କୁନ୍ଦୁଲି ଅନ୍ୟାୟ

କୋରାପୁଟ ଜିଲା କୁନ୍ଦୁଲିରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବଳାତ୍କାରକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଅଦ୍ୟାବଧି ଧରାଯାଇପାରି ନାହିଁ। ପୋଲିସ ବଳାତ୍କାରୀଙ୍କୁ ଧରିବା ବଦଳରେ ପୀଡ଼ିତା ଓ ତାଙ୍କ ପରିବାର ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଏହା ରାଜ୍ୟ ପୋଲିସ ବାହିନୀର ଅପାରଗତା ଓ ଅସମ୍ବେଦନଶୀଳତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅକ୍ଟୋବର ୧୦ରେ ନବମ ଶ୍ରେଣୀ ଛାତ୍ରୀ ଜଣଙ୍କ ସ୍କୁଲରୁ ଫେରୁଥିବା ବେଳେ ୪ ଯବାନଙ୍କ ବଳାତ୍କାରର ଶିକାର ହୋଇଥିବା ସେ ପ୍ରକାଶ କରିଥିଲେ। ଘଟଣା ରାଜ୍ୟବ୍ୟାପୀ ଚହଳ ପକାଇବାରୁ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ପୋଲିସ ମୁଖିଆ ଗଣମାଧ୍ୟମରେ ବିବୃତି ଦେଇଥିଲେ। ହେଲେ ଏତେ ସମୟ ବିତିଯିବା ପରେ ମଧ୍ୟ ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି। ଇତିମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) କୋରାପୁଟ ଓ ମାଲକାନଗିରି ଯାଇ ମାଓବାଦୀ ମୁକାବିଲା ଲାଗି ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦେଇ ଫେରିଛନ୍ତି। କୁନ୍ଦୁଲି ଗସ୍ତ ନ କରି କେବଳ କୋରାପୁଟ ପୋଲିସ କାର୍ଯ୍ୟାଳୟରେ ସେହି ପ୍ରସଙ୍ଗରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରଦେଇ ସେ କହିଥିଲେ ଯେ ଘଟଣାର ତଦନ୍ତ ଚାଲିଛି ଓ ଏହା ଖୁବ୍‌ ଶୀଘ୍ର ସରିବ। ଉଲ୍ଲେଖଯୋଗ୍ୟ ଯେ, ମାଓବାଦୀଙ୍କ ପ୍ରାଦୁର୍ଭାବ ରାଜ୍ୟର ବିଭିନ୍ନ ସ୍ଥାନରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ଯଦିଓ ମାଓବାଦୀଙ୍କ ପାଖରେ ଅର୍ଥ ଓ ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ, ତଥାପି ସେମାନେ ପୂର୍ବବତ୍‌ ସ୍ଥାନୀୟ ଲୋକଙ୍କ ସମର୍ଥନ ପାଉନାହାନ୍ତି। ଫଳରେ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ତେବେ କୁନ୍ଦୁଲି ପରି ଏକ ଜଘନ୍ୟ ଅପରାଧର ତଦନ୍ତକୁ ଯେତିକି ଗୁରୁତ୍ୱ ଦେବା କଥା ତାହା ଦିଆଯାଉନାହିଁ। ପ୍ରସଙ୍ଗକୁ ଏଡ଼ାଇବା ପାଇଁ ମାଓବାଦୀ ମୁକାବିଲାର ବାହାନା କେଉଁଥିପାଇଁ ପୋଲିସ ନେଇଛି ତାହା ସହଜରେ ବୁଝାପଡ଼ିଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ସହ ଜନଜୀବନର ସୁରକ୍ଷା କରିବା ହେଉଛି ପୋଲିସର ମୌଳିକ କର୍ତ୍ତବ୍ୟ, ଯାହାର ଘୋର ବ୍ୟତିକ୍ରମ ବିଭିନ୍ନ ଘଟଣାରୁ ଦେଖାଯାଉଛି। ପୋଲିସ ଚାହିଁଲେ ଅଭିଯୁକ୍ତଙ୍କୁ ଧରିବା କଷ୍ଟକର ହୁଅନ୍ତା ନାହିଁ। ଘଟଣା ସହ ଯବାନଙ୍କ ସମ୍ପୃକ୍ତି ରହିଛି ବୋଲି ପୀଡ଼ିତା ବାରମ୍ବାର କହୁଥିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟେଷ୍ଟ ଆଇଡେଣ୍ଟିଫିକେଶନ (ଟିଆଇ) ପରେଡ୍‌ କରାଯାଇପାରନ୍ତା। କିନ୍ତୁ ପୀଡ଼ିତାଙ୍କ ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଚିହ୍ନଟ ପ୍ରକ୍ରିୟାକୁ ଜାଣିଶୁଣି ଏଡ଼ାଇ ଦିଆଯାଉଥିବା ସବୁ ମହଲରେ ଆଲୋଚନା ହେଉଛି। ସମ୍ଭବତଃ ଅଭିଯୁକ୍ତମାନେ ସୁରକ୍ଷା ବାହିନୀର ନ ହୋଇ ଅନ୍ୟ କେହି ହୋଇଥିଲେ ସେମାନଙ୍କୁ ଚିହ୍ନଟ କରାଯାଇସାରନ୍ତାଣି। ଅନୁନ୍ନତ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଦ୍ୟୁତ୍‌, ପାନୀୟଜଳ ଆଦି ମୌଳିକ ସୁବିଧାରୁ ଜନସାଧାରଣ ବଞ୍ଚିତ ହୋଇଚାଲିଛନ୍ତି। ଅନେକସ୍ଥଳେ ସମ୍ପୃକ୍ତ ଇଲାକାରେ ବିକାଶର ଧାରାରେ ମାଓବାଦୀମାନେ ପ୍ରତିବନ୍ଧକ ସାଜୁଛନ୍ତି। ପ୍ରଶାସନ, ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସେଠାରେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କଲେ ଆଦିବାସୀଙ୍କ ଉନ୍ନତି ଘଟିପାରନ୍ତା। ହେଲେ ଦେଖିବାକୁ ମିଳୁଛି ଯେ ପୋଲିସ ଜନସାଧାରଣଙ୍କ ସାମାଜିକ ଜୀବନ ସହ ମିଶିପାରୁ ନାହିଁ। ବରଂ ଦମନଲୀଳା ଚଳାଉଥିବାରୁ ଏହି ବଳକୁ ଲୋକେ ଶତ୍ରୁ ଦୃଷ୍ଟିରେ ଦେଖୁଛନ୍ତି। ଏଠି ପ୍ରଶ୍ନ ହୋଇପାରେ ଯେ ଓଡ଼ିଶାର ଅନେକ ଅଞ୍ଚଳରେ ମାଓବାଦୀ ମୁଣ୍ଡ ଟେକିବା ପଛରେ କାରଣ କ’ଣ? ତୃଣମୂଳସ୍ତରର ବାସ୍ତବ ପରିସ୍ଥିତିକୁ ଦେଖିବା ପାଇଁ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି। ଉନ୍ନତିମୂଳକ କାର୍ଯ୍ୟକ୍ରମଗୁଡ଼ିକରେ ଅତ୍ୟଧିକ ମାତ୍ରାର ଦୁର୍ନୀତି ସହିତ ଓଡ଼ିଶା ପୋଲିସର ଦମନ ଆଭିମୁଖ୍ୟ ଯୋଗୁ ମାଓବାଦୀଙ୍କୁ ସମର୍ଥନ କରିବା ପାଇଁ ସେହିସବୁ ଅଞ୍ଚଳରେ ଗ୍ରାମବାସୀ ଆଗ୍ରହ ପ୍ରକାଶ କରୁଛନ୍ତି। ସମାନ ପ୍ରକାରର ପରିସ୍ଥିତି କଶ୍ମୀରରେ ମଧ୍ୟ ଦେଖିବାକୁ ମିଳୁଛି। ଉଗ୍ରପନ୍ଥୀଙ୍କୁ ଦମନ କରିବା ପାଇଁ ଅନେକ ଦଶନ୍ଧି ଧରି ଚେଷ୍ଟା କରିଆସୁଥିବା ଭାରତୀୟ ସେନା ଏବେ ତାହାର ବିଫଳତା ସ୍ବୀକାର କରିବାକୁ ଆରମ୍ଭ କଲାଣି। ସେଥିପାଇଁ, ବାଧ୍ୟ ହୋଇ, ମୋଦି ସରକାର ଏବେ ଗୋଇନ୍ଦା ସଂସ୍ଥାର ଜଣେ ପୂର୍ବତନ ମୁଖ୍ୟଙ୍କୁ ଇଣ୍ଟରଲୋକ୍ୟୁଟର ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ଓଡ଼ିଶା ପୋଲିସ ମଧ୍ୟ, ତାହାର ଅପାରଗତା ଏବଂ ନେତୃତ୍ୱ ଅଭାବ ଯୋଗୁ ଗ୍ରାମାଞ୍ଚଳରେ ଅନିୟମିତତା ଘଟାଇବା ସହିତ ନ୍ୟାୟ ଦେବା ପାଇଁ ଚେଷ୍ଟା କରୁନାହିଁ। କେବଳ ହେଲିକପ୍ଟର ଯୋଗେ କୋରାପୁଟ ଯାଇ ହାତଗଣତି ଅଫିସରଙ୍କ ସହିତ ଆଲୋଚନା କଲେ ମାଓବାଦୀ ସମସ୍ୟାର ସମାଧାନ ହେବ ନାହିଁ। କନିଷ୍ଠ ପୋଲିସ କର୍ମଚାରୀଙ୍କୁ ଭେଟି, ବାରମ୍ବାର ଭେଟି, ଲୋକାଭିମୁଖୀ କରାଯାଇପାରୁଥିବା ନେତୃତ୍ୱ ଓଡ଼ିଶା ପୋଲିସ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri