ଆଜିର ଅର୍ଥନୀତି/ନିର୍ବାଚନ ତରୀ

ଦେଶର ଅର୍ଥନୀତିକୁ ଆଗେଇ ନେବା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଏକ ୯ ଲକ୍ଷ କୋଟି ଟଙ୍କାର ବେଲ୍‌ଆଉଟ୍‌ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗତ ମାସରେ ଏପରି ଏକ ପ୍ୟାକେଜ୍‌ ସମ୍ବନ୍ଧରେ ସୂଚନା ଦେଇଥିଲେ, ଯଦିଚ ପରେ ସେ ଏହାକୁ ଅସ୍ବୀକାର କରିଥିଲେ। କେତେକ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ସଫଳତାକୁ ନେଇ ସରକାର ସମ୍ପୂର୍ଣ୍ଣଭାବେ ଡରିଯାଇଛନ୍ତି। ଏହା ସରକାରଙ୍କ ନିଜକୃତ କ୍ଷତି ସୁଧାରିବାକୁ ଏକ ପ୍ରୟାସ ବୋଲି କୁହାଯାଇପାରେ। ଗତବର୍ଷର ବିମୁଦ୍ରୀକରଣ ଓ ଗତ ଜୁଲାଇ ମାସରେ ଲାଗୁ କରାଯାଇଥିବା ଦ୍ରବ୍ୟ ଓ ସେବା କର (ଜିଏସ୍‌ଟି) ପରି ଲୋକବିରୋଧୀ ନୀତିକୁ ନେଇ ଜନସାଧାରଣ କ୍ଷୁବ୍ଧ, ଯେଉଁଥିପାଇଁ ଚଳିତ ମାସରେ ପଞ୍ଜାବରେ ହୋଇଥିବା ଏକ ଉପନିର୍ବାଚନରେ ଭାଜପାକୁ ପୂର୍ବରୁ ତା’ ଦଖଲରେ ଥିବା ଏକ ଆସନ ହରାଇବାକୁ ପଡ଼ିଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦି କହିଥିଲେ ଯେ, ଜିଏସ୍‌ଟି ପାଇଁ ଏକା ତାଙ୍କ ଦଳକୁ ଦୋଷ ଦେବା ଠିକ୍‌ ନୁହେଁ। ତାଙ୍କର ଏପରି ଉକ୍ତିରୁ ଭାଜପାଠାରୁ ଯେ ଭୋଟରମାନେ ମୁହଁ ଫେରାଉଛନ୍ତି, ତାହା ସ୍ପଷ୍ଟ ହୋଇଯାଇଛି। ମୋଦି କହିଲେ ଯେ, ଜିଏସ୍‌ଟି ନିଷ୍ପତ୍ତି ନେବାରେ କଂଗ୍ରେସର ବି ଭୂମିକା ରହିଛି। ସେଥିପାଇଁ ଯଦି ଦୋଷ ଦିଆଯାଏ, ତେବେ କେବଳ ଭାଜପାକୁ କାହିଁକି, କଂଗ୍ରେସକୁ ମଧ୍ୟ ସମାନ ଭାବେ ଦୋଷ ଦିଆଯିବା ଉଚିତ। ସରକାର ବର୍ତ୍ତମାନ ଯେଉଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି, ସେଥିରେ ଦେଶର ସଡ଼କ ଭିତ୍ତିଭୂମି ସମ୍ପ୍ରସାରଣ କରାଯିବ ଏବଂ ଦୁର୍ବଳ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ୨.୧୧ ଲକ୍ଷ କୋଟି ଟଙ୍କାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ପୁନଃପୁଞ୍ଜୀକରଣ କରାଯିବା ସହ ୬.୯୨ ଲକ୍ଷ କୋଟି ଟଙ୍କାରେ ସଡ଼କ ନିର୍ମାଣ କରାଯିବ। ଖର୍ଚ୍ଚ ବଢ଼ାଇ ଅଭିବୃଦ୍ଧିକୁ ଆଗେଇନେବାର ପ୍ରୟାସ ସ୍ବାଗତଯୋଗ୍ୟ। ତେବେ ଏପରି ବୃହତ୍‌ ପୁଞ୍ଜିନିବେଶ ପାଇଁ ସରକାରଙ୍କ ପାଖରେ ଯଥେଷ୍ଟ ସାଧନ ଅଛି କି? ୨୦୧୮ ଆର୍ଥିକ ବର୍ଷରେ ୩.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି, ଯାହା ୩.୨ ପ୍ରତିଶତ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟକୁ ପ୍ରଭାବିତ କରିପାରେ। ଦଳର ମୁଣ୍ଡିଆଳମାନେ ଦାବି କରୁଛନ୍ତି ଯେ, ଦେଶର ଅର୍ଥନୀତି ସ୍ବଚ୍ଛଳ ଅଛି ଏବଂ ଏହା ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍‌ ଅର୍ଥନୀତିଗୁଡ଼ିକ ମଧ୍ୟରୁ ଅନ୍ୟତମ। ଅନ୍ୟପକ୍ଷରେ ସରକାର ରିଜର୍ଭ ବ୍ୟାଙ୍କକୁ ଘରୋଇ ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ସୁଧହାର ହ୍ରାସ କରିବାକୁ କହୁଛନ୍ତି, ଯାହା କି ଅଭିବୃଦ୍ଧିକୁ ବଢ଼ାଇବା ପାଇଁ ଅଭିପ୍ରେତ। ଏହା ସରକାରଙ୍କର ବିରୋଧାତ୍ମକ ନୀତିର ଏକ ସୂଚକ ନୁହେଁ କି? ବିଭିନ୍ନ ଉପାୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜୀକରଣ କରାଯିବ, ଯଥା ବଣ୍ଡ୍‌ ଇସ୍ୟୁ କରିବା, ସରକାରୀ ଅଂଶ ହ୍ରାସ କରିବା ଏବଂ ବଜେଟୀୟ ସମର୍ଥନ ବୃଦ୍ଧି କରିବା ଇତ୍ୟାଦି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ଗୋଳମାଳିଆ ଅବସ୍ଥାରେ ରହିଛନ୍ତି। ବର୍ଷ ବର୍ଷ ଧରି ଖରାପ ଋଣ ଦେଇଚାଲିବା ଯୋଗୁ ଏହି ବ୍ୟାଙ୍କଗୁଡ଼ିକ ରୁଗ୍‌ଣ ହୋଇପଡ଼ିଛନ୍ତି। ସେଥିପାଇଁ ସେମାନେ ସାନି ଋଣ ଦେବା ପାଇଁ ଭୟ କରୁଛନ୍ତି। ଋଣଜନିତ ଅଭିବୃଦ୍ଧି ବର୍ତ୍ତମାନ ୫ ପ୍ରତିଶତ ରହିଛି, ଯାହା ଗତ ୬୦ ବର୍ଷରେ ସର୍ବନିମ୍ନ। ବ୍ୟାଙ୍କଗୁଡ଼ିକ ଆଗରୁ ଯାହା କରୁଥିଲେ, ଏବେ ବି ସେଇଆ କରୁଛନ୍ତି। ଅସୁବିଧା ପଡ଼ିଲେ ସାନି ପୁଞ୍ଜି ନେଇ ଲଗାଣ କରୁଛନ୍ତି। କୌଣସି ସଂରଚନାତ୍ମକ ପରିବର୍ତ୍ତନ ବା ସଂସ୍କାର କରୁନାହାନ୍ତି। ଏହାଦ୍ୱାରା ସେମାନଙ୍କର ମୂଳ ଉଦ୍ଦେଶ୍ୟ ସାଧିତ ହେବ ନାହିଁ। ପୁନଶ୍ଚ ସରକାର ଯେଉଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି, ତାହାଦ୍ୱାରା ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବ ବୋଲି କିଛି ନିଶ୍ଚିତତା ନାହିଁ, ଯାହା ଅନ୍ୟ ଅନେକ ବିଭାବ ଉପରେ ନିର୍ଭରଶୀଳ। ଚଳିତ ସପ୍ତାହ ପ୍ରାରମ୍ଭରେ ରାଜସ୍ବ ସଚିବ ହସମୁଖ ଆଧିଆ ସ୍ବୀକାର କରିଛନ୍ତି ଯେ, ଜିଏସ୍‌ଟି ହାର ଠିକ୍‌ ନାହିଁ ଏବଂ ତାକୁ ଶୃଙ୍ଖଳିତ କରିବା ଆବଶ୍ୟକ। ତାଙ୍କ ବିବୃତିରୁ ଜଣାପଡ଼ୁଛି ଯେ, ବ୍ୟବସାୟୀ ଗୋଷ୍ଠୀ ଜିଏସ୍‌ଟିକୁ ନେଇ ଖୁବ୍‌ ଅସୁବିଧାଜନକ ସ୍ଥିତିରେ ରହିଛନ୍ତି, ଯେଉଁଥିରୁ ସେମାନଙ୍କୁ ଉଦ୍ଧାର କରାଯିବା ଦରକାର। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ଅସୁବିଧା ଦୂର କରିବା ପାଇ’ଁ ସରକାର କେତେକ ଜିନିଷରେ ଜିଏସ୍‌ଟି ହାର ପରିବର୍ତ୍ତନ କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲିୟମ୍‌ ଉତ୍ପାଦ ଉପରୁ ଆମଦାନୀ ଶୁଳ୍କ ୨ ଟଙ୍କା ହ୍ରାସ କରିଥିଲେ। ଏହା କରି ସରକାର ପ୍ରମାଣ କରିବାକୁ ଚାହୁଁଥିଲେ ଯେ, ପେଟ୍ରୋଲିୟମ୍‌ ଉତ୍ପାଦଗୁଡ଼ିକର ଦରବୃଦ୍ଧି ପାଇଁ କେନ୍ଦ୍ର ନୁହେଁ, ରାଜ୍ୟ ସରକାରଗୁଡ଼ିକ ଦାୟୀ। କାରଣ ସେମାନେ ମଧ୍ୟ କିଛିଟା ଶୁଳ୍କ ହ୍ରାସ କରିବା କଥା, ଯାହା ସେମାନେ କରୁନାହାନ୍ତି। ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭୋଟରମାନଙ୍କ ପ୍ରିୟଭାଜନ ହେବା ପାଇଁ କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ସରକାରଗୁଡ଼ିକ ଯଦି ଚାହିଁବେ ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ଅଧୀନକୁ ଆଣିବାରେ ସେମାନଙ୍କର କୌଣସି ଆପତ୍ତି ନାହିଁ। କିନ୍ତୁ ଅସଲ କଥା ହେଲା, କେତେକ ରାଜ୍ୟର ବିଧାନସଭା ନିର୍ବାଚନ ଆଗକୁ ଥିବାରୁ କେନ୍ଦ୍ର ସରକାର ଏପରି ସବୁ ସକ୍ରିୟ ପ୍ରରୋଚକ ପଦକ୍ଷେପ ନେଉଛନ୍ତି। ଆମେ ଆଶା କରୁଛୁ, ଉଦ୍ଦେଶ୍ୟମୂଳକ ଭାବେ ସରକାର ଅର୍ଥନୀତିକୁ ସୁଧାରିବା ନାମରେ ଯେଉଁ ପ୍ୟାକେଜ୍‌ ଘୋଷଣା କରିଛନ୍ତି, ତାହା ତାଙ୍କର ନିର୍ବାଚନୀ ବୈତରଣୀ ପାରି ହେବା ପାଇଁ ବ୍ୟବହାର ହେବା ଉଚିତ ନୁହେଁ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri