ଜମି ହଡ଼ପର ନୂଆ ଚାଲ୍‌

ବିଚିତ୍ର ବିଶ୍ୱାଳ

ଅନେକ ବାଦବିବାଦ ପରେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨୦୧୩ରେ ଯେଉଁ ‘ଜମି ଅଧିଗ୍ରହଣ, ଥଇଥାନ, ପୁନର୍ବସତିରେ ସ୍ବଚ୍ଛତା ଓ ଉପଯୁକ୍ତ କ୍ଷତିପୂରଣର ଅଧିକାର ଆଇନ-୨୦୧୩’ ଆସିଥିଲା ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ବିଫଳ ହେବାକୁ ଯାଉଛି। ୧୮୯୩ ମସିହାର ଯେଉଁ ବ୍ରିଟିଶ୍‌ ଅମଳ ଆଇନ ଥିଲା, ଯାହା ଯୋଗୁ ଅନେକ ଲୋକଙ୍କୁ ନିଜ ଭିଟାମାଟି ଓ ଚାଷଜମି ବିନା କ୍ଷତିପୂରଣ ବା ନାମମାତ୍ର କ୍ଷତିପୂରଣରେ ହରେଇବାକୁ ପଡ଼ିଛି, ତାହାକୁ ଦୀର୍ଘ ଦେଢ଼ଶହ ବର୍ଷ ପରେ ବଦଳାଯାଇ ଥିଲା। ଯଦିଓ ଏହି ଆଇନରେ କେତେକ ଦୋଷ ଦୁର୍ବଳତା ଥିଲା, କିନ୍ତୁ ଏହା ନିଶ୍ଚିତ ଯେ, ବ୍ରିଟିଶ୍‌ ଅମଳ ଲୋକବିରୋଧୀ ଆଇନ ତୁଳନାରେ ଏହା ଯଥେଷ୍ଟ ଭଲ ଥିଲା। ବର୍ତ୍ତମାନ ଏହି ଆଇନକୁ ନେଇ କେତେକ ରାଜ୍ୟ ସରକାର ଖେଳ ଖେଳିବାକୁ ଆରମ୍ଭ କରିଛନ୍ତି। ୨୦୧୩ର ନୂତନ ଆଇନ ଅନୁସାରେ ବିଭିନ୍ନ ପ୍ରକାର ସର୍ତ୍ତ ପୂରଣ କରି ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ପରେ ହିଁ ଜମି ଅଧିଗ୍ରହଣ କରାଯିବା କଥା। କିନ୍ତୁ ଗୁଜରାଟ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ ଓ ତେଲେଙ୍ଗାନା ସରକାର ସୁବିଧାରେ, ଶସ୍ତାରେ ତଥା ଅନାୟାସରେ ଶିଳ୍ପପତିମାନଙ୍କ ହାତକୁ ଜମି ଟେକିଦେବା ପାଇଁ କେନ୍ଦ୍ର ସରକାରଙ୍କର ଏହି ଆଇନ ଥିବା ସତ୍ତ୍ୱେ ନିଜ ରାଜ୍ୟ ପାଇଁ ଭିନ୍ନ ପ୍ରକାର ବ୍ୟବସ୍ଥା କରିବାକୁ ଆରମ୍ଭ କରିଛନ୍ତି। କମ୍ପାନୀ ପ୍ରୀତି ଅତୁଟ ରଖିବା ପାଇଁ ଯଦି ଏପରି ଚାଲେ ତେବେ ୨୦୧୩ରେ ଯେଉଁ ଜମି ଅଧିଗ୍ରହଣ ଆଇନ ଆସିଥିଲା ତାହା ବିଫଳ ହୋଇଯିବ। ଏହି ରାଜ୍ୟ ସରକାରମାନେ ସମ୍ବିଧାନର ଧାରା ୨୫୪(୨)କୁ ବ୍ୟବହାର କରି ରାଷ୍ଟ୍ରପତିଙ୍କ ଅନୁମୋଦନ ନେଇ ଜମି ଅଧିଗ୍ରହଣ ସମ୍ବନ୍ଧୀୟ ନୂଆ ଅଧିନିୟମ ପ୍ରଣୟନ କରିଛନ୍ତି। ଗୁଜରାଟ ଓ ତେଲେଙ୍ଗାନା ସରକାର ଏକାଧିକ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ‘ସାମାଜିକ ପ୍ରଭାବ ଆକଳନ’ ଓ ‘ଜମି ମାଲିକଙ୍କ ସମ୍ମତି’ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାକୁ ବାଦ୍‌ ଦେଇଛନ୍ତି। ମହାରାଷ୍ଟ୍ରରେ ସମସ୍ତ ଘରୋଇ ପ୍ରକଳ୍ପରେ ଜମି ଅଧିଗ୍ରହଣ ପାଇଁ ‘ସାମାଜିକ ପ୍ରଭାବ ଆକଳନ’ ଓ ‘ଜମି ମାଲିକଙ୍କ ସମ୍ମତି’ ପ୍ରକ୍ର୍ରିୟାକୁ ବାଦ୍‌ ଦିଆଯାଇଛି। ଏଥିରୁ ଜଣାପଡ଼ୁଛି ଭାଜପାଶାସିତ ଏହି ରାଜ୍ୟ ସରକାରମାନେ ଶିଳ୍ପପତିମାନଙ୍କୁ ଜମି ଟେକିଦେବା ପାଇଁ କେତେ ବ୍ୟଗ୍ର। ସାମାଜିକ ପ୍ରଭାବ ଆକଳନ ଓ ଜମି ମାଲିକଙ୍କ ସମ୍ମତି, ଏହି ଦୁଇଟି ପ୍ରକ୍ରିୟା ନୂତନ ଆଇନର ମୁଖ୍ୟ ପ୍ରଗତିଶୀଳ ଅଂଶ ଥିଲା, ଯାହାଦ୍ୱାରା ଗଣତାନ୍ତ୍ରିକ ଅଧିକାର ସୁରକ୍ଷିତ ହୋଇପାରିବ। ସରକାରୀ ଓ ଘରୋଇ ସହଭାଗୀ ପ୍ରକଳ୍ପରେ ୭୦ ଭାଗ ଜମି ମାଲିକଙ୍କ ସହମତି ନେବା ଓ ଘରୋଇ ପ୍ରକଳ୍ପରେ ୮୦ ଭାଗ ଜମି ମାଲିକଙ୍କ ସହମତି ନେବା ପ୍ରକ୍ରିୟା ଦ୍ୱାରା ପୁରୁଣାକାଳିଆ ଜମି ଅଧିଗ୍ରହଣ ଆଇନରେ ଥିବା ଅନେକ ତ୍ରୁଟିବିଚ୍ୟୁତି ସଂଶୋଧନ ହୋଇପାରିବ ବୋଲି ଆକଳନ କରାଯାଉଥିଲା। ପୂର୍ବରୁ ଯେପରି ରାଜ୍ୟ ସରକାରମାନେ କେବଳ ଗୋଟିଏ ନୋଟିସ୍‌ ଜାରି କରି ଲୋକମାନଙ୍କୁ ଜମିରୁ ଉଚ୍ଛେଦ କରିଦେଉଥିଲେ ଏହି ଆଇନ ଦ୍ୱାରା ସେପରି ଅନ୍ୟାୟ ଆଉ ହେବନାହଁି ବୋଲି ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ଉପରସୂଚିତ ରାଜ୍ୟ ସରକାରମାନେ ଏହି ଦୁଇଟି ପ୍ରକ୍ରିୟାକୁ ବାଦ୍‌ ଦେଇ ପୁଣି ସେହି ବ୍ରିଟିଶ୍‌ ଅମଳ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବଳବତ୍ତର ରଖିବାକୁ ପ୍ରୟାସ କରିଛନ୍ତି। ଯେଉଁ ଭୂମିହୀନମାନେ ଅନ୍ୟର ଜମି ଉପରେ ନିର୍ଭର କରି ଜୀବନ ଜୀବିକା ଚଳାଉଥିଲେ ସେମାନଙ୍କ ଉପରେ ଜମି ଅଧିଗ୍ରହଣର କ’ଣ ପ୍ରଭାବ ପଡ଼ିବ, ତାହା କେବଳ ସାମାଜିକ ପ୍ରଭାବ ଆକଳନ ଦ୍ୱାରା ହଁି ନିଶ୍ଚିତ କରାଯାଇ ପାରିବ। ସାମାଜିକ ପ୍ରଭାବ ଆକଳନ ପ୍ରକ୍ରିୟା ସହିତ ଜନ ଶୁଣାଣି ଓ ଗ୍ରାମସଭା ସଂଯୁକ୍ତ, ଯାହାଦ୍ୱାରା ଲୋକମାନେ ନ୍ୟାୟପୂର୍ଣ୍ଣ କ୍ଷତିପୂରଣ ପାଇବା ସହିତ ଥଇଥାନ ହୋଇପାରିବେ। କିନ୍ତୁ ଯଦି ରାଜ୍ୟ ସରକାରମାନେ ସମ୍ପୂର୍ଣ୍ଣ ଭାବେ ସାମାଜିକ ପ୍ରଭାବ ଆକଳନ ବନ୍ଦ କରିଦେବେ ତେବେ ଲକ୍ଷ ଲକ୍ଷ ଭୂମିହୀନ ବ୍ୟାପକ କ୍ଷତିର ଶିକାର ହେବେ। ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଆନ୍ଧ୍ରପ୍ରଦେଶରେ ‘ସାମାଜିକ ପ୍ରଭାବ ଆକଳନ’ ଅନ୍ତର୍ଗତ ଜନଶୁଣାଣି ନିମନ୍ତେ ସୂଚନା ସମୟକୁ ତିନି ସପ୍ତାହରୁ ଗୋଟିଏ ସପ୍ତାହକୁ କମେଇ ଦିଆଯାଇଛି। ଝାଡ଼ଖଣ୍ଡରେ ଗ୍ରାମସଭାର କୋରମ୍‌କୁ ଅଧାରୁ ଏକ ତୃତୀୟାଂଶକୁ କମ୍‌ କରିଦିଆଯାଇଛି। ୨୦୧୩ର ଆଇନ ଅନୁସାରେ ଜମି ଅଧିଗ୍ରହଣର ଭିନ୍ନ ଭିନ୍ନ ଦିଗକୁ ବିଚାରକୁ ନେଇ କ୍ଷତିପୂରଣ ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ଏହି ରାଜ୍ୟ ସରକାରମାନେ ଏଥିରୁ ଅନେକ ଦିଗକୁ ବିଚାରକୁ ନ ନେଇ କ୍ଷତିପୂରଣ ଦେବାର ଯୋଜନା କରିଛନ୍ତି। ପରିଣାମସ୍ବରୂପ ଲୋକେ ପ୍ରକୃତ କ୍ଷତିପୂରଣ ରାଶି ପାଇବେ ନାହଁି। କେନ୍ଦ୍ରୀୟ ଆଇନ ଅନୁସାରେ ଅଧିଗ୍ରହଣ ହୋଇଥିବା ଜମି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କାମରେ ବ୍ୟବହାର ନ ହେଲେ ତାକୁ ପୁନଶ୍ଚ ଜମି ମାଲିକକୁ ଫେରେଇ ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ଉପରୋକ୍ତ ରାଜ୍ୟ ସରକାରମାନେ ଏହି ଅବ୍ୟବହୃତ ଜମିକୁ ଲ୍ୟାଣ୍ଡ ବ୍ୟାଙ୍କ୍‌ ମାଧ୍ୟମରେ ନିଜ ପାଖରେ ରଖି ଚାଷୀକୁ ଆଉ ନ ଫେରେଇବାକୁ ଯୋଜନା କରିଛନ୍ତି। ଓଡ଼ିଶା ସରକାର ବି ଏହିପରି ନିୟମ କରିଛନ୍ତି। ଏ ସମସ୍ତ ପ୍ରକ୍ରିୟାରୁ ବୁଝାପଡ଼ୁଛି, ଏହି ରାଜ୍ୟ ସରକାରମାନେ ଚାଷୀ ପାଇଁ ଯେତିକି ଚିନ୍ତିତ ତା’ଠାରୁ ଅଧିକ ଚିନ୍ତିତ ଶିଳ୍ପପତିଙ୍କ ହାତକୁ କିପରି ଜମି ଯିବ। ଅନେକ ବିଚାର ବିମର୍ଶ ପରେ ୨୦୧୩ରେ ଯେଉଁ ଜମି ଅଧିଗ୍ରହଣ ଆଇନ ଆସିଥିଲା ତାହା ଧୀରେ ଧୀରେ ତା’ର ମୌଳିକତା ହରେଇବାକୁ ଯାଉଛି। ଏହା ଆମ ଦେଶର ଚାଷୀଙ୍କ ପାଇଁ ମସ୍ତବଡ଼ ବିପଦ ଭାବେ ଉଭା ହେବାକୁ ଯାଉଛି।

ମୋ-୯୪୩୮୪୬୮୪୭୪



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri