ମଶା: କିଛି ଜାଣିବା କଥା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ମଣିଷ ଜୀବନରେ ମଶା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଣୀ। ତେଣୁ ମଶା ବିଷୟରେ ଆମେ ଅଧିକ କଥା ଜାଣିବା ଉଚିତ। ମଶା ସମ୍ବନ୍ଧରେ ଆମର ଯେଉଁସବୁ ଧାରଣା ଅଛି, ତାହା ସବୁ ଠିକ୍‌ ନୁହେଁ। ଉଦାହରଣ ସ୍ବରୂପ ଆମେ ଭାବୁ ସବୁ ମଶା ସମାନ। କିନ୍ତୁ ମଶାମାନଙ୍କର ବିଭିନ୍ନ ପ୍ରଜାତି ଅଛି, ଯେଉଁମାନେ ପରସ୍ପରଠାରୁ ଭିନ୍ନ। କେତେକ ପ୍ରଜାତିର ମଶା ନିର୍ଦ୍ଦିଷ୍ଟ ଅଞ୍ଚଳରେ ବଢ଼ନ୍ତି। ସହରୀ ମଶା ଗଁାରେ ଉପଦ୍ରବ କରିପାରନ୍ତି ନାହିଁ। ସବୁ ମଶା ରୋଗବାହକ ବୋଲି ଆମର ଯେଉଁ ଧାରଣା ଅଛି ତାହା ଠିକ୍‌ ନୁହେଁ। ବିଶ୍ୱରେ ୩୦୦୦ରୁ ଅଧିକ ପ୍ରଜାତିର ମଶା ଅଛନ୍ତି। କିନ୍ତୁ ପ୍ରାୟ ୨୦୦ ପ୍ରଜାତିର ମଶା ରୋଗବାହକ ଭାବେ କାର୍ଯ୍ୟ କରନ୍ତି। ସବୁ ପ୍ରଜାତିର ମଶା ବି ମଣିଷକୁ କାମୁଡ଼ନ୍ତି ନାହିଁ। ସେମାନେ ଉଭୟଚର, ପକ୍ଷୀ, ସରୀସୃପ ଓ ଘୋଡ଼ା ପ୍ରଭୃତି ଅନ୍ୟ ପ୍ରାଣୀଙ୍କୁ କାମୁଡ଼ିବାକୁ ଭଲ ପାଆନ୍ତି। ନିର୍ଦ୍ଦିଷ୍ଟ ପ୍ରଜାତିର ମଶା ନିର୍ଦ୍ଦିଷ୍ଟ ରୋଗର ବାହକ। ଯେପରି କ୍ୟୁଲେକ୍ସ ମଶା ଓ୍ବେଷ୍ଟ ନାଇଲ ଭୂତାଣୁ ଓ ସେଣ୍ଟ ଲୁଇସ୍‌ ଏନ୍‌ସେଫାଲାଇଟିସ୍‌ ଭୂତାଣୁର ବାହକ। ଏଡିସ୍‌ ମଶା ଚିକୁନ୍‌ଗୁନିଆ, ଡେଙ୍ଗୁ ଓ ପୀତଜ୍ୱର ରୋଗର ବାହକ। ଜିକା ନାମକ ରୋଗ ଏଡିସ୍‌ ଇଜିପ୍ଟି ବା ଏଡିସ୍‌ ଆଲ୍‌ବୋପିକ୍ଟସ୍‌ ପ୍ରଜାତିର ମଶାଙ୍କ ଯୋଗୁ ବ୍ୟାପେ। ମାଈ ଆନୋଫିଲିସ୍‌ ମଶା ମ୍ୟାଲେରିଆ ରୋଗର ବାହକ। ଆମର ଧାରଣା ମରୁଡ଼ି ପଡ଼ିଲେ ବା ବର୍ଷା ନ ହେଲେ ମଶାବଂଶ କମିବେ। କିନ୍ତୁ ମଶାମାନେ ପାଣିରେ ଅଣ୍ଡା ଦିଅନ୍ତି ଏ କଥା ସତ, ମାତ୍ର ବର୍ଷାଭାବ କେତେକ ରୋଗ ବଢ଼ାଇଥାଏ। ବର୍ଷା କମ୍‌ ହେଲେ ପାଣି ଅଧିକ ମଇଳା ହୋଇପାରେ ଯାହା ମଶାଙ୍କୁ ଆକର୍ଷିତ କରେ। ଜଳ ଉତ୍ସର ଅଭାବ ପଡ଼ିଲେ ସୀମିତ ଜଳ ଉତ୍ସ ପାଖକୁ ସବୁ ମଶା ଓ ପକ୍ଷୀ ଆସି ଗହଳି କରନ୍ତି ଏବଂ ପକ୍ଷୀ ଓ ମଶା ହେଉଛନ୍ତି ଅଧିକାଂଶ ମଶାବାହିତ ରୋଗର ବାହକ। ଆମର ଧାରଣା ମାଈ ଓ ଅଣ୍ଡିରା ସବୁ ମଶା କାମୁଡ଼ନ୍ତି। କିନ୍ତୁ ସତକଥା ହେଲା କେବଳ ମାଈ ମଶା କାମୁଡ଼ନ୍ତି କାରଣ ଅଣ୍ଡା ଦେବା ପାଇଁ ସେମାନଙ୍କର ମଣିଷ ରକ୍ତରେ ଥିବା ପ୍ରୋଟିନ୍‌ ଦରକାର। ଅଣ୍ଡିରା ମଶାମାନେ ଅନ୍ୟ ଉତ୍ସରୁ ଖାଦ୍ୟ ସଂଗ୍ରହ କରନ୍ତି, ଯଥା ପୁଷ୍ପମଧୁ। ଆମର ଧାରଣା ମିଠା ରକ୍ତକୁ ମଶା ବେଶି ପସନ୍ଦ କରନ୍ତି। କିନ୍ତୁ ଅଧିକ ରକ୍ତଶର୍କରା ଥିବା ଲୋକଙ୍କ ପ୍ରତି ମଶା ବେଶି ଆକୃଷ୍ଟ ହୁଅନ୍ତି ନାହିଁ। ଗବେଷକମାନଙ୍କ ମତରେ ମଶାମାନେ ଅଙ୍ଗାରକାମ୍ଳ, ଲାକ୍ଟିକ୍‌ ଏସିଡ୍‌ ଏବଂ କିଛି ଲୋକଙ୍କଠାରେ ଅଧିକ ପରିମାଣରେ ଥିବା ନିର୍ଦ୍ଦିଷ୍ଟ ବୀଜାଣୁ ପ୍ରତି ବେଶି ଆକୃଷ୍ଟ ହୁଅନ୍ତି। ଅଧିକ ବ୍ୟାୟାମ କରୁଥିବା ଲୋକଙ୍କ ପ୍ରତି ମଶା ବେଶି ଆକୃଷ୍ଟ ହୁଅନ୍ତି କାରଣ ସେମାନଙ୍କ ଦେହରେ ଝାଳ ସହ ଅଧିକ ଅଙ୍ଗାରକାମ୍ଳ ଓ ଲାକ୍ଟିକ୍‌ ଏସିଡ୍‌ ଥାଏ। ତେଣୁ ଆପଣ ଦୌଡ଼ାଦୌଡ଼ି କରି ଝାଳ ମାରିବା ପାଇଁ ବାହାରେ ବସିଥିବା ବେଳେ ଅଧିକ ମଶା କାମୁଡ଼ାର ଶିକାର ହୁଅନ୍ତି। ଆମର ଧାରଣା ‘ଓ’ ଗ୍ରୁପ୍‌ ରକ୍ତ ବିଶିଷ୍ଟ ଲୋକଙ୍କୁ ମଶା ବେଶି କାମୁଡ଼ନ୍ତି। କିନ୍ତୁ ତାହା ଠିକ୍‌ ନୁହେଁ। ଲୋକଙ୍କ ଚର୍ମରେ ଥିବା କିଛି ବୀଜାଣୁ ମଶାଙ୍କୁ ଆକୃଷ୍ଟ କରିପାରେ, କିନ୍ତୁ ରକ୍ତ ଗ୍ରୁପ୍‌ର କୌଣସି ଭୂମିକା ନ ଥାଏ। ଆମର ଧାରଣା ଗୋରା ଲୋକଙ୍କୁ ବେଶି ମଶା କାମୁଡ଼ନ୍ତି। କିନ୍ତୁ ସବୁ ରଙ୍ଗର ଲୋକଙ୍କୁ ସମାନ ଭାବରେ ମଶା କାମୁଡ଼ନ୍ତି। ଆମର ଧାରଣା ମୋଟା ପତଳା ଏବଂ ସାନବଡ଼ ସବୁ ଲୋକଙ୍କୁ ମଶା ସମାନ ଭାବରେ କାମୁଡ଼ନ୍ତି। କିନ୍ତୁ ମଶାମାନେ ମୋଟା ଓ ବଡ଼ ଲୋକଙ୍କୁ ବେଶି କାମୁଡ଼ନ୍ତି। ସେମାନେ ପିଲାଙ୍କ ଅପେକ୍ଷା ବୟସ୍କ ଲୋକଙ୍କୁ ଏବଂ ସ୍ତ୍ରୀଲୋକଙ୍କ ଅପେକ୍ଷା ପୁରୁଷଙ୍କୁ ବେଶି କାମୁଡ଼ନ୍ତି। କାରଣ ମୋଟାଲୋକଙ୍କ ଶରୀରର ଉତ୍ତାପ ଅଧିକ ଏବଂ ତାଙ୍କ ଝାଳରେ ଅଧିକ ଅଙ୍ଗାରକାମ୍ଳ ଥାଏ। ପୁଣି ମଶାମାନେ କାମୁଡ଼ିବା ପାଇଁ ଅଧିକ ସର୍ଫେସ୍‌ ଏରିଆ (ପୃଷ୍ଠତଳ) ପାଆନ୍ତି। ଆମର ଧାରଣା ଗର୍ଭବତୀ ମହିଳାମାନେ ଅଧିକ ମଶା କାମୁଡ଼ାର ଶିକାର ହୁଅନ୍ତି। ଏହା ସତ କାରଣ ଗର୍ଭବତୀ ମହିଳାଙ୍କଠାରୁ ଅଧିକ ଉତ୍ତାପ ଓ ଅଙ୍ଗାରକାମ୍ଳ ନିର୍ଗତ ହୁଏ। ଆମର ଧାରଣା ମଦ ପିଉଥିବା ଲୋକଙ୍କୁ ବେଶି ମଶା କାମୁଡ଼ନ୍ତି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ବିୟର ପିଉଥିବା ଲୋକଙ୍କ ପ୍ରତି ବେଶି ମଶା ଆକୃଷ୍ଟ ହୁଅନ୍ତି। ଦିନର ନିର୍ଦ୍ଦିଷ୍ଟ ସମୟରେ, ବିଶେଷ କରି ସନ୍ଧ୍ୟା ସମୟରେ ଘର ଭିତରେ କବାଟ ଝରକା ବନ୍ଦ କରି ଏସି ଦେଇ ରହିଲେ ମଶା କାମୁଡ଼ାରୁ ଅନେକାଂଶରେ ସୁରକ୍ଷା ମିଳିଥାଏ। କିନ୍ତୁ ଘର ଭିତରେ ଯଦି କିଛି ମଶା ଆଗରୁ ରହିଯାଇଥାନ୍ତି, ସେମାନେ କାମୁଡ଼ନ୍ତି। ବିଶେଷ କରି ଏଡିସ୍‌ ଇଜିପ୍ଟି ମଶା ଘର ଭିତରେ କାନ୍ଥ କୋଣମାନଙ୍କରେ ଓ ବଗିଚାରେ ଥାନ୍ତି। ଘର ଭିତରେ ଥିବା ଫୁଲକୁଣ୍ଡରେ ମଶା ଅଣ୍ଡା ଦେଇପାରନ୍ତି। ତେଣୁ ମଶାବହୁଳ ଅଞ୍ଚଳରେ ଏସି ରୁମ୍‌ରେ ବି ମଶାରି ଟାଣି ଶୋଇବା ସବୁଠାରୁ ନିରାପଦ। ଆମର ଧାରଣା ସନ୍ତସନ୍ତିଆ ଖାଲୁଆ ସ୍ଥାନ ଓ ଆର୍ଦ୍ରଭୂମି ନିକଟରେ ବାସ କରିବା ବିପଜ୍ଜନକ। ତେଣୁ ଆର୍ଦ୍ରଭୂମିରୁ ପାଣି ନିଗାଡ଼ି ତାକୁ ଶୁଖେଇ ଦେବା ଉଚିତ। କିନ୍ତୁ ସତକଥା ହେଲା ଏହାଦ୍ୱାରା ମଶାବଂଶ ଉପରେ ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଅଧିକାଂଶ ମଶା ଜନବସତିରେ ଆରାମରେ ରହନ୍ତି। କାରଣ ଜନବସତିରେ ସେମାନେ ସହଜରେ ମଣିଷ ରକ୍ତ ପାଇଯାନ୍ତି। ଫୁଲକୁଣ୍ଡ, ବାହାରେ ପଡ଼ିଥିବା ଟାୟାର, ଭଙ୍ଗାପାତ୍ର, ବାଲ୍‌ତି, ଖେଳନା ପ୍ରଭୃତିରେ ଅଳ୍ପ ପାଣି ଥିଲେ ମଶାମାନେ ସେଥିରେ ଅଣ୍ଡା ଦିଅନ୍ତି। ତେଣୁ ଏହିପରି ଜିନିଷ ଆଖପାଖରେ, ବଗିଚାରେ ପଡ଼ିଥିଲେ ସେଥିରୁ ପାଣି କାଢ଼ି ଓଲଟାଇଦେବା ଉଚିତ। ଆମର ଧାରଣା ଥଣ୍ଡା ଓ ଶୁଷ୍କ ଜଳବାୟୁ ମଶାଙ୍କୁ ଦୂରେଇ ରଖେ। ଏହା ସତ ନୁହେଁ। ଶୀତପ୍ରଧାନ ଅଞ୍ଚଳରେ ବରଫ ପଡ଼ୁଥିଲେ ବି ବସନ୍ତ ଋତୁରେ ଅସରାଏ ବର୍ଷା ହେଲେ ସ୍ଥିରଜଳରେ ମଶାମାନେ ଅଣ୍ଡା ଦିଅନ୍ତି। ଆଜିକାଲି ସବୁ ପ୍ରକାର ଜଳବାୟୁରେ ମଶାମାନଙ୍କୁ ଦେଖିବାକୁ ମିଳୁଛି। ଆମର ଧାରଣା ବାଦୁଡ଼ିମାନେ ଯେଉଁଠି ଅଧିକ ଥାନ୍ତି, ସେଠି ମଶା କମ୍‌ ହୁଅନ୍ତି, କାରଣ ବାଦୁଡ଼ିମାନେ ମଶାଙ୍କୁ ଖାଇଯାନ୍ତି। ତେବେ ବାଦୁଡ଼ିମାନେ ମଶା ଖାଆନ୍ତି ସତ, କିନ୍ତୁ ବହୁ ପରିମାଣରେ ନୁହେଁ। କାରଣ ମଶାମାନେ ଏତେ ଛୋଟ ଯେ ମଶାଙ୍କୁ ଧରିବା ପାଇଁ ତାଙ୍କର ସବୁ ଶକ୍ତି ସରିଗଲେ ବି ସେଥିରେ ତାଙ୍କର ପେଟ ପୂରେ ନାହିଁ। ତେଣୁ ସେମାନେ ଅନ୍ୟ କୀଟପତଙ୍ଗ ଖାଆନ୍ତି। ଯଦି ଆପଣ ଘର ବାହାରେ ବା ବାଲ୍‌କୋନିରେ ଅଧିକ ସମୟ ବସୁଥାନ୍ତି, ତେବେ ସେଠାରେ ଏକ ବଡ଼ ଫ୍ୟାନ୍‌ ରଖନ୍ତୁ। ପବନରେ ମଶାମାନେ ଉଡ଼ିଯିବେ ଓ କାମୁଡ଼ିପାରିବେ ନାହିଁ। ନୀଳଗିରି ପ୍ରଭୃତି ମଶାବିକର୍ଷକ ତେଲ ଲଗାଇଲେ ମଶା କାମୁଡ଼ନ୍ତି ନାହିଁ। କିନ୍ତୁ ଏହି ତେଲ ବାରମ୍ବାର (ପ୍ରାୟ ୧୦/୨୦ ମିନିଟ୍‌ରେ ଥରେ) ଲଗାଇବାକୁ ପଡ଼େ। ତେଣୁ ଏସବୁ ବିଶେଷ ଫଳପ୍ରଦ ନୁହେଁ। ଆମର ଧାରଣା ମଶାମାନେ ମୁଖ୍ୟତଃ ରାତିରେ କାମୁଡ଼ନ୍ତି। କିନ୍ତୁ କ୍ୟୁଲେକ୍ସ ପରି କେତେକ ପ୍ରଜାତିର ମଶା ସନ୍ଧ୍ୟାବେଳେ କାମୁଡ଼ନ୍ତି। ଏଡିସ୍‌ ଇଜିପ୍ଟି ପରି ମଶା ଦିନରେ କାମୁଡ଼ନ୍ତି। କେତେକ ମଶା ସନ୍ଧ୍ୟାବେଳେ ଓ ସକାଳେ କାମୁଡ଼ନ୍ତି। ଆମର ଧାରଣା ମଶାମାନେ ନିର୍ଦ୍ଦିଷ୍ଟ ରଙ୍ଗ ପ୍ରତି ଆକୃଷ୍ଟ ହୁଅନ୍ତି ନାହିଁ। ଏହା ବିବାଦୀୟ। ଅଧିକାଂଶ ବୈଜ୍ଞାନିକଙ୍କ ମତ ହେଉଛି ରଙ୍ଗ ମଶା ଉପରେ କିଛି ପ୍ରଭାବ ପକାଏ ନାହିଁ। ଅନ୍ୟମାନଙ୍କ ମତ ହେଉଛି ମଶାମାନେ କଳାରଙ୍ଗ ପ୍ରତି ବେଶି ଆକୃଷ୍ଟ ହୁଅନ୍ତି। ମଶାମାନେ ଉତ୍ତାପକୁ ଭଲପାଆନ୍ତି। କଳାରଙ୍ଗ ଉତ୍ତାପକୁ ଅବଶୋଷଣ କରୁଥିବାରୁ ମଶାମାନେ ସେଥିପ୍ରତି ଆକୃଷ୍ଟ ହୋଇପାରନ୍ତି। ମଶାମାନେ ଆଲୁଅ ପ୍ରତି ଆକୃଷ୍ଟ ହୁଅନ୍ତି କି? ଅଧିକାଂଶ ପତଙ୍ଗ କୃତ୍ରିମ ଆଲୋକ ପ୍ରତି ଆକୃଷ୍ଟ ହୁଅନ୍ତି, ମଶାମାନେ ସେଥିରୁ ବାଦ୍‌ ଯିବେ କିପରି? ଆମର ଧାରଣା ମଶାମାନେ କାମୁଡ଼ିବା ପରେ ଆମ ଉପରେ ପରିସ୍ରା କରିଦିଅନ୍ତି। ସତକଥା ହେଲା ରକ୍ତରେ ମଶାଙ୍କ ପେଟ ପୂରିଗଲା ପରେ ସେମାନଙ୍କୁ କିଛି ଜିନିଷ ଦେହରୁ ନିଷ୍କାସିତ କରିବାକୁ ପଡ଼େ। ତେବେ ତାହା ପରିସ୍ରା ନୁହେଁ। ଆନୋଫିଲିସ୍‌ ମଶା ପ୍ଲାଜ୍ମା ରସ ନିଷ୍କାସିତ କରନ୍ତି। ଅନ୍ୟମାନେ ତରଳ ବର୍ଜ୍ୟ ନିଷ୍କାସିତ କରନ୍ତି। ଆମର ଧାରଣା ଅଲ୍‌ଟ୍ରାସାଉଣ୍ଡ ଓ୍ବେଭ୍‌ ମେଶିନ୍‌ ବା ଅଲ୍‌ଟ୍ରାଭାଓଲେଟ୍‌ ବ୍ଲୁ ଲାଇଟ୍‌ ମଶାଙ୍କୁ ବିକର୍ଷିତ କରେ। ଏହା ସମ୍ପୂର୍ଣ୍ଣ ମିଛ। ମଶାଙ୍କ ଉପରେ ଏହାର କୌଣସି ପ୍ରଭାବ ନାହିଁ। କେବଳ ନିଜ ଜିନିଷର ବ୍ରକ୍ରି ପାଇଁ କମ୍ପାନୀମାନେ ଏପରି ମିଥ୍ୟା ପ୍ରଚାର କରନ୍ତି। ବଜାରରେ ମିଳୁଥିବା ଅଧିକାଂଶ ରାସାୟନିକ ମଶକ-ବିକର୍ଷକ କ୍ଷତିକାରକ।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri