ମେଣ୍ଢାଲୋମରେ ନିଆଁ

ମନ-ମାନଚିତ୍ର/ ଡ. ନରହରି ବେହେରା

ସଂ ସ୍କୃତରେ ଗୋଟିଏ ଗଳ୍ପ ଅଛି। ଗଳ୍ପଟିର ସାରକଥା ଏମିତି- ରାଜାଙ୍କ ରୋଷେଇଶାଳକୁ ମେଣ୍ଢାମାନେ ପ୍ରତ୍ୟେକ ଦିନ ପଶିବାକୁ ଚେଷ୍ଟା କରୁଥାନ୍ତି। ତାଙ୍କୁ ଘଉଡ଼ାଇବା ପାଇଁ ରାନ୍ଧୁଣିଆମାନେ ସେମାନଙ୍କ ଉପରକୁ ଅର୍ଦ୍ଧଦଗ୍ଧ କାଠ ଫୋପାଡ଼ି ଥାଆନ୍ତି। ମେଣ୍ଢାମାନଙ୍କ ଲୋମରେ ନିଆଁ ଲାଗିଯାଏ। ସେମାନେ ନିଆଁ ଲିଭାଇବା ପାଇଁ ଘୋଡ଼ାଶାଳରେ ପଡ଼ିଥିବା ଶୁଖିଲା ଘାସ ଉପରେ ଗଡ଼ିଯାଆନ୍ତି। ରାଜ ଉଦ୍ୟାନରେ ଥିବା ବିଜ୍ଞ ବୁଢ଼ା ମାଙ୍କଡ଼ଟି ଏହି ଦୃଶ୍ୟ ଦେଖି ଅନ୍ୟ ମାଙ୍କଡ଼ମାନଙ୍କୁ କହିଲା, ରାନ୍ଧୁଣିଆ ଏବଂ ମେଣ୍ଢାଙ୍କର ଏ ଲଢ଼େଇରେ ଦିନେ ନିଶ୍ଚୟ ଘୋଡ଼ାଶାଳରେ ନିଆଁ ଲାଗି ଘୋଡ଼ାମାନଙ୍କ ଦେହରେ ପୋଡ଼ାଘାଆ ସୃଷ୍ଟି ହେବ। ଘୋଡ଼ାଙ୍କର ଏହି ଘାଆ ଶୁଖିବା ପାଇଁ ବୈଦ୍ୟଶାସ୍ତ୍ର ଅନୁସାରେ ମାଙ୍କଡ଼ ଚର୍ବି ହିଁ ଭଲ ଔଷଧ। ତେଣୁ ଦିନେ ନା ଦିନେ ଏଇ ଘାଆ ଭଲ ପାଇଁ ରାଜାଙ୍କର ଲୋକମାନେ ଆମକୁ ଧରି ମାରିବେ। ଆମ ମାଙ୍କଡ଼ବଂଶ ନିପାତ ହେବ। କହିବା ବାହୂଲ୍ୟ, ପରବର୍ତ୍ତୀ ପ୍ରସଙ୍ଗରେ ବୁଢ଼ାମାଙ୍କଡ଼ର କଥା ସତ୍ୟରେ ପରିଣତ ହୋଇଛି, ମାଙ୍କଡ଼ମାନେ ଅକାଳ ମୃତ୍ୟୁର ସାମ୍ନା କରିଛନ୍ତି। ଏ ପ୍ରସଙ୍ଗ ଅବତାରଣାର ଉଦ୍ଦେଶ୍ୟ ହେଉଛି ବର୍ତ୍ତମାନ ଆମେରିକା ଏବଂ ଉତ୍ତରକୋରିଆ ମଧ୍ୟରେ ଯେମିତି ପରମାଣୁ ଅସ୍ତ୍ରର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ସେଥିରେ ସେହି ଅଭାଗା ମାଙ୍କଡ଼ଙ୍କ ପରି ପ୍ରାୟ ସବୁଦେଶ ବଳିପଡ଼ିଯିବେ। କାରଣ ଆମେରିକା ଓ ଉତ୍ତରକୋରିଆ ନିଜ ନିଜ ଜିଦ୍‌ରେ ଯେମିତି ଅଟଳ ଅଛନ୍ତି, ଜଣାପଡ଼ୁଛି କେହି ଯୁଦ୍ଧର ଭୟାବହତା ଏବଂ ଏହାର ପରବର୍ତ୍ତୀ ପରିଣାମକୁ ଚିନ୍ତା କରୁନାହାନ୍ତି। ଏ ହେଲା ବିଶ୍ୱର ଚିତ୍ର। ଏବେ ଭାରତ କଥା ନ କହିବା ଭଲ। ଏ ଦେଶ ବାହ୍ୟ ଓ ଆଭ୍ୟନ୍ତରୀଣ ଶତ୍ରୁ ଦ୍ୱାରା କବଳିତ। ପଡ଼ୋଶୀ ରାଷ୍ଟ୍ର ଚାଇନା, ପାକିସ୍ତାନ ଯେପରି ଶତ୍ରୁତା ଆଚରଣ କରୁଛନ୍ତି ତାହା ବାକ୍ୟରେ ବର୍ଣ୍ଣନା କରିହେବ ନାହିଁ। ଆତଙ୍କବାଦୀଙ୍କ ଗୋପନ ଅଭିଯାନ ସବୁବେଳେ ଏ ଦେଶକୁ ଆତଙ୍କିତ କରୁଛି। ପାକିସ୍ତାନ କଶ୍ମୀରରେ ବିଭୀଷିକା ରଚନା କରୁଥିବାବେଳେ ଚାଇନାର ନାଲିଆଖି ସବୁବେଳେ ଯୁଦ୍ଧର ଆଶଙ୍କା ସୃଷ୍ଟି କରୁଛି। କଥାରେ ଅଛି, ସମସ୍ତଙ୍କୁ ପାରିହେବ, ମାତ୍ର ଘର ଢିଙ୍କି କୁମ୍ଭୀର ହେଲେ ତାକୁ ପାରିବା ସହଜ ନୁହେଁ। ବାହାର ଶତ୍ରୁଙ୍କୁ ସିନା ଚିହ୍ନିହେବ, କିନ୍ତୁ ଘରର ଶତ୍ରୁକୁ କେମିତି ଚିହ୍ନିବେ? ଏବେ ଆମ ଦେଶ ସେହି ଘରୋଇ ଶତ୍ରୁଙ୍କ ଘେରରେ। ସେମାନେ ଏହି ଦେଶରେ ଅଛନ୍ତି, ମାତ୍ର ଭାରତକୁ ନିଜର ବୋଲି କହିବାକୁ ଚାହାନ୍ତି ନାହିଁ। ଯେଉଁ ଦେଶର ପତାକାକୁ ନୀଳ ଆକାଶରେ ଉଡ଼ାଇବା ପାଇଁ ହଜାର ହଜାର ଦେଶପ୍ରେମୀ ପ୍ରାଣତ୍ୟାଗ କଲେ ସେହି ତ୍ୟାଗକୁ ଚିହ୍ନିବା ପାଇଁ ଏମାନେ ସତେଯେମିତି ରାଜି ନୁହନ୍ତି। ଗୋଟିଏ ଦେଶ ମଧ୍ୟରେ ଥାଇ ବିଚ୍ଛିନ୍ନତାବାଦୀ ଚିନ୍ତାରେ ଏମାନେ ବ୍ୟସ୍ତ। କର୍ନାଟକର ମୁଖ୍ୟମନ୍ତ୍ରୀ ଭାରତର ତ୍ରିରଙ୍ଗା ପତାକା ତଳେ ନିଜ ରାଜ୍ୟକୁ ନ ରଖି ଗୋଟିଏ ସ୍ବତନ୍ତ୍ର ପତାକା ଦାବିକରିବା, ଏପରି ଏକ ବିଚ୍ଛନ୍ନତାବାଦୀ ଚିନ୍ତାଧାରା ବୋଲି କୁହାଯାଇପାରେ। ନାଗାମାନେ ପୂର୍ବରୁ ଅନୁରୂପ ଦାବି କରିଥିଲେ। ଜଣେ ଜନପ୍ରତିନିଧି, ଯାହାଙ୍କ ଚିନ୍ତା ଚେତନା ଏବଂ ଦକ୍ଷତାକୁ ଏ ଦେଶର ଜନତା ଚାହିଁ ବସିଛନ୍ତି ସେ ଏପରି ଦାବି କରିବା କେବଳ ଏ ଦେଶର ଦୁର୍ଭାଗ୍ୟ ବ୍ୟତୀତ ଆଉ କିଛି ନୁହେଁ। ଗତବର୍ଷ କଶ୍ମୀରର ଜଣେ ନେତ୍ରୀ ଧମକ ଦେଇ କହିଥିଲେ, ଭାରତୀୟ ସମ୍ବିଧାନର ଧାରା ୩୭୦ରେ ଜମ୍ମୁ-କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ମର୍ଯ୍ୟାଦାକୁ ଉଚ୍ଛେଦ କରାଗଲେ ଆମେ ଭାରତରେ ରହିବୁ କି ନାହିଁ ତା’ର ପୁନର୍ବିଚାର କରିବୁ। ଏପରି ଆହ୍ବାନ ଦେଶ ପ୍ରତି ଆନୁଗତ୍ୟ ନା ଦୟା ତା’ ବୁଝାପଡ଼ୁନାହିଁ। ଏ କଥା ଜଣେ ଅଶିକ୍ଷିତ କିମ୍ବା ସାଧାରଣ ଜନତା କହିଥିଲେ ହୁଏତ ତାଙ୍କ ଅଜ୍ଞତାକୁ କ୍ଷମାଯୋଗ୍ୟ ବୋଲି କୁହାଯାଇପାରିଥାନ୍ତା। ମାତ୍ର ଏ ଜଣେ ନିର୍ବାଚିତ ପ୍ରତିନିଧି। ତେଣୁ ତାଙ୍କ ମୁହଁରେ ଦେଶ ପ୍ରତି ଏମିତି ଅହେତୁକ କୃପାପୂର୍ଣ୍ଣ ବାକ୍ୟ ଆମର ହଜମ ହେଉନାହିଁ। ହେ ମହାଜନେ, ଯେଉଁ ସମ୍ବିଧାନ ଆପଣମାନଙ୍କୁ ଏତେ ସୁବିଧା ଦେଇଛି, ସେହି ଦେଶକୁ ଆପଣ ଅନୁଗ୍ରହ ଯାଚିବାର କ୍ଷମତା ପାଇଲେ କୋଉଠୁ? ବରଂ ଆପଣ ସେ ଦେଶ ପ୍ରତି ଆଜୀବନ କୃତଜ୍ଞ ରହିବା କଥା। ତାହା ନ କରି ଆପଣ ଯଦି ଏପରି ମନ୍ତବ୍ୟ ଦେବେ ତେବେ ଆପଣଙ୍କ ଅନୁଗତମାନେ ଆହୁରି ଉଚ୍ଛୃଙ୍ଖଳ ଓ ବେପରୁଆ ହୋଇଯିବେ। ଆମ କଥା ଶୁଣିବା ହେଉ, ଏ ଦେଶ ପ୍ରତି କୃତଜ୍ଞ ହେବା ଶିଖନ୍ତୁ। ରାମମନ୍ଦିର ପରେ ଏବେ ତାଜମହଲକୁ ନେଇ ପୁନର୍ବାର ବିବାଦର ଝଡ଼ ଉଠିଛି। ତାଜମହଲ କେବଳ ଭାରତରେ ନୁହେଁ ବିଶ୍ୱରେ ଗୋଟିଏ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଛି। ମାତ୍ର ଜଣେ ନିର୍ବାଚିତ ପ୍ରତିନିଧି ଏହି ତାଜମହଲ ଉପରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଅନେକଙ୍କୁ କେବଳ ଆଶ୍ଚର୍ଯ୍ୟ କରିନାହିଁ ଅଶେଷ ଦୁଃଖ ଦେଇଛି ମଧ୍ୟ। ସେ କହିଛନ୍ତି, ଏ ତାଜମହଲ ହେଉଛି ଦାସତ୍ୱର ପ୍ରତୀକ। ଭାରତୀୟ ଶ୍ରମିକମାନଙ୍କ ଝାଳ ଓ ରକ୍ତରେ ଏହା ନିର୍ମିତ। ତେଣୁ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ଉଚ୍ଛେଦ କରାଯିବ। ଯେକୌଣସି କୀର୍ତ୍ତିିସୌଧ ନିର୍ମାଣରେ ଶ୍ରମିକମାନଙ୍କର ଲୁହଲହୁର ଅବଦାନ ହିଁ ଥାଏ, ଏ କଥା ଏ ଜନପ୍ରତିନିଧି ନିଶ୍ଚୟ ଜାଣିଥିବେ। ସେମାନଙ୍କର ତ୍ୟାଗ ଏବଂ ଶ୍ରମ ବିନା କୌଣସି ସୌଧ ବା ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା ନିର୍ମାଣ କରିବା ସମ୍ଭବ ନୁହେଁ। ଓଡ଼ିଶାର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର କୋଣାର୍କ କଥା ଚିନ୍ତା କରାଯାଉ। ଏହି ମନ୍ଦିର ନିର୍ମାଣ ପଛରେ ଯେଉଁ ମର୍ମଦାହୀ ଗାଥା ରହିଛି, ତାହା ଆମ ସମସ୍ତଙ୍କୁ ଜଣା। ବାରଶହ ବଢ଼େଇ ବାରବର୍ଷ ନିଜ ପରିବାର ପରିଜନଙ୍କୁ ତ୍ୟାଗକରି ଲହୁଲୁହ ଏକକରି ଶ୍ରମଦାନ କରିଥିଲେ। ଶେଷରେ ଜଣେ ବାରବର୍ଷର ପିଲାକୁ ଆମତ୍ବଳି ଦେବା ପାଇଁ ଏକପ୍ରକାର ବାଧ୍ୟ କରାଗଲା। ଏହାକୁ କ’ଣ ଦାସତ୍ୱର ଚିହ୍ନ କୁହାଯିବ? ଏହି କାରଣରୁ କ’ଣ କୋଣାର୍କକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ ଦିଆଯିବ? ହେ ମହାଜନେ, ଆଜି ଯୁଗ ବଦଳିଛି। ଏ ଦେଶ, ଏ ଜାତି ଆପଣମାନଙ୍କଠାରୁ ଅନେକ କିଛି ଆଶା କରିଛି। ‘ମହାଜନଃ ଯେନ ଗତଃ ସଃ ପନ୍ଥାଃ’ ନ୍ୟାୟରେ ଆମେ ଆପଣଙ୍କର ଅନୁଗାମୀ। ତେଣୁ ଆପଣମାନେ ଇତିହାସ ପଛରେ ନ ଗୋଡ଼ାଇ ଆମ ଦେଶର ସଂସ୍କୃତି, ସଭ୍ୟତା ପ୍ରଭୃତି କିପରି ଇତିହାସରେ ସ୍ଥାନ ପାଇବ ସେଥିପାଇଁ ଆପଣଙ୍କ ଉର୍ବର ମସ୍ତିଷ୍କରେ ଚିନ୍ତା କରନ୍ତୁ। ସଂକୀର୍ଣ୍ଣ ରାଜନୀତି କିମ୍ବା ବ୍ୟକ୍ତିଗତ ଦୁର୍ବଳ ଦୃଷ୍ଟିରେ ଦେଶର ସାର୍ବଭୌମତ୍ୱକୁ ବିପନ୍ନ କରନ୍ତୁ ନାହିଁ। ଅନେକ ବିଶ୍ୱାସ ଓ ଆସ୍ଥାରେ ଆପଣମାନଙ୍କୁ ଆମେ ନେତାର ମାନ୍ୟତା ଦେଇଛୁ। ଏବେ ବି ସବୁ ଗାଁକୁ ରାସ୍ତା ନାହିଁ, ମୁଣ୍ଡଗୁଞ୍ଜିବାକୁ ସମସ୍ତଙ୍କର ଘର ନାହିଁ, ହଜାର ହଜାର ଲୋକ ଅଭୁକ୍ତ ରହୁଛନ୍ତି। ଏମାନଙ୍କ ସମସ୍ୟାର ସମାଧାନ ପାଇଁ ବେଳ ଆସିଛି। ଏମାନେ ବଦଳିଲେ ଇତିହାସ ବଦଳିବ। ସେ ଇତିହାସ ବଦଳାଇବାକୁ ଆପଣ ହିଁ ସମର୍ଥ। କାରଣ ଆପଣ ହିଁ ଆମ ଦେଶର କୋଟି କୋଟି ଜନତାଙ୍କ ଦୃଷ୍ଟିରେ ମହାଜନ। ଆପଣଙ୍କ ହାତରେ ଆମେ କ୍ଷମତା ଦେଇଛୁ। ଗାନ୍ଧିଜୀ ପରା କହିଥିଲେ, ‘ଦୃଢ଼ମନା ମୁଷ୍ଟିମେୟ ଲୋକ ଇତିହାସର ମୋଡ଼ ବଦଳାଇ ଦେଇପାରନ୍ତି।’ ସେ ଇତିହାସର ଗତି ‘ବହୁଜନ ହିତାୟ ବହୁଜନ ସୁଖାୟ’ ହେଉ। ଗୋଟିଏ ଦେଶର ଗୋଟିଏ ପତାକା, ଗୋଟିଏ ସଂସ୍କୃତି, ଗୋଟିଏ ଜାତୀୟ ସଙ୍ଗୀତ ଏବଂ ଗୋଟିଏ ସଭ୍ୟତା ହିଁ ତା’ର ଏକତାର ପରିଚୟ। ତେଣୁ ତାକୁ ବିଖଣ୍ଡିତ କରନ୍ତୁ ନାହିଁ। ପୂର୍ବପୁରୁଷଙ୍କ କଷ୍ଟାର୍ଜିତ ଏ ଦେଶର ସଂସ୍କୃତି, ସଭ୍ୟତା ଓ ସାର୍ବଭୌମତ୍ୱକୁ ରକ୍ଷାକରିବା ହେଉ।

ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ: ୯୪୩୮୪୬୫୪୭୮



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri