ସମ୍ପାଦକୀୟ/ ‘ମଡେଲ’ ଖସିଯାଇପାରେ

ଦୀର୍ଘକାଳ ଗୁଜରାଟରେ ମୁଖ୍ୟମନ୍ତ୍ରୀ ରହିଆସିଥିବା ନରେନ୍ଦ୍ର ଦାମୋଦରଦାସ ମୋଦି ସାଢ଼େ ୩ ବର୍ଷ ଧରି ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଆଗରେ ରଖି ନିର୍ବାଚନ ଲଢ଼ିଥିଲା। ମୋଦି ସାରା ଦେଶ ବୁଲି ବିକାଶର ଆହ୍ବାନ ଦେଇ ପ୍ରଚାର କରି ସଫଳତା ପାଇଲେ। ସେତେବେଳେ ସେ ‘ଗୁଜରାଟ ମଡେଲ’ ବିକାଶ ଚିନ୍ତାଧାରାକୁ ଦେଶବାସୀଙ୍କୁ ବିକିଥିଲେ। ଭାରତୀୟ ଭୋଟର ମଧ୍ୟ ବିକଳ୍ପ ନ ପାଇ ଭାଜପାକୁ କ୍ଷମତାକୁ ଆଣିଲେ। ଏବେ ଯେତେବେଳେ ଲୋକମାନଙ୍କର ମୋହ ଭଙ୍ଗ ଘଟିବାରେ ଲାଗିଛି ସେତେବେଳେ ମୋଦିଙ୍କ ମନରେ ଭୟ ଘାରୁଥିବା ତାଙ୍କ କାର୍ଯ୍ୟକଳାପରୁ ଜଳ ଜଳ ଦିଶିଲାଣି। ବିଶେଷକରି ଆଗକୁ ହେବାକୁ ଯାଉଥିବା ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାଙ୍କର ବ୍ୟସ୍ତତା ସେହି ଭୟକୁ ସାମ୍ନାକୁ ଆଣୁଛି। ତେଣୁ ସେ ବିକାଶ କଥା ପାସୋରି ଏବେ କେବଳ କଂଗ୍ରେସ, ବିଶେଷକରି ଗାନ୍ଧୀ ପରିବାର ଉପରେ ବର୍ଷୁଛନ୍ତି। କଂଗ୍ରେସ ବିକାଶର ଧାରାକୁ ରୋକୁଛି ବୋଲି ଗୁଜରାଟ ଯାଇ ପ୍ରଚାର କରୁଛନ୍ତି। ତେବେ ଗୁଜରାଟରେ, ବିଗତ ୨୦ ବର୍ଷ ଧରି କଂଗ୍ରେସର ଚିହ୍ନବର୍ଣ୍ଣ ଦେଖିବାକୁ ମିଳି ନ ଥିଲା। ଗୁଜରାଟ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା କରିନାହାନ୍ତି। ଆଶା କରାଯାଉଥିଲା ଯେ, କମିଶନ ହିମାଚଳ ପ୍ରଦେଶ ସହ ଗୁଜରାଟ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବେ। କିନ୍ତୁ ତାହା ନୋହିଲା। କମିଶନ କେବଳ ହିମାଚଳ ନିର୍ବାଚନ ତାରିଖ ଘୋଷଣା କରି ଏ ପର୍ଯ୍ୟନ୍ତ ଚୁପ୍‌ ବସିଛନ୍ତି। ଏହାକୁ ନେଇ ସମାଲୋଚନାର ସ୍ବର ଉଠିବାରୁ କମିଶନ ଅକ୍ଟୋବର ୨୩ରେ ସଫେଇ ଦେଇ କହିଛନ୍ତି ଯେ, ପାଣିପାଗର ସ୍ଥିତି ହେଉଛି ପ୍ରମୁଖ କାରଣ। ବାସ୍ତବ କଥା ହେଉଛି ଗୁଜରାଟ ପାଇଁ ମୋଦିଙ୍କର କେତୋଟି ପ୍ରମୁଖ ଘୋଷଣା ବାକି ରହିଯାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ କରିଦିଆଯାଇଛି। ତାରିଖ ଘୋଷଣା ହୋଇଯାଇଥିଲେ ତାହା ସମ୍ଭବ ହୋଇ ନ ଥାନ୍ତା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୫ ବର୍ଷ ପୂର୍ବେ ଉଭୟ ଗୁଜରାଟ ଏବଂ ହିମାଚଳର ନିର୍ବାଚନ ସମାନ ସମୟରେ ହୋଇଥିଲା। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ ମୋଦି ସରକାର ସିବିଆଇ, ରିଜର୍ଭ ବ୍ୟାଙ୍କ, ସିଭିସି ଭଳି ନିରପେକ୍ଷ କେନ୍ଦ୍ରୀୟ ସଂସ୍ଥାକୁ ପକେଟରେ ପୂରାଇ ରଖିଥିବା ଭଳି ନିର୍ବାଚନ କମିଶନକୁ ମଧ୍ୟ ପ୍ରଭାବିତ କରିବାର କୌଣସି ପଦକ୍ଷେପ ହାତଛଡ଼ା କରିନାହାନ୍ତି। ଅନ୍ୟ ଏକ ପ୍ରସଙ୍ଗ ହେଉଛି ମୋଦିଙ୍କର ବିକାଶ ମନ୍ତ୍ରର ବିଲୟ। ଏହା ଦେଖିବାକୁ ମିଳୁଛି ଗୁଜରାଟରେ ନିର୍ବାଚନ ପ୍ରଚାର କ୍ଷେତ୍ରରେ। ମୋଦି ଏବେ ସପ୍ତାହକୁ ଏକାଧିକ ଥର ଗୁଜରାଟରେ ପ୍ରଚାର ସଭା କରିବା ସହ ଅନେକ ଛୋଟବଡ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରୁଛନ୍ତି। ବିକାଶ ମନ୍ତ୍ର ଭୁଲି କେବଳ ଗାନ୍ଧୀ ପରିବାରକୁ ସମାଲୋଚନା କରୁଛନ୍ତି। ନିକଟରେ ଏକ ପ୍ରଚାର ସଭାରେ ମୋଦି କହୁ କହୁ କହିଦେଲେ, ଜବାହରଲାଲ ନେହେରୁ ଭାଜପାକୁ ଭୟଭୀତ କରୁଥିଲେ। ଏଭଳି ଏକ ଅଭିଯୋଗ ଆଣିବା ପୂର୍ବରୁ ସମ୍ଭବତଃ ମୋଦି ଭୁଲିଗଲେ ଯେ, ଭାଜପା ଜନ୍ମର ବହୁ ପୂର୍ବରୁ ନେହେରୁଙ୍କର ପରଲୋକ ଘଟିସାରିଥିଲା। ନେହେରୁ ୧୯୬୪ ମସିହା ମେ ୨୭ ତାରିଖରେ ଇହଧାମ ତ୍ୟାଗ କରିଥିଲେ। ଭାଜପା ଗଠନ ହେଲା ୧୯୮୦ ମସିହା ଏପ୍ରିଲ ୬ ତାରିଖରେ। ଏହା ସତ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗୁଜରାଟ ନିର୍ବାଚନ ହିଁ ମୋଦିଙ୍କ ପାଇଁ ଅସଲ ପରୀକ୍ଷା। ଭାଜପା ଗତ ସାଢ଼େ ୩ ବର୍ଷ ମଧ୍ୟରେ ବିଭିନ୍ନ ଚଞ୍ଚକତା କରି ରାଜ୍ୟ ଦଖଲର ଧାରା ଅବ୍ୟାହତ ରଖିଛି। ଏପରି କି ଗୋଆ, ମଣିପୁର ଭଳି ରାଜ୍ୟରେ ସଂଖ୍ୟାଗରିଷ୍ଠତା ନ ପାଇ ମଧ୍ୟ କଳେବଳେ କୌଶଳେ କ୍ଷମତାସୀନ ହୋଇଛି। ଏବେ ଯେତେବେଳେ ଗୁଜରାଟରେ ସବୁ ବିରୋଧୀ ଏକାଠି ହେବାକୁ ଯାଉଛନ୍ତି ସେତେବେଳେ ମୋଦିଙ୍କର ସମ୍ଭବତଃ ଛାନିଆ ପଶୁଛି। ଗୁଜରାଟରେ ତାଙ୍କ ସରକାର ଯଦି ଏତେ ଭଲକାମ କରିଛନ୍ତି, ସାରା ଦେଶରେ ଗୁଜରାଟକୁ ଯଦି ମଡେଲ ରାଜ୍ୟ ଭାବେ ପ୍ରଦର୍ଶିତ କରାଯାଉଛି, ତେବେ ମୋଦି ଛାନିଆ ହେଉଛନ୍ତି କାହିଁକି। ରାଜ୍ୟରେ ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ପାଇଁ ତାଙ୍କର ବ୍ୟାକୁଳତାକୁ ଦେଖି ଦଳ ଭିତରେ ମଧ୍ୟ ପ୍ରଶ୍ନ ଉଠିଲାଣି। ଗତ ରବିବାର ମୋଦି ଭଦୋଦରାଠାରେ ଏକ ଫ୍ଲାଏ ଓଭରବ୍ରିଜର ଶିଳାନ୍ୟାସ କଲେ। ଏହା ତାଙ୍କ ଦଳର ନେତାମାନଙ୍କୁୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି ବୋଲି କୁହାଯାଉଛି। ଦେଶର ପ୍ରଧାନମନ୍ତ୍ରୀ ଯଦି ଫ୍ଲାଏ ଓଭରର ଶିଳାନ୍ୟାସ କରିବେ ତେବେ ସହରର ମେୟର କ’ଣ କରିବେ ବୋଲି ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି। ପ୍ରକୃତ କଥା ହେଉଛି ଗୁଜରାଟ ହାତରୁ ଖସିଯିବାର ଭୟ ମୋଦିଙ୍କୁ ଘାରିଲାଣି। ବିଶେଷକରି ଗତ ୪ ମାସ ପୂର୍ବରୁ ଦେଶରେ ଲାଗୁ କରାଯାଇଥିବା ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ଗୁଜରାଟର ବ୍ୟବସାୟୀ ଦୃଢ଼ ବିରୋଧ କରୁଛନ୍ତି। ଗତ କିଛିଦିନ ପୂର୍ବରୁ ସୁରଟରେ ବ୍ୟବସାୟୀମାନେ ଜିଏସ୍‌ଟି ବିରୋଧରେ ସମାବେଶ କରିଥିଲେ। ସେମାନେ ସ୍ଲୋଗାନ ଦେଉଥିଲେ ‘ହମାରି ଭୁଲ୍‌, କମଲ୍‌କା ଫୁଲ’। ବ୍ୟବସାୟୀ ଓ ଶିଳ୍ପପତିଙ୍କ ସହଯୋଗରେ କ୍ଷମତାକୁ ଆସିଥିବା ମୋଦି ସେହି ଗୋଷ୍ଠୀର ବିରୋଧ ଯୋଗୁ ଭୟଭୀତ ହୋଇପଡ଼ିବା ସ୍ବାଭାବିକ। ଏହା ଥିଲା କେବଳ ରାଜନୀତି। ଭାରତୀୟଙ୍କର ଦୁର୍ଭାଗ୍ୟ ହେଉଛି, ତାଙ୍କ ସମ୍ମୁଖରେ ଏଭଳି କୌଣସି ନେତୃତ୍ୱ ନାହିଁ, ଯାହାଙ୍କ ମନରେ ଲୋକଙ୍କ ପାଇଁ ବାସ୍ତବ ଶ୍ରଦ୍ଧା ରହିଛି। କେବଳ ଚେଲା ଚାମୁଣ୍ଡାଙ୍କର ଧ୍ୱନିରେ ବିଚଳିତ ଏବଂ ପଥହରା ନ ହୋଇ, ଏକବିଂଶ ଶତାବ୍ଦୀର ଭାରତୀୟ ନିଜେ ନିଜର ନେତା ହେବାକୁ ବାଧ୍ୟହେବେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri