ ଗଣିତଜ୍ଞ ନଦୀକୂଳରେ ଛିଡ଼ାହୋଇ ଯୁକ୍ତିତର୍କ କରୁଥିଲେ। ଗଣିତ ବିଦ୍ୟାରେ କେହି କାହାଠୁଁ କମ୍‌ ନ ଥିଲେ, ତେଣୁ ହାରିବା ପାଇଁ କେହି ପ୍ରସ୍ତୁତ ନ ଥିଲେ। ଏଇ ସମୟରେ ଗଉଡ଼ ଟୋକାଟେ ଗାଈମାନଙ୍କୁ ଜଙ୍ଗଲରେ ଚରେଇ ସେହି ବାଟ ଦେଇ ଗଁାକୁ ଫେରୁଥିଲା। ଗଉଡ଼ ଟୋକାଟି ତାଙ୍କ ଯୁକ୍ତିତର୍କ ଶୁଣି କହିଲା, ”ଆପଣମାନେ ଯଦି ଏତେ ଗଣିତବିଦ୍ୟାରେ ପାରଙ୍ଗମ, ତେବେ କୁହନ୍ତୁ ମୋ’ ଗୋଠର ଗାଈ ସଂଖ୍ୟା କେତେ?“ ଏ କଥା ଶୁଣି ଦୁହେଁ କାଗଜ କଲମ ଧରି ଅଧଘଣ୍ଟାଏ ପର୍ଯ୍ୟନ୍ତ ହିସାବ କିତାବ କଲେ ଓ ଏକାସାଙ୍ଗରେ ଉତ୍ତର ଦେଲେ ‘ଷାଠିଏ’। ଦୁହେଁ ଏକା ସମୟରେ ଠିକ୍‌ ଉତ୍ତର ଦେଇଥିବାରୁ ଗଉଡ଼ ଟୋକାଟି ପଚାରିଲା-”ଆଚ୍ଛା କୁହନ୍ତୁ, ଆପଣମାନେ ଏତେ ସମୟ ଧରି କ’ଣ ହିସାବକିତାବ କରି ଷାଠିଏ ଗାଈ ଅଛି ବୋଲି ଜାଣିଲେ।“ ପ୍ରଥମ ଗଣିତ ବିଶାରଦ କହିଲେ, ”ମୁଁ ପ୍ରଥମେ ନଇଁ ପଡ଼ି ଗାଈମାନଙ୍କର ଗୋଡ଼ଗୁଡ଼ିକ ଗଣି ପକେଇଲି। ଗୋଡ଼ ସଂଖ୍ୟା ହେଲା ଦୁଇଶହ ଚାଳିଶ। ଗୋଟିଏ ଗାଈର ଚାରୋଟି ଗୋଡ଼ ଥାଏ, ତେଣୁ ଦୁଇଶହ ଚାଳିଶକୁ ଚାରିରେ ହରି କହିଲି ‘ଷାଠିଏ’। ଏ କଥା ଶୁଣି ଅନ୍ୟ ଗଣିତଜ୍ଞ ଠୋ ଠୋ ହସି କହିଲେ ”ବୁଝିଲେ ଆଜ୍ଞା, ଆପଣଙ୍କର ଜ୍ଞାନ ଥାଇପାରେ, କିନ୍ତୁ କାଣ୍ଡଜ୍ଞାନ ନାହିଁ। ମୁଁ କେମିତି ସରଳ ଉପାୟରେ ଜାଣିଲି ଶୁଣନ୍ତୁ। ଏତେ ପରିଶ୍ରମ କରି ତଳକୁ ନ ଚାହିଁ ମୁଁ ଉପରେ ଉପରେ କେବଳ ଗାଈମାନଙ୍କର ଶିଙ୍ଗଗୁଡ଼ିକୁ ଗଣି ପକେଇଲି। ଶିଙ୍ଗ ସଂଖ୍ୟା ହେଲା ଶହେ କୋଡ଼ିଏ। ଗୋଟିଏ ଗାଈର ଦୁଇଟି ଶିଙ୍ଗ ଥାଏ ଅର୍ଥାତ୍‌ ଗାଈ ସଂଖ୍ୟା ଷାଠିଏ। ବୁଝିଲେ।“ ଆଜ୍ଞା, ଏହି ଗଣିତଜ୍ଞମାନେ ବୋଧହୁଏ ଆମର ଏ ଜିଏସ୍‌ଟିର ନିୟମକାନୁନ ପ୍ରଣୟନ କରିଛନ୍ତି। କିହୋ, ଗାଈ ମୁଣ୍ଡଗୁଡ଼ିକ ଗଣି ଷାଠିଏ କହିଲେ ହେବନି! ଜଣେ କହୁଛି ପ୍ରଥମେ ଗୋଡ଼କୁ ଗଣି ଚାରିରେ ହର ତ ଆଉ ଜଣେ କହୁଛି ଶିଙ୍ଗକୁ ଗଣି ଦୁଇରେ ହର, ତେବେ ଯାଇ ଉତ୍ତର ନିର୍ଭୁଲ ହେବ। ମୁଁ ବୃତ୍ତିରେ ଜଣେ ବ୍ୟବସାୟୀ। ମୁଁ ବଜାରରେ ଜିନିଷ ଖର୍ଦ୍ଦି, ବିକ୍ରି କରେ। ମୁଁ ଗୋଟିଏ ଜିନିଷ ଖର୍ଦ୍ଦି କଲି। ଧରନ୍ତୁ ତା’ର ଦାମ୍‌ ଶହେ ଟଙ୍କା ଓ ଦଶ ପ୍ରତିଶତ ହିସାବରେ ଜିଏସ୍‌ଟି ଦେଲି ଦଶ ଟଙ୍କା। ମୁଁ ତାକୁ ବିକିଲି ଶହେ କୋଡ଼ିଏ ଟଙ୍କାରେ ଓ ଦଶ ପ୍ରତିଶତ ହିସାବରେ ଜିଏସ୍‌ଟି ଆଦାୟ କଲି ବାରଟଙ୍କା ଅର୍ଥାତ୍‌ ଜିଏସ୍‌ଟି ଦେଇଥିଲି ଦଶଟଙ୍କା ଆଉ ପାଇଲି ବାରଟଙ୍କା। ବାର ବିଯୁକ୍ତ ଦଶ କରି ବାକି ଦୁଇଟଙ୍କା ମୁଁ ସରକାରଙ୍କ ରାଜକୋଷରେ ଜମା କରିଦେଲି। ବାସ୍‌, ଏତିକି ପାଠ ପାଇଁ ଏତେ ଘଣ୍ଟାଚକଟା। ଏତେ ତର୍କବିତର୍କ। ଏତେ ବାକ୍‌ବିତଣ୍ଡା। ଏତେ ନିୟମକାନୁନ। ଥରେ ଗାଈମାନଙ୍କର ଗୋଡ଼ ଗଣାଯିବ ଆଉ ତାକୁ ଚାରିରେ ହରଣ ହେବ। ପୁଣି ଥରେ ଗାଈମାନଙ୍କ ଶିଙ୍ଗ ଗଣାଯିବ, ଆଉ ତାକୁ ଦୁଇରେ ହରଣ ହେବ। ତା’ପରେ ମୁଣ୍ଡ ଗଣାଯାଇ ଉତ୍ତର ଠିକ୍‌ ହେଲା କି ନାହିଁ ଧରାଯିବ। ପ୍ରତି ମାସରେ ଏଇମିତି ତିନି ତିନି ଥର ଅର୍ଥାତ୍‌ ବର୍ଷକୁ ଛତିଶ ଥର ରିଟର୍ନ ଦାଖଲ କରାଯିବ। ଯଦି କିଛି ଭୁଲ ଲେଖିଦେଲେ ତେବେ ‘ବୋପା ରାଣ ଢିଙ୍କି ଗିଳ’ ନ୍ୟାୟରେ ମୁକ୍ତି ନାହିଁ। ବର୍ଷ ବର୍ଷ ଧରି ବ୍ୟବସାୟୀମାନେ ବେପାର କରିବେ ନା ଏସବୁ କାମ କରିବେ। ଯଦି ଏ ସବୁ କରିବେ, ତେବେ ସେମାନେ ବେପାର କେତେବେଳେ କରିବେ? ସରକାର କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅଧ୍ୟୟନ କରନ୍ତୁ। ଚାଣକ୍ୟ ଟିକସ ଆଦାୟକାରୀମାନଙ୍କୁ ମହୁମାଛି ସହିତ ତୁଳନା କରିଛନ୍ତି। ମହୁମାଛି ଫୁଲରୁ ମହୁ ସଂଗ୍ରହ କରେ, କିନ୍ତୁ ଫୁଲଗଛକୁ କଷ୍ଟ ଦିଏ ନାହିଁ। ଯେଉଁଦିନ ମହୁମାଛି ଗଛକୁ କଷ୍ଟ ଦେବ ସେଦିନ ଗଛ ମରିଯିବ। ଗଛ ମରିଗଲେ ଆଉ ଫୁଲ ଫୁଟିବନି କି ମହୁ ମିଳିବନି।

୯୭, ଜନପଥ, ଭୁବନେଶ୍ୱର, ମୋ-୯୪୩୭୦୬୭୫୬୭



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri