ସୁଷମାଙ୍କ ଇ-ଦରବାର

ଆକାର ପଟେଲ

ମୋଗଲମାନେ ଭାରତ ଜୟ କରିବା ପରେ ଗୋଟିଏ ପରମ୍ପରା ବଜାୟ ରଖିଥିଲେ: ତାହା ହେଉଛି ‘ଦର୍ଶନ’। ଦିନରେ ଥରେ ମୋଗଲ ସମ୍ରାଟ୍‌ ବାଲ୍‌କୋନିରେ ଠିଆ ହୋଇ ପ୍ରଜାମାନଙ୍କୁ ଦର୍ଶନ ଦିଅନ୍ତି। ଏଥିରୁ ପ୍ରଜାମାନେ ଆଶ୍ୱସ୍ତ ହୁଅନ୍ତି ଯେ ରାଜ୍ୟ ଠିକ୍‌ ଚାଲିଛି। କାରଣ ସମ୍ରାଟ୍‌ଙ୍କ ଅନୁପସ୍ଥିତିରେ ନାନା ପ୍ରକାର ଗୁଜବ ଖେଳିଯାଏ ଓ ଦେଶରେ ଅରାଜକତା ବ୍ୟାପିଯାଏ। ୧୬୨୭ ମସିହାରେ ଜାହାଙ୍ଗିର ମୃତ୍ୟୁବରଣ କଲେ। ଜୈନ ବଣିକ ବନାରସୀଦାସ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ସେତେବେଳେ ଭାରତୀୟ ସହରଗୁଡ଼ିକରେ ଅପରାଧୀ ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧିପାଇଲା। ବଣିକମାନେ ଭୟରେ ନିଜ ନିଜର ସାମଗ୍ରୀଗୁଡ଼ିକୁ ମାଟିରେ ପୋତିପକାଇଲେ। ଯେତେବେଳେ ପ୍ରଜାମାନେ ଖବର ପାଇଲେ ଯେ ସମ୍ରାଟ୍‌ଙ୍କ ପୁଅମାନଙ୍କ ଭିତରେ ଉତ୍ତରାଧିକାରକୁ ନେଇ କନ୍ଦଳ ତୁଟିଛି ଏବଂ ଖୁରାମ ଶାହଜାହାନ ନାମ ଧାରଣ କରି ସମ୍ରାଟ୍‌ ହୋଇଛନ୍ତି, ସେତେବେଳେ ଯାଇ ଅରାଜକତା ଦୂର ହେଲା। ଦର୍ଶନରେ ଜାହାଙ୍ଗିର ନ୍ୟାୟ ବ୍ୟବସ୍ଥାକୁ ଯୋଡ଼ିଥିଲେ। ସେ ତାଙ୍କ ରାଜପ୍ରାସାଦରେ ଏକ ଚେନ୍‌ର ବ୍ୟବସ୍ଥା କରିଥିଲେ। ଯେଉଁ ପ୍ରଜାଙ୍କର କିଛି ଅଭାବ ଅଭିଯୋଗ ଥିଲା, ସେମାନେ ସେହି ଚେନ୍‌ ଟାଣି ଘଣ୍ଟି ବଜାଉଥିଲେ। ଘଣ୍ଟି ଶବ୍ଦ ଶୁଣି ସମ୍ରାଟ୍‌ ବାହାରକୁ ଆସି ସମ୍ପୃକ୍ତ ପ୍ରଜାଙ୍କୁ ନ୍ୟାୟ ପ୍ରଦାନ କରୁଥିଲେ। ଏହାକୁ ଆଦଲ-ଇ-ଜାହାଙ୍ଗିର ବା ଜାହାଙ୍ଗିରଙ୍କ ନ୍ୟାୟ ବୋଲି କୁହାଯାଉଥିଲା। ଏହାଦ୍ୱାରା ଦେଶର ସର୍ବୋଚ୍ଚ ଶାସକଙ୍କଠାରୁ ପ୍ରଜାମାନେ ତତ୍କାଳ ନ୍ୟାୟ ପାଉଥିଲେ। ଏହା କିନ୍ତୁ ସବୁ ଶାସକଙ୍କ କ୍ଷେତ୍ରରେ ସମ୍ଭବ ନୁହେଁ। ଜାହାଙ୍ଗିର ଜଣେ ଅଳସୁଆ ଓ ସ୍ବାର୍ଥପର ବ୍ୟକ୍ତି ହୋଇଥିବାରୁ ସେ ଏସବୁ ପାଇଁ ସମୟ ପାଉଥିଲେ। କିନ୍ତୁ ସେ ନ୍ୟାୟ ପ୍ରଦାନ ପାଇଁ ଆଗ୍ରହୀ ନ ଥିଲେ ଓ ପ୍ରକୃତରେ ଜଣେ ରାକ୍ଷସ ପ୍ରକୃତିର ଥିଲେ। ସେ ଦୁଇଜଣ ଲୋକଙ୍କ ଗୋଇଠି କାଟିଦେଇ ତାଙ୍କୁ ସାରା ଜୀବନ ପାଇଁ ପଙ୍ଗୁ କରିଦେଇଥିଲେ। ତାଙ୍କର ଦୋଷ ହେଲା ଜାହାଙ୍ଗିର ଜଙ୍ଗଲରେ ଏକ ବାଘ ଶିକାର କରିବାକୁ ବନ୍ଧୁକ ଯୋଖିଥିବା ବେଳେ ସେ ଦୁହେଁ ବାଘଟିକୁ ଭୟଭୀତ କରି ଘଉଡ଼ାଇ ଦେଇଥିଲେ। ନିଜେ ଜାହାଙ୍ଗିର ତାଙ୍କ ଆତ୍ମଜୀବନୀ ତୁଜୁକ୍‌-ଇ-ଜାହାଙ୍ଗିରରେ ଏହା ଉଲ୍ଲେଖ କରିଛନ୍ତି। ତେଣୁ ଜାହାଙ୍ଗିରଙ୍କ ନ୍ୟାୟ ବୋଲି ଯାହା କୁହାଯାଉଛି, ତାହା ଥିଲା କେବଳ ଲୋକଦେଖାଣିଆ। ମୁଁ ଏହା ଲେଖିବାର କାରଣ ହେଉଛି ବର୍ତ୍ତମାନ ଆମ ବିଦେଶ ମନ୍ତ୍ରୀ ଠିକ୍‌ ଏହିଭଳି କାର୍ଯ୍ୟ କରୁଛନ୍ତି। ସୁଷମା ସ୍ବରାଜଙ୍କ ଟୁଇଟର ଆକାଉଣ୍ଟ ଆଦଲ-ଇ-ଜାହାଙ୍ଗିରର ଆଧୁନିକ ରୂପ। ତାଙ୍କ ଟୁଇଟରକୁ ନେଇ ନିକଟରେ ଗଣମାଧ୍ୟମରେ କେତେକ ଶିରୋନାମା ପ୍ରକାଶ ପାଇଛି, ଯଥା: ଜଣେ ପାକିସ୍ତାନୀ ସୁଷମାଙ୍କୁ ତାଙ୍କ ରୋଗଣା ପିଲା ସମ୍ପର୍କରେ ଟ୍ବିଟ୍‌ କରି ଜଣାଇବାରୁ ତାଙ୍କୁ ଚିକିତ୍ସା ପାଇଁ ଭାରତ ଆସିବାକୁ ମେଡିକାଲ ଭିଜା ମିଳିଛି (ଜନ୍‌ ୨), ଏକ ଲାହୋର ଶିଶୁର ନୋଏଡ଼ାରେ ହାର୍ଟ ସର୍ଜରୀ ପାଇଁ ସୁଷମା ବ୍ୟବସ୍ଥା କରିଛନ୍ତି (ଜୁନ୍‌ ୧୧), କର୍ନାଟକର ନର୍ସଙ୍କୁ ସୌଦୀ ଆରବରୁ ଫେରିବାରେ ସୁଷମାଙ୍କ ଟ୍ବିଟ୍‌ ସାହାଯ୍ୟ କଲା ଇତ୍ୟାଦି। ଶୁକ୍ରବାର ସୁଷମା ଦୁବାଇସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଟ୍ବିଟ୍‌ କଲେ: ‘ବିପୁଲ, ଦୟାକରି ତାଙ୍କୁ ତାଙ୍କ ମାଆଙ୍କ ଅନ୍ତ୍ୟେଷ୍ଟିରେ ପହଞ୍ଚିବାରେ ସାହାଯ୍ୟ କର।’ ତାଙ୍କର ଏହିସବୁ ଟ୍ବିଟ୍‌ ଗଣମାଧ୍ୟମରେ ପ୍ରକାଶ ପାଉଛି। ଟୁଇଟର ମାଧ୍ୟମରେ ଏପରି ଗୋଟିଏ ଦୁଇଟି ଘଟଣାରେ ହସ୍ତକ୍ଷେପ କରି ସୁଷମା ଗଣମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିପାରୁଛନ୍ତି। ଏହା ପଛରେ ତାଙ୍କ ବିଭାଗର ସବୁ ଦୋଷଦୁର୍ବଳତା ଘୋଡ଼େଇ ହୋଇପଡ଼ୁଛି। କୂଟନୀତିଜ୍ଞ ଓ ଅମଲାମାନେ ମାଡାମ୍‌ଙ୍କ ଟ୍ବିଟ୍‌କୁ ଧ୍ୟାନ ଦେବାକୁ ଯାଇ ନିଜର ନିୟମିତ କାର୍ଯ୍ୟରେ ଅବହେଳା କରୁଛନ୍ତି। ପାକିସ୍ତାନ, ନେପାଳ, ଶ୍ରୀଲଙ୍କା, ବାଂଲାଦେଶ ବା ମ୍ୟାନ୍‌ମାର ସମ୍ପର୍କରେ ଆମର କୌଣସି ବାସ୍ତବ ସୁସଙ୍ଗତ ବିଦେଶ ନୀତି ନାହିଁ। କିନ୍ତୁ ତଥାକଥିତ ଇ-ଦରବାର ଓ ଇ-ଦର୍ଶନ ଲୋକଙ୍କ ଭିତରେ ଭ୍ରମ ସୃଷ୍ଟି କରୁଛି ଯେ, ଆମର ବିଦେଶ ମନ୍ତ୍ରଣାଳୟ ଠିକ୍‌ ବାଟରେ ଚାଲିଛି। ପାକିସ୍ତାନୀ ପିଲାର ସର୍ଜରୀ ହେଉ କି ଇଜିପ୍ଟର ମେଦବହୁଳା ମହିଳାଙ୍କର ବାରିଆଟିକ୍‌ ସର୍ଜରୀ ହେଉ, ସେଥିପାଇଁ ଭିଜା ପାଇବାକୁ ହେଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କର ହସ୍ତକ୍ଷେପ କି ଦରକାର? କୌଣସି ସଭ୍ୟଦେଶ କ’ଣ ମନ୍ତ୍ରୀଙ୍କର ଟୁଇଟର ପଢ଼ି ଭିଜା ଦେଇଥାନ୍ତି? ନା। ସେମାନଙ୍କର ଏଥିପାଇଁ ସରକାରୀ ପ୍ରକ୍ରିୟା ଅଛି। କିନ୍ତୁ ଆମର ଅଛି ଦରବାର। ଆମ ମନ୍ତ୍ରୀମାନଙ୍କର କ’ଣ ଅନ୍ୟ କାମ କିଛି ନାହିଁ? ମୋର ତ ନିୟମିତ କାମ ଅଛି ଏବଂ ଟୁଇଟର ପାଇଁ ମୋ ପାଖରେ ସମୟ ନାହିଁ। ଏଥିପାଇଁ ସୁଷମା କେଉଁଠୁ ସମୟ ପାଉଛନ୍ତି? ଅବଶ୍ୟ ଭାରତର ଅଧିକାଂଶ ବିଦେଶ ନୀତି ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି। ଚାଇନା, ପାକିସ୍ତାନ ବା ଇସ୍ରାଏଲ ପ୍ରସଙ୍ଗ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲଙ୍କ ତତ୍ତ୍ୱାବଧାନରେ ଚାଲିଛି। ସେଥିପାଇଁ ମୋଦି ନେହେରୁଙ୍କ ଅମଳର ନୀତିକୁ ଛାଡ଼ି ନିଜର ନୀତି ଆପଣେଇଛନ୍ତି। ଭାରତୀୟ ସଭ୍ୟତାର ମୂଲ୍ୟବୋଧକୁ ନେଇ ନେହେରୁ ତାଙ୍କର ନୀତି ଚଳାଇଥିବା ବେଳେ ମୋଦି ମୁଖ୍ୟତଃ ପ୍ରତିରକ୍ଷା ଓ ଆତଙ୍କବାଦକୁ ନେଇ ତାଙ୍କର ନୀତି ଚଳାଇଛନ୍ତି। ଏସବୁ କାମ ଅନ୍ୟମାନଙ୍କ ଦ୍ୱାରା କରାଯାଉଥିବାରୁ ସୁଷମା ଅନ୍ୟ କାମ ପାଇଁ ସମୟ ପାଉଛନ୍ତି। ସେ ନିଜକୁ ଏହା ମାଧ୍ୟମରେ ଜଣେ ସକ୍ରିୟ ମନ୍ତ୍ରୀ ବୋଲି ଦର୍ଶାଉଛନ୍ତି। ତାଙ୍କର ଦରବାରୀ ନୀତି ଅଳ୍ପ କିଛି ଲୋକଙ୍କ କାମରେ ଆସିଲେ ବି ଦେଶର କ୍ଷତି କରୁଛି।

Email: aakar.patel@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri