ସମ୍ପାଦକୀୟ/କ୍ଷୀର ପିଅନ୍ତି ଅମଲାତନ୍ତ୍ରୀ

ଜୀବନର ପ୍ରତିଟି କ୍ଷେତ୍ରରେ ଦୁର୍ନୀତି କାୟା ବିସ୍ତାର କରୁଥିବା ସମସ୍ତେ ହୃଦୟଙ୍ଗମ କରୁଥିଲେ ମଧ୍ୟ ଏହାକୁ ରୋକିବା କଷ୍ଟକର ହୋଇପଡ଼ିଛି। ଯାହାଙ୍କ ପାଖରେ କ୍ଷମତା ରହୁଛି ସେ ଦୁର୍ନୀତି କରିବାକୁ ଆଗଭର ହେଉଛନ୍ତି। ତେବେ କ୍ଷମତା ଆସିବା ପୂର୍ବରୁ ସମସ୍ତେ ଦୁର୍ନୀତି ବିରୋଧରେ ଅନେକ କଥା କହିଥାନ୍ତି। ଥରେ ଗାଦି ମାଡ଼ିବସିବା ପରେ ଦୁର୍ନୀତି ସହିତ କ୍ଷମତାର ଆନୁଷଙ୍ଗିକ ଲାଭକୁ କେହି ଛାଡ଼ୁଥିବାର ଉଦାହରଣ ଦେଖିବାକୁ ମିଳୁନାହିଁ। ବୋକା ଧରାପଡ଼ୁଛି, ଚତୁର ଭାବମୂର୍ତ୍ତିକୁ ଚିକ୍କଣ ରଖି ଦୀର୍ଘ ସମୟ ପରେ ମଧ୍ୟ ଖସିଯାଇପାରୁଛି। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ ସରକାର ଅକ୍ଟୋବର ୨୩ରେ ବିଧାନସଭାରେ କ୍ରିମିନାଲ ଲ’ (ରାଜସ୍ଥାନ ଆମେଣ୍ଡ୍‌ମେଣ୍ଟ) ବିଲ୍‌ ଆଗତ କରିବା ପରେ ସେଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଗତମାସ ଏ ସଂକ୍ରାନ୍ତରେ ବିବାଦୀୟ ଅଧ୍ୟାଦେଶ ଜାରି କରାଯାଇଥିଲା। ବିଚାରପତି, ମାଜିଷ୍ଟ୍ରେଟ୍‌ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗ ମାମଲାରେ ସୁରକ୍ଷା ଦିଆଯିବା ଲାଗି ଉପରୋକ୍ତ ଅଧ୍ୟାଦେଶ ଅଣାଯାଇଛି କହି ବିରୋଧୀମାନେ ହଟ୍ଟଗୋଳ କରିଛନ୍ତି। କୁହାଯାଉଛି ସିଆର୍‌ପିସିରେ ସଂଶୋଧନ ଅଣାଯାଇ ଏଭଳି ଆଇନ କାର୍ଯ୍ୟକାରୀ ହେଲେ ସରକାରଙ୍କ ଅନୁମତି ବିନା ବାବୁମାନଙ୍କ ବିରୋଧରେ କୌଣସି ମାମଲା ଦାୟର ହୋଇପାରିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏ ସଂକ୍ରାନ୍ତ ରିପୋର୍ଟ ଗଣମାଧ୍ୟମ ଛାପିପାରିବେ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ଏଭଳି ଚିନ୍ତାଧାରା କେବଳ ଗଣତନ୍ତ୍ର ବିରୋଧୀ ନୁହେଁ, ଏହାଦ୍ୱାରା ସାଧାରଣ ନାଗରିକର ଜୀବନ ଓ ସମ୍ପତ୍ତି ପ୍ରତି ଘୋର ବିପଦ ସୃଷ୍ଟି ହେଉଛି। ଦୁର୍ନୀତି କରୁଥିବା ବାବୁମାନଙ୍କ ମୁଖା ଖୋଲିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ଶାସନ ଓ ପ୍ରଶାସନିକ ବ୍ୟବସ୍ଥାକୁ ଦେଖିଲେ ପ୍ରତିଟି କ୍ଷେତ୍ରରେ ଅମଲାତାନ୍ତ୍ରିକ ହସ୍ତକ୍ଷେପ ଯୋଗୁ ଦୁର୍ନୀତି ବଢ଼ିଚାଲୁଛି। କାରଣ ବ୍ୟବସ୍ଥାପକ ଆଇନ ପ୍ରଣୟନ କରିଦେଉଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ସରକାରୀ କଳ ଉପରେ ଛାଡ଼ିଦିଆଯାଇଛି। ସେମାନେ ଚାହିଁଲେ ଫାଇଲ୍‌ ଗତିଶୀଳ ହେବ, ନ ହେଲେ ବର୍ଷବର୍ଷ ଧରି ନାଲିଫିତା ତଳେ ଚାପି ହୋଇ ରହିଯିବ। ଏଠାରେ ମନେରଖିବାକୁ ହେବ ଯେ ବିଚାରପତି, ପ୍ରଶାସନିକ ଅଧିକାରୀ ଓ ପୋଲିସ ହେଉଛନ୍ତି ବାସ୍ତବ ସରକାର। ସେମାନଙ୍କ ଚାକିରିରେ ଯୋଗଦାନ ଦିନଠାରୁ ଅବସର ନେବା ପର୍ଯ୍ୟନ୍ତ କ୍ଷମତାରେ ରହି ନିଷ୍ପତ୍ତି ନେବାର ସାମ୍ବିଧାନିକ ଯୋଗ୍ୟତା ହାସଲ ହୋଇଯାଇଥାଏ। ସିଧାସଳଖ ଦୁର୍ନୀତି କରୁଥିବାର ଧରାପଡ଼ିବା ଘଟଣା କଦବାକ୍ୱଚିତ ପଦାକୁ ଆସେ। ସେଥିରେ ମଧ୍ୟ ତଳତଳିଆ ଓ ଦୁର୍ବଳ କର୍ମଚାରୀଙ୍କ ସଂଖ୍ୟା ଅଧିକ ହୋଇଥାଏ। ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସେ ସେହି ଦଳର ନେତୃତ୍ୱ ପ୍ରଥମେ ଏହି ଗୋଷ୍ଠୀକୁ ହାତେଇବା ପାଇଁ ସବୁ ସୁବିଧା ସୁଯୋଗ ସୃଷ୍ଟି କରିଦିଏ। ରାଜସ୍ଥାନର ଆଇନ ଏହାର ଏକ ଦୃଷ୍ଟାନ୍ତ। ନିୟମ ରହିଛି ଯେ ଯେତେବେଳ ଯାଏ ଜଣଙ୍କ ବିରୋଧରେ ଅଭିଯୋଗର ସିଧାସଳଖ ପ୍ରମାଣ ମିଳି ନାହିଁ, ସେତେବେଳେ ତାଙ୍କୁ ଦୋଷୀ କୁହାଯାଇପାରିବ ନାହିଁ। କିନ୍ତୁ ଅଭିଯୋଗ ଆସିଲେ ଜଣଙ୍କ ବିରୋଧରେ ଏତଲା ଦିଆଯାଇପାରୁ ଥିଲା। ରାଜସ୍ଥାନ ସରକାରଙ୍କ ଅଧ୍ୟାଦେଶ ଅନୁଯାୟୀ ତାହା ହଠାତ୍‌ କରାଯାଇପାରିବ ନାହିଁ। ସରକାରଙ୍କ ଅନୁମୋଦନ ପରେ ମାମଲା ରୁଜୁ କରାଯିବ। ଯଦି ୧୮୦ ଦିନ ମଧ୍ୟରେ ସରକାର ଏ ସଂକ୍ରାନ୍ତରେ କୌଣସି ଅନୁମୋଦନ ନ କଲେ ତାହା ହେଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ। ଅର୍ଥାତ୍‌ ପ୍ରାରମ୍ଭିକ ସ୍ତରରେ ସରକାର ଦୁର୍ନୀତିଗ୍ରସ୍ତଙ୍କୁ ୧୮୦ ଦିନ ସ୍ବାଧୀନ ଭାବେ ବୁଲିବାକୁ ସମୟ ଦେଇଦେବେ। ଏହି ସମୟରେ ସମ୍ପୃକ୍ତ ସରକାରୀ ଅଧିକାରୀ ନିଜ ତ୍ରୁଟି ସଜାଡ଼ିବା ପାଇଁ ସମୟ ପାଇପାରନ୍ତି ବୋଲି କୁହାଯାଉଛି। ରାଜସ୍ଥାନର ଏହି ଅଧ୍ୟାଦେଶ, ଯାହାକି ଏବେ ବିଧାନସଭାକୁ ଅଣାଯାଇ ଆଇନ କରିବାର ଚେଷ୍ଟା କରାଯାଇଛି ତାହାର ଉଦ୍ଦେଶ୍ୟ ବୁଝିବା କଷ୍ଟକର ନୁହେଁ। କେନ୍ଦ୍ରଠାରୁ ଆରମ୍ଭ କରି ସବୁ ରାଜ୍ୟ ସରକାରଙ୍କ ଚରିତ୍ର କିଛିବର୍ଷ ଧରି ବଦଳୁଥିବାର ଦେଖାଯାଉଛି। ରାଜନୈତିକ ବ୍ୟକ୍ତିମାନେ କ୍ଷମତାରେ ରହିବା ପାଇଁ କଳେବଳେ କୌଶଳେ ସରକାରୀ ବାବୁମାନଙ୍କୁ ହାତେଇକି ରଖିବା ସକାଶେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଦିଲ୍ଲୀର ପିଏମ୍‌ଓଠାରୁ ଆରମ୍ଭ କରି ସିଏମ୍‌ଓଗୁଡିକ ମୁଷ୍ଟିମେୟ ଅମଲାତନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାଦ୍ୱାରା ବ୍ୟକ୍ତିବିଶେଷ ଏବଂ କେତେକ ରାଜନୈତିକ ଦଳ ବାରମ୍ବାର କ୍ଷମତାକୁ ଫେରିବାରେ ସଫଳତା ହାସଲ କରୁଥିବାରୁ ଏହି ବ୍ୟବସ୍ଥାକୁ ଦେଶବ୍ୟାପୀ ପ୍ରଚଳନ କରାଯାଉଛି। ସବୁ ରାଜନୈତିକ ବ୍ୟକ୍ତିଙ୍କ ପ୍ରଥମ ଚେଷ୍ଟା ହେଉଛି କେତେ ଅଫିସରଙ୍କୁ ସାଥୀରେ ନେଇପାରିବେ। ଏହାର ସମ୍ପୂର୍ଣ୍ଣ ସୁବିଧା ଅମଲାତନ୍ତ୍ରୀ ଉଠାଇବାରେ ପଛାଉନାହିଁ। ରାଜସ୍ଥାନ ଏକ ନୂତନ ମାର୍ଗ ଦର୍ଶାଇଲା। ନ୍ୟାୟପାଳିକାକୁ ଏହି ଗୋଠ ଭିତରେ ଅନ୍ତର୍ଭୁକ୍ତ କରିଦେଇ ଭବିଷ୍ୟତରେ କୌଣସି ଅଦାଲତ ଏହି ଆଇନ ବିରୋଧରେ ରାୟ ଦେବେନାହିଁ ବୋଲି ସୁୁନିଶ୍ଚିତ କରାଇଦେଲା। ରାଜସ୍ଥାନରେ ଏହି ଆଇନ ଏବେ ସୀମିତ ରହିବନାହିଁ। ସମ୍ଭବତଃ ଏହାକୁ ସବୁ ରାଜ୍ୟ ଆପଣାଇବାକୁ ଧାଇଁବେ। ଏଭଳି ମାନସିକତା ସୃଷ୍ଟି ପାଇଁ କେବଳ ଜନସାଧାରଣ ଦାୟୀ। ଦୀର୍ଘକାଳ ଧରି ରାଜନୈତିକ ବ୍ୟକ୍ତିଙ୍କୁ ସନ୍ଦେହରେ ଦେଖିଆସୁଛନ୍ତି ସାଧାରଣ ନାଗରିକ। ବ୍ୟବସ୍ଥାର ଚେର ଅମଲାତନ୍ତ୍ର ଉପରେ ବିଶ୍ୱାସ କରିବା ଫଳରେ ତାହା ଅପାତ୍ରରେ ବିଶ୍ୱାସ ହୋଇଯାଉଛି। ଉଦାହରଣସ୍ବରୂପ ବିହାରର ଗୋଖାଦ୍ୟ କିଣା ଦୁର୍ନୀତିରେ କେବଳ ଲାଲୁପ୍ରସାଦ ଯାଦବଙ୍କୁ ଦଣ୍ଡ ମିଳିବାରେ ଲାଗିଛି। ସତେଯେମିତି କୌଣସି ଅମଲାତନ୍ତ୍ରୀ (ପିଅନଠାରୁ ସଚିବଙ୍କ ପର୍ଯ୍ୟନ୍ତ) ଏଥିରେ ଭାଗୀଦାରି ନୁହନ୍ତି। ଅଫିସରଙ୍କ ସାହାଯ୍ୟ ବିନା କୌଣସି ସରକାରୀ ଦୁର୍ନୀତି ଘଟିବା ଅସମ୍ଭବ। ସର୍ବନିମ୍ନ ସ୍ତରରେ ଓଡ଼ିଶାବାସୀ ଏହି ଉଦାହରଣକୁ ବୁଝିପାରିବେ, ଯଦି ପୋଲିସ ଇନ୍ସପେକ୍ଟର, ତହସିଲଦାର, ବିଡିଓ ଏବଂ ବ୍ଲକ ଇଞ୍ଜିନିୟରଙ୍କ ଦୃଷ୍ଟାନ୍ତ ଦିଆଯାଏ। ବଦ୍‌ନାମ ହୁଅନ୍ତି ରାଜନୈତିକ ବ୍ୟକ୍ତି, କିନ୍ତୁ କ୍ଷୀର ପିଅନ୍ତି ଅମଲାତନ୍ତ୍ରୀ। 



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri