କୁକୁଡ଼ା ଫାର୍ମଜନିତ ପ୍ରଦୂଷଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଗତ ଅଗଷ୍ଟ ମାସରେ ଭାରତର କୁକୁଡ଼ା ଫାର୍ମଗୁଡ଼ିକ ସମ୍ବନ୍ଧରେ ସିଏସ୍‌ଆଇଆର୍‌-ଏନ୍‌ଇଇଆର୍‌ଆଇର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଜାତୀୟ ପାରିବେଶିକ ଇଞ୍ଜିନିୟରିଂ ଗବେଷଣା ପ୍ରତିଷ୍ଠାନ (ଏନ୍‌ଇଇଆର୍‌ଆଇ) ଏକ ପ୍ରସିଦ୍ଧ ବୈଜ୍ଞାନିକ ଗବେଷଣା ପ୍ରତିଷ୍ଠାନ। ଏନ୍‌ଇଇଆର୍‌ଆଇର ନିର୍ଦ୍ଦେଶକ ଡ. ରାକେଶ କୁମାରଙ୍କ ନେତୃତ୍ୱରେ ୮ ଜଣ ବୈଜ୍ଞାନିକ ଏହି ଗବେଷଣା ସମ୍ପାଦନ କରିଥିଲେ। କୁକୁଡ଼ା ଫାର୍ମଗୁଡ଼ିକରେ ମାଂସ ଓ ଅଣ୍ଡା ପାଇଁ କୁକୁଡ଼ା ଓ ବତକ ପାଳନ କରାଯାଏ। ଭାରତରେ ଏମାନଙ୍କ ସଂଖ୍ୟା ୭୨୯.୨ ନିୟୁତ, ଯାହା ୨୦୧୨ର ସଂଖ୍ୟାଠାରୁ ୧୨.୩୯ ପ୍ରତିଶତ ଅଧିକ। ଏହି ଫାର୍ମଗୁଡ଼ିକରେ ମାଂସ ପାଇଁ ବ୍ରଏଲର କୁକୁଡ଼ା ଏବଂ ଅଣ୍ଡା ପାଇଁ ଲେୟର କୁକୁଡ଼ା ପାଳନ କରାଯାଏ। ବ୍ରଏଲର କୁକୁଡ଼ା ଅଣ୍ଡାରୁ ଛୁଆ ଫୁଟିବା ବେଳେ ୪୦ ଗ୍ରାମ୍‌ ଓଜନ ହୋଇଥିବା ବେଳେ ମାତ୍ର ଛଅ ସପ୍ତାହ ଭିତରେ ଦେଢ଼ରୁ ୨ କେଜି ଓଜନ ହୋଇଥାନ୍ତି। ଲେୟର କୁକୁଡ଼ା ୧୮-୧୯ ସପ୍ତାହର ହେବା ବେଳକୁ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି ଏବଂ ୭୨-୭୮ ସପ୍ତାହ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ତା’ପରେ ସେମାନଙ୍କୁ ମାଂସ ପାଇଁ ମରାଯାଇଥାଏ। ପ୍ରକୃତିରେ କୁକୁଡ଼ାମାନେ ଅନେକ ପ୍ରକାର ବ୍ୟବହାର ପ୍ରଦର୍ଶନ କରିଥାନ୍ତି, ଯଥା- ବସା ବାନ୍ଧିବା, ଧୂଳିରେ ଗାଧୋଇବା, ଗଛଡାଳରେ ବସିବା, ମାଟି ଆମ୍ପୁଡ଼ିବା ଓ ଖାଦ୍ୟ ସଂଗ୍ରହ କରିବା। ଖାଦ୍ୟ ସଂଗ୍ରହ ଅତି ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ କୃତ୍ରିମ ଖାଦ୍ୟ ଅପେକ୍ଷା ନିଜ ପସନ୍ଦର ଘାସ, କୀଟପତଙ୍ଗ ଓ ମଞ୍ଜି ଆଦି ସଂଗ୍ରହ କରି ଖାଇବାକୁ ବେଶି ପସନ୍ଦ କରିଥାନ୍ତି। ସେମାନଙ୍କ ଡେଣାର ତୈଳସ୍ତରକୁ ସନ୍ତୁଳିତ ରଖିବା ପାଇଁ ଧୂଳିରେ ଗାଧାନ୍ତି। ସେମାନଙ୍କ ଶରୀରରେ ହଠାତ୍‌ ପ୍ରୋଜେଷ୍ଟେରନ୍‌ ହର୍ମୋନ୍‌ ବୃଦ୍ଧି ପାଇଲେ ବସା ବାନ୍ଧନ୍ତି। ସୁସ୍ଥ ରହିବା ପାଇଁ ସେମାନେ ନିୟମିତ ଚଳପ୍ରଚଳ ହେବା ଓ ବ୍ୟୟାମ କରିବା ଦରକାର। ଠିଆ ହୋଇଥିବା ବେଳେ କୁକୁଡ଼ାଟିଏ ପାଇଁ ୪୭୫ ବର୍ଗସେଣ୍ଟିମିଟର ଜାଗା ଆବଶ୍ୟକ ହେଉଥିବା ବେଳେ ପ୍ରିନିଂ ପାଇଁ ୧୧୫୦ ଏବଂ ଡେଣା ଝାଡ଼ିବା ପାଇଁ ୧୮୭୩ ବର୍ଗସେଣ୍ଟିମିଟର ଜାଗା ଆବଶ୍ୟକ ହୋଇଥାଏ। ଗୋଟିଏ କୁକୁଡ଼ା ସମ୍ପୂର୍ଣ୍ଣ ସୁସ୍ଥସବଳ ରହିବା ପାଇଁ ୫୦୦୦ ବର୍ଗ ସେଣ୍ଟିମିଟର ଜାଗା ଆବଶ୍ୟକ। ଦ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌, ଯାହା ସମ୍ପୂର୍ଣ୍ଣ ଅବୈଜ୍ଞାନିକ ଓ ପୁରୁଣାକାଳିଆ ସଂସ୍ଥା, କୁକୁଡ଼ାଙ୍କ ପାଇଁ ମାତ୍ର ୪୫୦ ବର୍ଗସେଣ୍ଟିମିଟର ଜାଗା ସୁପାରିସ କରିଛି, ଯାହା କୁକୁଡ଼ାଟିଏ ଭଲରେ ବିଶ୍ରାମ ନେବା ପାଇଁ ବି ଯଥେଷ୍ଟ ନୁହେଁ। ଭାରତର କୁକୁଡ଼ା ଫାର୍ମଗୁଡ଼ିକ ଏହାକୁ ଅନୁସରଣ କରୁଛନ୍ତି। ଫଳରେ କୁକୁଡ଼ାମାନେ ସବୁବେଳେ ରୋଗଗ୍ରସ୍ତ ହୋଇପଡ଼ୁଛନ୍ତି ଏବଂ ସେମାନଙ୍କୁ ବାରମ୍ବାର ଆଣ୍ଟିବାୟୋଟିକ୍ସ ଦେବାକୁ ପଡ଼ୁଛି। ପିଞ୍ଜରାବଦ୍ଧ କୁକୁଡ଼ା ମୁକ୍ତ ପରିବେଶରେ ଥିବା କୁକୁଡ଼ାଙ୍କ ଅପେକ୍ଷା ସବୁବେଳେ ଭୟଭୀତ ଅବସ୍ଥାରେ ଥାଏ। ଏପରି ପିଞ୍ଜରା ବ୍ୟବସ୍ଥାରେ କୁକୁଡ଼ାମାନଙ୍କର କେତେକ ଗୁରୁତର ସମସ୍ୟା ହେଲା କେଜ୍‌ ଲେୟାର୍‌ ଫଟିଗ୍‌ (ରୋଗ ବିଶେଷ), ଥଣ୍ଟ କଟାହେବା, ବଳପୂର୍ବକ ଡେଣାକୁ କାଟି ଛୋଟ କରିବା, ପରିବହନ, ଫ୍ୟାଟି ଲିଭର ହେମୋରେଗିକ୍‌ ସିଣ୍ଡ୍ରୋମ୍‌ (ରୋଗ ବିଶେଷ), ହାଡ଼ ପାମ୍ପରା, ଫୁଟ୍‌ ଡିଜର୍ଡର, ଘାଆ ଓ ପ୍ରଜନନଗତ ସମସ୍ୟା। ଅନୁଧ୍ୟାନରୁ ଜଣାପଡ଼ିଛି କେବଳ କୁକୁଡ଼ା ପିଛା ପିଞ୍ଜରାର ସ୍ଥାନ ୩୦୦ରୁ ୬୫୦ ବର୍ଗସେଣ୍ଟିମିଟରକୁ ବୃଦ୍ଧି କରିଦେଲେ ସେମାନଙ୍କ ଅଣ୍ଡା ଦେବା କ୍ଷମତା, ଖାଦ୍ୟ ଖାଇବା ପରିମାଣ ଓ ଦେହର ଓଜନ ବୃଦ୍ଧି ପାଇବା ସହ ମୃତ୍ୟୁ ହାର ହ୍ରାସ ପାଇଥାଏ। ବର୍ତ୍ତମାନ ଆପଣ କୁକୁଡ଼ା ଫାର୍ମଗୁଡ଼ିକରୁ ଯେଉଁ ଅଣ୍ଡା ଓ ମାଂସ ପାଉଛନ୍ତି, ସେଗୁଡ଼ିକ ରୋଗଣା କୁକୁଡ଼ାଠାରୁ ହିଁ ପାଉଛନ୍ତି। ଭାରତ ସରକାର କୁକୁଡ଼ା ଅଣ୍ଡା ଦେଉଥିବା ବା ମାଂସ ପାଇଁ ମରାହେବା ପର୍ଯ୍ୟନ୍ତ ସେମାନଙ୍କୁ ବଞ୍ଚେଇ ରଖିବା ପାଇଁ ଆଣ୍ଟିବାୟୋଟିକ୍ସ ବ୍ୟବହାରକୁ ଅନୁମତି ଦେଇଛନ୍ତି। ବିନା ସୀମା ନିୟନ୍ତ୍ରଣରେ କୁକୁଡ଼ାମାନଙ୍କୁ ନିୟମିତ ବ୍ୟବଧାନରେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଦିଆଚାଲିଛି। ଏହାଫଳରେ ଆଣ୍ଟିବାୟୋଟିକ୍ସ ରେଜିଷ୍ଟାନ୍ସ ଜନିତ ସମସ୍ୟା ବୃଦ୍ଧି ପାଉଛି, ଯାହା ଖାଉଟିମାନଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରୁଛି। ୨୦୧୪ ଜୁନ୍‌ ୩ ତାରିଖରେ କୃଷି ମନ୍ତ୍ରଣାଳୟର ପଶୁପାଳନ ବିଭାଗ ତରଫରୁ ସବୁ ରାଜ୍ୟର ପଶୁପାଳନ ବିଭାଗକୁ ଏକ ଚିଠି ଲେଖାଗଲା। ଏଥିରେ ପ୍ରାଣୀମାନଙ୍କ ଚିକିତ୍ସାରେ ସୀମିତ ପରିମାଣର ଆଣ୍ଟିବାୟୋଟିକ୍ସ ଦେବାକୁ ପରାମର୍ଶ ଦିଆଯାଇଥିଲା। ୨୦୧୪ ଜୁନ୍‌ ୬ରେ ସ୍ବାସ୍ଥ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ସବୁ ରାଜ୍ୟର ଡ୍ରଗ୍‌ କଣ୍ଟ୍ରୋଲରମାନଙ୍କ ପାଖକୁ ସମାନ ନିର୍ଦ୍ଦେଶନାମା ଇସ୍ୟୁ କରାଯାଇଥିଲା। କିନ୍ତୁ କିଛି ବଦଳିନାହିଁ। ବରଂ କୁକୁଡ଼ା ଫାର୍ମଗୁଡ଼ିକରେ ଆଣ୍ଟିବାୟୋଟିକ୍ସର ବ୍ୟବହାର ବୃଦ୍ଧି ପାଇଛି। ଏନ୍‌ଇଇଆର୍‌ଆଇର ରିପୋର୍ଟ ଅନୁସାରେ କମ୍‌ ଖାଦ୍ୟ ଦେଇ ଅଧିକ ଓଜନ ବଢ଼ାଇବା ପାଇଁ କୁକୁଡ଼ା ଖାଦ୍ୟରେ ଆର୍ସେନିକ୍‌ ଦିଆଯାଉଛି। ଅଧିକ କାଳ ଆର୍ସେନିକ୍‌ର ସଂସ୍ପର୍ଶରେ ଆସିଲେ କ୍ୟାନ୍‌ସର ହୋଇପାରେ। କୁକୁଡ଼ାମାନେ ଶୀଘ୍ର ବଢ଼ିବା ପାଇଁ ଯେଉଁ ଗ୍ରୋଥ୍‌ ହର୍ମୋନ୍‌ ଦିଆଯାଉଛି ତାହା ଆଉ ଏକ ସମସ୍ୟା। ଏହା ଖାଉଟିମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। କୁକୁଡ଼ା ଫାର୍ମ ଦ୍ୱାରା କିପରି ଜଳ, ବାୟୁ ଓ ମୃତ୍ତିକା ପ୍ରଦୂଷଣ ହେଉଛି ତାହା ଉପରେ ଏନ୍‌ଇଇଆର୍‌ଆଇ ଅନୁଧ୍ୟାନ କରିଥିଲା। କୁକୁଡ଼ା ଫାର୍ମ ଦ୍ୱାରା ଅନେକ ପ୍ରକାର ପ୍ରଦୂଷଣ ଘଟୁଛି। ତା’ଛଡ଼ା ଏହା ରୋଗବାହକ ମୂଷା, ମାଛି ଓ କୀଟପତଙ୍ଗଙ୍କୁ ଆକର୍ଷିତ କରିଥାଏ। କୁକୁଡ଼ାଙ୍କ ମଳ, ମୂତ୍ର, ବର୍ଜ୍ୟଜଳ ପ୍ରଭୃତିର କୁପରିଚାଳନା ପରିବେଶ ଉପରେ କୁପ୍ରଭାବ ପକାଇଥାଏ। ସେଥିରୁ ଯେଉଁ ଦୁର୍ଗନ୍ଧ ବାହାରେ ତାହା ଖଣ୍ଡେ ଦୂର ପର୍ଯ୍ୟନ୍ତ ଜନଜୀବନକୁ ନର୍କରେ ପରିଣତ କରିଦେଇଥାଏ। ପୁନଶ୍ଚ ବ୍ୟାପକ କୁକୁଡ଼ା ଚାଷ ଯୋଗୁ ସବୁଜଗୃହ ବାଷ୍ପର ନିର୍ଗମନ ବୃଦ୍ଧି ପାଇଥାଏ। ୨୦୧୭ ଫେବୃୟାରୀରୁ ମେ ଭିତରେ ବୈଜ୍ଞାନିକମାନେ ୬ଟି ପିଞ୍ଜରାବଦ୍ଧ ଓ ଗୋଟିଏ ଖୋଲା କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ। ସେଠାକାର ନଳକୂଅମାନଙ୍କରୁ ଜଳ ନମୁନା ଏବଂ କୁକୁଡ଼ାଙ୍କ ମଳ ନମୁନା ସଂଗ୍ରହ କରିଥିଲେ, ଯେଉଁ ମଳକୁ କ୍ଷେତରେ ସାର ଭାବେ ବ୍ୟବହାର କରାଯାଉଛି। ପବନର ନମୁନା ମଧ୍ୟ ଫାର୍ମ ଭିତରୁ ଓ ବାହାରୁ ସଂଗ୍ରହ କରାଯାଇଥିଲା। କୁକୁଡ଼ାଙ୍କୁ ଦିଆଯାଉଥିବା ଖାଦ୍ୟର ନମୁନା ସଂଗ୍ରହ କରାଯାଇଥିଲା। ସମସ୍ତ ପିଞ୍ଜରାବଦ୍ଧ ଫାର୍ମ ସମାନ ପ୍ରକାର ପଦ୍ଧତି ଅବଲମ୍ବନ କରିଥାନ୍ତି। ପ୍ରତ୍ୟେକ ଫାର୍ମରେ ୬୦ରୁ ୭୦ ହଜାର କୁକୁଡ଼ା ଥିଲେ। କୁକୁଡ଼ାମାନଙ୍କୁ ଶସ୍ୟଦାନା ସହ ମାର୍ବଲ ଗୁଣ୍ଡ ଖାଇବାକୁ ଦିଆଯାଉଥିଲା। ମଳ, ମୂତ୍ର, ବର୍ଜ୍ୟ ଖାଦ୍ୟ, ବର୍ଜ୍ୟ ଜଳ, ପର ଓ ମଲା କୁକୁଡ଼ାଙ୍କ ଯୋଗୁ ସବୁ ଫାର୍ମରୁ ଅସହ୍ୟ ଦୁର୍ଗନ୍ଧ ବାହାରୁଥିଲା। ପାହାଡ଼ ପରି ଗଦା ହୋଇଥିବା ମଳମୂତ୍ରାଦି ଆବର୍ଜନାକୁ ପ୍ରତି ୪-୫ ମାସରେ ଥରେ ସ୍ଥାନୀୟ କୃଷକମାନଙ୍କୁ ବିକ୍ରି କରିଦିଆଯାଏ। କୁକୁଡ଼ାମାନଙ୍କୁ ପିଞ୍ଜରାରୁ ବେକ ବାହାରକୁ କାଢ଼ି ଖାଦ୍ୟ ଖାଇବାକୁ ପଡ଼େ। ପିଞ୍ଜରା ତାରରେ ଘଷି ହୋଇ ବେକ ଖଣ୍ଡିଆ ହୋଇ ଘାଆ ହୋଇଯାଇଥାଏ। ମଲା କୁକୁଡ଼ାମାନଙ୍କୁ ଏକ ୨୦ ଫୁଟିଆ ଗାତରେ ଫିଙ୍ଗି ତା’ ଉପରେ ଏସିଡ୍‌ ବା ଲୁଣ ଢାଳିଦିଆଯାଏ। ଅପରପକ୍ଷେ ଖୋଲା କୁକୁଡ଼ା ଫାର୍ମରେ ୩୦ରୁ ୩୫ ହଜାର କୁକୁଡ଼ା ଥିଲେ। ସେମାନଙ୍କ ଚଳପ୍ରଚଳ ପାଇଁ ଅଧିକ ଖୋଲା ଜାଗା, ଉପଯୁକ୍ତ ପବନ ଚଳାଚଳ ସୁବିଧା, ପଙ୍ଖା, ଜଳସିଞ୍ଚନ ବ୍ୟବସ୍ଥା ଆଦି ଥିଲା। ଫାର୍ମଟି ଅପେକ୍ଷାକୃତ ସଫାସୁତୁରା ଥିଲା। ପିଞ୍ଜରାବଦ୍ଧ ଫାର୍ମରୁ ସଂଗୃହୀତ ଜଳ ପରୀକ୍ଷା କରି ଦେଖାଗଲା ଏଥିରେ ମାତ୍ରାଧିକ ନାଇଟ୍ରେଟ୍‌, କଠିନ ପଦାର୍ଥ, ଅର୍ଗାନିକ୍‌ ଫସ୍‌ଫେଟ୍‌ ଓ ସଲ୍‌ଫେଟ୍‌ ଆଦି ଥିଲା। ଅର୍ଥାତ୍‌ ସମ୍ପୂର୍ଣ୍ଣ ପ୍ରଦୂଷିତ ଓ ପିଇବା ଅନୁପଯୋଗୀ। ବାୟୁ ମଧ୍ୟ ସେହିପରି ରୋଗ ଜୀବାଣୁରେ ପୂର୍ଣ୍ଣ ଥିଲା। କୃଷକମାନେ ଖତ ଭାବେ ଯେଉଁ କୁକୁଡ଼ା ମଳକୁ ଜମିରେ ଦେଉଥିଲେ ତାହାଦ୍ୱାରା ମୃତ୍ତିକା ପ୍ରଦୂଷିତ ହୋଇଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି। ସୁତରାଂ ଭାରତରେ ପିଞ୍ଜରାବଦ୍ଧ କୁକୁଡ଼ା ଫାର୍ମ ବଦଳରେ କେବଳ ଖୋଲା କୁକୁଡ଼ା ଫାର୍ମକୁ ହିଁ ଅନୁମତି ଦିଆଯିବା ଆବଶ୍ୟକ। ଉକ୍ତ ରିପୋର୍ଟ ବର୍ତ୍ତମାନ କୃଷି ଓ ପରିବେଶ ମନ୍ତ୍ରଣାଳୟ ପାଖରେ ପଡ଼ିରହିଛି। ତାହା ଉପରେ ସେମାନେ ଏ ଯାବତ୍‌ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। କାରଣ ପ୍ରାଣୀ ଓ ମନୁଷ୍ୟଙ୍କ ସ୍ବାସ୍ଥ୍ୟ ନେଇ ସେମାନେ ଆଦୌ ଚିନ୍ତିତ ନୁହନ୍ତି।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri