ସମ୍ପାଦକୀୟ/ଭୂତ ଭଳି ଡରାଇବ

ନଭେମ୍ବର ୮, ୨୦୧୭ରେ ବିମୁଦ୍ରୀକରଣକୁ ବର୍ଷେ ପୂରିବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଅଚଳ କରାଇ ଦିଆଯାଇଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ଗୁଡ଼ିର ଯାଞ୍ଚ୍‌ କାର୍ଯ୍ୟ ଅଦ୍ୟାବଧି ଶେଷ ହୋଇ ନ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଆଧାରରେ ମଗାଯାଇଥିବା ପ୍ରଶ୍ନର ଉତ୍ତରରେ ସର୍ବୋଚ୍ଚ ବ୍ୟାଙ୍କ କହିଛି ଯେ, ସେପ୍ଟେମ୍ବର ୩୦, ୨୦୧୭ ସୁଦ୍ଧା ୧୦.୯୧ ଲକ୍ଷ କୋଟି ଟଙ୍କାର ଅଚଳ ନୋଟ୍‌ର ଯାଞ୍ଚ୍‌ ପ୍ର୍ରକ୍ରିୟା ଶେଷ ହୋଇଛି। ଉଲ୍ଲେଖଯୋଗ୍ୟ, ଆର୍‌ବିଆଇ ୨୦୧୬-୧୭ ବାର୍ଷିକ ରିପୋର୍ଟରେ କହିଥିଲା ଯେ ବଜାରରୁ ଅଚଳ ୧୫.୨୮ ଲକ୍ଷ କୋଟି ଟଙ୍କା (୯୯%) ବ୍ୟାଙ୍କକୁ ଫେରିଆସିଛି। ଦେଖିବାକୁ ଗଲେ ବିମୁଦ୍ରୀକରଣ ପରେ ଜନସାଧାରଣଙ୍କୁ ସେମାନଙ୍କ ଅଚଳ ନୋଟ୍‌ ଜମା ଓ ବଦଳ ପାଇଁ ମାତ୍ର ୫୦ ଦିନ ସମୟ ଦିଆଯାଇଥିଲା। ହେଲେ ଆର୍‌ବିଆଇ ଅଦ୍ୟାବଧି କହୁଛି, ନୋଟ୍‌ ଯାଞ୍ଚ୍‌ ପ୍ରକ୍ରିୟା ସରିନାହିଁ। ବ୍ୟାଙ୍କଗୁଡ଼ିକ ବିଡ଼ା କରି ନୋଟ୍‌ଗୁଡ଼ିକୁ ଆର୍‌ବିଆଇ ନିକଟକୁ ପଠାଇଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଯାଞ୍ଚରେ କାହିଁକି ବିଳମ୍ବ ଘଟୁଛି ବୁଝିହେଉ ନାହିଁ। ପୂର୍ବରୁ ଆର୍‌ବିଆଇ ସୂଚନା ଦେଇଥିଲା ଯେ ନୋଟ୍‌ ଗଣତି ପାଇଁ କୌଣସି ମେଶିନ୍‌ ବ୍ୟବହାର ହୋଇନାହିଁ। ଅକ୍ଟୋବର ୨୯ରେ କହିଛି ଯେ ନୋଟ୍‌ ଯାଞ୍ଚ୍‌ ପାଇଁ ୬୬ଟି ସୋଫେଷ୍ଟିକେଟେଡ୍‌ କରେନ୍ସି ଭେରିଫିକେଶନ ଆଣ୍ଡ୍‌ ପ୍ରୋସେସିଂ (ସିଭିପିଏସ୍‌) ମେଶିନ୍‌ ଲାଗିଛି। ତେଣୁ ଆର୍‌ବିଆଇ ବିଭିନ୍ନ ସମୟରେ ଦେଉଥିବା ତଥ୍ୟ ଅସତ୍ୟ ବୋଲି ମନେହେଉଛି। ଏଥିରୁ ଏହା ମଧ୍ୟ ଚିନ୍ତା କରାଯାଇପାରେ ଯେ ବିମୁଦ୍ରୀକରଣ ପ୍ରାରମ୍ଭରେ ସାଧାରଣ ନାଗରିକ ବିଶେଷକରି ଗରିବ ଓ ଚାକିରିଆ ଖୁସିରେ ଏହାକୁ ସ୍ବାଗତ କରିଥିଲେ। ସେମାନଙ୍କ ଧାରଣା ସୃଷ୍ଟି ହୋଇଥିଲା ଯେ ମୋଦିଙ୍କ ଶକ୍ତିଶାଳୀ ପଦକ୍ଷେପ ଦେଶରୁ କଳାଟଙ୍କା ହଟେଇ ଦେବା ସହିତ ଧନୀଙ୍କୁ ତଳିତଳାନ୍ତ କରିଦେବ। ଆସନ୍ତା ନଭେମ୍ବର ୮କୁ ବିମୁଦ୍ରୀକରଣ ବର୍ଷେ ପୂରିବାକୁ ଯାଉଥିବା ବେଳେ ଏହି ସମୟ ମଧ୍ୟରେ ନା ଯେ କେବଳ ଆର୍‌ବିଆଇ ନୋଟ୍‌ ଗଣତି କରୁଛି ତାହା ନୁହେଁ, ସାଧାରଣ ନାଗରିକର ଚିନ୍ତା ମଧ୍ୟ ସେହିଭଳି ବୃଦ୍ଧି ପାଉଛି। ଧାଡ଼ିରେ ଛିଡ଼ା ହୋଇ ମରିଥିବା ଲୋକ ମୁଖ୍ୟତଃ ଗରିବ ଥିଲେ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ତାଲା ପଡ଼ିଯିବା ଫଳରେ ସେହି ଗରିବଙ୍କ ଦାନାପାଣି ମାଡ଼ ଖାଉଛି। ଚାକିରିଆ ବୁଝିବାକୁ ଆରମ୍ଭ କଲେଣି ଯେ ମାଲିକ ଓ କମ୍ପାନୀ କ୍ଷତିଗ୍ରସ୍ତ ହେଲେ ନିଜର ଚାକିରି ଉପରେ ଆଞ୍ଚ୍‌ ଆସିବ। ଏହାବ୍ୟତୀତ ଭାରତରେ ଦୀର୍ଘ ସମୟ ଧରି ଯେଉଁ ପ୍ରକାରର ଉନ୍ନତି ପାଇଁ ଚେଷ୍ଟା ହୋଇ ଆସୁଥିଲା, ତାହାର ଏକ ପ୍ରକାର ପ୍ରତିଫଳନ ପୂର୍ବରୁ ବିମୁଦ୍ରୀକରଣ କରିଦିଆଗଲା। ଏହାଦ୍ୱାରା କୌଣସି ଧନୀର କିଛି କ୍ଷତି ଘଟି ନ ଥିଲେ ମଧ୍ୟ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ବୃଦ୍ଧି ହାର ହ୍ରାସ ପାଇବାରେ ଲାଗିଛି। ଏବେ ଶୁଣିବାକୁ ମିଳୁଛି, ଆସନ୍ତା ନଭେମ୍ବରରେ ପ୍ରକାଶ ପାଇବାକୁ ଥିବା ଜିଡିପି ସମ୍ପର୍କିତ ରିପୋର୍ଟକୁ ବଦଳାଇବା ପାଇଁ ସରକାରୀ ସ୍ତରରେ ବିପୁଳ ଉଦ୍ୟମ ଆରମ୍ଭ ହୋଇଗଲାଣି। ଲିଖିତ ସଂଖ୍ୟାରେ ପରିବର୍ତ୍ତନ କରାଇଦେବା କଷ୍ଟକର ନୁହେଁ। ବାସ୍ତବ ଜୀବନରେ ବଞ୍ଚିବାର ସମସ୍ୟାକୁ ବୁଝିପାରୁ ନ ଥିବା ଆଜିର ନେତୃତ୍ୱ ସେଠାରେ ନାଗରିକର ଜୀବିକାରେ କୌଣସି ସଂଖ୍ୟା ବଦଳାଇପାରିବ ନାହିଁ। ଆର୍‌ବିଆଇ ତା’ ଲାଭକ୍ଷତିର ବାର୍ଷିକ ବିବରଣୀ ଦେଇଥାଏ। କିନ୍ତୁ ଏ ଦେଶର ନାଗରିକ କେବେହେଲେ ଜାଣିପାରେ ନାହିଁ ଯେ ସମଗ୍ର ଭାରତବର୍ଷର ଆୟବ୍ୟୟ (ବାଲାନ୍ସଶିଟ୍‌) କାହିଁକି ସାର୍ବଜନୀନ କରାଯାଉନାହିଁ। ଆମ ସରକାର ଆମଠାରୁ ସବୁ କ୍ଷେତ୍ରରେ ଟିକସ ଆଦାୟ କରୁଛନ୍ତି। ଏହାବ୍ୟତୀତ ଅନେକ ସେସ୍‌ ମଧ୍ୟ ଲାଗୁ କରାଯାଉଛି। ଏହାଦ୍ୱାରା ବିପୁଳ ପରିମାଣର ରାଜସ୍ବ ଆୟ କରାଯାଉଥିବା ବେଳେ ପ୍ରତିରକ୍ଷାଠାରୁ ପିଇବା ପାଣି ପର୍ଯ୍ୟନ୍ତ ଭାରତୀୟ ନାଗରିକ ପାଇଁ କୌଣସିଠାରେ ସୁରକ୍ଷା ମିଳୁନାହିଁ। ଅନେକ ରାଜନୈତିକ ଭାଷଣ ଦିଆଯାଇପାରେ। ସବୁଦଳ ଭଳି ସବୁ ନେତା ଅସ୍ଥାୟୀ। କିନ୍ତୁ ଯେଉଁ କେତେ ଜଣଙ୍କର ଅନୁଚିତ କାର୍ଯ୍ୟ ଯୋଗୁ ଦେଶର ବ୍ୟବସ୍ଥାରେ କ୍ଷତି ଘଟୁଛି, ତାହା ଦୀର୍ଘ କାଳ ପର୍ଯ୍ୟନ୍ତ ଭୂତ ଭଳି ଆମକୁ ଡରାଉଥିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri