ଘରେ ମହାରାଣୀ, ଜିମ୍‌ରେ ମୂଲିଆଣୀ

ଡକ୍ଟର ନିଖିଳାନନ୍ଦ ପାଣିଗ୍ରାହୀ

ଟୁନି ! ତୁ ଏତେ ବେଳଯାଏ ଘରକୁ ଯାଇନୁ ? ଆଜି ତୋର ଦୁଇଘଣ୍ଟା ଡେରି ହେଲାଣି...“ ସୁଧାଂଶୁ (ଘରର ମାଲିକ) ପଚାରିଲେ। ଟୁନି ହେଉଛି ଘରର ସାମୟିକ ଚାକରାଣୀ। ସେ ମାଲିକ ଘରେ ରହେନାହିଁ। ତା’ର ଘରକାମ ସାରି ଚାଲିଯାଏ ନିଜ ବସାକୁ। ବାବୁ! ଆଜି କାମ ବହୁତ। ଘରର ଚଟାଣ ସର୍ଫ ପାଣି ପକାଇ ପୋଛାପୋଛି କଲି। ଝରକା-କବାଟ, ଆଲମାରି କୋଣ, ଚେୟାର, ଟେବୁଲ ସବୁ ଜିନିଷପତ୍ରରୁ ଧୂଳି ଝାଡିଲି। ଯେତେସବୁ ଅଳନ୍ଧୁ ଥିଲା ଝାଡ଼ିଲି। ଆହୁରି କାମ ସରିନାହିଁ... ରନ୍ଧା ଘରକୁ ଯାଇନାହିଁ। ମାଛ କାଟିବି। ବଟା ସୋରିଷଦିଆ ବେସର, ପିଠଉ-ଭଜା ... ଏମିତି ଛଅଟା ଆଇଟମ୍‌ ପାଇଁ ମା’ ବରାଦ ଦେଇଯାଇଛନ୍ତି...। ମହାରାଣୀ କାହିଁ ଘରେ ଦିଶୁନାହାନ୍ତି? ସୁଧାଂଶୁ ପତ୍ନୀ (ରମ୍ଭା) ଉପରେ ରାଗିଗଲେ ଏମିତି ‘ମହାରାଣୀ’ ବୋଲି ତାଚ୍ଛଲ୍ୟ କରି ସମ୍ବୋଧନ କରନ୍ତି। ସୁଧାଂଶୁ ଭଲଭାବେ ଜାଣନ୍ତି ଯେ, ତାଙ୍କ ପତ୍ନୀ ପ୍ରତିଦିନ ସେତେବେଳକୁ ଘରେ ତାଲା ପକାଇ ଘଣ୍ଟେ ଦୁଇ ଘଣ୍ଟା ଜିମ୍‌କୁ ଯାଆନ୍ତି ନିୟମିତ ଭାବେ ବ୍ୟାୟାମ କରିବାକୁ। ଏଥିପାଇଁ ସୁଧାଂଶୁଙ୍କୁ ମାସିକ ଅନ୍ତତଃ ତିନି ହଜାର ଟଙ୍କା ଫିସ୍‌ ବାବଦରେ ଗଣିବାକୁ ପଡେ। ପୁଣି ଦଳେ ମାଇପି ସେଠାରେ ବସି କେତେ ସମୟ ଗପସପରେ ସମୟ କଟାଇଥାନ୍ତି। ଅବଶ୍ୟ ଡେରିହେଲେ ସ୍ବାମୀଙ୍କ ବିଶେଷ ଅସୁବିଧା ହୋଇ ନ ଥାଏ। ଡୁପ୍ଲିକେଟ୍‌ ଚାବି ପତିଦେବଙ୍କ ପକେଟ୍‌ରେ ରଖିବାକୁ କେବେ ଭୁଲନ୍ତି ନାହିଁ। ବାବୁ ଅଫିସରୁ ବିରତି ସମୟରେ ଘରେ ଯେତେବେଳେ ମଧ୍ୟାହ୍ନରେ ପହଞ୍ଚନ୍ତି, ରୋଷେଇଶାଳରୁ ଭାତ, ଡାଲି, ତରକାରି ଇତ୍ୟାଦି ନିଜେ ବାଢି ଖାଇଥାନ୍ତି। ନିଜ ମର୍ଯ୍ୟାଦାହାନି ହେବ ବୋଲି ଘୃଣାରେ ଘରେ କୁଟାଟିଏ ଦି’ଖଣ୍ଡ କରି ନ ଥାନ୍ତି। କହନ୍ତି ଏହା ଚାକରାଣୀର କାମ। ଖରା ହେଉ, ବର୍ଷା ହେଉ, ଥଣ୍ଡା ପଡୁ କିମ୍ବା ଝାଞ୍ଜି ପବନ ବୋହୁଥାଉ, ରମ୍ଭା ଦୈନିକ ଜିମ୍‌ରେ ହାଜର ହେବାରେ କୌଣସି ବ୍ୟତିକ୍ରମ କରି ନ ଥାନ୍ତି। ସୁଧାଂଶୁ ରାଗରେ ଗରଗର ହୋଇଥାନ୍ତି ପତ୍ନୀଙ୍କ ଉପରେ। ରମ୍ଭା ଘରର କୌଣସି କାମ ନ କରିବାରୁ ଚାକରାଣୀକୁ ତା’ର ଦାବି ମୁତାବକ କେବଳ ଯଥେଷ୍ଟ ପଇସାପତ୍ର ଦେଇ ନ ଥାନ୍ତି, ତାକୁ ଶାଢି, ସ୍ନୋ, ପାଉଡର, ପୁଣି ବେଳେବେଳେ ଯିବାଆସିବା ଯାନବାହନ ଖର୍ଚ୍ଚ ମଧ୍ୟ ଗଣିଥାନ୍ତି। ଏପଟେ ରମ୍ଭାଙ୍କ ଜିମ୍‌ ଦେୟ କେଉଁ ମାସରେ କେତେ ହୁଏ, ତାହା ଜାଣିବା ସହଜ ନୁହେଁ। ନୂଆ ସରଞ୍ଜାମ, ସ୍ବାସ୍ଥ୍ୟ ବର୍ଦ୍ଧକ, ଏକ୍ସରସାଇଜ୍‌ ଶିଖାଇବା ପାଇଁ ସହର ବାହାରୁ ଆଧୁନିକ ପ୍ରଶିକ୍ଷକ ଯୋଗଦାନ କରିଛନ୍ତି ବୋଲି ଦର୍ଶାଇ ଅତିରିକ୍ତ ଅର୍ଥ ପୈଠ କରିବାକୁ ନେଇଥାନ୍ତି। ସେତେବେଳେ ବାବୁଙ୍କ ପିଣ୍ଡରୁ ପ୍ରାଣ ଛାଡିଯିବା ପରି ଲାଗେ। ଏତାଦୃଶ ଖର୍ଚ୍ଚକୁ ସ୍ବାମୀ ଅନାବଶ୍ୟକ ବୋଲି କହନ୍ତି। ଏଥିପାଇଁ ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ, କଳିତକରାଳ ବେଳେବେଳେ ସୀମା ଟପିଥାଏ। ମାତ୍ର ରମ୍ଭାଙ୍କର ହିଁ ବିଜୟ ହୁଏ। ଏମିତି ନିଷ୍ଠାପର ଭାବେ ସ୍ବାସ୍ଥ୍ୟବର୍ଦ୍ଧକ ବ୍ୟାୟାମ ନ କଲେ, ସେ କାଳେ ମୋଟି, ଅସୁନ୍ଦରୀ ହୋଇଯିବେ, ତାଙ୍କୁ ରୋଗ ଗ୍ରାସିବ (ପୁଣି ସୁଧାଂଶୁ ମାଇପ ଗୋଟାଇପାରନ୍ତି ସମ୍ଭାବ୍ୟ ରୋଗଣୀ ସ୍ତ୍ରୀଙ୍କୁ ଛାଡି!) ବୋଲି ନାନା ଡାକ୍ତରୀ ମତ ପ୍ରମାଣ ସହ ଉପସ୍ଥାପନ କରିଥାନ୍ତି। ଚିକିତ୍ସା-ବିଶେଷଜ୍ଞଙ୍କ ଚରମ ସତର୍କବାଣୀ ସମ୍ବନ୍ଧରେ ପତିଦେବଙ୍କୁ ଅବହିତ କରି ସେ ଜିମ୍‌ ଅଭ୍ୟାସ ଦୀର୍ଘଦିନ ଧରି ଚାଲୁ ରଖିଛନ୍ତି। ତେବେ ସୁଧାଂଶୁଙ୍କ ମୁଣ୍ଡବ୍ୟଥାର ମୂଳ କାରଣ ହେଉଛି, ଯାହା କିଛି ଘରର ଅସୁବିଧା ହେଉଛି ସେ ସମ୍ଭାଳି ନେବାକୁ ପଛଘୁଞ୍ଚା ଦେବେନାହିଁ, ମାତ୍ର ଦରମା ଆଣିବା ଦିନ ଏହି ବାବଦରେ ପତ୍ନୀ ଓ ଚାକରାଣୀର ଦେୟ ଦେବାବେଳେ ସେ ନିଅଣ୍ଟିଆ ବଜେଟ ପାଇଁ ଭାରି ଛଟପଟ ହୁଅନ୍ତି। ପ୍ରଶ୍ନ ଉଠୁଛି, ସୁଧାଂଶୁ ଅନାବଶ୍ୟକ ଖର୍ଚ୍ଚ ବୋଲି ଯେମିତି ବିରକ୍ତ ହେଉଛନ୍ତି, ତାହା କ’ଣ ଯଥାର୍ଥ? ସୁଠାମ ସୁକୁମାରୀ ରମ୍ଭା ଜିମ୍‌ରେ ଯେମିତି ମୂଲିଆଣୀ ପରି କଷ୍ଟ କରୁଛନ୍ତି, ତାହା କ’ଣ ଆଧୁନିକ ଚିକିତ୍ସାବିଜ୍ଞାନସମ୍ମତ ନୁହେଁ? ପତି-ପତ୍ନୀ ମଧ୍ୟରେ ଏହି ବିଷୟରେ ଯେମିତି ଉଚ୍ଚବାଚ ଓ ବିଶୃଙ୍ଖଳା (ପାରିବାରିକ ହିଂସା) ଦେଖାଦେଉଛି ଏବଂ ଗୋଟିଏ ସୁନାର ପରିବାରର ସୁଖ, ଶାନ୍ତି ଓ ଆର୍ଥିକ ଅବସ୍ଥା ବିଗିଡିଯାଉଛି, ତାହାର ଭିତ୍ତିଭୂମି ଓ ହେତୁ କେତେଦୂର ଦୃଢ, ଅତ୍ୟାଧୁନିକ ଗବେଷଣାସମ୍ମତ ଏବଂ ସର୍ବୋପରି ଗ୍ରହଣୀୟ? ସେପ୍ଟେମ୍ବର ୨୦୧୭ରେ ପ୍ରସିଦ୍ଧ ମେଡିକାଲ ଜର୍ନାଲ ଲାନ୍‌ସେଟ୍‌ରେ ସେଣ୍ଟ ପଲ୍‌ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ସ୍କଟ୍‌ ଲିଅରଙ୍କ ଗୋଟିଏ ଗବେଷଣାସମ୍ଭୂତ ନିବନ୍ଧ ପ୍ରସ୍ପେକ୍‌ଟିଭ ଅର୍ବାନ ରୁରାଲ ଏପିଡେମିଓଲୋଜି (ପ୍ୟୁର) ଶୀର୍ଷକରେ ପ୍ରକାଶିତ ହୋଇଛି। ବିଶ୍ୱର ୧୭ଟି ଭିନ୍ନ ଦେଶ (ତନ୍ମଧ୍ୟରେ ଭାରତର ଚାରୋଟି ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ)ର ଲକ୍ଷେ ତିରିଶ ହଜାର ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରାଯାଇଥିଲା। ସେଥିରେ ଦର୍ଶାଯାଇଛି ଯେ, ଜିମ୍‌ର ସଦସ୍ୟତା କିମ୍ବା ଜୁମ୍ବା କ୍ଲାସ୍‌ରେ ଭାଗ ନେବା ଅନାବଶ୍ୟକ। କଲମ୍ବିଆର ନର୍ତ୍ତକ ଓ କୋରିଓଗ୍ରାଫର ଆଲବେର୍ଟୋ ବିଟୋ ପେରେଜ୍‌ ୧୯୯୦ ଦଶକରେ ଏହି ଜୁମ୍ବା କ୍ଲାସ୍‌ ଆରମ୍ଭ କରିଥିଲେ, ଯାହାକି ଭାରତ ସମେତ ଅନେକ ଦେଶର ବଡ ସହରଗୁଡ଼ିକରେ ପ୍ରସିଦ୍ଧି ପାଇଛି। ସେଥିରେ ନୃତ୍ୟ ସହ ଏରୋବିକ୍‌ ଏକ୍ସରସାଇଜ୍‌ (ଅଧିକ ଅମ୍ଳଜାନ ପାଇବାକୁ ବ୍ୟାୟାମ) ଯୋଗ କରାଯାଇଛି। କିନ୍ତୁ ଏମିତି ବ୍ୟୟବହୁଳ କାର୍ଯ୍ୟକ୍ରମକୁ ଏଡାଇ ଏହା ବଦଳରେ ଯଦି ଜଣେ ଘରକାମ ଉତ୍ତମ ଭାବେ କରେ ସେ ସମପରିମାଣରେ ଲାଭବାନ ହେବ। ଯଥା- ଲୁଗା ସଫା କରିବା, ବଗିଚାରୁ ଅନାବନା ଘାସ ଇତ୍ୟାଦି ଉପାଡିବା, ଅଫିସ ବା ଦୋକାନ ବଜାରକୁ ଚାଲି ଚାଲି ଯିବା, ଶିଡି ଚଢିବା ଏବଂ ବିବିଧ କାର୍ଯ୍ୟ ଦୈନିକ ତିରିଶ ମିନିଟ୍‌ କଲେ ମରଣ-ବିପଦ ଶତକଡା ୨୮ ଭାଗ କମିଯିବ, ହୃଦ୍‌ରୋଗ ବିଶେଷ ଭାବେ ଶତକଡା ୨୦ ଭାଗ ହ୍ରାସ ପାଇବ। ମାଡ୍ରାସର ବହୁମୂତ୍ର ରୋଗ ବିଶେଷଜ୍ଞ ଡାକ୍ତର ଆର୍‌.ଏମ୍‌. ଅଞ୍ଜନ ମୁକ୍ତକଣ୍ଠରେ ସ୍ବୀକାର କରିଛନ୍ତି ଯେ, ଆମ ଦେଶରେ ସ୍ବାସ୍ଥ୍ୟରକ୍ଷା ପାଇଁ ଜିମ୍‌କୁ ଉପାଦେୟ ବୋଲି ପରାମର୍ଶ ଦେଇଆସୁଥିଲୁ। ମାତ୍ର ଲାନସେଟ୍‌ର ଏହି ତଥ୍ୟ ଆମ ଭୁଲ୍‌ ଧାରଣା ଦୂର କରିଛି। ପ୍ରକାଶ ଥାଉ କି, ଡାକ୍ତର ଲିଅରଙ୍କ ଦଳ ପୂର୍ବରୁ ମଧ୍ୟ ଏକ ଚାଞ୍ଚଲ୍ୟକର ତଥ୍ୟ ପରିବେଷଣ କରିଥିଲେ। ଅଗଷ୍ଟ ମାସରେ ସେ ଉଲ୍ଲେଖ କରିଥିଲେ ଯେ, କାର୍ବୋହାଇଡ୍ରେଟ୍‌ ଯଦି ସମତୁଲ ଭାବେ ଚର୍ବି ଜାତୀୟ ଖାଦ୍ୟ ସହ ଖିଆଯାଏ ତେବେ ଉଭୟ ସ୍ବାସ୍ଥ୍ୟ ପାଇଁ ଉତ୍ତମ। କୁହାଯାଏ ଯେ, ପାଚିଲା ଫଳ, ସଜ ପରିବା, ଶିମ୍ବ ଜାତୀୟ ଛୁଇଁ ପ୍ରତିଦିନ ଅଳ୍ପ କରି ଛଅରୁ ଆଠଥର ଖାଇବା ହିତକର। କିନ୍ତୁ ଡାକ୍ତର ଲିଅର ଏହି ମତକୁ ଖଣ୍ଡନ କରି ସୂଚାଇଥିଲେ ଯେ ଫ୍ୟାଟ୍‌ ଓ ଶ୍ୱେତସାର ଖାଦ୍ୟ ଠିକ୍‌ ପରିମାଣରେ ଦିନକୁ ଖୁବ୍‌ ବେଶିରେ ତିନିରୁ ଚାରିଥର ଖାଇ ବାରମ୍ବାର ଖାଇବା ଜଞ୍ଜାଳରୁ ଜଣେ ମୁକ୍ତ ହୋଇପାରିବ। ସେ ଯାହାହେଉ, ଜିମ୍‌କୁ ନ ଯାଇ ଧର୍ମପତ୍ନୀ ନିଜେ ଘର କାମ ପୂର୍ବର ମରହଟିଆ ଘରଣୀ ପରି କଲେ ସମ ପରିମାଣରେ ଉତ୍ତମ ସ୍ବାସ୍ଥ୍ୟଲାଭ କରିବା ନେଇ ଡାକ୍ତର ଲିଅରଙ୍କ ମତ ଅବଶ୍ୟ ସୁଧାଂଶୁ ଓ ରମ୍ଭାଙ୍କ ଦାମ୍ପତ୍ୟ ଜୀବନକୁ ସରସ ସୁନ୍ଦର କରିପାରିବ ବୋଲି ଆମେ ଆଶା କରିବା। ଜିମ୍‌ରେ ଅର୍ଥଶ୍ରାଦ୍ଧ କରି ଦୈହିକ ପରିଶ୍ରମ ଯୋଗୁ ଯେତିକି ସ୍ବାସ୍ଥ୍ୟ ଲାଭ ହୋଇଥାଏ, ଘରେ ନିତିଦିନିଆ କାମଦାମ କଲେ ଅନ୍ତତଃ ସେଇ ପରିମାଣରେ ଶାରୀରିକ ସୁସ୍ଥତା ସହ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ଉଜ୍ଜ୍ୱଳ ହୋଇଥାଏ।

ମୋ:୯୪୩୭୦୨୬୬୫୧



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri