ଆଜିର ଅର୍ଥନୀତି/ ଚତୁର କେନ୍ଦ୍ର

ତୈଳ ଉପରୁ କେନ୍ଦ୍ର ସରକାର ଲିଟର ପିଛା ୨ଟଙ୍କା ଆମଦାନୀ ଶୁଳ୍କ ହ୍ରାସ କରିବା ପରେ ଦୁଇଟି ଭାଜପାଶାସିତ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ର ଏବଂ କଂଗ୍ରେସଶାସିତ ରାଜ୍ୟ ହିମାଚଳପ୍ରଦେଶ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିଛନ୍ତି। ଗୁଜରାଟ ସରକାର ୪ ପ୍ରତିଶତ ଭାଟ୍‌ ହ୍ରାସ କରିଥିବା ବେଳେ ମହାରାଷ୍ଟ୍ର ଡିଜେଲ ଉପରୁ ୧ ଟଙ୍କା ଓ ପେଟ୍ରୋଲ ଉପରୁ ୨ ଟଙ୍କା ଭାଟ୍‌ ହ୍ରାସ କରିଛି। ସେହିପରି ହିମାଚଳପ୍ରଦେଶ ୧ ପ୍ରତିଶତ ଭାଟ୍‌ ହ୍ରାସ କରିଛି। ଆଗକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ହିମାଚଳପ୍ରଦେଶ ଭାଟ୍‌ ହ୍ରାସ କରିଛି। ନଭେମ୍ବର ୯ ତାରିଖରେ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କେନ୍ଦ୍ର ସରକାର ଯେଉଁ ଆମଦାନୀ ଶୁଳ୍କ ହ୍ରାସ କରିଛନ୍ତି, ଏହାର ବିତ୍ତୀୟ ଗଣିତକୁ ଦେଖିଲେ ତାହା ନଗଣ୍ୟ। ଏଥିଯୋଗୁ କେନ୍ଦ୍ର ସରକାରଙ୍କୁ ୨୬ ହଜାର କୋଟି ଟଙ୍କା ହରାଇବାକୁ ପଡ଼ିବ। ରାଜନୈତିକ ଫାଇଦା ହାସଲ ପାଇଁ କେନ୍ଦ୍ର ସରକାର ତଥା ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ଏ ପ୍ରକାର ଜନବାଦୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶର ବିକାଶ ସୂଚକାଙ୍କରେ ସବା ଉପରେ ଥିବା ଭାଜପାଶାସିତ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ର ସରକାରଙ୍କ କହିବା କଥା ହେଲା ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି। ଖାଉଟିଙ୍କ ବୋଝ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ୫ ପ୍ରତିଶତ ଭାଟ୍‌ କମାଇବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ତର୍ଜାତୀୟ ବଜାରରେ ୨୦୧୪ରେ ଅଶୋଧିତ ତୈଳ ଦର ଐତିହାସିକ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା ଏବଂ ଏପର୍ଯ୍ୟନ୍ତ ଦର ନୀଚା ରହିଛି। ଅଶୋଧିତ ତୈଳ ଦର ହ୍ରାସର ଫାଇଦା ଉଠାଇ କେନ୍ଦ୍ର ସରକାର ଏହା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଚାଲିଲେ। ୨୦୧୪ରେ ପେଟ୍ରୋଲ ଉପରେ ଆମଦାନୀ ଶୁଳ୍କ ଟ୯.୪୮ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ଟ୨୧.୪୮ରେ ପହଞ୍ଚିଛି। ସେହିପରି ଡିଜେଲ ଉପରେ ଉକ୍ତ ଶୁଳ୍କ ଟ୩.୫୬ରୁ ବୃଦ୍ଧି ପାଇ ଟ୧୩.୪୭ରେ ପହଞ୍ଚିଛି। ପେଟ୍ରୋଲିୟମ୍‌ ଉତ୍ପାଦଗୁଡ଼ିକରୁ ଭାଟ୍‌ ଆଦାୟ କରିବା ହେଉଛି ରାଜ୍ୟଗୁଡ଼ିକର ରାଜସ୍ବ ଆଦାୟର ଏକ ପ୍ରମୁଖ ଉତ୍ସ। ବିଶେଷତଃ ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରଠାରୁ ଅଧିକ ସାହାଯ୍ୟ ଆବଶ୍ୟକ କରୁଥିବା ଓଡ଼ିଶା ପରି ଗରିବ ରାଜ୍ୟ ଏହା ଉପରେ ବେଶି ନିର୍ଭର କରିଥାନ୍ତି। ନିଜର ସୀମିତ ସମ୍ବଳ ଦ୍ୱାରା ଏମାନେ ନିଜର ନିତିଦିନିଆ ଆବଶ୍ୟକତା ପୂରଣ କରିପାରୁ ନ ଥିବା ବେଳେ ଭିତ୍ତିଭୂମି ବିକାଶ ପାଇଁ ମୂଳ ପୁଞ୍ଜି କେଉଁଠୁ ଆଣିବେ? ତା’ଛଡ଼ା ତୈଳ ଉପରେ ଓଡ଼ିଶାର ଭାଟ୍‌ ୨୬ ପ୍ରତିଶତ ରହିଛି, ଯାହା ଆନ୍ଧ୍ରପ୍ରଦେଶ (୩୮.୮୨ ପ୍ରତିଶତ), ଦିଲ୍ଲୀ ଓ ହରିୟାଣା (୨୭%), ମହାରାଷ୍ଟ୍ର (୪୬.୫୨%), ପଞ୍ଜାବ (୩୬.୦୪%) ଓ ମଧ୍ୟପ୍ରଦେଶ (୩୮.୭୯%) ପ୍ରଭୃତି ଅନେକ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍‌। ସେଥିପାଇଁ କେରଳ, ତେଲେଙ୍ଗାନା ଓ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିବାକୁ ରାଜି ନୁହନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୈଳର ମୂଳ ଦର କମାଇବାକୁ କେନ୍ଦ୍ରକୁ ଦାବି କରିଛନ୍ତି, ଯାହାଫଳରେ ଆପେ ଆପେ ଭାଟ୍‌ ଦର କମିଯିବ ଏବଂ ଖାଉଟିମାନେ ଉପକୃତ ହେବେ। ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଭାଟ୍‌ ହ୍ରାସ କରାଯିବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ତାଙ୍କର ଯୁକ୍ତି ହେଉଛି, ଆମଦାନୀ ଶୁଳ୍କ ୨ ଟଙ୍କା ହ୍ରାସ ପାଇବା ଯୋଗୁ ରାଜ୍ୟ ସରକାର ଟଙ୍କାକରେ ୪୨ ପଇସା ହିସାବରେ ୮୪ ପଇସା ହରାଉଛନ୍ତି। ରାଜ୍ୟ ସରକାର ମଧ୍ୟ ଭାଟ୍‌ ବାବଦକୁ କେନ୍ଦ୍ର ସରକାର କମାଇଥିବା ୨ ଟଙ୍କାର ୨୬ ପ୍ରତିଶତ ଅର୍ଥାତ୍‌ ୫୨ ପଇସା ହରାଉଛନ୍ତି। କେନ୍ଦ୍ର ସରକାର ଗୁଜରାଟ ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କ ମନ ଜିଣିବା ପାଇଁ ଭାଟ୍‌ ହ୍ରାସ କରିବା ନିମନ୍ତେ ରାଜ୍ୟଗୁଡ଼ିକ ଉପରେ ଚାପ ପ୍ରୟୋଗ କରୁଛନ୍ତି। ରାଜନୈତିକ ଫାଇଦା ହାସଲ ହେଉଛି କେନ୍ଦ୍ରର ଲକ୍ଷ୍ୟ। କାରଣ ଯେଉଁ ରାଜ୍ୟଗୁଡ଼ିକ ଏହା ନ କରିବେ, ସେମାନେ ଲୋକବିରୋଧୀ ଭାବେ ଗଣାହେବେ। ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବିଶ୍ୱରେ ସବୁଠାରୁ ଅଧିକ। କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବା ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସର କୌଣସି ସୁଫଳ ଦେଶବାସୀ ପାଇଲେ ନାହିଁ। କିନ୍ତୁ ଆମ ପଡ଼ୋଶୀ ରାଷ୍ଟ୍ର ସମେତ ବିଶ୍ୱର ଅନ୍ୟ ବିକାଶଶୀଳ ଦେଶଗୁଡ଼ିକର ନାଗରିକ ଏହାର ବିପୁଳ ଲାଭ ପାଉଛନ୍ତି। ତେଣୁ ମନ୍ତ୍ରୀଙ୍କ କଥାରୁ ଜଣାପଡ଼ୁଛି କେନ୍ଦ୍ର ସରକାର ଅତି ଅଧିକ ପରିମାଣରେ ଆମଦାନୀ ଶୁଳ୍କ ହ୍ରାସ କରିବା ଅନୁଚିତ। କାରଣ ତାହାର ପ୍ରଭାବ ସବୁ ରାଜ୍ୟ ଉପରେ ପଡ଼ିବ। ଇନ୍ଧନର ମୂଲ୍ୟ କମିଲେ ରାଜ୍ୟଗୁଡ଼ିକର ରାଜସ୍ବ କମିବ। ଅନେକ ବର୍ଷ ଧରି ଭାଟ୍‌ ହ୍ରାସ କରିବାକୁ କେନ୍ଦ୍ର ରାଜ୍ୟଗୁଡ଼ିକ ଉପରେ ଚାପ ପ୍ରୟୋଗ କରୁଛି, ଯାହା ଫଳରେ ବିମାନ ଭଡ଼ା ହ୍ରାସ ପାଇବ ଏବଂ ଅଧିକ ଲୋକ ବିମାନରେ ଯାତ୍ରା କରିପାରିବେ। ଏହାଦ୍ୱାରା କ୍ଷତିରେ ଚାଲୁଥିବା ଇଣ୍ଡିଆନ ଏୟାର ଲାଇନ୍ସ ଲାଭ କରିପାରିବ। କିନ୍ତୁ କେନ୍ଦ୍ର ସରକାରଙ୍କ ଚତୁରତାକୁ ବୁଝି ତାହାର ନିବେଦନକୁ କୌଣସି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri