ଅବିଭାଜ୍ୟ ଭାରତ

ଡ. ବାଞ୍ଛାନିଧି ପଣ୍ଡା

କୌଣସି ରାଷ୍ଟ୍ରର ବିକାଶ ଓ ସୁରକ୍ଷାର ବଡ଼ ମନ୍ତ୍ର ହେଲା ‘ରାଷ୍ଟ୍ରୀୟ ଏକାତ୍ମତା’। ସମଗ୍ର ରାଷ୍ଟ୍ରବାସୀଙ୍କ ମନରେ ଏକତା ଓ ଅଭିନ୍ନତାର ଭାବନା ହିଁ ରାଷ୍ଟ୍ରୀୟ ଏକାତ୍ମତାର ଦ୍ୟୋତକ। ଭାରତବର୍ଷର ଏକାତ୍ମତା ବିଷୟରେ ବିଷ୍ଣୁପୁରାଣରେ ବର୍ଣ୍ଣିତ ଅଛି-”ଉତ୍ତରଂ ଯତ୍‌ ସମୁଦ୍ରସ୍ୟ ହିମାଦ୍ରେଶ୍ଚୈବ ଦକ୍ଷିଣମ୍‌। ବର୍ଷଂ ତତ୍‌ ଭାରତଂ ନାମ ଭାରତୀ ଯତ୍ର ସନ୍ତତିଃ।“ଅର୍ଥାତ୍‌ ସମୁଦ୍ରର ଉତ୍ତରକୁ ଏବଂ ହିମାଳୟର ଦକ୍ଷିଣକୁ ଥିବା ଏହି ଭୂଖଣ୍ଡର ନାମ ଭାରତବର୍ଷ ଏବଂ ଏଠାରେ ବାସ କରୁଥିବା ସମସ୍ତେ ଭାରତମାତାଙ୍କ ସନ୍ତାନ ରୂପେ ଭାରତୀୟ। ଭାରତୀୟ ଜନମାନସରେ ଭାରତବର୍ଷର ଏକାତ୍ମତାର ଭାବନା ପ୍ରତିଷ୍ଠିତ କରିବା ପାଇଁ ପ୍ରାଚୀନ କାଳରୁ ବହୁବିଧ ବ୍ୟବସ୍ଥା ପ୍ରଚଳିତ ଅଛି। ସ୍ନାନମନ୍ତ୍ରରେ ଆମେ ଉଚ୍ଚାରଣ କରୁଛୁ- ”ଗଙ୍ଗେ ଚ ଯମୁନେ ଚୈବ ଗୋଦାବରି ସରସ୍ବତି! ନର୍ମଦେ ସିନ୍ଧୁ କାବେରି ଜଳେସ୍ମିନ୍‌ ସନ୍ନିଧିଂ କୁରୁ।ା“ ଏଠାରେ ଭାରତବର୍ଷର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣରେ ଥିବା ନଦୀଗୁଡ଼ିକର ନାମ ସ୍ମରଣପୂର୍ବକ ସମଗ୍ର ଭାରତବର୍ଷକୁ ଆମେ ପ୍ରତିଦିନ ମନଶ୍ଚକ୍ଷୁରେ ଦର୍ଶନ କରୁଛୁ। ଏକାତ୍ମତା ସ୍ତୋତ୍ରରେ ପର୍ବତଗୁଡ଼ିକର ନାମ ପ୍ରତିଦିନ ଉଚ୍ଚାରଣ କରି ଆମେ ଗାଉଛୁ- ”ମହେନ୍ଦ୍ରୋ ମଳୟ ସହ୍ୟୋ ଦେବତାତ୍ମା ହିମାଳୟଃ। ଧ୍ୟେୟୋ ରୈବତକୋ ବିୋ ଗିରିଶ୍ଚାରାବଳିସ୍ତଥା।ା“ ଏହି ଶ୍ଳୋକରେ ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଥିବା ପର୍ବତଗୁଡିକର ନାମ ଉଚ୍ଚାରଣ କରି ଆମେ ଭାରତୀୟ ଏକାତ୍ମତାର ଭାବ ପ୍ରକଟ କରୁଛୁ। ପବିତ୍ର ନଗରଗୁଡ଼ିକର ନାମ ସମ୍ବଳିତ ଶ୍ଳୋକରେ ଉଲ୍ଲିଖିତ ଅଛି -”ଅଯୋଧ୍ୟା ମଥୁରା ମାୟା କାଶୀ କାଞ୍ଚି ଅବନ୍ତିକା। ବୈଶାଳୀ ଦ୍ୱାରିକା ଧ୍ୟେୟା ପୁରୀ ତକ୍ଷଶିଳା ଗୟା।ା“ ଭାରତବର୍ଷର ବିଭିନ୍ନ ଦିଗରେ ଥିବା ନଗରଗୁଡ଼ିକୁ ସ୍ମରଣ କରି ଆମେ ରାଷ୍ଟ୍ରୀୟ ଏକାତ୍ମତାର ଭାବନାକୁ ଜାଗ୍ରତ କରୁଛୁ। ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମହୀୟସୀ ମାତୃମଣ୍ଡଳୀ, ପରାକ୍ରମୀ ଶାସକ, ଶୌର୍ଯ୍ୟବନ୍ତ ବୀର, ସମାଜସଂସ୍କାରକ, କବି, ଚିତ୍ରକର, ସଙ୍ଗୀତଜ୍ଞ ଭାରତବର୍ଷକୁ ରୁଦ୍ଧିମନ୍ତ କରିଛନ୍ତି। ଏ ସମସ୍ତଙ୍କ ନାମ ପ୍ରତିଦିନ ଆମେ ଏକାତ୍ମତା ସ୍ତୋତ୍ରରେ ଉଚ୍ଚାରଣ କରି ଅଖଣ୍ଡ ଭାରତକୁ ସ୍ମରଣ କରୁଛୁ। ଆମର ଚତୁର୍ଦ୍ଧାମ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ବାଉନ ଶକ୍ତିପୀଠ ସମଗ୍ର ଭାରତବର୍ଷର ବିଭିନ୍ନ ଅଞ୍ଚଳରେ ଅବସ୍ଥିତ। ଏହି ସ୍ଥଳଗୁଡିକ ଆଞ୍ଚଳିକତା ଓ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ଉପାସ୍ୟ ହୋଇଥିବାରୁ ଏ ବ୍ୟବସ୍ଥା ରାଷ୍ଟ୍ରୀୟ ଏକାତ୍ମତା ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ। ସୁଦୂର ଉତ୍ତରରେ ଥିବା ନେପାଳର ପଶୁପତିନାଥଙ୍କ ମନ୍ଦିରରେ କେରଳର ନମ୍ବୁଦ୍ରୀ ବ୍ରାହ୍ମଣମାନଙ୍କ ପୂଜା କରିବାର ଅଧିକାର ଅଛି। ରାମେଶ୍ୱରମ୍‌ଠାରେ ଭାରତର ପ୍ରାୟ ସବୁ ପ୍ରମୁଖ ତୀର୍ଥସ୍ଥାନ ନାମରେ କୂଅ ଅଛି। ଚତୁର୍ଦ୍ଧାମର ଯାତ୍ରା ସମ୍ପୂର୍ଣ୍ଣ କରି ଏହିସବୁ କୂଅର ପାଣିରେ ସ୍ନାନ କରିବାର ବିଧି ଅଛି। ଦୀପାବଳି ଦିନ ଆନ୍ଧ୍ରର ତିରୁପତି ଭଗବାନଙ୍କଠାରୁ ମହାରାଷ୍ଟ୍ରର ଶୋଲାପୁରରେ ଥିବା ଦେବୀଙ୍କ ପାଖକୁ ଶାଢି ଯାଏ। ଏହି ସମସ୍ତ ଧାର୍ମିକ ବ୍ୟବସ୍ଥା ଭାରତୀୟମାନଙ୍କ ମନରେ ସମଗ୍ର ଭାରତବର୍ଷ ପ୍ରତି ଏକାତ୍ମତାର ଭାବନା ଜାଗ୍ରତ କରେ। ଭାରତବର୍ଷର ଅନେକ ସମ୍ପ୍ରଦାୟର ସନ୍ଥ ଆସି ଜଗନ୍ନାଥଙ୍କଠାରେ ନିଜ ଅଭୀଷ୍ଟ ଦେବତାଙ୍କ ରୂପ ଦର୍ଶନ କରିବା ଆମ ମନରେ ରାଷ୍ଟ୍ରୀୟ ଏକାତ୍ମତାକୁ ଉଜ୍ଜୀବିତ କରୁଛି। ଦକ୍ଷିଣଭାରତର ବୋଧାୟନ, ଆପସ୍ତମ୍ଭ, ଶଙ୍କରାଚାର୍ଯ୍ୟ, ମାଧ୍ୱାଚାର୍ଯ୍ୟ, ନିମ୍ବାର୍କାଚାର୍ଯ୍ୟ, ପୂର୍ବ ଭାରତର ଶଙ୍କରଦେବ, ଶ୍ରୀଚୈତନ୍ୟ, ପଶ୍ଚିମଭାରତର ସନ୍ଥ ତୁକାରାମ, ନାମଦେବ, ସନ୍ଥ ଜ୍ଞାନେଶ୍ୱର, ଉତ୍ତରଭାରତର ଅଗସ୍ତ୍ୟ ଆଦି ସନ୍ଥ ସମଗ୍ର ଭାରତବର୍ଷରେ ପୂଜିତ। ଭାରତର ବିଭିନ୍ନ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା କପିଳ, କଣାଦ, ଶୁଶ୍ରୁତ, ଚରକ, ଭାସ୍କରାଚାର୍ଯ୍ୟ, ବରାହମିହିର, ନାଗାର୍ଜୁନ, ଭରଦ୍ୱାଜ, ଆର୍ଯ୍ୟଭଟ୍ଟ ଆଦି ବୈଜ୍ଞାନିକ ଋଷିଗଣ ସମଗ୍ର ଭାରତବର୍ଷକୁ ପ୍ରାଚୀନ କାଳରୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏକ ଅଗ୍ରଗଣ୍ୟ ଦେଶ ଭାବେ ପ୍ରତିଷ୍ଠିତ କରିଛନ୍ତି। ରାଜା ରାମମୋହନ ରାୟ, ନାରାୟଣ ଗୁରୁ, ସ୍ବାମୀ ସହଜାନନ୍ଦ ସରସ୍ବତୀ, ସାହୁ ମହାରାଜ, ମହାତ୍ମା ଜ୍ୟୋତିବା ଫୁଲେ, ଡ. ଭୀମରାଓ ଆମ୍ବେଡକର ଆଦି ସମାଜସଂସ୍କାରକ ବିଭିନ୍ନ ଅଞ୍ଚଳରେ କାର୍ଯ୍ୟକରି ମଧ୍ୟ ଭାରତବର୍ଷରେ ସମାନ ଭାବରେ ବ୍ୟାପ୍ତ ସାମାଜିକ କୁରୀତି ବିରୋଧରେ ସଂଗ୍ରାମ କରିଥିଲେ। ଭାରତବର୍ଷର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମାନ୍ୟତାପ୍ରାପ୍ତ ଆଠଟି ଶାସ୍ତ୍ରୀୟ ନୃତ୍ୟ ଭାରତର ବିଭିନ୍ନ ଅଞ୍ଚଳରୁ ସୃଷ୍ଟ ହୋଇଥିଲେ ମଧ୍ୟ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହୋଇଛନ୍ତି। ଭାରତନାଟ୍ୟମ୍‌ ତାମିଲନାଡୁରେ, କଥକ ନୃତ୍ୟ ଉତ୍ତରପ୍ରଦେଶରେ, କଥାକଲି ନୃତ୍ୟ କେରଳରେ, କୁଚିପୁଡି ନୃତ୍ୟ ଆନ୍ଧ୍ରପ୍ରଦେଶରେ, ମଣିପୁରୀ ନୃତ୍ୟ ମଣିପୁରରେ, ଓଡିଶୀ ନୃତ୍ୟ ଓଡିଶାରେ, ସତ୍ରିଆ ନୃତ୍ୟ ଆସାମରେ ଏବଂ ମୋହିନୀୟାଟମ୍‌ ନୃତ୍ୟ କେରଳରେ ଜନ୍ମ ନେଇଥିଲେ ମଧ୍ୟ ସର୍ବଭାରତୀୟ ମାନ୍ୟତା ପ୍ରାପ୍ତ ହୋଇଛି। ସଙ୍ଗୀତ କ୍ଷେତ୍ରରେ ହିନ୍ଦୁସ୍ତାନୀ ଉତ୍ତରଭାରତରେ ଏବଂ କର୍ନାଟକୀ ଦକ୍ଷିଣଭାରତରେ ଆରମ୍ଭ ହୋଇଥିଲେ ମଧ୍ୟ ସମଗ୍ର ଭାରତରେ ଆଦୃତ ହୋଇଛି। ଭାରତବର୍ଷର ପ୍ରାୟ ସବୁ ଭାଷାରେ ରାମାୟଣ ଅନୂଦିତ ହୋଇ ଆଦରର ସହ ପଠିତ ହେଉଛି। ବିବେକାନନ୍ଦଙ୍କ ଭାଷାରେ କୌଣସି ଘଟଣାରେ ଯଦି ଏକ ଜନସମୂହର ହୃଦୟତନ୍ତ୍ରୀ ଏକ ସ୍ବରରେ ଝଙ୍କୃତ ହୁଏ ତେବେ ସେହି ଜନସମୂହ ରାଷ୍ଟ୍ରୀୟ ଏକାତ୍ମତାରେ ଗୁନ୍ଥା ହୋଇଛନ୍ତି। ଭାରତବର୍ଷରେ ଦେଖାଯାଇଛି ଯେ କୌଣସି ପୌରାଣିକ କିମ୍ବା ଐତିହାସିକ ଘଟଣା ଆକୁମାରୀ ହିମାଳୟ ଦୁଃଖ ଓ ସୁଖର ସମାନ ଆବେଗ ସୃଷ୍ଟି କରିଛି। ଭାରତବର୍ଷରେ ଅନେକ ଭାଷା ଥିଲେ ସୁଦ୍ଧା ସଂସ୍କୃତ ଗୀତ ‘ବନ୍ଦେ ମାତରମ୍‌’ ସ୍ବାଧୀନତା ସଂଗ୍ରାମରେ ସମଗ୍ର ଭାରତବାସୀଙ୍କୁ ଉଦ୍‌ବୁଦ୍ଧ କରିଥିଲା। ଏହା ରାଷ୍ଟ୍ରୀୟ ଏକାତ୍ମତାର ପରିଚୟ। ମହାତ୍ମା ଗାନ୍ଧୀ ‘ହିନ୍ଦ୍‌ ସ୍ବରାଜ୍ୟ’ ନବମ ଅଧ୍ୟାୟ ୫୬ ପୃଷ୍ଠାରେ ଲେଖିଛନ୍ତି ଇଂରେଜମାନେ ଅପପ୍ରଚାର କଲେ ଯେ ଆମେ ଏକ ରାଷ୍ଟ୍ର ନ ଥିଲୁ। ଏହି କଥା ଭିତ୍ତିହୀନ। ଇଂରେଜମାନେ ଭାରତକୁ ଆସିବା ପୂର୍ବରୁ ଆମେ ଏକ ରାଷ୍ଟ୍ର ଥିଲୁ। ସମାନ ଚିନ୍ତା ଓ ଚେତନା ଆମକୁ ପ୍ରେରିତ କରୁଥିଲା। ଆମ ଜୀବନଶୈଳୀ ଏକ ଥିଲା। ଭାରତବର୍ଷ ଏକ ରାଷ୍ଟ୍ର ଥିବା ଯୋଗୁ ଇଂରେଜମାନେ ଏଠାରେ ଏକ ସାମ୍ରାଜ୍ୟ ଗଢିବାକୁ ସକ୍ଷମ ହେଲେ। ପରବର୍ତ୍ତୀ ସମୟରେ ସେମାନେ ଆମକୁ ବହୁଧା ବିଭକ୍ତ କଲେ। ଆମ ପୂର୍ବପୁରୁଷମାନେ ପରସ୍ପରର ଭାଷା ବୁଝୁଥିଲେ। କେହି ନିଜକୁ ଏକା ଅନୁଭବ କରୁ ନ ଥିଲେ। ଆମର ବିଜ୍ଞ ପୂର୍ବପୁରୁଷମାନେ ଦକ୍ଷିଣରେ ସେତୁବନ୍ଧ, ପୂର୍ବରେ ଜଗନ୍ନାଥ ଓ ଉତ୍ତରରେ ହରିଦ୍ୱାରକୁ ତୀର୍ଥ ସ୍ଥାନ ଭାବରେ ଗଢିବାର ଉଦ୍ଦେଶ୍ୟ କ’ଣ ଥାଇପାରେ? ସେମାନେ ଜାଣିଥିଲେ ଯେ ପ୍ରକୃତି ହିଁ ଭାରତକୁ ଏକ ଅବିଭାଜ୍ୟ ରାଷ୍ଟ୍ର ଭାବରେ ଗଢିଛି। ଏହି ଯୁକ୍ତି ବଳରେ ସେମାନେ ଭାରତର ବିଭିନ୍ନ ସ୍ଥାନରେ ତୀର୍ଥସ୍ଥାନ ନିର୍ମାଣ କଲେ ଏବଂ ସମସ୍ତ ଅଧିବାସୀଙ୍କୁ ଏକ ରାଷ୍ଟ୍ରୀୟତା ଦ୍ୱାରା ଅନୁପ୍ରାଣିତ କରିଥିଲେ। ଧାର୍ମିକ ବିଧିବ୍ୟବସ୍ଥା, ପୂଜାପାର୍ବଣ, ଲୋକଙ୍କ ଜୀବନଶୈଳୀ, ସାଂସ୍କୃତିକ ମାନ୍ୟତାକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହୁଏ ଯେ ଭାରତବର୍ଷ ସ୍ବାଭାବିକ ଭାବରେ ଏକ ଅବିଭାଜ୍ୟ ଓ ଅଖଣ୍ଡ ରାଷ୍ଟ୍ର। ବାହ୍ୟ ସ୍ତରରେ କିଛି ଭିନ୍ନତା ପରିଲକ୍ଷିତ ହେଉଥିଲେ ମଧ୍ୟ ଏକ ରାଷ୍ଟ୍ରୀୟ ଅନ୍ତଃସ୍ରୋତ ସମସ୍ତଙ୍କୁ ଏକତାର ଭାବନାରେ ବାନ୍ଧି ରଖିଛି। ଏହି ଏକତାକୁ ପ୍ରତିହତ କରୁଥିବା ଯେ କୌଣସି କାର୍ଯ୍ୟରୁ ଆମେ ନିବୃତ୍ତ ରହିବା ଉଚିତ। ବିବିଧତା ମଧ୍ୟରେ ଏହି ଏକତାକୁ ବଜାୟ ରଖିବା ପାଇଁ କାୟିକ, ବାଚନିକ ଓ ମାନସିକ ସ୍ତରରେ ଆମେ ପ୍ରୟାସରତ ହେବା ଉଚିତ।

ପଦ୍ମପୁର, ବରଗଡ, ମୋ-୯୭୭୭୯୧୧୫୯୦



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri