ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା

ଶରତ ଚନ୍ଦ୍ର ମିଶ୍ର

ଶିକ୍ଷା ବ୍ୟବସ୍ଥା ତିନୋଟି ପର୍ଯ୍ୟାୟରେ ବିଭକ୍ତ। ପ୍ରାଥମିକ, ମାଧ୍ୟମିକ ଓ ବିଶ୍ୱବିଦ୍ୟାଳୟ ଶିକ୍ଷା। ପ୍ରାଥମିକ ଶିକ୍ଷା ହିଁ ମୂଳଦୁଆ। ପ୍ରାଥମିକ ଶିକ୍ଷା ଦୃଢ ହେଲେ ମାଧ୍ୟମିକ ଶିକ୍ଷା ଦୃଢ ହେବ ଓ ସେଇପରି କଲେଜ ଶିକ୍ଷାର ମାନ, ମାଧ୍ୟମିକ ଶିକ୍ଷାର ଗୁଣବତ୍ତା ଉପରେ ନିର୍ଭରଶୀଳ। ଆମ ଦେଶର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶିକ୍ଷା ଏକ ମୌଳିକ ଅଧିକାର ଓ ଆଇନଗତ ଭାବରେ ୬ ବର୍ଷ ବୟସରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତଙ୍କର ଶିକ୍ଷା ବାଧ୍ୟତାମୂଳକ। ଅର୍ଥାତ୍‌ ସମସ୍ତେ ଅନୂ୍ୟନ ଆଠବର୍ଷ ଶିକ୍ଷା ପ୍ରାପ୍ତ ହେବେ। ସମସ୍ତେ ପ୍ରାଇମେରୀ ଶିକ୍ଷା ଲାଭ କରି କିଛିବର୍ଷ ମାଧ୍ୟମିକ ଶିକ୍ଷା ମଧ୍ୟ ପ୍ରାପ୍ତ ହେବେ। ମୋଟାମୋଟି ଭାବରେ ସମସ୍ତେ ପ୍ରାୟତଃ ମାଇନର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପାଇବେ। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଏ ବ୍ୟବସ୍ଥାରେ ପ୍ରାଥମିକ ଶିକ୍ଷା ଗୁଣାତ୍ମକ ନ ହୋଇ ପରିମାଣାତ୍ମକ ହେବା ସ୍ବାଭାବିକ। ତାହାର ପ୍ରଭାବ ମାଧ୍ୟମିକ ଓ ଉଚ୍ଚତର ଶିକ୍ଷା ଉପରେ ପ୍ରତୀୟମାନ। ଜାତୀୟ ସ୍ତରରେ ଆମର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ଓ ଆଇଆଇଟି ଭଳି ଉଚ୍ଚମାନର ଅନୁଷ୍ଠାନ ଥିଲେ ମଧ୍ୟ ପୃଥିବୀର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏମାନେ ସ୍ଥାନ ପାଇପାରୁ ନାହାନ୍ତି। ଫଳତଃ ଉଚ୍ଚ ଗୁଣାତ୍ମକ ଶିକ୍ଷା ନିମନ୍ତେ ବହୁ ଭାରତୀୟ ଛାତ୍ର ବିଦେଶ ଗମନ କରୁଛନ୍ତି। ପାଶ୍ଚାତ୍ୟ ଜଗତର ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭାରତୀୟ ଛାତ୍ରମାନଙ୍କ ସ୍ଥାନ ଦ୍ୱିତୀୟ ଓ ଦେଶର ବହୁ ଅର୍ଥ, ଏଇ ଛାତ୍ରମାନଙ୍କର ବିଦେଶ ପଢାରେ ଖର୍ଚ୍ଚ ହେଉଛି। ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରମାନେ ଏକ ଭଲ ଆୟର ମାଧ୍ୟମ। ଆମ ଓଡିଶାରେ ରାଉରକେଲାର ଏନ୍‌ଆଇଟି ଓ ଭୁବନେଶ୍ୱରର ଏକ୍ସଆଇଏମ୍‌ବି ବ୍ୟତୀତ ଅନ୍ୟ କୌଣସି ଶିକ୍ଷାନୁଷ୍ଠାନ ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିନାହିଁ। ହୁଏତଃ ଆଉ କିଛିବର୍ଷ ପରେ, ଆଇଆଇଟି ଭୁବନେଶ୍ୱର ଓ ନିଖିଳଭାରତ ଆୟୁର୍ବିିଜ୍ଞାନ ଅନୁଷ୍ଠାନ ଜାତୀୟ ସ୍ତରକୁ ଉନ୍ନୀତ ହୋଇପାରେ। ପୁରୁଣା ନାମକରା ଅନୁଷ୍ଠାନ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ କର୍ପୂର ଉଡି କନା ପଡିରହିଛି। ସେମାନଙ୍କର ଆଉ ପୂର୍ବଭଳି ଖ୍ୟାତି ନାହିଁ। ପରିମାଣାତ୍ମକ ହେଉ ପଛେ, ଦେଶରେ ସାର୍ବଜନୀନ ଶିକ୍ଷାର ପ୍ରୟୋଜନ ଅଛି। ଦେଶରେ ସାବାଳକ ଭୋଟପ୍ରଥା ହେତୁ ଶାସକବର୍ଗଙ୍କୁ ସାଧାରଣ ଜନତା ଭୋଟ ବଳରେ ଚୟନ କରୁଛି। ଯିଏ ଚୟନକାରୀ, ସେ ଶିକ୍ଷିତ ହେବା ଆବଶ୍ୟକ। ଦ୍ୱିତୀୟରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନଙ୍କ ମତରେ ଯେଉଁ ଦେଶରେ ଶ୍ରମିକ ଶ୍ରେଣୀ ଶିକ୍ଷିତ ଓ ସ୍ବାସ୍ଥ୍ୟବାନ ହୁଅନ୍ତି, ସେ ଦେଶରେ ଉତ୍ପାଦନ ଶକ୍ତି ସେତେ ଅଧିକ। ସେଥିପାଇଁ ଶ୍ରମିକ ଓ କୃଷକମାନଙ୍କୁ ଶିକ୍ଷିତ ହେବାକୁ ହେବ। ଅବଶ୍ୟ ଶିକ୍ଷିତ ଓ ସାକ୍ଷର ଏକା କଥା ନୁହେଁ। ସାକ୍ଷରତା ଏକ ସୀମିତ ଶକ୍ତି ପ୍ରଦାନ କରେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଶିକ୍ଷା ରାଜ୍ୟର ଦାୟିତ୍ୱ ଓ ଅଧିକାର ପରିସରଭୁକ୍ତ ହେଲେ ମଧ୍ୟ, କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ୟୁଜିସି ଆଦି ବିଭିନ୍ନ ଗ୍ରାଣ୍ଟ ମାଧ୍ୟମରେ ବିଭିନ୍ନ ପ୍ରକାରର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି। ରାଜ୍ୟ ସରକାରମାନେ ଅନେକ ପ୍ରୋଗ୍ରାମରେ କେନ୍ଦ୍ର ଗ୍ରାଣ୍ଟ ଉପରେ ନିର୍ଭରଶୀଳ ଓ ବିଭିନ୍ନ ପ୍ରକାର ସର୍ବଭାରତୀୟ ଅନୁଷ୍ଠାନ କେନ୍ଦ୍ର ସ୍ଥାପନ କରେ। ବର୍ତ୍ତମାନ ଓଡିଶାରେ କେନ୍ଦ୍ରସରକାରଙ୍କ ନିୟନ୍ତ୍ରଣରେ ଏକ ବିଶ୍ୱବିଦ୍ୟାଳୟ, ଏକ ଆଇଆଇଟି, ଏକ ଆଇଆଇଏମ୍‌, ଏକ ନାଇଜର, ଏକ ଆଇଜର ଓ ଏକ ଜାତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ ସମେତ ଆହୁରି ଅନେକ ଅନୁଷ୍ଠାନ ଅଛି। ଫ୍ୟାଶନ, ଦୂରସଞ୍ଚାର, Information Technology ଆଦିର କେନ୍ଦ୍ରୀୟ ଅନୁଷ୍ଠାନମାନ ଅଛି। ଓଡିଶା ସରକାରଙ୍କର ଦଶୋଟି ବିଶ୍ୱବିଦ୍ୟାଳୟ ଅଛି ଏବଂ ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଆଇନ ପାରିତ ହୋଇଛି। ଏତଦ୍‌ବ୍ୟତୀତ କେତୋଟି ବେସରକାରୀ ବିଶ୍ୱବିଦ୍ୟାଳୟ ଅଛି ଓ ନିକଟ ଅତୀତରେ କିମ୍ସ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରାପ୍ତ ହୋଇଛି। ଆଇଆଇଟି, ଆଇଆଇଏମ୍‌ ଓ AIMS ସବୁ ଅଲ୍ପଦିନ ହେଲା ପ୍ରତିଷ୍ଠିତ ଓ ଅଳ୍ପକାଳ ମଧ୍ୟରେ ସେମାନେ ନିଜ ନିଜର ପ୍ରାଧାନ୍ୟ ବିସ୍ତାର କରିବେ ବୋଲି ଆଶା। ଓଡିଶା ସରକାରଙ୍କର ଦଶୋଟି ଯାକ ବିଶ୍ୱବିଦ୍ୟାଳୟ୍‌ ୟୁଜିସି ଗ୍ରାଣ୍ଟ ଉପରେ ବିଶେଷ ଭାବରେ ନିର୍ଭରଶୀଳ। ସେମାନଙ୍କର ଆର୍ଥିକ ସଂଗତି ଉତ୍ସାହଜନକ ନୁହେଁ ଓ ସବୁ ଅନୁଷ୍ଠାନରେ ଶିକ୍ଷକ ଅଭାବ ସମସ୍ୟା ସୃଷ୍ଟି କରୁଛି। ଏଇ ବିଶ୍ୱବିଦ୍ୟାଳୟମାନଙ୍କର ଗବେଷଣାଲବ୍ଧ ଜ୍ଞାନରେ ଅଧିକ ମୌଳିକତା ଆବଶ୍ୟକ ଓ ଏହା ଶିଳ୍ପାନୁଷ୍ଠାନମାନଙ୍କର ଆବଶ୍ୟକତା ପୂରଣ କରିପାରିଲେ ଶୁଭଦାୟକ ହେବ। ଏଇ ବିଶ୍ୱବିଦ୍ୟାଳୟମାନଙ୍କରେ ମଝିରେ ମଝିରେ ଧର୍ମଘଟ, ପାଠ ବନ୍ଦ, ହିଂସାକାଣ୍ଡ ଇତ୍ୟାଦି ପରିଲକ୍ଷିତ ହୁଏ। ବିଶେଷତଃ ନିର୍ବାଚନ ସମୟରେ ଏହାର ପ୍ରାଧାନ୍ୟ ଅଧିକ। ନିର୍ବାଚନ ସବୁ ରାଜନୈତିକ ଭିତ୍ତିରେ ହେଉଥିବାରୁ ଏସବୁ ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। କଲେଜ ସବୁ ଗୋଳମାଳ ହେତୁ ବନ୍ଦ ରହିବାରୁ ପଢାପଢି ବ୍ୟାହତ ହେଉଛି। ବିଶେଷତଃ ବୈଷୟିକ କଲେଜମାନଙ୍କରେ ର଼୍ୟାଗିଙ୍ଗ ହୋଇ ଛାତ୍ର ଅଶାନ୍ତି ସୃଷ୍ଟି ହେଉଛି। ଏ ସମସ୍ତ ନିୟନ୍ତ୍ରିତ ହେବା ଉଚିତ ଏବଂ ପାଠ ଓ ଗବେଷଣାର ବାତାବରଣ ସୃଷ୍ଟି କରିବା ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ। ଓଡିଶାରେ ଉଚ୍ଚମାଧ୍ୟମିକ ଶିକ୍ଷା ଏ ପର୍ଯ୍ୟନ୍ତ ଅନେକ ସ୍ଥାନରେ କଲେଜ ଶିକ୍ଷା ସହ ଯୋଗ ହୋଇ ରହିଛି। ଏ ଦିଗରେ ସ୍ଥିର ନିୟମ ପ୍ରଣୟନ ହୋଇ ମାଧ୍ୟମିକ ଶିକ୍ଷାକୁ କଲେଜ ଶିକ୍ଷାଠାରୁ ଅଲଗା କରିବା ଉଚିତ। ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଦୁଇ ପ୍ରକାର ବିଦ୍ୟାଳୟ ଅଛି: ଇଂରାଜୀ ମାଧ୍ୟମ ଓ ଓଡିଆ ମାଧ୍ୟମ। ଓଡିଆ ମାଧ୍ୟମରେ ପ୍ରାୟ ପାଞ୍ଚଲକ୍ଷ ପିଲା ପରୀକ୍ଷା ଦେଉଥିଲା ବେଳେ ଇଂରାଜୀ ମଧ୍ୟମରେ ପ୍ରାୟ ୬୦ ହଜାରରୁ ଅଧିକ ପିଲା ପରୀକ୍ଷା ଦେଉଛନ୍ତି। ଇଂରାଜୀ ମଧ୍ୟମ ସ୍କୁଲମାନଙ୍କରୁ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଦ୍ୟାଳୟକୁ ଛାଡିଦେଲେ ବାକି ସବୁ ବେସରକାରୀ। ଏଇ ବେସରକାରୀ ସ୍କୁଲମାନଙ୍କର ମାତ୍ରାଧିକ ଫି ସତ୍ତ୍ୱେ ଏଠାରେ ପିଲାମାନେ ପଢିବାକୁ ଆଗ୍ରହୀ ଓ ଯେଉଁ ପିତାମାତାଙ୍କର ସଂଗତି ଅଛି, ସେମାନେ ଇଂରାଜୀ ମାଧ୍ୟମରେ ପିଲାଙ୍କୁ ପଢାଉଛନ୍ତି। ଏଇ ସ୍କୁଲଗୁଡିକ ପରୀକ୍ଷା ଫଳ ଭଲ କରୁଛନ୍ତି ଓ ବିଭିନ୍ନ ପ୍ରକାର ଆଡମିଶନ ନିମନ୍ତେ ପ୍ରତିଯୋଗିତାରେ ସଫଳ ହେଉଛନ୍ତି। ଓଡିଶାରେ କର୍ମସଂସ୍ଥାନର ଅଭାବ ହେତୁ ବହୁତ ପିଲା ଚାକିରି ନିମନ୍ତେ ଓଡିଶା ବାହାରକୁ ଯାଉଛନ୍ତି ଓ ଇଂରାଜୀ ମାଧ୍ୟମରେ ପଢିଥିଲେ ବାହାରେ ଚାକିରି ପାଇବା ଅପେକ୍ଷାକୃତ ସହଜ ମନେକରି ଇଂରାଜୀ ମଧ୍ୟମରେ ପଢୁଛନ୍ତି। ଓଡିଆ ମାଧ୍ୟମ ସ୍କୁଲମାନଙ୍କରେ ଇଂରାଜୀ ଶିକ୍ଷାକୁ ସୁଦୃଢ କରି ଏ ସମସ୍ୟାର ସମାଧାନ କରାଯାଇପାରନ୍ତା। ଓଡିଶାରେ ମାଧ୍ୟମିକ ଶିକ୍ଷା ପରିଚାଳନା କାଳକ୍ରମେ ଶିକ୍ଷାବିତ୍‌ମାନଙ୍କ ହାତରୁ ପ୍ରଶାସକମାନଙ୍କ ହାତକୁ ଚାଲିଯାଉଛି। ସଚିବାଳୟରେ ଶିକ୍ଷାବିତ୍‌ମାନଙ୍କୁ ନିଯୁକ୍ତିଦେବା ତ ଦୂରର କଥା, ବିଭିନ୍ନ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ପରିଷଦମାନଙ୍କରେ ପ୍ରଶାସକମାନଙ୍କୁ ନିଯୁକ୍ତି ପ୍ରଦାନ କରାହେଉଛି। ଏହା ମାଧ୍ୟମିକ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଶୁଭ ସୂଚନା ନୁହେଁ। ସରକାର ଏ ପ୍ରଶାସକ ନିଯୁକ୍ତି ନୀତି ପରିହାର କରିବା ଉଚିତ। ପ୍ରାଥମିକ ଶିକ୍ଷା ପରିମାଣାତ୍ମକ। ଏତେମାତ୍ରାରେ ଛାତ୍ରୀଛାତ୍ରଙ୍କ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ନାହିଁ। କେଉଁଠାରେ ଶ୍ରେଣୀଗୃହ ନାହିଁ ତ କେଉଁଠାରେ ଶିକ୍ଷକ ନାହାନ୍ତି ଓ ଶିକ୍ଷାକର୍ମୀଙ୍କ ଦ୍ୱାରା କ୍ଲାସ୍‌ ଚାଲିଛି। ପ୍ରାଥମିକ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ଅଣଶିକ୍ଷା କାର୍ଯ୍ୟରେ ନିୟୋଜିତ କରାଯାଉଛି। ପ୍ରାଥମିକ ଶିକ୍ଷକମାନେ ଏକ ଅସନ୍ତୁଷ୍ଟ ଗୋଷ୍ଠୀ ଓ ତାଙ୍କର ଛାତ୍ରୀଛାତ୍ରମାନେ ଅଧିକାଂଶ ମଧ୍ୟାହ୍ନଭୋଜନ ନିମନ୍ତେ ବିଦ୍ୟାଳୟ ଆସନ୍ତି। ପ୍ରାଥମିକ ଶିକ୍ଷାରେ ସରକାର ଅଧିକ ଅର୍ଥ ବିନିଯୋଗ କରିବା ଆବଶ୍ୟକ। ମୋଟାମୋଟି ଭାବରେ ସମସ୍ତ ପର୍ଯ୍ୟାୟର ଶିକ୍ଷକ ଦେଶ ଓ ରାଜ୍ୟରେ ଏକ ଅସନ୍ତୁଷ୍ଟ ଗୋଷ୍ଠୀ। ସେମାନେ ବ୍ୟାପକ ଆନ୍ଦୋଳନରେ ବ୍ୟାପୃତ ରହି ଛାତ୍ରମାନଙ୍କ ଆଗରେ ଏକ ଭୁଲ୍‌ ଆଦର୍ଶ ପ୍ରଦର୍ଶନ କରୁଛନ୍ତି। ନିମ୍ନସ୍ତରରେ ଭିତ୍ତିଭୂମିର ଅଭାବ, ଉଚ୍ଚସ୍ତରରେ ଶିକ୍ଷକ ଅଭାବ ଓ ରାଜନୀତୀକରଣ ଏବଂ ମାଧ୍ୟମିକ ସ୍ତରରେ ଦୁର୍ବଳ ଇଂରାଜୀ ଶିକ୍ଷା, ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରି ରଖିଛି। ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ ସାମାଜିକ ବ୍ୟବସ୍ଥା ଦୁର୍ବଳ ହୁଏ। ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ବିହିତ ବ୍ୟବସ୍ଥା କରିବା ନିହାତି ଆବଶ୍ୟକ।

ମୋ-୯୯୩୭୪୨୨୫୨୧



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri