ଖଳନାୟକଙ୍କ ଶେଷଦିନ

ନାରାୟଣ ପଣ୍ଡା

ମାନବ ଶିଶୁଟିଏ ଜନ୍ମ ହେବା ପରିବାର ପାଇଁ ଆନନ୍ଦର ବିଷୟ ହୋଇଥାଏ। ଭିକ୍ଷାଜୀବୀଠାରୁ ରାଜପରିବାର ପର୍ଯ୍ୟନ୍ତ ସମସ୍ତେ ନବାଗତର ଆଗମନରେ ଉଲ୍ଲସିତ ହୁଅନ୍ତି। ସେହିପରି ମଣିଷର ମୃତ୍ୟୁ ପରିବାର, ସମାଜ ଓ ସ୍ଥଳ ବିଶେଷରେ ସମଗ୍ର ଦେଶ ପାଇଁ ଦୁଃଖ ଆଣିଦେଇଥାଏ, ଯଦିଚ ଆତ୍ମା ଅବିନଶ୍ୱର। ମୃତ୍ୟୁ କେଉଁଠି ଅତିସ୍ମରଣୀୟ ହୋଇଥାଏ ତ, କେଉଁଠି ସମାଜ ପାଇଁ ଏକ ଆବଶ୍ୟକତା ହୋଇପଡେ। ମୃତ୍ୟୁର ପଦଧ୍ୱନି ଶୁଣିଲେ, ଅହଂକାର ଓ ଭୟର ଛାଇଆଲୁଅ ଭିତରେ ମଣିଷ ନିଃସ୍ବ ହୋଇଯାଏ। ମୃତ୍ୟୁକୁ ସେ ନିକଟରୁ ଦେଖି ତା’ର ଭୀଷଣତାକୁ ଅନୁଭବ କରେ। ଦିନେ ପ୍ରତାପୀ ମୋଗଲ ସମ୍ରାଟ୍‌ ଔରଙ୍ଗଜେବ ମୃତ୍ୟୁକୁ ଏହିଭଳି ପାଖରୁ ଦେଖିଥିଲେ। କ୍ଷମତାରେ ଅନ୍ଧ ସମ୍ରାଟ୍‌ ଦିନେ କହୁଥିଲେ- ତାଙ୍କ ନାଶଶୀଳ ଶରୀରରେ ଗୋଟିଏ ମାତ୍ର ନିଃଶ୍ୱାସ ବାକିଥିବା ପର୍ଯ୍ୟନ୍ତ ଯୁଦ୍ଧରୁ ତାଙ୍କର ବିରାମ ନାହିଁ। ଦୀର୍ଘ ୫୦ବର୍ଷର ରାଜତ୍ୱକାଳରେ ସେ କେବଳ ମଣିଷଙ୍କ ରକ୍ତରେ ହୋଲି ଖେଳିଛନ୍ତି। ଜୀବନର ତିନିଚତୁର୍ଥାଂଶ ସମୟ ସେନା ଶିବିରରେ କାଟିଥିବା ଏହି ସମ୍ରାଟ୍‌ ଦାକ୍ଷିଣାତ୍ୟରେ ଥିବା ସମୟରେ ହଠାତ୍‌ ଗୁରୁତର ଅସୁସ୍ଥ ହୋଇପଡିଲେ। ଫେରିପାରିଲେ ନାହିଁ ରାଜଧାନୀ ଦିଲ୍ଲୀ। ତାଙ୍କର ଅଧିକାଂଶ ପତ୍ନୀ, ପୁତ୍ର ଓ କନ୍ୟା ପୂର୍ବରୁ ମୃତ୍ୟୁପଥର ଯାତ୍ରୀ ସାଜିଥିଲେ। ଅହମଦାବାଦର ନିର୍ଜନ ଦୁର୍ଗରେ ଥିଲେ ଜଣେମାତ୍ର ପତ୍ନୀ ଉଦୟପୁରୀ ମହଲ। ମୃତ୍ୟୁ ପୂର୍ବରୁ ତାଙ୍କର ଜନୈକ ପୁତ୍ର ଆଜମ୍‌ଙ୍କୁ ଏକ ପତ୍ରରେ ଲେଖିଥିଲେ- ମୁଁ ଏକା ଆସିଥିଲି ଏବଂ ଫେରିଯାଉଛି ଅଜଣା ଅଲୋଡା ଭାବେ। ଜାଣିନାହିଁ ମୁଁ କିଏ? ଜାଣିନାହିଁ ମୁଁ କ’ଣ କରିଆସିଛି? କ୍ଷମତାରେ ଥାଇ ଯେଉଁ ସମୟକୁ ମୁଁ ଅତିକ୍ରାନ୍ତ କରିସାରିଛି, ତା’ ପଶ୍ଚାତରେ କେବଳ ଦୁଃଖ ହିଁ ରହିଛି। ମୁଁ ଏ ସାମ୍ରାଜ୍ୟର ଅଭିଭାବକ କିମ୍ବା ପ୍ରଭୁ ନୁହେଁ। ଜୀବନ ଅତ୍ୟନ୍ତ ମୂଲ୍ୟବାନ, ମୁଁ କିନ୍ତୁ ଏହାକୁ ନଷ୍ଟ କରିସାରିଛି। ପ୍ରଭୁ ମୋର ହୃଦୟରେ ଥିଲେ, ମୁଁ କିନ୍ତୁ ଦର୍ଶନ କରିପାରିଲିନାହିଁ। ଜୀବନ କ୍ଷଣସ୍ଥାୟୀ, ଅତୀତ ଅତିକ୍ରାନ୍ତ ଏବଂ ମୋ ପାଇଁ ଭବିଷ୍ୟତରେ କିଛି ଆଶା ହିଁ ନାହିଁ। ମୋତେ ମୁକ୍ତି ମିଳିବ ନାହିଁ, ମୋର ଦଣ୍ଡ ପାଇଁ ମୁଁ ଭୟକରେ। ପ୍ରଭୁଙ୍କ ଦାନ ଓ କରୁଣାରେ ମୁଁ ବିଶ୍ୱାସ କରେ, କିନ୍ତୁ ମୁଁ ଶଙ୍କିତ ମୋର ଅତୀତର କର୍ମଫଳ ପାଇଁ। ଅନ୍ୟ ଏକ ପତ୍ରରେ ସେ ତାଙ୍କର ପୁତ୍ର କାମବକ୍ସଙ୍କୁ ଲେଖିଛନ୍ତିି- ଏବେ ମୁଁ ମୋ ପ୍ରକୃତ ଘରକୁ ଫେରିଯାଉଛି। ଅନ୍ୟମାନଙ୍କୁ ମୁଁ ଯେଉଁ କ୍ଳେଶ ଦେଇଛି, ଯେପରି ପାପ କରିଛି, ଯେଉଁ ମହାଭୁଲମାନ କରିଛି, ସେସବୁ ପାଇଁ ମୁଁ ହିଁ ଉତ୍ତରଦାୟୀ। ଏହା ହିଁ ଆଶ୍ଚର୍ଯ୍ୟ, ମୁଁ ପୃଥିବୀକୁ କିଛି ଆଣି ନ ଥିଲି, କିନ୍ତୁ ପାପର ବିଶାଳ ପାହାଡକୁ ମୁଣ୍ଡରେ ଧରି ପ୍ରତ୍ୟାବର୍ତ୍ତନ କରୁଛି। ଜାଣେନାହିଁ, ମୋ ପାଇଁ କେଉଁ ଦଣ୍ଡ ଅପେକ୍ଷା କରିଛି। ଅନୁତାପର ବହ୍ନିରେ ଦଗ୍ଧ ହେଉଥିଲା ତାଙ୍କର ଦେହମନ। ଧୀରେ ଧୀରେ ସେ ଚଳତ୍‌ଶକ୍ତିରହିତ ହେଇଯାଉଥିଲେ। ପାଟିରୁ କଥା ସ୍ଫୁରୁ ନ ଥିଲା। ତେବେ ବି ରୋଗଶଯ୍ୟାରୁ ତାଙ୍କର କଠୋର ନିର୍ଦ୍ଦେଶ ଥିଲା- ପଣ୍ଡରପୁରର ବିଠବା ମନ୍ଦିର ଗୋ-ରକ୍ତରେ ସିକ୍ତ ହେବ ଏବଂ ଧ୍ୱଂସ ହେବ ମନ୍ଦିର। ଦରବାରୀ ଘାତକ ଓ ସେନାପତିଙ୍କ ଦ୍ୱାରା ଅଚିରେ ପାଳିତ ହେଲା ଏହି ଆଦେଶ। ରୁଷିଆର କମ୍ୟୁନିଷ୍ଟ ଶାସନ କାଳରେ ଲକ୍ଷଲକ୍ଷ ନିରୀହ ଲୋକଙ୍କର ମୃତ୍ୟୁର କାରଣ ହୋଇ ନିର୍ମମତାର ପ୍ରତୀକ ସାଜିଥିବା ଯୋଶେଫ ଷ୍ଟାଲିନ୍‌ ଏକ ଭୟଙ୍କର ମୃତ୍ୟୁର ସାମ୍ନା କରିଥିଲେ। ରାତ୍ରିର ଶେଷ ପ୍ରହରରେ ଶଯ୍ୟାଚ୍ୟୁତ ହୋଇ ସେ ତଳକୁ ଖସିପଡନ୍ତି। ମଳମୂତ୍ରରେ କର୍ଦମାକ୍ତ ହୁଏ ପାଇଜାମା। ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ହଜେଇବସନ୍ତି ସଂବିତ୍‌। ପ୍ରଭାତରେ ପରିଚାରକମାନେ ଅବଶ୍ୟ ଏ ଦୃଶ୍ୟ ଦେଖନ୍ତି। କିନ୍ତୁ ଭୟରେ ପାଖକୁ ଯାଆନ୍ତି ନାହିଁ। କାଳେ ପ୍ରଭୁ ଶୋଇଥିବେ, ତାଙ୍କ ବିଶ୍ରାମରେ ବାଧାଦେବା ଅର୍ଥ ନିଜ ମୃତ୍ୟୁକୁ ନିମନ୍ତ୍ରଣ କରିବା। ଚିକିତ୍ସା କଥା ବି ଚିନ୍ତା କରାଗଲା ନାହିଁ। ଅପରାହ୍ଣରେ ଆସିଲେ ପୋଲିସ ମୁଖ୍ୟ। ନିର୍ଦ୍ଦେଶ ଦେଲେ, ସମସ୍ତେ ବାହାରକୁ ଯାଅ। ପ୍ରଭୁ ବିଶ୍ରାମ ନେଉଛନ୍ତି। ଚିକିତ୍ସକ ଆସିଲେ ତା’ ପରଦିନ। ସେତେବେଳକୁ ନିଜେ ସୃଷ୍ଟି କରିଥିବା ଭୟ ଓ ବିଭୀଷିକାର ବଳୟ ମଧ୍ୟରେ ବଞ୍ଚିବା ପାଇଁ କ୍ଷୀଣ ଚିତ୍କାର କରୁଥିବା ତାଙ୍କର ଜୀବନ ନିିର୍ବାପିତ ହୋଇସାରିଥିଲା। ନିଜ କ୍ଷମତାର ଅନ୍ଧ ଅହଂକାର ମଧ୍ୟରେ ହଜିଗଲେ ଷ୍ଟାଲିନ୍‌। ଲୋହିତ-ବିଶ୍ୱର ସ୍ବପ୍ନ ଦେଖୁଥିବା ଅନ୍ୟ ଜଣେ ମୃତ୍ୟୁର ସୌଦାଗର ତାଙ୍କ ପୂର୍ବସୁରୀ ଲେନିନ୍‌ ମଧ୍ୟ ନିଜ ମୃତ୍ୟୁକୁ ଦୀର୍ଘ ୬ବର୍ଷ ଦେଖିଦେଖି ବିଦାୟ ନେଲେ। ବଲସେଭିକ୍‌ ଆନ୍ଦୋଳନ ପରେ ଜଣେ ତରୁଣୀ ଆତତାୟୀର ଦୁଇଟି ଗୁଳି ଅଚାନକ ତାଙ୍କ ଶରୀରକୁ ଭେଦକରେ। ଏହାଥିଲା ୧୯୧୮ର ଘଟଣା। ଏହାପରେ ସେ ୬ବର୍ଷ ଜୀବିତ ଥିଲେ ମଧ୍ୟ ବହୁ ବିଳମ୍ବରେ ଗୋଟିଏ ଗୁଳିକୁ ଅପସାରିତ କରିବାକୁ ରୁଷୀୟ ଡାକ୍ତରମାନେ ସକ୍ଷମ ହୋଇଥିଲେ। ଅନ୍ୟ ଏକ ଗୁଳି ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ଦେହରେ ଥିଲା। ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଆଧୁନିକ ରୁଷିଆର ଏହି ମହାନାୟକ। ବାକ୍‌ଶକ୍ତିରହିତ ହେଇଯାଉଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ମୃତ୍ୟୁ ତାଙ୍କୁ ଅଟ୍ଟହାସ୍ୟ କରୁଥିଲା। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବିଷ ଟିକେ ଦେବାକୁ ସେ କେତେ ନେହୁରା ହୋଇ ନ ଥିଲେ ଷ୍ଟାଲିନ୍‌ଙ୍କ ପାଖରେ। ନା ମିଳିଥିଲା ବିଷ ନା କମିଥିଲା ମୃତ୍ୟୁର ଚିତ୍କାର। ବର୍ତ୍ତମାନ ଯିବା ଅନ୍ୟ ଜଣେ ବିଶ୍ୱବୀରଙ୍କ ନିକଟକୁ। ଶେଷ ଜୀବନରେ ମୃତ୍ୟୁକୁ ପାଖରୁ ଦେଖିଦେଖି ସେ ତା’ର ଶୀତଳକୋଳରେ ଆଶ୍ରୟ ନେଲେ। ଜନ୍ମ ହୋଇଥିଲେ ସାଧାରଣ ପରିବାରରେ। ବଞ୍ଚିଥିଲେ ସମ୍ରାଟ୍‌ ହୋଇ ରାଜପ୍ରାସାଦରେ। ଅସହାୟ ହୋଇ ମୃତ୍ୟୁବରଣ କଲେ ଏକ କ୍ଷୁଦ୍ର ଦ୍ୱୀପରେ। ସେ ଥିଲେ ଫ୍ରାନ୍ସର ବିଶ୍ୱବିଶ୍ରୁତ ସମ୍ରାଟ୍‌ ନେପୋଲିଅନ ବୋନାପାର୍ଟ। ଜଣେ ବ୍ରିଟିଶ୍‌ ବନ୍ଦୀ ରୂପେ ଆଟ୍‌ଲାଣ୍ଟିକ ସାଗରର ସେଣ୍ଟ ହେଲେନା ଦ୍ୱୀପର ଏକ କ୍ଷୁଦ୍ର ପ୍ରକୋଷ୍ଠ ଥିଲା ତାଙ୍କ ଶେଷ ଜୀବନର ଆବାସସ୍ଥଳୀ। ତାଙ୍କୁ ଭଲ ଭାବରେ ଖାଦ୍ୟ ଓ ପାନୀୟ ମଧ୍ୟ ଦିଆଯାଉ ନ ଥିଲା। ଅତ୍ୟନ୍ତ ଅସମ୍ମାନିତ ଭାବରେ ତାଙ୍କୁ ରଖାଯାଇଥିଲା। ମୃତ୍ୟୁପୂର୍ବର ଶେଷ ୪୦ ଦିନ ଶଯ୍ୟାରେ ପଡିରହି ଖାଦ୍ୟପାନୀୟ ଗ୍ରହଣ କରିବାର ସାମର୍ଥ୍ୟ ହରାଇବସିଥିଲେ ସେ। ଏକ ଦୁରାରୋଗ୍ୟ ରୋଗ ଭୀଷଣ ଭାବରେ ତାଙ୍କୁ ଆକ୍ରାନ୍ତ କରିସାରିଥିଲା। ସମଗ୍ର ୟୁରୋପକୁ ନିଜ ଆଙ୍ଗୁଠି ଅଗରେ ନଚାଉଥିବା ସମ୍ରାଟ୍‌ ନେପୋଲିଅନ ଥିଲେ ଅସହାୟ। ମୃତ୍ୟୁ ପୂର୍ବରୁ କ୍ଷୀଣକଣ୍ଠରୁ ନିଃସୃତ ହେଉଥିଲା କେବଳ କେତୋଟି ଶବ୍ଦ- ମୋ ଫ୍ରାନ୍ସ, ମୋ ପୁଅ, ଆମ ସେନା ଓ ଜୋସେଫାଇନ୍‌। ଜନ୍ମମାଟି ଫ୍ରାନ୍ସଠାରୁ ହଜାର ହଜାର ଦୂରରେ ଥିବା ଏହି ବନ୍ଦୀ ମହାନାୟକ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଦେଶକୁ ଭୁଲିପାରି ନ ଥିଲେ। ନିଜ ଦେଶରେ କବର ପାଇବା ଲାଗି ତାଙ୍କର ଏକମାତ୍ର ଶେଷ ଇଚ୍ଛାକୁ ମଧ୍ୟ ବ୍ରିଟିଶ ସରକାର ସମ୍ମାନ ଦେଲେନାହିଁ। ଶତଶତ ରାଜନ୍ୟଙ୍କର ଆତଙ୍କ ସାଜିଥିବା ଦୁର୍ଦ୍ଧର୍ଷ ନେପୋଲିଅନ ଅଜଣା ଅଶୁଣା ଭାବରେ ହଜିଗଲେ ଇତିହାସ ପୃଷ୍ଠାରୁ। ବର୍ତ୍ତମାନର ସମ୍ରାଟ୍‌ ଓ ଯୁବରାଜମାନଙ୍କ ମାନସିକତା ଆଜି ବି ମଧ୍ୟଯୁଗୀୟ ବର୍ବରତାଠାରୁ କମ୍‌ ନୁହେଁ। ଦେହରୁ ବଳ କ୍ଷୟ ହୋଇଛି, ରୋଜଗାରର ସାମର୍ଥ୍ୟ ନାହିଁ, ପେନସନଲବ୍ଧ ଧନ ବି ତାଙ୍କର ନୁହେଁ। ଯେଉଁମାନଙ୍କୁ ନେଇ ସେମାନେ ସୁନେଲି ସ୍ବପ୍ନ ଦେଖୁଥିଲେ, ଆଜି ଜୀବନର ସାୟାହ୍ନରେ ସେମାନଙ୍କ ଦ୍ୱାରା ଅବହେଳିତ। ସେମାନଙ୍କୁ ପରିବାରର ବୋଝ ରୂପେ ଗଣନା କରାଯାଏ। ପ୍ରତ୍ୟେକ ମୁହୂର୍ତ୍ତରେ ଅତୀତର ଏହି ରାଜା ମହାରାଜାମାନେ ମୃତ୍ୟୁର ଆହ୍ବାନକୁ ଶୁଣିଚାଲିଛନ୍ତି। ଆର୍ଯ୍ୟ ଭାରତର ଜୀବନଧାରା, ଚତୁରାଶ୍ରମର ମଞ୍ଜୁଳ ଶୃଙ୍ଖଳା ଆଜି କେବଳ ମେଧାବୀଙ୍କ ଗବେଷଣାରେ, କବିଙ୍କ କବିତାରେ, ସମାଜଚିନ୍ତକଙ୍କ ଭାଷଣରେ ଓ ପ୍ରବଚକଙ୍କ ପ୍ରବଚନରେ ସୀମିତ ହୋଇ ରହିଛି। ପରିବାର ଆଉ ସ୍ନେହ-ପ୍ରେମ ଓ ତ୍ୟାଗ-ତିତିକ୍ଷାର ପ୍ରୟୋଗଶାଳା ହୋଇ ରହିନାହିଁ। ଏଠି ଉତ୍ତରପୁରୁଷ ଲେଖୁଛି ପୂର୍ବପୁରୁଷଙ୍କ ମରଣ ଇସ୍ତାହାର।

ନବରଙ୍ଗପୁର, ମୋ : ୯୪୩୭୧୧୮୯୬୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri