ଆହ୍ବାନ ବନାମ ଆଚରଣ

ଡ. ସୁବାସ ଚନ୍ଦ୍ର ପାତ୍ର

ଆମେ ରାଜନୀତିର ଅପରାଧୀକରଣ କଥା କହୁ କିନ୍ତୁ ଏବେ ଓଡ଼ିଶାବାସୀ ଦୈନନ୍ଦିନ ଜୀବନରେ ତା’ଠୁ ବଡ଼ ବିପଦର ମୁକାବିଲା କରୁଛନ୍ତି, ତା’ହେଲା ସମାଜର ରାଜନୀତୀକରଣ। ଏ ପ୍ରକାର ଏକ ବିଭାଜନକାରୀ ପ୍ରବାହ ସୃଷ୍ଟିକରିବାରେ ରାଜନୈତିକ ଦଳମାନଙ୍କ ବ୍ୟତିରେକେ ଗଣମାଧ୍ୟମଗୁଡ଼ିକର ମଧ୍ୟ କମ୍‌ ଭୂମିକା ନାହିଁ। ବିଶେଷତଃ ବୈଦ୍ୟୁତିକ ଗଣମାଧ୍ୟମ ଯୋଗୁ ବୁଦ୍ଧିଜୀବୀ ତଥା ସଚେତନ ସାଧାରଣ ଜନତା ଏବେ ଏକ ସୂକ୍ଷ୍ମ ଅତ୍ୟାଚାରରେ ନିପୀଡ଼ିତ। ଏବେ ଆମ ବୈଦ୍ୟୁତିକ ଗଣମାଧ୍ୟମର ମୁଖ୍ୟ କାମ ହେଲା ରାଜନୈତିକ ଦଳମାନେ ଦିନବେଳା ଯେଉଁ ଆକ୍ଷେପ ବା ପ୍ରତିଆକ୍ଷେପ କରିଥିବେ ତାକୁ ସଂଜବେଳେ ଆମ ଆଗରେ ବିରାଟ ବୌଦ୍ଧିକ ଚର୍ଚ୍ଚା ହିସାବରେ ଦେଖାଇବା। ରାଜନୈତିକ ଖବରବୁଭୁକ୍ଷୁ ଦର୍ଶକ ମଧ୍ୟ ଟିଭି ସେଟ୍‌ ଆଗରେ ନିର୍ବିକାର ଚିତ୍ତରେ ବସି ପକ୍ଷଭୁକ୍ତ ହୋଇଯାନ୍ତି ଏବଂ ସ୍ଥଳବିଶେଷରେ ଆଦର୍ଶଗତ ତାରତମ୍ୟ ଯୋଗୁ ପରିବାରର ସଦସ୍ୟମାନେ ମଧ୍ୟ ଗଣମାଧ୍ୟମ ଆୟୋଜିତ ଚର୍ଚ୍ଚାରେ ଦଳଭୁକ୍ତ ହୋଇଯାନ୍ତି। ଏହି ତଥାକଥିତ ବିତର୍କ ପରିବାରରେ ମଧ୍ୟ ରାଜନୈତିକ ବିଭାଜନ ଆଣେ। ବେଳେବେଳେ ଏହା ଉତ୍ତପ୍ତ ଯୁୁକ୍ତିତର୍କରେ ପରିଣତ ହୁଏ। କୌଣସି ଏକ ରାଜନୈତିକ ବିଷୟବସ୍ତୁକୁ ନେଇ ଚର୍ଚ୍ଚା କରିବା ଖରାପ କାମ ନୁହେଁ କିନ୍ତୁ ଏହା ଯେତେବେଳେ ଏକ ଦୈନନ୍ଦିନ କାର୍ଯ୍ୟକ୍ରମ ହୋଇପଡ଼େ ଏବଂ ଯେଉଁଠି ମସ୍ତିଷ୍କପ୍ରସୂତ ଯୁକ୍ତି ଅପେକ୍ଷା ବିତଣ୍ଡା, ସ୍ବରଯନ୍ତ୍ରର ଶକ୍ତି, ଅଶାଳୀନ ଭାଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼େ, ସେଇଠି ସମସ୍ୟା ସୃଷ୍ଟି ହୁଏ। ସାଧାରଣ ନିର୍ବାଚନକୁ ଆହୁରି ଦେଢ଼ବର୍ଷ ବାକି କିନ୍ତୁ ଏବେ ଓଡ଼ିଶାର ଗଣମାଧ୍ୟମର ଚର୍ଚ୍ଚା ବା ଖବରକୁ ଦେଖିଲେ କେହି ଭାବିବେ ବୋଧହୁଏ ଆଗାମୀ ମାସକ ଭିତରେ ନିର୍ବାଚନ ହେବାର ଅଛି। ନିର୍ବାଚନ ବେଳେ ସ୍ଥିରଚିତ୍ତରେ ଭୋଟଦେବା ପାଇଁ ଯେପରି ନିର୍ବାଚନର କିଛିିଦିନ ଆଗରୁ ପ୍ରଚାର ନିଷିଦ୍ଧ କରାଯାଇଥାଏ, ଠିକ୍‌ ସେହିପରି ଏକ ଶୃଙ୍ଖଳିତ ସାମାଜିକ, ସାଂସ୍କୃତିକ ଜୀବନଯାପନ ପାଇଁ ଅତ୍ୟଧିକ ରାଜନୈତିକ ଚର୍ଚ୍ଚାକୁ ପ୍ରତିହତ କରିବାର ଆବଶ୍ୟକତା ରହିଛି। କିନ୍ତୁ ଆମ ଗଣମାଧ୍ୟମ ଏହି ଅଯଥା କାମରେ ନିଜକୁ ନିୟୋଜିତ ରଖିଛି। ନିଜେ ବିଷୟବସ୍ତୁ ଚୟନ କରି ରାଜନେତାମାନଙ୍କୁ ଡାକି ଏକ ସାପ୍ତାହିକ ଚର୍ଚ୍ଚା ହିସାବରେ କାର୍ଯ୍ୟକ୍ରମ କଲେ ହୁଏତ ଲୋକେ ତଦ୍ଦ୍ବାରା ଉଦ୍‌ବୁଦ୍ଧ ହୁଅନ୍ତେ। କିନ୍ତୁ ତାହା ନ କରି ସେହିମାନେ ଯାହା ସବୁ ଦିନବେଳେ କହିଥାନ୍ତି ତାକୁ ଆଉଥରେ ଶୁଣିବା ପାଇଁ ସେମାନଙ୍କୁ ଆମନ୍ତ୍ରଣ କରାଯାଏ । ରାଜନୀତୀକରଣ କେଉଁଠି ପହଞ୍ଚିଛି ତାକୁ ଜାଣିବାକୁ ହେଲେ ଯେ କୌଣସି କଲେଜ ବା ଗାଁ ଛକ ଦୋକାନ ଆଡ଼େ ବୁଲିଆସିଲେ ଯଥେଷ୍ଟ। ପିଲାଏ ପାଠପଢ଼ା ଛାଡ଼ି ଏବଂ ଲୋକେ ଯେ ଯାହାର କାମଦାମ ଛାଡ଼ି ଏକ ତଥାକଥିତ ବିତର୍କର ପୋଷ୍ଟମର୍ଟମ୍‌ କରି କହି ଚାଲିଥାନ୍ତି, ”ଦେଖିଲ ତ ଆମ ଦଳର ମୁଖପାତ୍ର ତୁମ ଦଳର ନେତାକୁ କିପରି ପାନେ ଦେଲେ?“ ଅପର ପକ୍ଷ ଲୋକଟି କହୁଥିବ, ”ଆମ ନେତା ତୁମ ନେତାକୁ ଆଣି ଶେଷରେ କିମିତି ପାଳଗଦାରେ ଛିଡ଼ା କରେଇଲେ ମନେ ନାହିଁକି?“ ରାଜନୈତିକ ଯୁକ୍ତିତର୍କ ସାମାଜିକ ସଂହତିଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ଗାଁ ଗହଳରେ ଏକତା ନାହିଁ, କି ସହମତି ନାହିଁ। ତେଣୁ ନଳକୂପଟି ହେଉ ଅବା ବାତ୍ୟାଶ୍ରୟ, ଅବା ରାସ୍ତା ଖଣ୍ଡେ ଅବା ହାଇମାଷ୍ଟ ଲାଇଟ ପୋଷ୍ଟ, କେଉଁଠି ବସିବ ବା କେଉଁବାଟେ ଯିବ ସେ ନେଇ ଖଣ୍ଡପ୍ରଳୟ। ଓଡ଼ିଶାର ଏକ ସ୍ବାତନ୍ତ୍ର୍ୟ ଅଛି। ଏହା ଏକ କ୍ଷୁଦ୍ର ଭାରତ। ଏଠି ପ୍ରାଚୁର୍ଯ୍ୟ ଯେତିକି ଆହ୍ବାନ ସେତିକି। ତାରତମ୍ୟର ଅନ୍ୟନାମ ଓଡ଼ିଶା। ଜଳବାୟୁ, ମୃତ୍ତିକା ଗଠନ, ଭାଷା, ପ୍ରାକୃତିକ ସଂପଦ, ଦୈନନ୍ଦିନ ଚଳଣି, ପୋଷାକ, ଖାଦ୍ୟ, ନାଚ, ଗୀତ, ସଂସ୍କୃତିକୁ ନେଇ ଏତେ ବୈଷମ୍ୟ ଭାରତବର୍ଷର ଅନ୍ୟ ପ୍ରଦେଶରେ ଦେଖାଯାଏ ନାହିଁ। ସ୍ବାଧୀନତାର ୭୦ବର୍ଷ ପରେ ପ୍ରଗତିର ଏତେ ଡିଣ୍ଡିମ ପିଟା ଯାଉଥିବାବେଳେ ଓଡ଼ିଶାର କିଛି ଅଞ୍ଚଳରୁ ଜଣେ ଦୁଇଜଣ ଯୁବକ/ଯୁବତୀ ଏବେ ମାଟ୍ରିକ୍‌ ପାସ କଲେ। ଓଡ଼ିଶାର ବହୁ ଲୋକ ସମୁଦ୍ର ଦେଖି ନାହାନ୍ତି ତ ବହୁ ଲୋକ ପାହାଡ଼ ଦେଖିନାହାନ୍ତି। ଏପ୍ରକାର ବୈଷମ୍ୟଜନିତ ଆହ୍ବାନକୁ ମୁକାବିଲା କରି ଓଡ଼ିଶାକୁ କେମିତି ଆଗକୁ ନେବାକୁ ପଡ଼ିବ, ସର୍ବଭାରତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ମୁଣ୍ଡଟେକି କେମିତି ଠିଆହେବ ସେ ବିଷୟକୁ ପ୍ରାଧାନ୍ୟ ନ ଦେଇ ପରସ୍ପରର ଆକ୍ଷେପକୁ ରାତିଦିନ ଜପାମାଳି କରିବା କେତେଦୂର ଗ୍ରହଣୀୟ, ତାହା ବିଚାର୍ଯ୍ୟ।

ମୋ- ୯୪୩୭୩୭୬୨୧୯



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri