ଭିଆଇପି ସଂସ୍କୃତିର ଶେଷ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ବାରମ୍ବାର ଦୁର୍ଘଟଣା ଘଟିବା ପରେ ରେଲଓ୍ବେରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ରେଳପଥ ବୋର୍ଡ ଅଧ୍ୟକ୍ଷଭାବେ ନିକଟରେ ନିଯୁକ୍ତି ପାଇଥିବା ଅଶ୍ୱିନୀ ଲୋହାନି ପୁରୁଣା ପ୍ରଥା, ପ୍ରୋଟୋକଲ ଆଦିକୁ ହଟାଇ ଏଥିରେ ବ୍ୟାପକ ସଂସ୍କାର ଆଣିବାର ପୁରୋଧା ସାଜିଛନ୍ତି। ଲୋହାନି ୩୬ ବର୍ଷର ପୁରୁଣା ପ୍ରୋଟୋକଲ ବ୍ୟବସ୍ଥାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ରେଳପଥରେ ଭିଆଇପି ସଂସ୍କୃତିର ଜନକ ବୋଲି ବିଶ୍ୱାସ କରାଯାଏ। ବୋର୍ଡର ଏକ ସାନି ନିର୍ଦ୍ଦେଶନାମା ଅନୁସାରେ ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ବା ବରିଷ୍ଠ ସଦସ୍ୟମାନଙ୍କ ଜୋନାଲ ଭିଜିଟ୍‌ ସମୟରେ ସେମାନଙ୍କ ଆଗମନ ଓ ବିଦାୟ ସମୟରେ ଜେନେରାଲ ମ୍ୟାନେଜରମାନଙ୍କ ଉପସ୍ଥିତି ବାଧ୍ୟତାମୂଳକ ନୁହେଁ। ଅଫିସରମାନଙ୍କୁ ଏଣିକି କୌଣସି ଫୁଲତୋଡ଼ା ବା ଉପହାର ଦିଆଯାଇପାରିବ ନାହିଁ। ଏହି ଆଦେଶନାମାରେ ପୁଣି କୁହାଯାଇଛି ଯେ, ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନଙ୍କୁ ସେମାନଙ୍କ ଘରେ ସହାୟକଭାବେ କାମ କରୁଥିବା କନିଷ୍ଠ କର୍ମଚାରୀମାନଙ୍କୁ ମୁକ୍ତ କରିବାକୁ ହେବ। ମୁଖ୍ୟତଃ ଟ୍ରାକ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିବା ପ୍ରାୟ ୩୦ ହଜାର ରେଳ କର୍ମଚାରୀ, ଯେଉଁମାନେ ନିୟମିତ କାମ ସହ ଅଫିସରଙ୍କ ଘରେ କାମ କରୁଛନ୍ତି, ସେମାନଙ୍କୁ ଘର କାମ ଛାଡ଼ି ତୁରନ୍ତ ନିୟମିତ ଡ୍ୟୁଟିରେ ଯୋଗ ଦେବାକୁ ଆଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦୦୦ ଟ୍ରାକ୍‌ମ୍ୟାନ ଆଦେଶ ପାଳନ କରିଛନ୍ତି ଏବଂ ଅବଶିଷ୍ଟ କର୍ମଚାରୀ ଯଥାଶୀଘ୍ର ତାହା କରିବେ ବୋଲି ଆଶା କରାଯାଉଛି। ପୁଣି ବରିଷ୍ଠ ଅଫିସରମାନଙ୍କୁ ଏକ୍‌ଜିକ୍ୟୁଟିଭ୍‌ କ୍ଲାସ୍‌ ବଗିରେ ଯିବାକୁ ବାରଣ କରାଯାଇଛି। ତାହା ବଦଳରେ ସେମାନଙ୍କୁ ସ୍ଲିପର୍‌ ଓ ଏସି ୩-ଟାୟର୍‌ ବଗିରେ ଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। ଏହିସବୁ ପଦକ୍ଷେପ ରେଲଓ୍ବେରେ ଭିଆଇପି ସଂସ୍କୃତିର ମୂଳୋତ୍ପାଟନ କରିବାକୁ ଉଦ୍ଦିଷ୍ଟ।

ବିରାଟ ଆହ୍ବାନ

ପୂର୍ବତନ ଗୋଇନ୍ଦା ବ୍ୟୁରୋ ମୁଖ୍ୟ ତଥା ୧୯୭୯ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇପିଏସ୍‌ ଅଫିସର ଦିନେଶ୍ୱର ଶର୍ମାଙ୍କୁ କଶ୍ମୀରରେ ଇଣ୍ଟରଲୋକୁଟର (ମଧ୍ୟସ୍ଥି) ଭାବେ ନିଯୁକ୍ତି ମିଳିଛି। ଭାରତ ସରକାରଙ୍କ ପ୍ରତିନିଧି ଭାବେ ଶର୍ମା କଶ୍ମୀରର ନିର୍ବାଚିତ ପ୍ରତିନିଧି, ବିଭିନ୍ନ ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସହ କଥାବାର୍ତ୍ତା କରିବେ। ବାବୁଗିରିର ସର୍ବୋଚ୍ଚ କ୍ୟାବିନେଟ୍‌ ସଚିବ ପାହ୍ୟା ଦେଇ ସରକାର ଶର୍ମାଙ୍କୁ ସମ୍ବେଦନଶୀଳ କଶ୍ମୀର ପ୍ରସଙ୍ଗରେ ସ୍ବାଧୀନଭାବେ ନିଷ୍ପତ୍ତି ନେବାର କ୍ଷମତା ଦେଇଛନ୍ତି। ଅନେକେ ଭାବୁଛନ୍ତି ମୋଦି ସରକାର ନିଜର କଠୋର ଆଭିମୁଖ୍ୟ ତ୍ୟାଗ କରି କଥାବାର୍ତ୍ତା ମାଧ୍ୟମରେ କଶ୍ମୀର ଅଚଳାବସ୍ଥାର ସମାଧାନ କରିବାକୁ ଚାହାନ୍ତି। ଚଳିତବର୍ଷ ବିଗତ ଦିନରେ ଶର୍ମାଙ୍କୁ ଆସାମର ଉଲ୍‌ଫା ଉଗ୍ରପନ୍ଥୀ ଓ ବୋଡ଼ୋ ନେତାମାନଙ୍କ ସହ କଥାବାର୍ତ୍ତା କରିବାକୁ କୁହାଯାଇଥିଲା। ତେଣୁ କେନ୍ଦ୍ର ସରକାରଙ୍କର ଯେ ତାଙ୍କ ଉପରେ ଆସ୍ଥା ଅଛି, ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ବିହାରର ବାସିନ୍ଦା ହେଲେ ହେଁ ୧୯୭୯ ମସିହାରେ ଆଇପିଏସ୍‌ ପାଇଲା ବେଳେ ତାଙ୍କୁ କେରଳ କ୍ୟାଡର ଦିଆଯାଇଥିଲା। ୨୦୧୪ରେ ଗୋଇନ୍ଦା ବ୍ୟୁରୋ ମୁଖ୍ୟ ହେବା ପୂର୍ବରୁ ଶର୍ମା ଜମ୍ମୁ-କଶ୍ମୀର, ନାଗାଲାଣ୍ଡ, ମଣିପୁର ଓ ଉତ୍ତରପ୍ରଦେଶ ପରି ବହୁ ସ୍ଥାନରେ କାର୍ଯ୍ୟ କରିଥିଲେ। ଗୋଇନ୍ଦା ବ୍ୟୁରୋରେ ସେ ମଧ୍ୟ ଅତିରିକ୍ତ ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ଥିଲେ।

କୂଟନୈତିକ ଅନିଶ୍ଚିତତା

ଭାରତୀୟ ବିଦେଶ ସେବା କ’ଣ ବର୍ତ୍ତମାନର ଜଗତୀକରଣ ଯୁଗରେ ସମସ୍ତ ଚାହିଦା ପୂରଣ କରିବାକୁ ସକ୍ଷମ? ଏପରି ପ୍ରଶ୍ନ ଉଠାଇଛି ବିଦେଶ ବ୍ୟାପାର ସମ୍ବନ୍ଧିତ ସଂସଦୀୟ କମିଟି। କମିଟିର ଅଧ୍ୟକ୍ଷ ଶଶୀ ଥରୁରଙ୍କ ମତରେ ଏହି ବିଭାଗରେ ବର୍ତ୍ତମାନ ଯେତିକି କୂଟନୀତିଜ୍ଞ ଓ କର୍ମଚାରୀ ଅଛନ୍ତି ତାହା ଯଥେଷ୍ଟ ନୁହେଁ। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଆଇଏଫ୍‌ଏସ୍‌ ସଂଖ୍ୟାକୁ ନେଇ କମିଟି ଘୋର ଉଦ୍‌ବେଗ ପ୍ରକାଶ କରିଛି। ୯୧୨ ଆଇଏଫ୍‌ଏସ୍‌ ଅଫିସର ରହିବା ସ୍ଥଳେ ବର୍ତ୍ତମାନ ଅଛନ୍ତି ମାତ୍ର ୭୭୦ ଜଣ। ଏପରି କି ଅନ୍ୟ ଦେଶ ତୁଳନାରେ ଆମର ଅନୁମୋଦିତ ସଂଖ୍ୟା ବି ଯଥେଷ୍ଟ କମ୍‌। ଉଦାହରଣ ସ୍ବରୂପ, ବ୍ରାଜିଲର କୂଟନୀତିଜ୍ଞମାନଙ୍କ ଅନୁମୋଦିତ ସଂଖ୍ୟା ୧,୨୦୦ ହୋଇଥିବା ବେଳେ ଭାରତର ମାତ୍ର ୯୧୨। ଚାଇନା ପରି ଦେଶରେ ୬,୦୦୦ କୂଟନୀତିଜ୍ଞ ଥିବାବେଳେ ଆମେରିକାରେ ଅଛନ୍ତି ପ୍ରାୟ ୨୦,୦୦୦। ଆମ ଦେଶ ଓ ମନ୍ତ୍ରଣାଳୟ ପାଖରେ ଯେତିକି କାମ ଓ ଆହ୍ବାନ ରହିଛି, ସେହି ତୁଳନାରେ ଆମର କୂଟନୀତିଜ୍ଞମାନଙ୍କ ସଂଖ୍ୟା ଢେର୍‌ କମ୍‌। ଯଦିଚ ଗତବର୍ଷ ବିଦେଶ ସେବାରେ ପୂର୍ବାପେକ୍ଷା ଅଧିକ ବାବୁଙ୍କୁ ଗ୍ରହଣ କରାଯାଇଥିଲା, ଏମାନେ ଜଣେ ଜଣେ ଦକ୍ଷ କୂଟନୀତିଜ୍ଞ ହେବା ପାଇଁ ଅତି କମ୍‌ରେ ୧୦ ବର୍ଷର ଅଭିଜ୍ଞତା ଦରକାର। କମିଟି ତା’ର ସୁପାରିସରେ ପ୍ରସ୍ତାବ ଦେଇଛି ଯେ, ଯୋଗ୍ୟତା ଓ ଦକ୍ଷତା ଦେଖି ଅନ୍ୟ ସେବାର ଅଫିସରଙ୍କୁ ମଧ୍ୟ ଆଇଏଫ୍‌ଏସ୍‌ ଭାବେ ନିଯୁକ୍ତି ଦିଆଯାଉ। ଏପରି କି ଏହି ସେବା ପାଇଁ ଏକ ସ୍ବତନ୍ତ୍ର ପରୀକ୍ଷା ବ୍ୟବସ୍ଥାର ପ୍ରଚଳନ କରିବା ପାଇଁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି। ତା’ହେଲେ ଯେଉଁମାନଙ୍କର ଏହି ସେବା ପ୍ରତି ଆଗ୍ରହ ଥିବ, ସେମାନେ ପରୀକ୍ଷା ଦେଇ ଏହି ସେବା କ୍ଷେତ୍ରକୁ ଆସିପାରିବେ।

Email: dilipcherian@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri