ଚାଷୀ ଛାଡ଼ିବ ଚାଷ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତି ଡାକରାରେ ଓଡ଼ିଶାର ୧୦ଟି ଜିଲାରେ ଆରମ୍ଭ ହୋଇଥିବା କୃଷକ ଅଧିକାର ଯାତ୍ରା ସମୟରେ କୃଷକଙ୍କ ମନରେ ଚାଷପ୍ରତି ବୀତସ୍ପୃହତା ସୃଷ୍ଟି ହୋଇଛି। ଚାଷୀମାନେ ପ୍ରଶ୍ନ କରିଛନ୍ତି ଯେ, ସର୍ବନିମ୍ନ ସହାୟକ ଦର ଯଦି ତାଙ୍କୁ ସାମାନ୍ୟତମ ଲାଭ ଦେଇ ନ ପାରିବ, ତେବେ ସେମାନେ ଚାଷ କରିବେ କାହିଁକି? କେହି କେହି ଏହାକୁ ଚେତାବନୀ କହିପାରନ୍ତି। ମୁଁ କିନ୍ତୁ ଏହାକୁ ଚାଷୀ ମନରେ ଉପୁଜିଥିବା ବେଦନାର ପ୍ରତିଫଳନ କହିବି, ସାମାଜିକ ଓ ଆର୍ଥିକ ଭାବେ ଭୂଲୁଣ୍ଠିତ ଚାଷୀ ପାଖରେ ଅନ୍ୟ କୌଣସି ବିକଳ୍ପର ଅଭାବ ବୋଲି ବିଚାର କରିବି। କେବଳ ଓଡିଶା କାହିଁକି ସାରା ଭାରତରେ ଏବେ କୃଷି ଓ କୃଷକଙ୍କର ସମ ଦଶା। ଏବେ କୃଷକ ଗୋଷ୍ଠୀ ସମାଜର ସବୁଠୁ ନିମ୍ନରେ ଥିବା ବର୍ଗ ଭାବେ ଗଣାଗଲେଣି ଏବଂ କୃଷି ସବୁଠାରୁ ନିକୃଷ୍ଟ ଜୀବିକା ବୋଲି ଗଣ୍ୟ ହେଲାଣି। ବର୍ଷବର୍ଷ ଧରି କୃଷିକ୍ଷେତ୍ର ଓ କୃଷକଙ୍କ ପ୍ରତି ହୋଇଆସିଥିବା ବୈମାତୃକ ମନୋଭାବର ପରିଣାମ ଏବେ ଭୟଙ୍କର ରୂପ ନେଲାଣି। ଏକଦା ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ହେଉଥିବା ଚାଷ ଜୀବିକା ଏଭଳି ଏକ ସ୍ଥିତିରେ ପହଞ୍ଚିବା ଅତି ଚିନ୍ତାଜନକ। ଏବେ ବି ଦେଶର ଅଧିକାଂଶ ପରିବାର ଚାଷ ଉପରେ ମୁଖ୍ୟତଃ ନିର୍ଭରଶୀଳ। ଦୁର୍ଭାଗ୍ୟର କଥା ଯେ ସରକାରୀ ନୀତି ବା ଅନ୍ୟ ବର୍ଗ ପାଇଁ ପ୍ରୀତି ହିଁ ଚାଷୀର ଦୁର୍ଭାଗ୍ୟର ଏକ ବଡ଼ କାରଣ। ତା’ ଉତ୍ପାଦିତ ଫସଲର ଲାଭଜନକ ଦର ନ ପାଇ ଚାଷୀ ତଳିତଳାନ୍ତ ହେଉଛି। ୧୯୮୪-୮୫ରେ ଧାନର ସର୍ବନିମ୍ନ ସହାୟକ ଦର ବା ଏମ୍‌ଏସ୍‌ପି କୁଇଣ୍ଟାଲ ପ୍ରତି ୧୩୭ ଟଙ୍କା ଥିଲା। ୨୦୧୬-୧୭ରେ ତାହା ପହଞ୍ଚିଲା ୧,୪୭୦ ଟଙ୍କାରେ। ୩୨ ବର୍ଷରେ ଧାନର ଏମ୍‌ଏସ୍‌ପି ବଢିଲା ୧୦.୭ ଗୁଣ। ଅନ୍ୟ କାହା ସହ ଏହାକୁ ତୁଳନା ନ କରିବା ଯାଏ ହୁଏତ ଜଣେ କହିବ ଯେ ‘ଧାନ ଦର ତ ଖୁବ୍‌ ବଢିଛି।’ କିନ୍ତୁ ଅନ୍ୟ ସହ ତୁଳନା କଲେ ଜଣାପଡ଼ିବ ଅସଲ ଚିତ୍ର। ଏଇ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୧୬-୧୭ ବର୍ଷ ପାଇଁ ଅର୍ଥନୀତିର ପରିସଂଖ୍ୟାନ ଜାରି କରିଛନ୍ତି। ତାହାର ଅନୁଶୀଳନ କରି ସରକାରୀ ତଥ୍ୟର ତର୍ଜମା କରୁଥିବା ଗବେଷକ ରାକେଶ ଦୁବୁଡୁ କହିଲେ ଯେ ଧାନର ଏମ୍‌ଏସ୍‌ପି ୧୯୮୪-୮୫ରୁ ୨୦୧୬-୧୭ ମଧ୍ୟରେ ମାତ୍ର ୧୦.୭ ଗୁଣ ବଢିଥିବା ବେଳେ ସରକାର ସଂଗ୍ରହ କରିଥିବା ଖଜଣା ସେହି ସମୟରେ ୫୦ ଗୁଣ ବୃଦ୍ଧି ପାଇଛି। ଏହାକୁ ସେ ସରକାରୀ କର୍ମଚାରୀଙ୍କ ଦରମା ସହ ତୁଳନା କରି ଦେଖିଛନ୍ତି। ଏହି ୩୨ ବର୍ଷର ସମୟ ମଧ୍ୟରେ ସରକାରୀ ବାବୁମାନେ ତିନିଟି ଦରମା ଆୟୋଗରୁ ଛପରଫାଡ ଲାଭ ସହିତ ୧୦୮ଟି ଭତ୍ତା ପାଇଛନ୍ତି। ସେମିତି ଏକ ତୁଳନା କୃଷି ବିଶାରଦ ଭାବରେ ଭାରତରେ ତଥା ଭାରତ ବାହାରେ ପ୍ରଖ୍ୟାତ ଦେବିନ୍ଦର ଶର୍ମା ମହୋଦୟ ମଧ୍ୟ କରିଛନ୍ତି। ତାଙ୍କ ଗବେଷଣା କହେ ୧୯୭୦ରୁ ୨୦୧୫ ବା ୪୫ ବର୍ଷର ସମୟ ଅବଧିରେ ଗହମର ଏମ୍‌ଏସ୍‌ପି ୧୯ଗୁଣ ବୃଦ୍ଧି ପାଇଥିଲା। ସେହି ସମୟରେ ସରକାରୀ ବାବୁଙ୍କ ମୂଳ ଦରମା ସର୍ବନିମ୍ନ ୧୨୦ରୁ ଆରମ୍ଭ କରି ୧୫୦ଗୁଣ, କଲେଜ ଶିକ୍ଷକଙ୍କ ଦରମା ୧୫୦ରୁ ୧୭୦ଗୁଣ, ବିଦ୍ୟାଳୟ ଶିକ୍ଷକଙ୍କ ଦରମା ୨୮୦ରୁ ୩୨୦ଗୁଣ ଏବଂ କର୍ପୋରେଟ୍‌ ଜଗତରେ କାମ କରୁଥିବା କର୍ମଚାରୀଙ୍କ ଦରମା ୩୦୦ରୁ ୧୦୦୦ ଗୁଣ ବଢିଛି। ଯଦି ସମାଜର ସବୁବର୍ଗ ମଧ୍ୟରେ ଆୟ ସମାନତା ରଖିବା ପାଇଁ ଅନ୍ୟବର୍ଗଙ୍କ ଆୟ ବୃଦ୍ଧି ସହିତ ତାଳ ଦେଇ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରାଯାଇଥାନ୍ତା, ତେବେ ଧାନ ଓ ଗହମର ଏମ୍‌ଏସ୍‌ପି ଅତିକମ୍‌ରେ ୧୦୦ ଗୁଣ ବଢିବାର ଆବଶ୍ୟକତା ଥିଲା ବୋଲି କହନ୍ତି ଶର୍ମା। ମୁଁ ବି ସେମିତି ଏକ ହିସାବ ଦେଇଥିଲି ଗତ ଜୁଲାଇ ୧୨ ତାରିଖରେ ଏହି ସ୍ତମ୍ଭରେ ପ୍ରକାଶିତ ‘ଦରମା ବନାମ ଧାନ ଦର’ ଆଲେଖ୍ୟରେ। ସେଥିରେ ବିଗତ ଦଶବର୍ଷରେ ଜଣେ ଧାନଚାଷୀ ପାଇଥିବା ଏମ୍‌ଏସ୍‌ପି ସହିତ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ ପାଇଥିବା ଦରମାର ତୁଳନା କରିଥିଲି। ଦର୍ଶାଇଥିଲି ଯେ ବିଗତ ଦଶବର୍ଷରେ କେବଳ ମହଙ୍ଗାଭତ୍ତା କାରଣରୁ ଜଣେ ସରକାରୀ କର୍ମଚାରୀର ଦରମା ୨୧୫ ପ୍ରତିଶତ ବଢିଥିବା ବେଳେ ଏମ୍‌ଏସ୍‌ପିରେ ବୃଦ୍ଧି କାରଣରୁ ଜଣେ ଧାନଚାଷୀର ବିକ୍ରିଲବ୍ଧ ଆୟ ମାତ୍ର ୧୩୭ ପ୍ରତିଶତ ବଢିଛି। ଯଦି ମହଙ୍ଗା ଭତ୍ତା ପ୍ରକୃତରେ ମୁଦ୍ରାସ୍ଫୀତି ବା ମହଙ୍ଗାର କ୍ଷତି ମେଣ୍ଟାଇବା ପାଇଁ ଉଦ୍ଦିଷ୍ଟ ତାହାହେଲେ ଚାଷୀକୁ ଦିଆଯାଇଥିବା ଏମ୍‌ଏସ୍‌ପି ଅର୍ଥ ବ୍ୟବସ୍ଥାରେ ଘଟିଥିବା ମହଙ୍ଗାକୁ ଯେ ଭରଣା କରିପାରି ନାହିଁ, ଏ କଥା ସ୍ପଷ୍ଟ । ସ୍ଥିତି ଏମିତି ବିକଟ ରହିଥିବା ବେଳେ ମୋଦି ସରକାରଙ୍କ ଚାଷୀଙ୍କ ଆୟକୁ ସାତବର୍ଷରେ ଦୁଇଗୁଣା କରିବା ନାରା ଏକ ଆଶା ସୃଷ୍ଟି କରିଥିଲା। କିନ୍ତୁ ଗତ ଦୁଇବର୍ଷରେ ତହିଁରେ କିଛି ପ୍ରଗତି ହୋଇଥିବାର କାଣିଚାଏ ବି ସୂଚନା ମିଳିନାହିଁ। ଏବେ ବି କୃଷି ସମ୍ବନ୍ଧିତ ସରକାରୀ ନୀତି ନିର୍ଦ୍ଧାରକମାନେ ଏହି ବିଚାର ରଖିଚାଲିଛନ୍ତି ଯେ ଫସଲର ଉତ୍ପାଦନ ବୃଦ୍ଧି ସବୁ ସମସ୍ୟାର ନିଦାନ। ସେହି ବିଚାର ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ମିଥ୍ୟା ବୋଲି ବାରମ୍ବାର ପ୍ରମାଣିତ ହୋଇଚାଲିଛି, କିନ୍ତୁ ସରକାର ଓ ନୀତି ପ୍ରସ୍ତୁତ କରୁଥିବା ଲୋକେ ସେହି ସତ୍ୟତା କେମିତି ଜାଣିପାରୁ ନାହାନ୍ତି ତାହା ହିଁ ବିସ୍ମୟକର। ଯଦି କେବଳ ଉତ୍ପାଦନ ଚାଷକୁ ଲାଭଜନକ କରିପାରୁଥାନ୍ତା, ତେବେ ଓଡ଼ିଶାର ଆଳୁ ଓ ପିଆଜ ଚାଷୀ ଏବେ ଲକ୍ଷପତି ହୋଇସାରିଥାନ୍ତେ। ପନିପରିବା ଚାଷୀ ଉତ୍ପାଦକୁ ରାସ୍ତାରେ ଅଜାଡୁ ନ ଥାନ୍ତେ, ଫସଲକୁ ଉଜାଡୁ ନ ଥାନ୍ତେ। ଦୁଗ୍ଧଚାଷୀ ଦୁଗ୍ଧକୁ ରାସ୍ତାରେ ନାଳରେ ବୁହାଉ ନ ଥାନ୍ତେ। ଯେଉଁଠି ବି କେବେ ଉତ୍ପାଦନରେ ବୃଦ୍ଧି ହୋଇଛି, ଚାଷୀ ଲାଭ ଛାଡ, ମାଡ ହିଁ ପାଇଛି। ସେହିଭଳି ପ୍ରତ୍ୟେକ କ୍ଷେତ୍ରରେ ଅହେତୁକ ଦର ଖସି ସବୁ ସପନକୁ ଉଜାଡିଛି। ଏପରି କି ଡାଲି ଓ ତୈଳବୀଜ ଭଳି ଫସଲ, ଯାହା ଅନେକ ଦିନ ସାଇତି ରଖାଯାଇପାରେ, ତାହା ମଧ୍ୟ ଚାଷୀକୁ ଲାଭ ପ୍ରଦାନ କରିପାରୁନାହିଁ। ଚାଷୀର ଆୟ ଦୁଇଗୁଣ କରିବା ପାଇଁ ନୀତି ଆୟୋଗ ପ୍ରସ୍ତୁତ କରିଥିବା ଭିତ୍ତିପତ୍ରରେ ସେହି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧିକୁ ହିଁ ଗୁରୁତ୍ୱ ଦିଆଯାଇଛି। ନୀତିଆୟୋଗ ଆଉ ଏକ ଦିଗକୁ ଗୁରୁତ୍ୱ ଦେଇଛି, ଯାହାକୁ ଅନେକ ଅର୍ଥନୀତିଜ୍ଞ ତ୍ରୁଟିପୂର୍ଣ୍ଣ ବୋଲି କହନ୍ତି। ସେଥିରେ କୁହାଯାଇଛି ଯେ କୃଷକ ଓ କୃଷିଜୀବୀଙ୍କୁ ଅନ୍ୟକ୍ଷେତ୍ରକୁ ଅପସାରଣ କରିବାର ଆବଶ୍ୟକତା ଅଛି। ବାକି ଯାହା ହେଉ କି ନ ହେଉ କୃଷକ ଓ କୃଷିଜୀବୀଙ୍କୁ କୃଷିକ୍ଷେତ୍ରରୁ ତଡ଼ିବାର ସରକାରୀ ଷଡ଼ଯନ୍ତ୍ର ସିଦ୍ଧ ହୋଇଚାଲିଛି। ଚାଷୀ ପରିବାରର ଯୁବତୀଯୁବକ ଏବେ ପାନ ଚା ଦୋକାନ ଆଦି ବେପାର ବା ଦୂର ରାଇଜରେ କେଉଁଠି ମୂଲକାମକୁ ବରଂ ଆବୋରି ନେଉଛନ୍ତି କିନ୍ତୁ କ୍ଷେତକୁ ପଶିବାର ଚିନ୍ତା କରୁନାହାନ୍ତି। ଅନ୍ୟ ବିକଳ୍ପକୁ ଚାହିଁ ବସିଛନ୍ତି କୃଷକ ପରିବାରର ସଦସ୍ୟ। ସାମାନ୍ୟ ସୁଯୋଗ ପାଇଲେ ଚାଷ ଛାଡ଼ୁଛନ୍ତି। ଏହା ଅତ୍ୟନ୍ତ ବିପଜ୍ଜନକ। ଚାଷୀକୁ ଭଲ ଲାଭ ଏବେ ସରକାରଙ୍କର ସବୁଠୁଁ ବଡ଼ ଲକ୍ଷ୍ୟ ହେବା ଦରକାର। ଲାଭ ନ ମିଳିଲେ ଜମିକୁ ପଡିଆ ପକାଇବା ବ୍ୟତୀତ ଅନ୍ୟକିଛି ବିକଳ୍ପ ନାହିଁ ଚାଷୀ ପାଖରେ।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri