ଦୃଢ଼ମନା ପ୍ରତିନିଧି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଲାଗି ରହଛି। ସୀମା ଆରପଟୁ କଶ୍ମୀରକୁ ଅସ୍ଥିର କରିବା ସକାଶେ କେତେକ ଶକ୍ତି ସର୍ବଦା ଉଦ୍ୟମ କରୁଛନ୍ତି। ଭାରତର ଅବିଚ୍ଛେଦ୍ୟ ଅଙ୍ଗ କୁହାଯାଉଥିବା ଜମ୍ମୁ-କଶ୍ମୀରରେ କିଭଳି ଶାନ୍ତି ପ୍ରତିଷ୍ଠା ହୋଇପାରିବ, ସେଥିପାଇଁ ଏ ଦେଶରେ ଯେତେବେଳେ ଯେଉଁ ସରକାର କ୍ଷମତାକୁ ଆସିଛନ୍ତି ସମସ୍ତେ ସ୍ବତନ୍ତ୍ର ପ୍ରତିନିଧି କିମ୍ବା ମଧ୍ୟସ୍ଥିଙ୍କ ଜରିଆରେ ଆଲୋଚନାକୁ ଗୁରୁତ୍ୱ ଦେଇଛନ୍ତି। ୧୫ ବର୍ଷର ଇତିହାସ ଦେଖିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ. ସି. ପନ୍ଥ୍‌, ଜମ୍ମୁ-କଶ୍ମୀରର ବର୍ତ୍ତମାନର ରାଜ୍ୟପାଳ ଏନ୍‌. ଏନ୍‌. ଭୋରା, ୟୁଜିସିର ପୂର୍ବତନ ସଦସ୍ୟ ଏମ୍‌. ଏମ୍‌. ଅନ୍‌ସାରୀ, ଶିକ୍ଷାବିତ୍‌ ତଥା ଲେଖକ ରାଧା କୁମାର, ବରିଷ୍ଠ ସାମ୍ବାଦିକ ଦିଲୀପ ପଡ୍‌ଗାଁଓକରଙ୍କୁ ବିଭିନ୍ନ ସମୟରେ ଦାୟିତ୍ୱ ଦିଆଯାଇଛି। ନିକଟରେ କେନ୍ଦ୍ର ସରକାର ଗୋଇନ୍ଦା ସଂସ୍ଥା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ପୂର୍ବତନ ନିର୍ଦ୍ଦେଶକ ଦିନେଶ୍ୱର ଶର୍ମାଙ୍କୁ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଲାଗି ପ୍ରତିନିଧି ନିଯୁକ୍ତ କରିଛନ୍ତି। ୨୦୧୬ ଜୁଲାଇରେ ହିଜ୍‌ବୁଲ ମୁଜାହିଦ୍ଦିନ୍‌ର କମାଣ୍ଡର ଥିବା ବୁରହାନ ଓ୍ବାନିଙ୍କୁ ହତ୍ୟା ପରଠାରୁ କଶ୍ମୀର ଅଶାନ୍ତ ରହୁଛି। ଏବେ ଦିନେଶ୍ୱରଙ୍କ ଭଳି ଜଣେ ଦୃଢ଼ମନା ବ୍ୟକ୍ତିଙ୍କୁୁ ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱକୁ ନେଇ ଚର୍ଚ୍ଚା ହେଉଛି। ଦିନେଶ୍ୱର ୧୯୫୪ ମାର୍ଚ୍ଚ ୨୩ରେ ବିହାରରେ ଜନ୍ମଗ୍ରହଣ କରିଥିଲେ। ପାଲି ଗ୍ରାମଠାରେ ତାଙ୍କ ସ୍କୁଲ ଜୀବନ କଟିଥିଲା। ପରେ ସେ ସ୍ନାତକ ଡିଗ୍ରୀ ପାଇଁ ଗୟା ଯାଇଥିଲେ। ପ୍ରଥମେ ଭାରତୀୟ ଜଙ୍ଗଲ ସେବା ଓ ପରେ ଭାରତୀୟ ପୋଲିସ ସେବା (ଆଇପିଏସ୍‌)ରେ ଯୋଗଦେଇଥିଲେ। ୧୯୭୯ ବ୍ୟାଚ କେରଳ କ୍ୟାଡରର ଏହି ଆଇପିଏସ୍‌ ଅଫିସର ଜିଲା ଏସ୍‌ପିଠାରୁ ଆରମ୍ଭ କରି ପୋଲିସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହୋଇଥିଲେ। ତେବେ ୧୯୯୯ରୁ ୨୦୦୩ ଯାଏ ସେ ବିଏସ୍‌ଏଫ୍‌ର ଡିଆଇଜି ଏବଂ ୨୦୦୩ରୁ ୨୦୦୫ରେ ଜମ୍ମୁ-କଶ୍ମୀର ପାଇଁ ସିଆର୍‌ପିଏଫ୍‌ ଆଇଜି ଦାୟିତ୍ୱ ତୁଲାଇବା ବେଳେ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ୨୦୦୮ରୁ ଆଇବିରେ କ୍ରମାଗତ କାର୍ଯ୍ୟକରି ନିର୍ଦ୍ଦେଶକ ସ୍ତରକୁ ଉନ୍ନୀତ ହୋଇଥିଲେ। ଗୋଇନ୍ଦା କାର୍ଯ୍ୟରେ ଅଭିଜ୍ଞତା ଅର୍ଜନ କରିବା ଲାଗି ସେ ପୂର୍ବ ଜର୍ମାନୀ, ପୋଲାଣ୍ଡ, ଇସ୍ରାଏଲ ଓ ଦକ୍ଷିଣ କୋରିଆରେ ସ୍ବତନ୍ତ୍ର ପ୍ରଶିକ୍ଷଣ ନେଇଥିଲେ। ନାଗାଲାଣ୍ଡ, ଜମ୍ମୁ-କଶ୍ମୀର, ଗୁଜରାଟ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ବିଭିନ୍ନ ସମୟରେ ବିଏସ୍‌ଏଫ୍‌, ସିଆର୍‌ପିଏଫ୍‌ ଓ ଆଇବିରେ କାର୍ଯ୍ୟ କଲା ବେଳେ ଉଗ୍ରପନ୍ଥୀ ଓ ଆତଙ୍କବାଦୀଙ୍କୁ ମୁକାବିଲା କରିବା ଲାଗି ଅଭିନବ କୌଶଳ ତିଆରି କରିଥିଲେ। ଆଇବି ମୁଖ୍ୟ ଥିବା ବେଳେ ବର୍ତ୍ତମାନର ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ମିଶି କାର୍ଯ୍ୟ କରିଥିଲେ। ଫଳରେ କୌଣସି ଅଶାନ୍ତ ପରିସ୍ଥିତିର ମୁକାବିଲା କରିବା ପାଇଁ ଅଚାନକ କିଭଳି ରଣକୌଶଳ ଆପଣାଯାଇପାରିବ ତାହା ଦିନେଶ୍ୱରଙ୍କୁ ଜଣାଥିବାରୁ କେନ୍ଦ୍ର ସରକାର ସମ୍ଭବତଃ ତାଙ୍କ ଉପରେ ଗୁରୁଦାୟିତ୍ୱ ଦେଇଛନ୍ତି। ହେଲେ କଶ୍ମୀର ଭଳି ଏକ ଅଶାନ୍ତ ଉପତ୍ୟକାକୁ ଶାନ୍ତିର ବାର୍ତ୍ତା ଦେବାକୁ ସେ କିଭଳି ସକ୍ଷମ ହେବେ ତାହା ଆଗକୁ ଜଣାପଡ଼ିବ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri