ଶାକାହାରୀଙ୍କ ସମସ୍ୟା

ରୁଦ୍ର ପ୍ରସନ୍ନ ରଥ

ପ୍ରତିବର୍ଷ ବିଶ୍ୱରେ ନଭେମ୍ବର ୧ ତାରିଖକୁ ବିଶ୍ୱ ଶାକାହାରୀ ଦିବସଭାବେ ପାଳନ କରାଯାଏ। ଶାକାହାର ପ୍ରତି ସମର୍ଥନ ବଢାଇବା ସହ ଶାକାହାର ପାଇଁ ଅଧିକରୁ ଅଧିକ ଲୋକଙ୍କୁ ଆକର୍ଷିତ କରାଇବା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଏବେ ସମଗ୍ର ବିଶ୍ୱରେ ପ୍ରାୟ ୩୭.୫ କୋଟି ଲୋକ ସଂପୂର୍ଣ୍ଣରୂପେ ଶାକାହାରୀ ଥିଲାବେଳେ ଏମାନଙ୍କ ସଂଖ୍ୟା ଦ୍ରୁତଗତିରେ ବଢୁଛି। ଆମେରିକାରେ ତ ଏହି ସଂଖ୍ୟାରେ ଗତ କିଛିବର୍ଷ ମଧ୍ୟରେ ୫୦୦% ଯାଏ ବୃଦ୍ଧି ଘଟିଛି। ପୁଣି ଦିନକୁ ଦିନ ଅଧିକରୁ ଅଧିକ ସେଲିବ୍ରିଟି ଏହି ଅଭିଯାନ ସହ ଜଡିତ ହେଉଥିବାରୁ ଶାକାହାରର ଆଦର ଦିନକୁ ଦିନ ପୃଥିବୀରେ ବୃଦ୍ଧିପାଉଛି। ଇତିହାସରୁ ବର୍ତ୍ତମାନଯାଏ ପାଇଥାଗୋରାସ୍‌ଙ୍କଠାରୁ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପର୍ଯ୍ୟନ୍ତ ଶାକାହାରୀ ଭୋଜନର ବ୍ରାଣ୍ଡ ଆମ୍ବାସାଡରଙ୍କ ସଂଖ୍ୟା ବେଶ୍‌ ଅଧିକ। ସଭ୍ୟତାର ଆରମ୍ଭରୁ ଶାକାହାରୀ ହେବାର ପରମ୍ପରା ରହିଛି। ଖାସ୍‌ କରି ଭାରତୀୟ ପରମ୍ପରା, ଧର୍ମ ଏବଂ ସଂସ୍କୃତି ଇତ୍ୟାଦିରେ ନିରାମିଷାଶୀ ରହିବାକୁ ବେଶ୍‌ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏବେ ସମଗ୍ର ପୃଥିବୀରେ ଶାକାହାରୀଙ୍କ ସଂଖ୍ୟା ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇବା ପଛରେ ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମଟି ହେଉଛି ଖାଦ୍ୟ ଗବେଷଣା କ୍ଷେତ୍ରରେ ହୋଇଥିବା ଏକାଧିକ ଅଧ୍ୟୟନ ପ୍ରମାଣ କରିଛି ଯେ, ମାଂସାହାର କରୁଥିବା ଲୋକଙ୍କ ତୁଳନାରେ ଶାକାହାରୀମାନେ ଅଧିକ ସୁସ୍ଥ, ନୀରୋଗ ଏବଂ ଗୁଣାତ୍ମକ ଜୀବନ ଧାରଣ କରନ୍ତି। ଏହି ପ୍ରାମାଣିକ ତଥ୍ୟକୁ ନେଇ ଲୋକମାନେ ବେଶ୍‌ ଉତ୍ସାହିତ ହୋଇ ଶାକାହାରୀ ହେବାକୁ ଆଗ୍ରହ ଦେଖାଉଛନ୍ତି। ଦ୍ୱିତୀୟତଃ ଅଧିକରୁ ଅଧିକ ସେଲିବ୍ରିଟି ଶାକାହାରୀ ହେବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି ଏବଂ ସେମାନଙ୍କର ଅନୁଗାମୀମାନେ ଧୀରେ ଧୀରେ ଶାକାହାରୀ ହୋଇ ପଡୁଛନ୍ତି। ମାତ୍ର ଶାକାହାରୀ ହେବା ପାଇଁ ଯେପରି ପ୍ରୋତ୍ସାହନ ଦିଆଯାଉଛି ସେହି ତୁଳନାରେ ସେମାନଙ୍କ ପାଇଁ ବିଶ୍ୱର ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ହୋଟେଲ ଆଦି ନିଜକୁ ପ୍ରସ୍ତୁତ କରୁଥିବା ପରି ମନେହେଉନାହିଁ। ଶାକାହାରୀମାନଙ୍କ ସଂଖ୍ୟା କମ୍‌ ହୋଇଥିବାରୁ ସେମାନଙ୍କ ପାଇଁ ଯେ ହୋଟେଲ ଆଦିରେ ସ୍ବତନ୍ତ୍ର ସୁବିଧା ଦରକାର, ତାହା ଯେ କେହି ବି ସ୍ବୀକାର କରିବ। ମାତ୍ର ସେମାନଙ୍କ ସଂଖ୍ୟା ଏବଂ ଆବଶ୍ୟକତାକୁ ଚାହିଁ ସେପରି ସୁବିଧା ହୋଟେଲମାନଙ୍କରେ ପ୍ରାୟତଃ ଦେଖାଯାଉନାହିଁ। ସେଇଥିପାଇଁ ଶାକାହାରୀମାନେ ଖାଦ୍ୟ ଖାଇବା ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେହି ଚୁଡ଼ା, ଗୁଡ଼, ଛତୁଆ, ବିସ୍କୁଟ୍‌, କଦଳୀରେ କାମ ଚଳାଇଦେଉଛନ୍ତି ତ କେହି ନିକଟରେ ଥିବା ମନ୍ଦିରକୁ ଯାଇ ପ୍ରସାଦ ସେବନ କରୁଛନ୍ତି। ଅନେକ ହୋଟେଲରେ ଶାକାହାରୀମାନେ ନିଜ ପସନ୍ଦ ମୁତାବକ ଖାଦ୍ୟ ପାଆନ୍ତି ନାହିଁ। ଦୂରଯାତ୍ରାରେ ଯାଉଥିବା ଲୋକ ଖାଇବା ପାଇଁ ଢାବା ଇତ୍ୟାଦି ଉପରେ ଭରସା କରୁଥିବା ବେଳେ ଏଠାରେ ପରଷା ଯାଉଥିବା ଖାଦ୍ୟ ଯେ ସଂପୂର୍ଣ୍ଣ ରୂପେ ନିରାମିଷାଶୀ ତାହାକୁ ନେଇ ଶାକାହାରୀ ଜଣକ ସବୁବେଳେ ସନ୍ଦେହରେ ଥାଏ। ଶାକାହାରୀଙ୍କ ପାଇଁ ଅନ୍ୟଏକ ସମସ୍ୟା ହେଉଛି ଯେ ସେମାନଙ୍କ ଖାଦ୍ୟର ଦାମ୍‌ ଏବଂ ବିବିଧତା। ଅନେକ ଜାଗାରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ମିଳି ନ ଥାଏ, ପୁଣି ଅନେକ ଜାଗାରେ ଖାଦ୍ୟରେ ବିବିଧତା ମଧ୍ୟ ନ ଥାଏ। ଛତୁ କିମ୍ବା ପନୀରକୁ ନେଇ ଗୋଟିଏ ଦିଟା ଖାଦ୍ୟ, ଚିପ୍ସ ଏବଂ ମିଶାମିଶି ତରକାରୀ ଥାଏ। ପିଆଜ, ରସୁଣ, କ୍ଷୀର, ଛେନା, ମହୁ (ପ୍ରାଣିଜ ଖାଦ୍ୟ ହେତୁ) ପ୍ରଭୃତିକୁ ଯେଉଁମାନେ ଆମିଷ ବୋଲି ଗ୍ରହଣ କରନ୍ତି ସେମାନଙ୍କ ଅବସ୍ଥା ଅଧିକ ଶୋଚନୀୟ। ନିରାମିଷାଶୀମାନେ ଅନେକ ସମୟରେ ଫଳ ଏବଂ ତଟକା ପରିବା ଉପରେ ନିର୍ଭର କରି ଚଳନ୍ତି। ମାତ୍ର ଏବେ ଚାଷରେ ରାସାୟନିକ ସାର ଏବଂ କୀଟନାଶକର ବ୍ୟବହାର ଏତେ ବଢିଚାଲିଛି ଯେ ଏହାଦ୍ୱାରା ଶାକାହାରୀମାନଙ୍କର ମଧ୍ୟ ଅନେକ ରୋଗ ହେବାର ଆଶଙ୍କା ରହିଛି। ଶାକାହାର ଏବେ କେବଳ ଗୋଟିଏ ସ୍ଲୋଗାନ ହୋଇ ରହିନାହିଁ ବରଂ ଧୀରେ ଧୀରେ ଏହା ଆମ ସମସ୍ତଙ୍କ ଜୀବନର ଏକ ଅଂଶବିଶେଷ ହୋଇ ଚାଲିଛି। ଅଧିକରୁ ଅଧିକ ଲୋକ ନିରାମିଷାଶୀ ହେବା ସହ ସାରା ଜୀବନ ନିରାମିଷାଶୀ ରହିବାକୁ ନିଜ ଜୀବନର ବ୍ରତ ବୋଲି ଗ୍ରହଣ କରି ସାରିଲେଣି। ଏପରି କ୍ଷେତ୍ରରେ ଶାକାହାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ। ଶାକାହାରୀମାନଙ୍କୁ କମ୍‌ ଖର୍ଚ୍ଚରେ କିପରି ଉନ୍ନତ ଗୁଣଯୁକ୍ତ ଖାଦ୍ୟ ମିଳିପାରିବ ତାହା ନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ। ଏପରି କି କେବଳ ଶାକାହାର ପ୍ରସ୍ତୁତ କରୁଥିବା ହୋଟେଲମାନଙ୍କୁ ଯଦି ସରକାର ସ୍ବତନ୍ତ୍ର ରିହାତି ଏବଂ ପ୍ରୋତ୍ସାହନ ଦିଅନ୍ତେ ତେବେ ଶାକାହାରୀମାନେ ଏହି ସମସ୍ୟାରୁ ଅନେକ ମାତ୍ରାରେ ରକ୍ଷା ପାଇପାରନ୍ତେ।

(ବିଶ୍ୱ ଶାକାହାରୀ ଦିବସ ଉପଲକ୍ଷେ)

ମୋ-୯୮୫୩୨୦୬୧୬୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri