ଚନ୍ଦ୍ରପୃଷ୍ଠର ଗାତୁଆ ମଣିଷ

ଡ. ପ୍ରମୋଦ କୁମାର ମହାପାତ୍ର

ଏକବିଂଶ ଶତାବ୍ଦୀରେ ଚନ୍ଦ୍ର ଆମ ନିକଟରେ ଆଉ ଏବେ ‘ଜହ୍ନମାମୁ’ ହୋଇ ରହିନାହିଁ। ଚନ୍ଦ୍ର ଆମଠାରୁ ୪ଲକ୍ଷ କିଲୋମିଟର ଦୂରତାରେ ଥିବାବେଳେ ପ୍ରକୃତରେ ଏହାର ପୃଷ୍ଠଦେଶ କଳା କିନ୍ତୁ ସୂର୍ଯ୍ୟାଲୋକର ପ୍ରତିଫଳନ ତଥା ଆମ ଚକ୍ଷୁର ଏହା ପୃଷ୍ଠର ଆଲୋକକୁ ଗ୍ରହଣ କରିବା ପଦ୍ଧତି ପାଇଁ ଏହା ଆମକୁ ସଫା ଆଲୋକିତ ପିଣ୍ଡଟିଏ ଭଳି ଦେଖାଯାଏ। ୪୮ବର୍ଷ ତଳେ ନିଲ୍‌ ଆର୍ମଷ୍ଟ୍ରଙ୍ଗଙ୍କ ପାଦ ଚନ୍ଦ୍ରପୃଷ୍ଠରେ ପଡିବା ପରେ ଚନ୍ଦ୍ର ସମ୍ପର୍କରେ ପୃଥିତ୍ବୀର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ରହିଆସିଥିବା ଭିନ୍ନ ଭିନ୍ନ ଧାରଣାର ଅବସାନ ଘଟିଛି। ଏବେ ପୃଥିବୀର ଅଧିକାଂଶ ଲୋକ ଏପରି କି ସ୍କୁଲ ପିଲାଏ ମଧ୍ୟ ଚନ୍ଦ୍ର ଜଳ, ବାୟୁ, ଜୀବନ ନ ଥିବା ଏକ ପରିତ୍ୟକ୍ତ ଅଞ୍ଚଳ ଭଳି ନୀରବ, ଶୁଷ୍କ ମହାକାଶ ପିଣ୍ଡ ବୋଲି ଜାଣିଛନ୍ତି। କେବଳ ନିଲ୍‌ ଆର୍ମଷ୍ଟ୍ରଙ୍ଗ ନୁହନ୍ତି ବର୍ତ୍ତମାନ ସୁଦ୍ଧା ପୃଥିବୀର ୧୨ଜଣ ମଣିଷ ଚନ୍ଦ୍ରପୃଷ୍ଠରେ ଭିନ୍ନ ଭିନ୍ନ ସମୟରେ ପାଦ ଦେଇ ସାରିଛନ୍ତି ଓ ଏମାନେ ସମସ୍ତେ ଚନ୍ଦ୍ରପୃଷ୍ଠରେ ମୋଟ ଯେତେ ସମୟ ବିତାଇଛନ୍ତି ତାହା ହେଉଛି ପୃଥିବୀର ଦୁଇଦିନରୁ ସାମାନ୍ୟ କମ୍‌। ତେବେ ଚନ୍ଦ୍ରକୁ ନେଇ ପୃଥିବୀବାସୀଙ୍କ ମଧ୍ୟରେ କାହିଁ କେଉଁ କାଳରୁ ଅନେକ କଳ୍ପନା ଜଳ୍ପନା ଚଳିଆସିଛି। ଚନ୍ଦ୍ରରେ ମଣିଷ ପାଦ ଦେବା ପରେ ଏହା ପୃଷ୍ଠରେ ମଣିଷର ବସତି ସ୍ଥାପନ ପାଇଁ ଅନେକ ବୈଜ୍ଞାନିକଙ୍କ ଘୋଷଣା ସାଧାରଣ ଲୋକଙ୍କୁ କୌତୂହଳୀ କରିଛି। ଚନ୍ଦ୍ର ଆମର ସବୁଠାରୁ ନିକଟରେ ଥିବାରୁ ଏଠାକୁ ଯାତ୍ରା ସହଜ, ସ୍ବଳ୍ପ ସମୟସାପେକ୍ଷ ତଥା ଅନ୍ୟ ଗ୍ରହାନ୍ତର ଯାତ୍ରା ଅପେକ୍ଷା ନିରାପଦ। ସେଥିପାଇଁ ଚନ୍ଦ୍ରକୁ ସମସ୍ତେ ପ୍ରାଧାନ୍ୟ ଦେବା ଏକ ସାଧାରଣ କଥା। ଅତୀତରେ ଚନ୍ଦ୍ରରେ ଘରକରି ମାନବର ବସତି ପାଇଁ ସୁଯୋଗ ସୃଷ୍ଟି କରିବାକୁ ଯେଉଁ ଦେଶଗୁଡ଼ିକ ଘୋଷଣା କରିଛନ୍ତି ସେମାନେ ହେଲେ ଆମେରିକା, ଜାପାନ ଓ ୟୁରୋପ। ୧୯୯୪ମସିହାରେ ୟୁରୋପୀୟ ସଂଘ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଗୃହନିର୍ମାଣ ୨୦୨୦ ମସିହା ମଧ୍ୟରେ ରୋବଟ ସହାୟତାରେ କରାଯିବାକୁ ସଂସ୍ଥାର ନିର୍ଦ୍ଦେଶକ ରୋଜର ବୋନେଟ ଯେଉଁ ଘୋଷଣା କରିଥିଲେ ତାହା ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳପ୍ରଦ ହେବା ଭଳି ଜଣାପଡୁନାହିଁ। କାରଣ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଆମେରିକା ୨୦୨୫ ମଧ୍ୟରେ ଓ ଜାପାନ ୨୦୨୪ ମଧ୍ୟରେ ଚନ୍ଦ୍ରରେ ଗୃହନିର୍ମାଣ ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ କେତେକ ବେସରକାରୀ ସଂସ୍ଥାକୁ କାର୍ଯ୍ୟରେ ଲଗାଯିବ ବୋଲି ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ତେବେ ନିକଟରେ ଜାପାନ ପକ୍ଷରୁ ପ୍ରେରିତ ସେରିନ ମହାକାଶଯାନ ଚନ୍ଦ୍ରରେ ଏକ ସୁଡଙ୍ଗ ଠାବ କରିବା ପରେ ସେଠାରେ ଜାପାନ ଖୁବ୍‌ଶୀଘ୍ର ମଣିଷର ବସତିକ୍ଷେତ୍ର ତଥା ଗବେଷଣା କେନ୍ଦ୍ର ସ୍ଥାପନ କରିବ ବୋଲି ଘୋଷଣା କରିବା ଉଲ୍ଲେଖଯୋଗ୍ୟ। ଚନ୍ଦ୍ରରେ ଯଦି ବି ଭବିଷ୍ୟତରେ ମଣିଷ ବସତି ପାଇଁ ଗୃହନିର୍ମାଣ କରେ ତେବେ ଏହା ହୁଏତ ଚନ୍ଦ୍ରର ପୃଷ୍ଠଦେଶରେ ହେବନାହିଁ, ଏହା ପୃଷ୍ଠରେ ଥିବା ଅନେକ ଗହ୍ବର ଭିତରେ ହିଁ ହେବ। ଅତୀତରେ ଲାଭା ଉଦ୍‌ଗିରଣରୁ ହେଉ ବା ବୃହତ୍‌ ଉଲ୍‌କାପାତ ଇତ୍ୟାଦି ଯୋଗୁଁ ଚନ୍ଦ୍ରପୃଷ୍ଠରେ ଅନେକ ବୃହତ୍‌ ଗର୍ତ୍ତ ରହିଛି। ଏହିସବୁ ଗର୍ତ୍ତ ହିଁ ମଣିଷର ବସତି ପାଇଁ ଉତ୍କୃଷ୍ଟ କ୍ଷେତ୍ର, କାରଣ ଚନ୍ଦ୍ରର ପୃଷ୍ଠଦେଶରେ ମଣିଷ ବସତି ସ୍ଥାପନ ପ୍ରମୁଖତଃ ୩ଟି କାରଣ ପାଇଁ ବିପଦପୂର୍ଣ୍ଣ। ପ୍ରଥମତଃ ଏହାର ତାପମାତ୍ରା, ଯାହା ଦିନରେ ୧୨୦ଡିଗ୍ରୀ ଓ ରାତ୍ରିରେ ବିଯୁକ୍ତ ୧୮୦ଡିଗ୍ରୀ ସେଲସିୟସରେ ପହଞ୍ଚତ୍ଥାଏ। ଦ୍ୱିତୀୟରେ ଏଠାରେ ଚାଲିଥିବା ଘନ ଘନ ଗ୍ରହାଣୁ ମାଡ଼। ତୃତୀୟତଃ କ୍ଷତିକାରକ ବିକିରଣ ତଥା କମ୍‌ ମାଧ୍ୟାକର୍ଷଣ ଶକ୍ତି ଇତ୍ୟାଦି। ଇତିମଧ୍ୟରେ ଚନ୍ଦ୍ରର ଦକ୍ଷିଣମେରୁ ନିକଟରେ ୩ଟି ଗର୍ତ୍ତ ଠାବ କରାଯାଇଛି। ଏଥିମଧ୍ୟରୁ ଗୋଟିଏ ଗାତ ହେଉଛି ସାକେଲଟନ ଗହ୍ବର। ଏହାର ଲମ୍ବ ଅଧ କିଲୋମିଟରରୁ ଅଧିକ। ଚନ୍ଦ୍ରର ମାରିୟସ ହିଲ ଅଞ୍ଚଳରେ ୬୫ ମିଟର ବ୍ୟାସର ଅନ୍ୟ ଏକ ଗାତ ମଧ୍ୟ ଠାବ କରାଯାଇଛି। ଆମ ଦେଶର ଅହମଦାବାଦ ସ୍ପେଶ୍‌ ସେଣ୍ଟରର ବୈଜ୍ଞାନିକମାନେ ମଧ୍ୟ ଚନ୍ଦ୍ରର ଓସିଆନସ ପ୍ରୋସିଲାରମ୍‌ ଅଞ୍ଚଳରେ ୧.୭କିଲୋମିଟର ଲମ୍ବାର ଏକ ଗାତ ଠାବ କରିଛନ୍ତି, ଯାହାର ମୁଖର ବ୍ୟାସ ୧୨୦ମିଟର ଓ ପ୍ରସ୍ଥ ୩୬୦ମିଟର। ଛାତର ମୋଟା ପ୍ରାୟ ୪୦ ମିଟର, ଗଭୀର ୮୦ ମିଟର। ଜାପାନୀ ବୈଜ୍ଞାନିକମାନେ ନିକଟରେ ଅନ୍ୟ ଏକ ମାନବ ବାସୋପଯୋଗୀ ଗାତ ଠାବ କରିଛନ୍ତି। ଚନ୍ଦ୍ରପୃଷ୍ଠରେ ମଣିଷ ପାଇଁ ତାପମାତ୍ରା ଦିନରେ ସର୍ବାଧିକ ଓ ରାତିରେ ସର୍ବନିମ୍ନ ସ୍ତରରେ ରହୁଥିବାବେଳେ ଗାତ ଭିତରେ ତାପମାତ୍ରାକୁ ବିଯୁକ୍ତ ୨୦ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ନିୟନ୍ତ୍ରିତ କରାଯାଇପାରିବ। ତେବେ ମଣିଷ ଯଦି ବା କେବେ ଚନ୍ଦ୍ରରେ ବସତି ସ୍ଥାପନ କରେ ସେ ଗାତ ଭିତରେ ପୃଥିବୀପୃଷ୍ଠର ଗାତୁଆ ମୂଷା ଭଳି ସ୍ବତନ୍ତ୍ର ପୋଷାକ ପିନ୍ଧି ହିଁ ରହିବ। ପଦାକୁ ବାହାରିବା ବେଳେ ତା’ ଦେହରେ ସ୍ବତନ୍ତ୍ର ପୋଷାକ ରହିବ। ପୃଥିବୀ ଭଳି ସ୍ବାଧୀନତା ସେଠାରେ କାହିଁ? ଶୂନ୍ୟ ମାଧ୍ୟାକର୍ଷଣରେ ମହାକାଶଯାତ୍ରା ମଧ୍ୟ ଆମ ଶରୀର ପାଇଁ ଉପଯୋଗୀ ନୁହେଁ। ଏହାର ପ୍ରଭାବରେ ଆମ ହାଡରୁ କ୍ୟାଲସିୟମ୍‌ କ୍ଷୟ ହୋଇ ହାଡ ପାମ୍ପରା ହୋଇଥାଏ। ମୋଟ ଉପରେ ପୃଥିବୀର ସ୍ଥିତି ଓ ପରିବେଶ ହିଁ ଆମ ପାଇଁ ସର୍ବାଧିକ ଉପଯୋଗୀ ବସତି ସ୍ଥାନ। ହୁଏତ ଗବେଷଣା ପାଇଁ ଚନ୍ଦ୍ର ବା ଅନ୍ୟ ଗ୍ରହରେ ସାମୟିକ ବସତି ସ୍ଥାପନ ମଣିଷର ସ୍ବପ୍ନ ହୋଇପାରେ, ମାତ୍ର ପୃଥିବୀଭଳି ସୁବିଧା, ସୁଯୋଗ, ଆମୋଦପ୍ରମୋଦ ଏଠାରେ ମିଳିବା ସମ୍ଭବ ନୁହେଁ।

ମୋ- ୯୮୬୧୨୪୯୨୦୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri