ଧୁନିରୁ ଦୀପ ଯାଏ

ଦେବଦତ୍ତ ପଟ୍ଟନାୟକ

ଅଳ୍ପଦିନ ତଳେ ଦୀପାବଳି ପାଳିତ ହୋଇଯାଇଛି। କିନ୍ତୁ ପ୍ରତିଦିନ ଗୃହମାନଙ୍କରେ ଓ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିବା ହେଉଛି ହିନ୍ଦୁମାନଙ୍କର ପରମ୍ପରା। ତେବେ ବୈଦିକ ଯୁଗରେ ଦୀପ ପ୍ରଜ୍ୱଳନ ନୁହେଁ, ବରଂ ପ୍ରତିଦିନ ହୋମଯଜ୍ଞ କରିବାର ପରମ୍ପରା ଥିଲା। ବୈଦିକ ଦେବତାଙ୍କ ସ୍ଥାନ ପୌରାଣିକ ଦେବଦେବୀ ନେବା ପରେ ଦୀପ ପ୍ରଜ୍ୱଳନ ଆମ ଧାର୍ମିକ ପରମ୍ପରାରେ ପ୍ରବେଶ କରିଛି। ଗୀତାରେ ଭଗବାନ୍‌ କୃଷ୍ଣ କହିଛନ୍ତି- ଶ୍ରଦ୍ଧାର ସହ ଭକ୍ତ ମୋତେ ଫଳ, ଫୁଲ, ପତ୍ର ଓ ଜଳ ଦେଲେ ବି ସେଥିରେ ମୁଁ ସନ୍ତୁଷ୍ଟ ହୁଏ। ଏଥିରେ ସେ ଦୀପ କଥା କହିନାହାନ୍ତି। ଏଥିରୁ ଜଣାପଡ଼େ ସେତେବେଳେ ଦୀପ ଜାଳିବା ଉପରେ ଏତେ ଗୁରୁତ୍ୱ ନ ଥିଲା। ବୈଦିକ ହେଉ ବା ପୌରାଣିକ, ଶ୍ରୌତ ହେଉ ବା ସ୍ମାର୍ତ୍ତ ସବୁ ମତରେ ପୂଜା କଲାବେଳେ ଆମେ ଦେବତାଙ୍କୁ ଆବାହନ କରୁ, ତାଙ୍କୁ ଭୋଗ ଆଦି ଅର୍ପଣ କରୁ, ବାଞ୍ଛିତ ବର ପ୍ରାର୍ଥନା କରୁ ଏବଂ ଶେଷରେ ବିସର୍ଜନ କରୁ। ବୈଦିକ ଯୁଗରେ ହୋମାଗ୍ନି ଜାଳି, ଘୃତ ଆହୁତି ଦେଇ ଏହି କାର୍ଯ୍ୟ କରାଯାଉଥିଲା। କାରଣ ଅଗ୍ନି ହେଉଛନ୍ତି, ଦେବତାମାନଙ୍କ ମୁଖ। ମନ୍ତ୍ର ପାଠ କରି ଅଗ୍ନିରେ ଘୃତ ଆହୁତି ଦେଲେ ତାହା ଦେବତାମାନେ ଗ୍ରହଣ କରନ୍ତି। ପ୍ରାୟ ୨୦୦୦ ବର୍ଷ ତଳେ ପୌରାଣିକ ଯୁଗ ଆରମ୍ଭ ହେଲା। ସେତେବେଳେ ଦେବତାମାନଙ୍କୁ ଆଉ ନିରାକାର ରୂପରେ କଳ୍ପନା ନ କରି ସାକାର ରୂପରେ ପୂଜା କରାଗଲା। ଦେବମୂର୍ତ୍ତିକୁ ଗାଧୋଇ ଦିଆଗଲା (ଅଭିଷେକ), ତାଙ୍କୁ ବସ୍ତ୍ର ପିନ୍ଧାଇ ଦିଆଗଲା, ଗନ୍ଧ (ଚନ୍ଦନ), ପୁଷ୍ପ, ଧୂପ, ଦୀପ ଓ ଭୋଗ (ନୈବେଦ୍ୟ)ରେ ଆପ୍ୟାୟିତ କରାଗଲା। ଏଠାରେ ଅଗ୍ନିକୁ ହୁତଭୁକ୍‌ ରୂପରେ ନୁହେଁ, ବରଂ ଆଲୋକ ପ୍ରଦାନକାରୀ ଭାବରେ ଗ୍ରହଣ କରାଗଲା। ବୃକ୍ଷ, ପର୍ବତ, ନଦୀ, ଯକ୍ଷ, ନାଗ ପ୍ରଭୃତିଙ୍କୁ ଏହିସବୁ ଉପଚାରରେ ପୂଜା କରାଗଲା। ସନ୍ଧ୍ୟାରେ ଦୀପ ପ୍ରଜ୍ୱଳନକୁ ଉତ୍ସାହିତ କରାଗଲା, କାରଣ ଯାତ୍ରୀମାନେ ଆଶ୍ରୟ ଖୋଜି ପାଇପାରିବେ। ସାଧାରଣତଃ ଘର ବାହାର ଏରୁଣ୍ଡିରେ ବା ଚଉରା ମୂଳେ ଦୀପ ଜଳାଯାଏ, ଯାହା ଫଳରେ ପଥଚାରୀମାନେ ରାସ୍ତା ଦେଖି ଯାଇପାରିବେ। ଦୀପଟିଏ ଜଳୁଛି ମାନେ କୁମ୍ଭାରଟିଏ ଅଛି, ଯିଏ ମାଟିର ଦୀପ ଗଢ଼ୁଛି, ତେଲି ଅଛି ଯିଏ ଘଣାରେ ତେଲ ପେଡ଼ୁଛି ବା ଗୋପାଳଟିଏ ଅଛି ଯିଏ ଘିଅ ଯୋଗାଉଛି ଏବଂ କୃଷକଟିଏ ଅଛି ଯିଏ କପା ଚାଷ କରି ସେଥିରୁ କପାର ସଳିତା ତିଆରି କରୁଛି। ଦୀପ ମାଧ୍ୟମରେ ଏ ସମସ୍ତେ ନିଜର ଜୀବିକା ଅର୍ଜନ କରୁଛନ୍ତି। ଏହା ଆମର ସଂସ୍କୃତି ଏବଂ ଦୀପ ଜାଳିବା ଆମର ପ୍ରାଚୁର୍ଯ୍ୟ ଓ ବିବେଚନଶୀଳତାକୁ ସୂଚାଏ। ସମସ୍ତ ହିନ୍ଦୁ ପରିବାରର ଗୃହିଣୀମାନେ ସାଧାରଣତଃ ସନ୍ଧ୍ୟାଦୀପ ଜାଳିଥାନ୍ତି, ଯାହା ବ୍ରାହ୍ମଣମାନଙ୍କ ଯଜ୍ଞଶାଳାର ଅଗ୍ନି ଓ ସନ୍ନ୍ୟାସୀମାନଙ୍କ ଧୁନିଠାରୁ ଭିନ୍ନ। ଧୁନି ଜାଳିବାରେ କୌଣସି ବେଦି ବା ଯଜ୍ଞକୁଣ୍ଡର ଆବଶ୍ୟକତା ନ ଥାଏ। ଅଧିକ ସଂଖ୍ୟାରେ ଦୀପ ଜାଳିବା ସ୍ବଚ୍ଛଳତା ଓ ପ୍ରାଚୁର୍ଯ୍ୟର ସୂଚକ। ସେଥିପାଇଁ ଉତ୍ସବମାନଙ୍କରେ ଦୀପ ଜଳାଯାଏ। କେତେକ ଉତ୍ସବରେ ନଦୀ ବା ପୁଷ୍କରିଣୀରେ ଡଙ୍ଗାରେ ଜଳନ୍ତା ଦୀପ ରଖି ଭସେଇ ଦିଆଯାଏ। କାର୍ତ୍ତିକ ମାସରେ ଲମ୍ବା ବାଉଁଶ ଅଗରେ ଠେକି ବାନ୍ଧି ସେଥିରେ କଣା କରି ତା’ ଭିତରେ ଦୀପ ଜଳାଯାଏ, ଯାହାକୁ ଆକାଶ ଦୀପ କୁହାଯାଏ। ମଣିଷ ହେଉଛି ଏକମାତ୍ର ପ୍ରାଣୀ ଯିଏ ଅଗ୍ନି ଉପରେ ନିୟନ୍ତ୍ରଣ ହାସଲ କରିପାରିଛି। ସେଥିପାଇଁ ଧୁନିରୁ ଯଜ୍ଞଶାଳାର ଅଗ୍ନି ଏବଂ ଦୀପଲକ୍ଷ୍ମୀ ପର୍ଯ୍ୟନ୍ତ ଯାତ୍ରାକୁ ଆମ କୃଷ୍ଟି ଓ ସଂସ୍କୃତିର ବିକାଶ ବୋଲି କୁହାଯାଇପାରେ। ପୁନଶ୍ଚ ଦୀପ ଜାଳିବା ଆମ ଧନ ଓ କ୍ଷମତାର ପ୍ରାଚୁର୍ଯ୍ୟକୁ ସୂଚାଏ। ବଡ଼ ବଡ଼ ମନ୍ଦିର ଚୂଡ଼ାରେ ଦୀପ ଜଳାଯାଏ। ଜାଗରରେ ମହାଦେବଙ୍କ ମନ୍ଦିରରେ ଜଳାଯାଉଥିବା ଏପରି ଦୀପକୁ ମହାଦୀପ କୁହାଯାଏ। ମହାରାଷ୍ଟ୍ରରେ ବଡ଼ ବଡ଼ ଖୁଣ୍ଟିରେ ଉତ୍ସବମାନଙ୍କରେ ଦୀପ ଜଳାଯାଏ। ବିଶ୍ୱାସ ଅନୁସାରେ ଶିବ ସୃଷ୍ଟି ଆରମ୍ଭରେ ଅଗ୍ନିର ସ୍ତମ୍ଭରୁ ଆବିର୍ଭୂତ ହୋଇଥିଲେ। ସୁତରାଂ ପୁରାଣରେ ଅଗ୍ନିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ଅଗ୍ନି କ୍ଷୁଧାର ପ୍ରତୀକ ଯାହା ସବୁକିଛି ଭକ୍ଷଣ କରେ। ତେଣୁ ତା’ର ଅନ୍ୟ ନାମ ସର୍ବଭୁକ୍‌। ଉତ୍ତାପ ଆମକୁ ଶୀତରୁ ଆରାମ ଦିଏ। ଜ୍ଞାନକୁ ଆଲୋକ ସହ ତୁଳନା କରାଯାଏ, ଯାହା ଆମକୁ ଅଜ୍ଞାନ ଅନ୍ଧକାରରୁ ମୁକ୍ତ କରେ। ଦୀପ ପ୍ରଜ୍ୱଳନ କରି ଘର ଭିତରକୁ ଦେବତାଙ୍କୁ ଆବାହନ କରାଯାଏ। ଦୀପାବଳିରେ ଭଗବାନ୍‌ ଶ୍ରୀରାମ ଏବଂ କୋଜାଗରୀ ଲକ୍ଷ୍ମୀବ୍ରତରେ ଭାଗ୍ୟଲକ୍ଷ୍ମୀଙ୍କୁ ଦୀପ ଜାଳି ସ୍ବାଗତ କରାଯାଏ।

(ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।)

ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri