ବନ୍ୟପ୍ରାଣୀ ସୁରକ୍ଷା ଓ ପ୍ରକାଶ ଆମ୍‌ତେ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

କିଛିଦିନ ତଳେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜଙ୍ଗଲ ବିଭାଗ ତଥା ବିଭିନ୍ନ ବେସରକାରୀ ସଂସ୍ଥା ତରଫରୁ ସଚେତନତା ସଭା ଆୟୋଜିତ ହୋଇଛି। ଗୁଣୀ ଜ୍ଞାନୀ, ବିଭିନ୍ନ ପଦାଧିକାରୀ ଓ ମନ୍ତ୍ରୀ ବନ୍ୟଜନ୍ତୁ ସୁରକ୍ଷା ଉପରେ ଉଦ୍‌ବୋଧନ ଦେଇଛନ୍ତି। ମାତ୍ର ଏହି ସୁରକ୍ଷା କାର୍ଯ୍ୟକ୍ରମ କେବଳ ସଭାସମିତି ଆୟୋଜନରେ ସୀମିତ ହୋଇ ରହିଛି। ମହାତ୍ମା ଗାନ୍ଧୀଙ୍କ ମତରେ ପଶୁମାନଙ୍କ ପ୍ରତି ବ୍ୟବହାର ପ୍ରଦର୍ଶନରୁ ଗୋଟିଏ ଜାତିର ମହାନତା ଓ ତା’ର ନୈତିକ ପ୍ରଗତି ଜାଣିହୁଏ। ଜର୍ମାନ ଦାର୍ଶନିକ ଆର୍ଥର ସୋପେନହର କହିଛନ୍ତି, ପଶୁମାନଙ୍କ ପ୍ରତି ଦୟା ମଣିଷ ଚରିତ୍ରର ସଦ୍‌ଗୁଣ ସହ ସମ୍ପୃକ୍ତ ଓ ଜୋର ଦେଇ କୁହାଯାଇପାରେ ଯେ, ଯିଏ ପଶୁମାନଙ୍କ ପ୍ରତି ନିର୍ଦ୍ଦୟ ସେ କେବେ ଜଣେ ଭଲ ମଣିଷ ହୋଇପାରେ ନାହିଁ। ବନ୍ୟଜନ୍ତୁ ସୁରକ୍ଷା ପ୍ରସଙ୍ଗରେ ମନେପଡନ୍ତି ମହାରାଷ୍ଟ୍ରର ବାବାସାହେବ ଆମ୍‌ତେଙ୍କ ପୁତ୍ର ଡକ୍ଟର ପ୍ରକାଶ ଆମ୍‌ତେ ଓ ତାଙ୍କ ପତ୍ନୀ ଡ. ମନ୍ଦାକିନୀ ଆମ୍‌ତେ। ଡ. ପ୍ରକାଶ ଆମ୍‌ତେ ତାଙ୍କ ନିଜ ଘର ଅଗଣାରେ ନିର୍ମାଣ କରିଛନ୍ତି ଏକ ବନ୍ୟପ୍ରାଣୀ ଆଶ୍ରୟସ୍ଥଳ। ମହାରାଷ୍ଟ୍ରର ହେମାଲକାଶା ଅଞ୍ଚଳରେ ଡ. ପ୍ରକାଶ ଓ ତାଙ୍କ ପତ୍ନୀ ମନ୍ଦାକିନୀ ବନବାସୀ ଓ ପଶୁସମ୍ପଦର ରକ୍ଷା ନିମିତ୍ତ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଗୋଟିଏ ସମ୍ବେଦନଶୀଳ ଘଟଣା ପ୍ରକାଶ ଆମ୍‌ତେଙ୍କ ଜୀବନଧାରାକୁ ପରିବର୍ତ୍ତନ କରିଦେଇଥିଲା। ଗତ ସତୁରି ଦଶକରେ ଏହି ଦମ୍ପତି ଗଡ଼ଚିରୋଳି ଅରଣ୍ୟରେ ଯାଉଥିବା ବେଳେ ଗୋଟିଏ ମାଙ୍କଡ ଶିକାର କରି ଫେରୁଥିବା ମିଡିଆଗଣ୍ଡ ନାମକ ଏକ ଜନଜାତି ସମ୍ପ୍ରଦାୟକୁ ଭେଟିଲେ। ସେମାନେ ଦେଖିଲେ ଗୋଟିଏ ଛୁଆମାଙ୍କଡ ତା’ର ମୃତା ମା’ମାଙ୍କଡର ସ୍ତନ୍ୟପାନ କରିବା ପାଇଁ ଚେଷ୍ଟା କରୁଛି। ସେ ଜାଣେ ନାହିଁ ତା’ର ମା’ ମୃତ। ଏହି ହୃଦୟବିଦାରକ ଦୃଶ୍ୟ ଡ. ପ୍ରକାଶଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ସେ ଶିକାର କରିଥିବା ଜନଜାତିର ଲୋକଙ୍କୁ ପଚାରିଲେ ତୁମେ ଏହି ମୃତ ମାଙ୍କଡକୁ ନେଇ କ’ଣ କରିବ? ସେମାନେ କହିଲେ, ଆମେ ଏହାର ମାଂସ ଖାଇବୁ। ଡ. ପ୍ରକାଶ ପୁଣି ପଚାରିଲେ, ଏହି ଛୁଆମାଙ୍କଡକୁ ନେଇ କ’ଣ କରିବ? ସେମାନଙ୍କ ଉତ୍ତର ଥିଲା, ତାକୁ ମଧ୍ୟ ଖାଇବୁ। ଡ. ପ୍ରକାଶଙ୍କ ଦୟା ହେଲା ସେହି ଛୁଆମାଙ୍କଡ଼ ପ୍ରତି। ସେ ଚିନ୍ତା କଲେ ଅନ୍ତତଃ ଶିଶୁ ବନ୍ୟପ୍ରାଣୀମାନଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିବେ। ସେ କିଛି ଖାଦ୍ୟ ଓ ବସ୍ତ୍ର ବଦଳରେ ସେହି ଛୁଆମାଙ୍କଡଟିକୁ ତାଙ୍କୁ ଦେବା ପାଇଁ ସେମାନଙ୍କୁ ଅନୁରୋଧ କଲେ। ଅନିଚ୍ଛାପୂର୍ବକ ସେମାନେ ମାଙ୍କଡଟିକୁ ଡ. ପ୍ରକାଶଙ୍କୁ ହସ୍ତାନ୍ତର କଲେ। ସେହିଦିନଠାରୁ ଛୁଆମାଙ୍କଡଟି ବବଲି ନାମରେ ପ୍ରକାଶ ଆମ୍‌ତେଙ୍କ ପରିବାରର ଏକ ସଦସ୍ୟ ପାଲଟିଗଲା। ପରବର୍ତ୍ତୀ ସମୟରେ ଡ. ପ୍ରକାଶ ସେହି ମଡିଆଗଣ୍ଡ ଜନଜାତି ସହିତ ଗୋଟିଏ ବୁଝାମଣା କଲେ। ତାହା ହେଲା ଖାଦ୍ୟ ଓ ବସ୍ତ୍ର ବିନିମୟରେ ସେମାନେ ପିତୃମାତୃହୀନ ଓ କ୍ଷତାକ୍ତ ପଶୁମାନଙ୍କୁ ନ ମାରି ଡ. ପ୍ରକାଶଙ୍କୁ ହସ୍ତାନ୍ତର କରିବେ। ଏହି ବୁଝାମଣା ଅନୁସାରେ କ୍ରମେ ଶହ ଶହ ବନ୍ୟପଶୁ ପ୍ରକାଶଙ୍କ ବନ୍ୟପ୍ରାଣୀ ଆଶ୍ରୟସ୍ଥଳରେ ସ୍ଥାନ ପାଇଲେ। ଏବେ ସେଠାରେ ଅଛନ୍ତି ଚିତାବାଘ, ବିଲୁଆ, ଭାଲୁ, ସାପ, କୁମ୍ଭୀର, ହରିଣ ଆଦି ବିଭିନ୍ନ ପ୍ରକାର ଜୀବଜନ୍ତୁ। ଡ. ଆମ୍‌ତେ ଏହି ବନ୍ୟପ୍ରାଣୀମାନଙ୍କ ସହ ବନ୍ଧୁ ଭଳି ଜୀବନଯାପନ କରନ୍ତି। ମଣିଷଙ୍କ ସହ ବନ୍ୟପ୍ରାଣୀ ସ୍ନେହ ଡୋରିରେ ବାନ୍ଧି ହୋଇ ଅହିଂସ୍ର ପାଲଟିଯିବା ଏହି ଆଶ୍ରୟସ୍ଥଳର ଏକ ଚମତ୍କାର। ହିଂସ୍ର ପ୍ରାଣୀମାନଙ୍କୁ ଜନବସତି ନିକଟରେ ଖୋଲା ଅଗଣାରେ ରଖାଯାଇଥିଲା। ପ୍ରତିବାଦ ହେବାରୁ ପରବର୍ତ୍ତୀ ସମୟରେ ସେମାନଙ୍କୁ ପିଞ୍ଜରାରେ ରଖାଯାଇଛି। ତାଙ୍କ ପୁତ୍ର ଅନିକେତ ଓ ନାତି ଅର୍ଣ୍ଣବ ମଧ୍ୟ ଏହି ହିଂସ୍ର ପ୍ରାଣୀଙ୍କ ସହ ନିର୍ଭୟରେ ଖେଳୁଥିବାର ଦୃଶ୍ୟ ସମସ୍ତଙ୍କୁ ଚମତ୍କୃତ କରେ। ଦିନ ଥିଲା ଏହି ବନ୍ୟପ୍ରାଣୀ ଆଶ୍ରୟସ୍ଥଳରେ ତିନିଶହ ଜୀବଜନ୍ତୁ ଥିଲେ। ମାତ୍ର ଜନଜାତିର ଜୀବନଶୈଳୀ ପରିବର୍ତ୍ତନ ହେବାରୁ ସେମାନଙ୍କ ଶିକାର ସଂଖ୍ୟା କମିଗଲା ଓ କ୍ଷତାକ୍ତ ମାତୃପିତୃହୀନ ବନ୍ୟପ୍ରାଣୀ ବେଶି ସଂଖ୍ୟାରେ ସଂଗୃହୀତ ହୋଇପାରିଲେ ନାହିଁ। ଏବେ ଏମାନଙ୍କ ସଂଖ୍ୟା ୯୦। ସେତେବେଳେ ହେମାଲକାଶା ଅଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ନ ଥିଲା କି ଭଲ ରାସ୍ତା ବି ନ ଥିଲା। ଏହି ମଡିଆଗଣ୍ଡ ଜନଜାତି ସେଠାରେ ଦାରିଦ୍ର୍ୟର ସୀମାରେଖା ତଳେ ରହୁଥିଲେ। ଖାଦ୍ୟ ପାଇଁ ସେମାନେ ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ସେମାନଙ୍କୁ କୃଷିବିଦ୍ୟା ଜଣା ନ ଥିଲା। ସେମାନେ ଥିଲେ ସ୍ବାସ୍ଥ୍ୟସେବାର ବହୁ ଦୂରରେ। ଅନେକ ଲୋକ ଅପପୁଷ୍ଟିର ଶିକାର ହୋଇ ଅକାଳ ମୃତ୍ୟୁବରଣ କରୁଥିଲେ। ଡ. ଆମ୍‌ତେ ଓ ତାଙ୍କ ପତ୍ନୀ ମନ୍ଦାକିନୀ ଆଜି ଏହି ଜନଜାତି ପାଇଁ ଦେବଦୂତ ସାଜିଛନ୍ତି। ଏମାନେ ସେଠାରେ ଏକ ହସ୍ପିଟାଲ ପ୍ରତିଷ୍ଠା କରି ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଏହାସଙ୍ଗେ ଏକ ଗଛ ତଳେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେମାନେ ପ୍ରତିଷ୍ଠା କରିଛନ୍ତି ଏକ ସ୍କୁଲ। ସେଠି ଏବେ ୪୦୦ ଛାତ୍ରୀଛାତ୍ର ଅଧ୍ୟୟନରତ। ଏହି ଜନଜାତିର ଲୋକେ ଏବେ କୃଷିବିଦ୍ୟା ଶିଖିଲେଣି ଓ ବନ୍ୟପ୍ରାଣୀ ଶିକାର କମିଲାଣି। ଡ. ପ୍ରକାଶ ଓ ଡ. ମନ୍ଦାକିନୀଙ୍କ ପୁତ୍ର, ପୁତ୍ରବଧୂ ଓ ନାତିନାତୁଣୀ ମଧ୍ୟ ଏବେ ସମାଜସେବାରେ ବ୍ରତୀ। ସମାଜସେବା ଏହି ପରିବାରର ଏକ ସଂସ୍କାର ଭାବେ ପ୍ରତିପାଦିତ ହୋଇ ଅନ୍ୟମାନଙ୍କ ପାଇଁ ଏକ ନିଦର୍ଶନ ହୋଇଛି। ଉଭୟ ପତିପତ୍ନୀ ହେଉଛନ୍ତି ଡାକ୍ତର। ମାତ୍ର ସେମାନେ ସେମାନଙ୍କର ଡାକ୍ତରୀ ବିଦ୍ୟାକୁ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବହାର ନ କରି ସମାଜସେବାରେ ନିୟୋଜିତ କରିଛନ୍ତି। ଆଜିର ଅର୍ଥଲୋଭୀ ଡାକ୍ତରମାନଙ୍କ ପାଇଁ ଏମାନେ ପ୍ରେରଣାର ଉତ୍ସ। ମହାରାଷ୍ଟ୍ରର ଡ. ପ୍ରକାଶ ଆମ୍‌ତେ ବନ୍ୟପ୍ରାଣୀ ସୁରକ୍ଷା ଓ ଜନଜାତିଙ୍କ ସେବା କାର୍ଯ୍ୟରେ ନିଜକୁ ସମର୍ପିତ କରିଥିବାବେଳେ ଆମେ ନିଜକୁ ସଭ୍ୟ ବୋଲି ଦାବିକରି ବି ଜିଭର ଲାଳସା ମେଣ୍ଟାଇବା ପାଇଁ ପ୍ରତ୍ୟହ ଅସଂଖ୍ୟ ପଶୁପକ୍ଷୀ ହତ୍ୟା କରୁଛୁ। ପରିବେଶବିତ୍‌ମାନଙ୍କ ମତରେ ପ୍ରତିଦିନ ପୃଥିବୀପୃଷ୍ଠରୁ ପାଞ୍ଚପ୍ରକାର ପଶୁ, ପକ୍ଷୀ ଓ ପତଙ୍ଗ ନିଶ୍ଚିହ୍ନ ହେଉଛନ୍ତି। ଏବେ ଶବ ଖାଇବା ପାଇଁ ଶାଗୁଣା ନାହାନ୍ତି। ମାତ୍ର ଛାଲ ଉତାରି କଣ୍ଟାରେ ଲଟକା ହୋଇଥିବା ଶବ ଚାରିପଟେ ମଣିଷଙ୍କ ଭିଡ ବଢୁଛି। ଭାରତୀୟ ସଂସ୍କୃତିରେ ବାଘ, ସିଂହ, ବୃଷଭ, ମୟୂର, ମୂଷା, ପେଚା ଆଦି ଅନେକ ବନ୍ୟପ୍ରାଣୀ ବିଭିନ୍ନ ଦେବଦେବୀଙ୍କ ବାହନ ରୂପେ ପୂଜା ପାଉଛନ୍ତି। ଶିବଙ୍କୁ ପଶୁପତି ବୋଲି କୁହାଯାଇଛି। ମତ୍ସ୍ୟ, କଚ୍ଛପ ଓ ବରାହ ଭଗବାନଙ୍କ ଅବତାର ଭାବେ ସ୍ବୀକୃତ ହୋଇଛନ୍ତି। ମାତ୍ର ତଥାକଥିତ ସଭ୍ୟ ମଣିଷକୁ ମାଂସ ନ ହେଲେ ଭାତ ରୁଚେ ନାହିଁ। ସେମାନେ ଭୁଲିଯାନ୍ତି ଯେ ଏହି ବନ୍ୟପ୍ରାଣୀମାନେ ମଧ୍ୟ ଭଗବାନଙ୍କ ସୃଷ୍ଟି। ଏ ପୃଥିବୀରେ ସେମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି। ଏଣୁ ବେଦ ପଶୁରକ୍ଷା ଓ ପଶୁପାଳନ ପାଇଁ ମଣିଷକୁ ପରାମର୍ଶ ଦେଇଛନ୍ତି- ଅଭୟଂ ନଃ ପଶୁଭ୍ୟଃ (ଯଜୁଃ ୩୬, ୨୨) ଅର୍ଥାତ୍‌ ଆମ୍ଭମାନଙ୍କ ପଶୁ ଅଭୟ ରହନ୍ତୁ। ଊର୍ଜଂ ନୋ ଧେହି ଦ୍ୱିପଦେ ଚତୁଷ୍ପଦେ (ଯଜୁଃ ୨୧, ୩୮) ଅର୍ଥାତ୍‌ ଦ୍ୱିପଦ ଓ ଚତୁଷ୍ପଦ ବଳପ୍ରାପ୍ତ ହୁଅନ୍ତୁ। ମା ହିଂସୀସ୍ତନ୍ବା ପ୍ରଜା (ଯଜୁଃ ୧୨, ୩୨) ଅର୍ଥାତ୍‌ କୌଣସି ଜୀବର ଦେହ ପ୍ରତି ହିଂସା କରନାହିଁ। ଅନ୍ତକାୟଂ ଗୋଘାତକଂ (ଯଜୁଃ ୩୦, ୧୮) ଅର୍ଥାତ୍‌ ଗୋଘାତକକୁ ପ୍ରାଣଦଣ୍ଡ ଦିଅ। ପଶୂନ୍‌ ମେ ପାହ୍ୟଥର୍ଜ ମେ ପାହି (ଯଜୁଃ ୩୩୭) ଅର୍ଥାତ୍‌ ତୁମେ ସକଳ ପଶୁସମ୍ପଦର ରକ୍ଷା କର। ବେଦର ଏଭଳି ପରାମର୍ଶ ସତ୍ତ୍ୱେ ପଶୁସମ୍ପଦର ସୁରକ୍ଷା ସମ୍ଭବ ହୋଇପାରୁ ନାହିଁ। ଜଗନ୍ନାଥ ଦାସ ଶ୍ରୀମଦ୍‌ଭାଗବତ୍‌ରେ କହିଛନ୍ତି- ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତର, ଏ ସର୍ବ କୃଷ୍ଣଙ୍କ ଶରୀର। ଏହା ସତ୍ତ୍ୱେ ମଣିଷ ଜୀବଜନ୍ତୁଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରି ଚାଲିଥିବା ଓ ବର୍ଷକୁ ଥରେ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ କରୁଥିବା ଏକ ବିଡମ୍ବନାର ବିଷୟ। କାର୍ତ୍ତିକ ପୂର୍ଣ୍ଣିମା ବାସି କେତେ ନିରୀହ ପ୍ରାଣୀଙ୍କ ଜୀବନ ଯିବ ତା’ର ଠିକଣା ନାହିଁ। ଅଧ୍ୟକ୍ଷ, ଡିଏଭି ସ୍ବୟଂଶାସିତ କଲେଜ, ଟିଟିଲାଗଡ,

ମୋ-୯୪୩୭୩୨୯୨୬୩



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri