ଜାତିସଂଘ ନିରାପତ୍ତା ପରିଷଦ ଓ ଭାରତ

ସୁରେଶ କୁମାର ପ୍ରଧାନ

ଏକବିଂଶ ଶତାବ୍ଦୀର ବିଶ୍ୱ ଦୃଶ୍ୟପଟକୁ ଦୃଷ୍ଟି ନିକ୍ଷେପ କଲେ ଜାଣିହୁଏ ଯେ, ଅଧୁନା ଅନେକ ରାଷ୍ଟ୍ର ଜ୍ଞାନ-ବିଜ୍ଞାନର ଚରମ ସୀମାରେ ଉପନୀତ ହୋଇ ମହାଶକ୍ତିର ମାନ୍ୟତା ଲାଭ କରିଛନ୍ତି। ମହାଶକ୍ତିର ତାଲିକାରେ ଭାରତର ନାମ ନିଶ୍ଚିତ ରୂପେ ଅଙ୍ଗୀଭୂତ ବୋଲି ବିଶ୍ୱର ଅଧିକାଂଶ ରାଷ୍ଟ୍ର ସ୍ବୀକାର କରିଛନ୍ତି। ଭାରତ ଆଜି ଅନେକ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇ ବିଶ୍ୱରେ ନିଜର ସ୍ଥିତି ଜାହିର କରିପାରିଛି। ଜାତିସଂଘ ମାନ୍ୟତାପ୍ରାପ୍ତ ପଞ୍ଚ ମହାଶକ୍ତି- ଆମେରିକା, ରୁଷ୍‌, ବ୍ରିଟେନ, ଫ୍ରାନ୍ସ ଓ ଚାଇନା ପରେ କେଉଁ ରାଷ୍ଟ୍ର ଯଦି ଉକ୍ତ ତାଲିକାଭୁକ୍ତ ହୁଏ, ତେବେ ସେ ହେବ ଭାରତ। ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆଶାବ୍ୟକ୍ତ କରିଛନ୍ତି ଯେ, ଆମ ଦେଶ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ ହେବାର ଗୌରବ ହାସଲ କରିବ। ଭାରତକୁ ସ୍ଥାୟୀ ସଦସ୍ୟତା ପ୍ରଦାନ ପାଇଁ ପାଞ୍ଚୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଆମେରିକା, ରୁଷ୍‌, ବ୍ରିଟେନ୍‌ ଓ ଫ୍ରାନ୍ସ ସମର୍ଥନ ଜଣାଇଛନ୍ତି। ମାତ୍ର ଦୁଃଖର ବିଷୟ ଆମ ପଡୋଶୀ ରାଷ୍ଟ୍ର ଚାଇନା ଭାରତର ସ୍ଥାୟୀ ସଦସ୍ୟତାକୁ ବିରୋଧ କରିଛି। ଜାତିସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଗୁଡିକ ବିଭିନ୍ନ ସମୟରେ ବନ୍ଧୁ ରାଷ୍ଟ୍ରମାନଙ୍କର ସ୍ବାର୍ଥରକ୍ଷା ନିମିତ୍ତ ‘ଭିଟୋ’ପ୍ରୟୋଗ କରିଥାନ୍ତି। ଭାରତର ବନ୍ଧୁରାଷ୍ଟ୍ର ରୁଷ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଅନେକ ପ୍ରସଙ୍ଗରେ ‘ଭିଟୋ’ ପ୍ରୟୋଗ କରି ସାହାଯ୍ୟ କରିଛି। କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବରୁ ଯେଉଁ ବିବାଦ ମୁଣ୍ଡ ଟେକିଥିଲା, ସେ ପ୍ରସଙ୍ଗରେ ରୁଷ୍‌ ସର୍ବଦା ଭାରତର ପକ୍ଷ ନେଇ ସମର୍ଥନ ଦେଇଥିଲା। ପୂର୍ବେ ଭାରତ ପ୍ରତି ଆମେରିକାର ଥିବା ନକାରାତ୍ମକ ମନୋଭାବକୁ ରୁଷ ସର୍ବଦା ବିରୋଧ କରି ଭାରତକୁ ସମର୍ଥନ ଦେଇ ନିରାପତ୍ତା ପରିଷଦରେ ‘ଭିଟୋ’ପ୍ରୟୋଗ କରିଥିଲା। ୧୯୬୫ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଖୋଲାଖୋଲି ସମର୍ଥନ ଦେଇଥିବା ବେଳେ ରୁଷ୍‌ ଭାରତକୁ ନିଃସର୍ତ୍ତ ସମର୍ଥନ ଜଣାଇଥିଲା। ସେହିପରି ୧୯୬୨ ମସିହାରେ ଭାରତ-ଚାଇନା ଯୁଦ୍ଧବେଳେ ରୁଷ୍‌ ମଧ୍ୟ ଅନୁରୂପ ଭାବେ ଭାରତକୁ ପୂର୍ଣ୍ଣ ସମର୍ଥନ ଓ ସହାୟତା ଯୋଗାଇ ଦେଇଥିଲା। ଭାରତର ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶରେ ଆମ ପଡୋଶୀ ରାଷ୍ଟ୍ର ଚାଇନା ଏକପ୍ରକାର ଅସହିଷ୍ଣୁ ହୋଇପଡିଛି। ଯେଉଁଥିପାଇଁ ଭାରତ ଓ ଚାଇନା ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଉପୁଜି ଉଭୟ ଦେଶର ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ଆମ ଦେଶର ଅରୁଣାଚଳ ପ୍ରଦେଶର କିଛି ଅଂଶକୁ ଚାଇନା ନିଜର ବୋଲି ଦାବି କରିବା ସହ ସେ ଅଞ୍ଚଳଗୁଡିକର ନାମକରଣ କରିବା ଘଟଣା ଭାରତ-ଚାଇନା ସମ୍ପର୍କକୁ ଅଧିକ ଜଟିଳ କରି ରଖିଛି। ଚାଇନାର ବିରୋଧ ଯୋଗୁଁ ଭାରତ ଏନ୍‌ଏସ୍‌ଜି ବା ଆଣବିକ ଯୋଗାଣ ଗୋଷ୍ଠୀରେ ସାମିଲ ହେବାରୁ ବଞ୍ଚିତ ହୋଇଛି। ଏପରିସ୍ଥଳେ ପୋଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ବୋ ଏଟାସିଜ୍‌ଡୋଲ ଭାରତର ଏନ୍‌ଏସ୍‌ଜି (ପରମାଣୁ ଯୋଗାଣ ଗୋଷ୍ଠୀ)ର ସଦସ୍ୟତାକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଆହୁରି ମଧ୍ୟ ଜାତିସଂଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରି ବାର୍ତ୍ତା ଦେଇଛନ୍ତି। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଏହି ଯେ, ବିଶ୍ୱର ସର୍ବବୃହତ୍‌ ଶକ୍ତି ଆମେରିକା ସମେତ ବିଶ୍ୱର ବହୁରାଷ୍ଟ୍ର ଭାରତର ଏନ୍‌ଏସ୍‌ଜିରେ ସଦସ୍ୟତାକୁ ସମର୍ଥନ ଜଣାଇଛନ୍ତି। ସମ୍ପ୍ରତି ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧିତ୍ୱ କରୁଛନ୍ତି ସୟଦ୍‌ ଆକବରୁଦ୍ଦିନ। ସେ ଭାରତର ସ୍ଥାୟୀ ସଦସ୍ୟତା ନିମିତ୍ତ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୨୨ ରାଷ୍ଟ୍ର ଭାରତର ସ୍ଥାୟୀ ସଦସ୍ୟତା ଦାବିକୁ ସମର୍ଥନ ଜଣାଇଛନ୍ତି। ଦୁଃଖର କଥା, ପାକିସ୍ତାନ ଓ ଚାଇନାର ଭାରତବିରୋଧୀ ହୀନ ଉଦ୍ୟମ ବିଶ୍ୱବାସୀଙ୍କ ଦୃଷ୍ଟିକୁ ଆସିଛି। ଚାଇନାର ସ୍ଥାୟୀ ସଦସ୍ୟତାକୁ ଭାରତ ସମର୍ଥନ ଜଣାଇବାରୁ ଏସିଆ ମହାଦେଶର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଚାଇନା ଆଜି ‘ଭିଟୋ’ କ୍ଷମତାପ୍ରାପ୍ତ ମହାଶକ୍ତି। ଭାରତ, ବ୍ରାଜିଲ, ଜର୍ମାନୀ ଓ ଜାପାନକୁ ନେଇ ଗଠିତ ଜି-୪ ରାଷ୍ଟ୍ର ଗୋଷ୍ଠୀ ସୁରକ୍ଷା ପରିଷଦର ସମ୍ପ୍ରସାରଣ ଉପରେ ଜୋର୍‌ ଦେଇଛନ୍ତି। ‘ଭିଟୋ’ ପ୍ରୟୋଗ କରାଯାଇ ପରିଷଦର ସମ୍ପ୍ରସାରଣ ଯେଭଳି ବନ୍ଦ ନ ହୁଏ, ଏଥି ପାଇଁ ଜି-୪ ରାଷ୍ଟ୍ର ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି।

ଖୁଣ୍ଟୁଣୀ, ଆଠଗଡ, ମୋ-୯୪୩୭୮୬୪୭୬୨



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri