ସମସ୍ତଙ୍କ ପାଇଁ ବିଜୁଳି

ଇଂ. ମାୟାଧର ସ୍ବାଇଁ

ବିଜୁଳି ବା ବିଦ୍ୟୁତ୍‌ ହେଉଛି ଅଧୁନା ମାନବ ସମାଜର ଏକ ଅତ୍ୟାବଶ୍ୟକ ବସ୍ତୁ। ଆମେ ଏହା ସହିତ ଏତେମାତ୍ରାରେ ଅଭ୍ୟସ୍ତ ହୋଇଗଲେଣି ଯେ ଅଳ୍ପ ସମୟ ପାଇଁ ମଧ୍ୟ ଏହା ଉପଲବ୍ଧ ନ ହେଲେ ଆମକୁ ଅସ୍ବସ୍ତି ବୋଧ ହେଉଛି। ଅନେକ ଅର୍ଥନୀତି ବିଶାରଦ ବିଦ୍ୟୁତ୍‌ ବ୍ୟବହାରକୁ ଦେଶର ପ୍ରଗତିର ମାପକାଠି ଭାବେ ବିବେଚନା କରିଥାଆନ୍ତି। ଯେଉଁ ଦେଶ ଯେତେ ଅଧିକ ବିଦ୍ୟୁତ୍‌ ବ୍ୟବହାର କରୁଛି, ସେହି ଦେଶକୁ ସେହି ଅନୁଯାୟୀ ଅଧିକ ବିକଶିତ ମନେକରାଯାଉଛି। ବିଦ୍ୟୁତ୍‌ ବ୍ୟବହାରରୁ ଦେଶର ବିକାଶ ସହିତ ଲୋକମାନଙ୍କର ଜୀବନଶୈଳୀର ସୂଚନା ମଧ୍ୟ ମିଳିଥାଏ। ଉଦାହରଣସ୍ବରୂପ, ଭାରତର ମୁଣ୍ଡପିଛା ହାରାହାରି ବାର୍ଷିକ ବିଦ୍ୟୁତ୍‌ ଖର୍ଚ୍ଚ ୧୦୬୫ ୟୁନିଟ୍‌ ହୋଇଥିବା ବେଳେ ଆମେରିକାରେ ଏହା ହେଉଛି ୧୨,୯୮୭ ୟୁନିଟ୍‌। ଅନେକ ୟୁରୋପୀୟ ଦେଶରେ ଏହା ୧୦,୦୦୦ ୟୁନିଟ୍‌ରୁ ଅଧିକ। ଏପରି କି ଚାଇନାରେ ଏହା ହେଉଛି ୫,୨୧୯ ୟୁନିଟ୍‌। ରୋଟି, କପଡା ଓ ମକାନ ଭଳି ବିଦ୍ୟୁତ୍‌ ଆଜି ଏକ ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଛି। ଏଣୁ ଏହାକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ସରକାରଙ୍କର। ଆମ ଦେଶରେ ଏ ପର୍ଯ୍ୟନ୍ତ କେତେକ ଗ୍ରାମରେ ବିଦ୍ୟୁତ୍‌ ପହଞ୍ଚି ନାହିଁ। ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୪କୋଟି ପରିବାର ବିଜୁଳି ଆଲୁଅରୁ ବଞ୍ଚିତ। ଦେଶ ସ୍ବାଧୀନତା ଲାଭ କଲା ବେଳକୁ ଦେଶର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ଥିଲା ମାତ୍ର ୧୩୬୨ ମେଗାଓ୍ବାଟ୍‌ ଏବଂ ୧୫୦୦ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ୨୦୧୭ ଅଗଷ୍ଟ ଶେଷ ସୁଦ୍ଧା ଦେଶର ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୩,୨୯,୨୨୬ ମେଗାଓ୍ବାଟ୍‌ରେ ପହଞ୍ଚିଲାଣି। ତଥାପି ଅନେକ ଗ୍ରାମ ଅନ୍ଧାରରେ ଅଛି। ଚାହିଦାଠାରୁ ଆମର ବିଦ୍ୟୁତ୍‌ ଉତ୍ପାଦନ ଅଧିକ ଅଛି ଏବଂ ଆମେ ପଡୋଶୀ ଦେଶକୁ ମଧ୍ୟ ଏହା ରପ୍ତାନି କରୁଛେ। କିନ୍ତୁ ଦେଶର ଅଭ୍ୟନ୍ତର ଗ୍ରାମଗୁଡିକୁ ବିଦ୍ୟୁତ୍‌ ସଂଯୋଗ କରିପାରି ନାହେଁ। ପୁନଶ୍ଚ ଗ୍ରାମଗୁଡିକୁ ବିଦ୍ୟୁତ୍‌ ସଂଯୋଗ ଥିଲେ ମଧ୍ୟ ଅର୍ଥାଭାବରୁ ଅନେକ ଗରିବ ଲୋକ ଏହି ସୁବିଧା ପାଇପାରୁ ନାହାନ୍ତି। କେନ୍ଦ୍ର ସରକାର ୨୦୦୫ ଏପ୍ରିଲରେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ଯୋଗାଣ ପାଇଁ ପଦକ୍ଷେପ ନେଲେ। ମାତ୍ର ଏଥିରେ ଆଶାନୁରୂପ ଫଳ ମିଳିଲା ନାହିଁ। ୨୦୧୨ ମସିହା ସୁଦ୍ଧା ସମସ୍ତଙ୍କୁ ବିଜୁଳି ଯୋଗାଇଦେବା ପାଇଁ ସରକାର ଘୋଷଣା କରିଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ ଏବଂ ପ୍ରାୟ ୩୦ ପ୍ରତିଶତ ଘର ବିଜୁଳି ଆଲୋକରୁ ଦୂରରେ ରହିଲା। ସରକାର ୨୦୧୪ ନଭେମ୍ବରରେ ପୁଣି ଦୀନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ନାମରେ ଏକ ଯୋଜନା କରି କିଛି ସଫଳତା ପାଇଛନ୍ତି। ଏହି ଯୋଜନା ଆରମ୍ଭ ବେଳକୁ ସମଗ୍ର ଦେଶରେ ୧୮,୪୫୨ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିଲା। ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଏଥିମଧ୍ୟରୁ ୧୪,୪୮୩ ଗ୍ରାମରେ ବିଦ୍ୟୁତ୍‌ ଉପଲବ୍ଧ ହେଲାଣି ଏବଂ ଅନ୍ୟ ଗ୍ରାମଗୁଡିକର ବିଦ୍ୟୁତୀକରଣ ପାଇଁ କାର୍ଯ୍ୟ ଚାଲିଛି। ନିୟମ ଅନୁଯାୟୀ ଯେଉଁ ଗ୍ରାମରେ ଟ୍ରାନ୍ସଫର୍ମର ସ୍ଥାପିତ ହୋଇଥିବ ଏବଂ ବିଦ୍ୟୁତ୍‌ ତାର ଯାଇ ବିଦ୍ୟୁତ୍‌ ସଂଯୋଗ ହୋଇଥିବ ସେହି ଗ୍ରାମ ବିଦ୍ୟୁତୀକରଣ ହୋଇଗଲା ବୋଲି ଧରାଯାଏ। ୨୦୧୫ ମାର୍ଚ୍ଚ ସୁଦ୍ଧା ଦେଶର ୫,୯୭,୪୬୪ ଗ୍ରାମ ମଧ୍ୟରୁ ୫,୭୯,୦୧୨ (୯୭%) ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। ମାତ୍ର ଦାରିଦ୍ର୍ୟ ଓ ଅନ୍ୟ କାରଣରୁ ସେହି ଗ୍ରାମଗୁଡ଼ିକର ଅନେକ ପରିବାର ବିଦ୍ୟୁତ୍‌ ସଂଯୋଗ ନେଇ ନାହାନ୍ତି। ଏହି ଯୋଜନା ଆରମ୍ଭ ପୂର୍ବରୁ ଦେଶର ଗ୍ରାମାଞ୍ଚଳରେ ୧୭,୯୨,୮୪,୭୯୭ ଗୃହକୁ ବିଦ୍ୟୁତ୍‌ ଯାଇ ନ ଥିଲା ଏବଂ ବର୍ତ୍ତମାନ ସୁଦ୍ଧା ସେଥି ମଧ୍ୟରୁ ୧୩,୮୭,୫୬,୯୬୫ ଗୃହକୁ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ଆମ ଓଡିଶାକୁ ବିଚାର କଲେ ଏହି ଯୋଜନା ଆରମ୍ଭରେ ୩୪୭୪ ଗ୍ରାମ ଓ ୮୬,୪୩,୧୯୨ ଗୃହରେ ବିଦ୍ୟୁତ୍‌ ପହଞ୍ଚି ନ ଥିଲା ଏବଂ ବର୍ତ୍ତମାନ ସୁଦ୍ଧା ସେଥିମଧ୍ୟରୁ ୨୬୧୨ ଗ୍ରାମ ଓ ୫୩,୭୭,୬୬୭ ଗୃହ ବିଦ୍ୟୁତୀକରଣ ହୋଇଛି। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ମଧ୍ୟ ଅନେକ ଗୃହକୁ ବିଜୁଳି ଯାଇନାହିଁ। ବିଶେଷକରି ବସ୍ତି ଓ ନୂତନ ଭାବେ ଗଢିଉଠିଥିବା ବସତିରେ ଏହା ଦେଖାଦେଇଛି। ଏଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରତ୍ୟେକ ଘରକୁ ବିଜୁଳି ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏହି ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଏକ ନୂତନ ଯୋଜନା ସୌଭାଗ୍ୟ (ପ୍ରଧାନମନ୍ତ୍ରୀ ସହଜ ବିଜୁଳି ହର୍‌ ଘର୍‌)ର ଶୁଭାରମ୍ଭ କରିଛନ୍ତି। ଏଥିରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଦେଶର ପ୍ରତ୍ୟେକ ଘରେ ବିଜୁଳି ସଂଯୋଗ କରାଯିବାର ଲକ୍ଷ୍ୟ ରହିଛି। ଏଥିପାଇଁ ୧୬,୩୨୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି, ଯେଉଁଥିରୁ ଗ୍ରାମାଞ୍ଚଳରେ ୧୪,୦୨୫ କୋଟି ଟଙ୍କା ଓ ଅବଶିଷ୍ଟ ସହରାଞ୍ଚଳ ପାଇଁ ଖର୍ଚ୍ଚ ହେବ। ଏହି ମୋଟ ଅର୍ଥରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଦେବେ ଏବଂ ଅବଶିଷ୍ଟ ୩୦ ପ୍ରତିଶତ ବ୍ୟାଙ୍କ ଋଣ ଆକାରରେ ଉପଲବ୍ଧ କରାଯିବ। ଏହି ଯୋଜନାରେ ଆର୍ଥିକ ଓ ସାମାଜିକ ଅନଗ୍ରସର ବ୍ୟକ୍ତିଙ୍କୁ ମାଗଣାରେ ଏବଂ ଅନ୍ୟମାନଙ୍କୁ ୫୦୦ଟଙ୍କା ବିନିମୟରେ (ଯାହା ଦଶଟି କିସ୍ତିରେ ପରିଶୋଧ ହେବ) ବିଦ୍ୟୁତ୍‌ ସଂଯୋଗ ଦିଆଯିବ। ଏହି ଯୋଜନାରେ ପ୍ରତ୍ୟେକ ଘରକୁ ପାଞ୍ଚଟି ଲେଖାଏଁ ଏଲଇଡି ବଲ୍‌ବ ଓ ଗୋଟିଏ ପଙ୍ଖା ଦିଆଯିବାର ପ୍ରସ୍ତାବ ରହିଛି। ଏଥିରେ ବିହାର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଝାଡ଼ଖଣ୍ଡ, ରାଜସ୍ଥାନ ଓ ପୂର୍ବାଞ୍ଚଳ ରଜ୍ୟସମୂହ ସାମିଲ ଅଛନ୍ତି। ବିଦ୍ୟୁତୀକରଣ ହୋଇ ନ ଥିବା ୯୦ ପ୍ରତିଶତ ଘର ଏହି ରାଜ୍ୟଗୁଡିକରେ ରହିଛି। ଦେଶର ପ୍ରତ୍ୟେକ ଗୃହ, ଗ୍ରାମ ଓ ସହରକୁ ନିରବଚ୍ଛିନ୍ନ ଭାବେ ୨୪ଘଣ୍ଟିଆ ବିଜୁଳି ଯୋଗାଣ ନିଶ୍ଚିତ ଭାବେ ଲୋକମାନଙ୍କର ଜୀବନଶୈଳୀରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଛାତ୍ରୀଛାତ୍ରମାନଙ୍କ ପାଠପଢାରେ ସାହାଯ୍ୟ କରିବ। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହା ସହାୟକ ହେବ। ଅନେକ ଗାଁ ସ୍କୁଲକୁ ସରକାର କମ୍ପ୍ୟୁଟର ଦେଇଛନ୍ତି, ମାତ୍ର ଅନେକ ସମୟରେ ବିଜୁଳି ରହୁନାହିଁ। ସେହି ଅସୁବିଧା ଦୂର ପାଇଁ ଏହା ସାହାଯ୍ୟ କରିବ। ପୁନଶ୍ଚ ଜାଳେଣି ପାଇଁ କାଠ ଓ କିରୋସିନ ବ୍ୟବହାର କମ୍‌ ହେବ ଏବଂ ଏହା ପରିବେଶ ସୁରକ୍ଷାରେ ସହାୟତା କରିବ।

୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri