ଧାତ୍ରୀ ସ୍ବରୂପା

ରବିନ୍‌ ଖଣ୍ଡାୟତରାୟ

ରନତ୍ପଥର ଅତୀବ ମୂଲ୍ୟବାନ, ଯାହା ପାଇବାକୁ ଅନେକେ ଆଗ୍ରହୀ। କିନ୍ତୁ ଅସଲି ରତ୍ନ ରହିଛି ଆମ ଘରେ, ସମସ୍ତଙ୍କ ପରିବାରରେ। ସେ ହେଉଛି ଆମ ଝିଅ। ତେଣୁ କୁହାଯାଇଛି କନ୍ୟାରତ୍ନ କର ଯତ୍ନ। ଝିଅ ବେଳେ ସେ ବାପଘରର ଶ୍ରୀବୃଦ୍ଧି କରିବାରେ ସହାୟକ ହେଉଥିବା ବେଳେ, ବିବାହ ପରେ ଶାଶୁଘରର ମର୍ଯ୍ୟାଦା ବୃଦ୍ଧିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ଘରେ ଝିଅଟିଏ ଥାଇ ପୁଣି ଝିଅଟିଏ ଜନ୍ମ ହେଲେ ଆଜି ମଧ୍ୟ ଅନେକ ପରିବାରର କିଛି ସଦସ୍ୟ ଦୁଃଖିତ ହୁଅନ୍ତି। ଯାହାର କାରଣ ହୁଏତ ପୁଅଟିଏ ପାଇବାର ଆଶା, ଆଉ ପୁଅକୁ ନେଇ ଦେଖୁଥିବା ଅନେକ ସ୍ବପ୍ନ। ତେଣୁ ସେଦିନ ଘରକୁ ମୀରା ଆସିଲା ବୋଲି ଜେଜେ, ଜେଜେମାଆ ଆଉ ଅଜା, ଆଈଙ୍କର ଭାରି ମନଦୁଃଖ। କିନ୍ତୁ ତା’ବାପାମାଆଙ୍କ ମନ ଦୁଃଖ ନ ଥିଲା। କାରଣ ଆଜି ପୁଅ କ’ଣ ଅଧିକ କରୁଛନ୍ତି, ଯାହା ଝିଅ କରିପାରୁନାହାନ୍ତି ତାହା ସେମାନେ ହୁଏତ ବୁଝିଥିଲେ। ଅତଏବ ଅବହେଳା ନୁହେଁ ଆଦର, ଆଉ ସେ ରତ୍ନ ପାଇଁ ଉପଯୁକ୍ତ ଯତ୍ନ ଦରକାର। ଯାହା ଭବିଷ୍ୟତରେ କେବଳ ପରିବାରକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ କୋଟି ରତ୍ନପଥରର ମୂଲ୍ୟ ଅପେକ୍ଷା ଲକ୍ଷେ ଗୁଣ ଅଧିକ ଲାଭଦେବ। କାରଣ ଆଜିର ଅବକ୍ଷୟମୁଖୀ ସମାଜକୁ କେବଳ ସେଇମାନେ ହିଁ ଚାହିଁଲେ ରୋକିପାରିବେ ଆଉ ହଜିଯାଉଥିବା ଗୌରବ ଓ ଲୁଚିଯାଉଥିବା ମାନମର୍ଯ୍ୟାଦାକୁ ପୁଣି ଫେରାଇ ଆଣିପାରିବେ। ଆଗକୁ ଏମିତି ଗୋଟିଏ ଗୋଟିଏ ଅସଲି ରତ୍ନ ଗଢ଼ିହେବାର ଆଶାରେ କେତୋଟି ଉପଦେଶାତ୍ମକ କଥା ବିଭିନ୍ନ ସୂତ୍ରରୁ ସଂଗ୍ରହ କରି ମୀରା ପରି ଝିଅମାନଙ୍କ ପାଇଁ ଲେଖାଟିଏ ଲେଖୁଛି। ସ୍ବାମୀ ସ୍ବରୂପାନନ୍ଦ ପରମହଂସଦେବଙ୍କ କୁମାରୀର ପବିତ୍ରତା ଗ୍ରନ୍ଥରେ ଝିଅମାନଙ୍କୁ ସମ୍ବୋଧନ କରି ଲେଖାଥିବା ଉପଦେଶମାନ ହିଁ ଏ ଲେଖାର ପୃଷ୍ଠଭୂମି। ସ୍ବାମିଜୀଙ୍କ ମତରେ- ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ଗୁରୁତ୍ୱ ଅଧିକ। କୌଣସି ଦେଶ ବା ଜାତିର ଭବିଷ୍ୟତ ଭାଗ୍ୟ ନିର୍ଦ୍ଧାରଣରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ଦାୟିତ୍ୱ ଅଧିକ। କାରଣ ଏହିମାନେ ହେଉଛନ୍ତି ଜାତୀୟ ଜୀବନର ଧାତ୍ରୀ ସ୍ବରୂପା, ଏହିମାନଙ୍କ କୋଳରେ ଭବିଷ୍ୟତ ଭାରତ କ୍ରୀଡ଼ା କରିବ। ତୋର କୁମାରୀ ଜୀବନକୁ ଭିତ୍ତିକରି ଭବିଷ୍ୟତରେ ଯେଉଁ ମହାଜୀବନର ସୌଧ ନିର୍ମିତ ହେବ ତା’ର ବିଶାଳତା ଓ ମହନୀୟତା ତୋର ଧ୍ୟେୟ ହେଉ ଏବଂ ଜୀବନକୁ ଏପରି ସୁଗଠିତ କର ଯେ ହେଳାରେ କୌଣସି ସୁଯୋଗ ହାତରୁ ଖସିଗଲା ବୋଲି ଭବିଷ୍ୟତରେ ଯେପରି ଅନୁତାପ କରିବାର ଅବକାଶ ନ ରହେ। ସେଥିପାଇଁ ନିଜ ଉପରେ ଗଭୀର ବିଶ୍ୱାସ ରଖିବୁ, ସର୍ବଦା ସକାରାତ୍ମକ ଚିନ୍ତା ଉପରେ ଗୁରୁତ୍ୱ ପ୍ରଦାନ କରି ତ୍ୟାଗ, ସେବା ଏବଂ ତ୍ରୁଟି ସଂଶୋଧନ କରିବାକୁ ଯତ୍ନବାନ ହେବୁ। ଝିଅରେ! ବୟସ ବଢ଼ିବା ସହିତ ମନରେ ନୂଆ ନୂଆ ଚିନ୍ତା ଓ ଭାବନା ସୃଷ୍ଟି ହୁଏ, ଯାହା ହୁଏତ ମଣିଷକୁ କୁପଥରେ ନେଇଯିବାର ସମ୍ଭାବନା ଥାଏ କିନ୍ତୁ ସେଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କଲେ ସେ ଘଡ଼ିସନ୍ଧି ମୁହୂର୍ତ୍ତ ଭଲରେ କଟିଯାଏ। ଅନ୍ୟଥା ନିର୍ମଳ ଜୀବନ ଆକାଶରେ ଧୀରେ ଧୀରେ ଦୁର୍ଭାଗ୍ୟର କଳାମେଘ ଘୋଟିଆସି ଦୂଷଣ, କଷଣ ପରିତାପ ପରି ଝଡ଼ବର୍ଷାର ବିତ୍ପାତ ସୃଷ୍ଟି କରେ। ଦୃଢ଼ ଆମତ୍ନିର୍ଭରଶୀଳତା ସାଙ୍ଗକୁ ଆଳସ୍ୟ ପରିତ୍ୟାଗ କରି ତୁ ଯଦି ଉଚ୍ଚ ଲକ୍ଷ୍ୟଆଡ଼କୁ ଦୃଷ୍ଟି ରଖୁ, ତାହାହେଲେ ଶତଗୁଣ ମହିମାସମ୍ପନ୍ନ କାର୍ଯ୍ୟ ଅକ୍ଳେଶରେ ସମ୍ପାଦନ କରିପାରିବୁ। ବୁଦ୍ଧିମତୀ ଝିଅ ତୁ ହେବୁ ଯଦି ଚାରିଆଡକୁ ନିଘା ରଖି ବାଟ ଚାଲୁଥିବୁ, ଆଉ କେବେ ବି ଅନ୍ଧ ଭଳି ହୋହଲ୍ଲାରେ ମାତି ନ ଯାଇ ନିଜ ବିବେକବୁଦ୍ଧିର ପରାମର୍ଶରେ କାମ କରୁଥିବୁ। ଉନ୍ନତିର ସୋପାନ ଚଢ଼ିବାକୁ ଅହରହ ଚେଷ୍ଟା କରୁଥିବୁ କିନ୍ତୁ ବୁନ୍ଦାଏ ଅପବିତ୍ରତାକୁ ପ୍ରଶ୍ରୟ ଦେବୁନାହିଁ। ମାଆଲୋ! ସଂସାରରେ ଅନେକ ଲୋକ ଦୀର୍ଘଜୀବନ ଲାଭ କରିଛନ୍ତି। କିନ୍ତୁ ପବିତ୍ରତାହୀନ ଦୀର୍ଘାୟୁ ଖାଲି ଦୁଃଖର ଜନକ ନୁହେଁ ବରଂ ଏହା ଅଗୌରବ ବର୍ଦ୍ଧକ ଓ କଳଙ୍କ ପ୍ରସାରକ। ସଂସାରରେ ବହୁଲୋକ ବିଦ୍ୟା ଅର୍ଜନ କରି ନିଜର ବାଗ୍ମିତା ଗୁଣରେ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। କିନ୍ତୁ ଅପବିତ୍ରତାର ବିଦ୍ୟା, ଓ ପ୍ରତିଭା ମାନବ ମନରେ ଶ୍ରଦ୍ଧା ବା ଭକ୍ତି ଜାଗ୍ରତ କରିପାରେ ନାହିଁ। ସଂସାରରେ ବହୁଲୋକ ଯଶସ୍ବୀ ହୋଇ ଚତୁର୍ଦ୍ଦିଗରେ ନିଜର ନାମ ଓ ଯଶର ବିସ୍ତାର କରିପାରିଛନ୍ତି କିନ୍ତୁ ପବିତ୍ରତା ଭଳି ଅମୂଲ୍ୟ ସମ୍ପଦ ବିନା ସେ ନାମଯଶ ଖଣ୍ଡ ଖଣ୍ଡ ହୋଇ ମାଟିରେ ମିଶିଯାଇଛି। ପବିତ୍ରତା ଧନରେ ଯେ ଧନୀ, ସେ ଦୀର୍ଘାୟୁ ନ ହେଲେ ମଧ୍ୟ ଜଗତରେ ପୂଜ୍ୟ। ପବିତ୍ରତା ହିଁ ସୌନ୍ଦର୍ଯ୍ୟ, ପବିତ୍ରତା ହିଁ ମାଧୁର୍ଯ୍ୟ ଆଉ ପବିତ୍ରତା ହିଁ ଯଥାର୍ଥରେ ଦୀପ୍ତି। ଏଥିପାଇଁ ସବୁ ବାପାମାଆଙ୍କର ଇଚ୍ଛା ସେମାନଙ୍କ ଝିଅମାନେ ପବିତ୍ର ହୁଅନ୍ତୁ। ଅନେକ ମଙ୍ଗଳମୟ ଉଦ୍ଦେଶ୍ୟ ସମ୍ପାଦନ କରିବା ପାଇଁ ଭଗବାନ ମାତୃଜାତିର ସୃଷ୍ଟି କରିଛନ୍ତି। ଆଉ ମାଆ ଡାକର ଯେପରି ଅମର୍ଯ୍ୟାଦା ନ ହେବ ସେଥିପାଇଁ ତମେମାନେ ବର୍ତ୍ତମାନଠାରୁ ଚେଷ୍ଟା କର। ଦେହକୁ ରୋଗମୁକ୍ତ ଆଉ ମନକୁ ପାପମୁକ୍ତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କର। ସାମାନ୍ୟ ସୁଖ ଲୋଭରେ ଚିତ୍ତ ଯେପରି ବିଭ୍ରାନ୍ତ ନ ହୁଏ। ଟିକିଏ ଲାଳସା ଯୋଗୁଁ ଅମୂଲ୍ୟ ଜୀବନ ଯେପରି ବ୍ୟର୍ଥ ନ ଯାଏ, ସେଥିପ୍ରତି ଧ୍ୟାନ ଦେବୁ। ସ୍ବର୍ଗୀୟ ଆନନ୍ଦରେ ମନପ୍ରାଣ ପରିପୂର୍ଣ୍ଣ ରଖିବାକୁ ଚେଷ୍ଟା କରି ଆନନ୍ଦମୟୀ ହୁଅ ଓ ଆନନ୍ଦଦାୟିନୀ ହୁଅ। କନ୍ୟାରତ୍ନମାନଙ୍କର ଉପଯୁକ୍ତ ଯତ୍ନ ନିଶ୍ଚିତଭାବରେ ନେବା ଓ ସତ୍‌ଶିକ୍ଷା ମାଧ୍ୟମରେ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରାଇବା ଦିଗରେ ସହଯୋଗ କରିବା ଆମ ପ୍ରତ୍ୟେକଙ୍କର ଧ୍ୟେୟ ହେବା ଆବଶ୍ୟକ।

ମୋ- ୯୭୭୬୬୯୨୨୦୭



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri