କାର୍ତ୍ତିକର କାରୁଣ୍ୟ

ଡ. ପ୍ରଫୁଲ୍ଲ କୁମାର ସାହୁ

ଭକ୍ତି ଓ ସମର୍ପଣର ମାସ କାର୍ତ୍ତିକ। ଶୁଦ୍ଧ ଆଚରଣ ଓ ଦିବ୍ୟ ବାତାବରଣ ସହିତ ଯୋଡ଼ି ହୋଇଯିବାର ଏକ ସୁନ୍ଦର ଅବସର। ପବିତ୍ର କାର୍ତ୍ତିକର ପ୍ରତି ପ୍ରଭାତ ମନରେ ଭରିଦିଏ ଏକ ଆଧ୍ୟାମତ୍ିକ ଉଚ୍ଛ୍ବାସ। ପ୍ରାତଃସ୍ନାନ, ତୁଳସୀ ସେବନ, ହବିଷ୍ୟାନ୍ନ ଭକ୍ଷଣ, ଆକାଶଦୀପ ପ୍ରଜ୍ୱଳନ, ରାଇଦାମୋଦର ପୂଜନ, ପଞ୍ଚକ ପାଳନ ଓ ରାସଲୀଳା ଶ୍ରବଣ ଆଦିରେ ଥାଏ ଏକ ପ୍ରାର୍ଥନାମୟ ଶିହରଣ। ଆଧ୍ୟାମତ୍ିକତା ଆଉ କ’ଣ କି? ଏହା ଶୁଦ୍ଧପୂତ ଜୀବନଚର୍ଯ୍ୟା ମଧ୍ୟରେ ଈଶ୍ୱରୀୟ ଚେତନାକୁ ଜାଗ୍ରତ କରିବାର ଏକ ବ୍ୟାକୁଳତା। ସେହି ବ୍ୟାକୁଳତା ବା ଊର୍ଦ୍ଧ୍ୱଗ ଉପଲବ୍ଧି ନିମନ୍ତେ କାର୍ତ୍ତିକ ବ୍ରତ ହେଉଛି ଏକ ସାଂସ୍କୃତିକ ବିଧାନ। ଏହା ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନସମ୍ମତ। କାର୍ତ୍ତିକ ମାସରେ ପ୍ରାତଃସ୍ନାନ କଲେ ଶକ୍ତିଶାଳୀ ହୁଏ ହୃଦୟ। ନିରୋଗ ରହେ ଶରୀର। ଶୀତ ଆରମ୍ଭରୁ ସକାଳୁ ଉଠିବା, ସ୍ନାନ କରିବା ଓ ମନ୍ଦିର ଯିବା ଦ୍ୱାରା ଦୂର ହୁଏ ଅଳସପଣ। ମନରେ ଭରିଯାଏ ସକରାମତ୍କ ଭାବନା। ଆୟୁର୍ବେଦ ଅନୁସାରେ ଶୀତର ପହିଲି ସ୍ପର୍ଶରେ ଶରୀରରେ ବୃଦ୍ଧିପାଏ ଅମ୍ଳ ଓ ପିତ୍ତ। ପାଚନ କ୍ରିୟାର ସୁବିଧା ପାଇଁ ଶରୀର ଆବଶ୍ୟକ କରେ ଶୁଦ୍ଧ ନିରାମିଷ ଭୋଜନ। ଧର୍ମମାସ କାର୍ତ୍ତିକରେ ଶାକାହାରୀ ହେବାଦ୍ୱାରା ଅନ୍ତତଃ କିଛି ପରିମାଣରେ ବନ୍ଦ ହୋଇଯାଏ ଜୀବହତ୍ୟା। ସାମୟିକ ଭାବେ ପ୍ରତିଷ୍ଠା ଲଭେ ଜୀବେ ଦୟା ନୀତି। ବାସ୍ତବରେ ସ୍ବାସ୍ଥ୍ୟରକ୍ଷା ସହିତ ମଣିଷ ଭିତରେ ଦେବତ୍ୱର ବିକାଶ ନିମନ୍ତେ କାର୍ତ୍ତିକ ବ୍ରତ ନିଶ୍ଚୟ ଏକ କୌଶଳପୂର୍ଣ୍ଣ ଆୟୋଜନ। ବହୁ ପରୀକ୍ଷା ନିରୀକ୍ଷା ପରେ ଆମ ଆଚାର୍ଯ୍ୟମାନେ ସୃଷ୍ଟି କରିଥିବା ଏହି ପରମ୍ପରାକୁ କେହି ଅନ୍ଧବିଶ୍ୱାସ କହିପାରେ, ମାତ୍ର ସମାଜତତ୍ତ୍ୱ ଉପରେ ଆଧାରିତ କାର୍ତ୍ତିକବ୍ରତ ହେଉଛି ଆଧ୍ୟାମତ୍ିକତା ଓ ବିଜ୍ଞାନର ଏକ ସୁନ୍ଦର ସମ୍ମିଶ୍ରଣ। କାର୍ତ୍ତିକବ୍ରତ ପାଳନ ଅବସରରେ ଆମିଷ ଆହାର ବର୍ଜନ କରି ଶୁଦ୍ଧପୂତ ଜୀବନ ଯାପନ କରିବା ନିଶ୍ଚୟ ଏକ ସାଧନା। ସାଧାରଣତଃ ଭୋଗ ଛାଡ଼ି ତ୍ୟାଗକୁ ଆପଣେଇବା କଷ୍ଟ। କିନ୍ତୁ ତ୍ୟାଗରୁ ଭୋଗ ଆଡ଼କୁ ଯିବା ଭାରି ସହଜ। ସେଥିପାଇଁ କାର୍ତ୍ତିକରେ ଭଜନ ଅପେକ୍ଷା ଆମକୁ ଅଧିକ ଆକର୍ଷିତ କରେ ଭୋଜନ। ହବିଷ ନୁହେଁ, ମନ ଥାଏ ଛାଡ଼ଖାଇ ଆମିଷ ପାଖରେ। ଏହି ଆମିଷଲାଳସା ପାଇଁ ଛାଡ଼ଖାଇର ଅର୍ଥକୁ ଆମେ ଆଜି କଦର୍ଥ କରି ବୁଝୁଛୁ ଖୁବ୍‌ ଚତୁରତାର ସହିତ। ଶାସ୍ତ୍ର କହେ ଆମିଷ ଭକ୍ଷଣ ଯୋଗୁ କାମ, କ୍ରୋଧ, ଈର୍ଷା ଓ ଉତ୍ତେଜନାର ବଶବର୍ତ୍ତୀ ହୁଏ ମଣିଷ। ସଂଯମ ହରେଇ ବସେ ମନ। ସେଥିପାଇଁ ସାଧାରଣତଃ ଆମିଷ ଆହାରଠାରୁ ଦୂରେଇ ରହନ୍ତି ବିଧବା ନାରୀମାନେ। ସେମାନଙ୍କ ପାଇଁ ସବୁଠୁ ବେଶି ଗୁରୁତ୍ୱ ବହନ କରେ କାର୍ତ୍ତିକ ମାସର ଖାଦ୍ୟଶୃଙ୍ଖଳା। ଦିନରେ ଥରୁଟିଏ ହବିଷ୍ୟାନ୍ନ ଆହାର କରି ସେମାନେ କାର୍ତ୍ତିକ ବ୍ରତ ପାଳନ କରନ୍ତି ଅତି ନିଷ୍ଠାପର ଭାବରେ। କେବଳ ଅରୁଆ ଚାଉଳ, ମୁଗ, କଦଳୀ, ଓଉ, ସାରୁ ଏବଂ ଓଲୁଅରେ ପ୍ରସ୍ତୁତ ହୁଏ ସେମାନଙ୍କ ବ୍ୟଞ୍ଜନ। ବର୍ଜନ କରିଥିବା ଖାଦ୍ୟକୁ ହବିଷ୍ୟାଳୀମାନେ ପୁଣି ଗ୍ରହଣ କରନ୍ତି ବ୍ରତ ଶେଷରେ। ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମା ପରଦିନକୁ କୁହାଯାଏ ଛାଡ଼ଖାଇ। ଏହି ଦୃଷ୍ଟିରୁ ଛାଡ଼ଖାଇ ସହିତ ଆମିଷ ଭୋଜନର କୌଣସି ପାରମ୍ପରିକ ସମ୍ପର୍କ ନାହିଁ କହିଲେ ଚଳେ। ଅଥଚ ଛାଡ଼ଖାଇକୁ ଆମେ ଦେଇ ସାରିଲୁଣି ଏକ ଆମିଷଖିଆ ପର୍ବର ମାନ୍ୟତା। ତା’ର ଆୟୋଜନ ଆଗରେ ଫିକାପଡ଼ିଲାଣି କାର୍ତ୍ତିକ ବ୍ରତର ଆଧ୍ୟାମତ୍ିକ ଉଲ୍ଲାସ। ପୂର୍ଣ୍ଣମୀରେ ମନ୍ଦିର ଯାଇ ଦିଅଁ ଦର୍ଶନର ଆଗ୍ରହକୁ ବଳିଗଲାଣି ସକାଳୁ ଉଠି ମାଂସ ଦୋକାନକୁ ଦୌଡ଼ିବାର ବ୍ୟାକୁଳତା। ମାଛ ଓ ମାଂସ ଦୋକାନରେ ଗହଳି ଓ ଠେଲାପେଲାକୁ ଦେଖିଲେ ମନେହୁଏ ସତେ ଯେମିତି ସେଦିନ ଆମିଷ ନ ଖାଇଲେ ବୃଥା ହୋଇଯିବ ସାରା ମାସର ତପ। ମନେପଡ଼େ ୨୦୧୫ ମସିହାରେ ମାଡ଼ଖାଇ ଯାଇଥିବା ଛାଡ଼ଖାଇ କଥା। ଦୁର୍ଭାଗ୍ୟକୁ ସେ ବର୍ଷ ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପଡ଼ିଲା ଛାଡ଼ଖାଇ। ରାଗରେ ତାତି ଉଠିଲେ ଧାର୍ମିକ ବାଧ୍ୟବାଧ୍ୟକତାରେ ମାସାଧିକ କାଳ ଆମିଷ ଭୋଜନରୁ ଦୂରେଇ ରହିଥିବା ତଥାକଥିତ ବ୍ରତଧାରୀମାନେ। ପାଞ୍ଜିକାର ଓ ସେମାନଙ୍କ ସପ୍ତପୁରୁଷ ଉପରେ ବର୍ଷିଲେ ଗାଳି। (ପାଞ୍ଜିକାରମାନଙ୍କର ମଧ୍ୟ ଭୁଲ୍‌ ଅଛି। ଛାଡ଼ଖାଇ କ’ଣ ଏକ ପର୍ବ ଯେ ତାକୁ ପାଞ୍ଜିକାରମାନେ ପାଞ୍ଜିରେ ଲେଖୁଛନ୍ତି? କେଉଁ ଶାସ୍ତ୍ରରେ ଛାଡ଼ଖାଇ ବିଷୟରେ ଲେଖା ଅଛି? କିନ୍ତୁ ପାଞ୍ଜିରେ ଛାଡ଼ଖାଇର ଉଲ୍ଲେଖ ରହିବାରୁ ଲୋକେ ଏହାକୁ ଏକ ପାଳନୀୟ ପର୍ବ ମନେକରୁଛନ୍ତି। ଫଳରେ କୋଟି କୋଟି ନିରୀହ ପ୍ରାଣୀଙ୍କ ଜୀବନ ଯାଉଛି ଏବଂ ଛାଡ଼ଖାଇ ‘ହାଡ଼ଖାଇ’ରେ ପରିଣତ ହେଉଛି।) ଅବଶ୍ୟ ପରଦିନ ଆମିଷଖିଆ ବାର ହୋଇଥିବାରୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ ହେଲା ଛାଡ଼ଖାଇ। କେବଳ ରାଜଧାନୀ ଭୁବନେଶ୍ୱରରେ ସେଦିନ ବିକ୍ରି ହୋଇଥିଲା ହଜାରେ କ୍ୱିଣ୍ଟାଲ ଚିକେନ୍‌, ଛଅଶହ କ୍ୱିଣ୍ଟାଲ ମଟନ, କୋଡ଼ିଏ ହଜାର କ୍ୱିଣ୍ଟାଲ ମାଛ। ଗଣମାଧ୍ୟମର ଆକଳନ ଅନୁଯାୟୀ ସେଦିନ ରାଜଧାନୀବାସୀ ଚଳୁ କରିଦେଲେ ୫ ହଜାର ଖାସି ଓ ୫୦ ହଜାର କୁକୁଡ଼ା। କେବଳ ରାଜଧାନୀରେ ଯଦି ଏତେ ସଂଖ୍ୟକ ଜୀବହତ୍ୟା ହେଲା, ତେବେ ସମଗ୍ର ରାଜ୍ୟରେ କେତେ ଜୀବଙ୍କ ବେକ ହଣା ହୋଇଥିବ ତାହା ଅନୁମାନସାପେକ୍ଷ। ଜୀବେ ଦୟା ଭାବକୁ ଯଥେଷ୍ଟ ଗୁରୁତ୍ୱ ଦେଇଛି ଧର୍ମଶାସ୍ତ୍ର। ଅନ୍ୟପକ୍ଷରେ ଦେବଦେବୀଙ୍କ ପାଖରେ ପଶୁବଳି ଦେଇ ତା’ର ମାଂସକୁ ପ୍ରସାଦରୂପେ ଭକ୍ଷଣ କରିବାର ପରମ୍ପରାକୁ ବଞ୍ଚେଇ ରଖିଛି ଚତୁର ମଣିଷ। ବଳିପ୍ରଥା ହେଉ କି ଛାଡ଼ଖାଇରେ ଜୀବହତ୍ୟା- ଆଦୌ ଗ୍ରହଣୀୟ ମନେ ହୁଏନି ପ୍ରାକୃତିକ ସନ୍ତୁଳନକୁ ବିଗାଡୁଥିବା ଏଭଳି ଅମାନବୀୟ ପ୍ରଥା ଓ ପରମ୍ପରା। ସର୍ବୋପରି ଛାଡ଼ଖାଇ ଏକ ପର୍ବ ନୁହେଁ। ଏହାକୁ ପାଳନ କରିବାକୁ ଯାଇ ନିରୀହ ପ୍ରାଣୀଙ୍କ ହତ୍ୟାର କାରଣ ହେବା ଦ୍ୱାରା ମାସକ ଯାକର ତପ ଶୁଖୁଆପୋଡ଼ାରେ ଚାଲିଯାଉଛି। କାର୍ତ୍ତିକର ପୁଣ୍ୟ କାରୁଣ୍ୟରେ ପରିଣତ ହୋଇଯାଉଛି।

ଭଦ୍ରକ, ମୋ- ୯୪୩୮୮୫୫୦୮୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri