ପ୍ରାଣୀ ଓ ଅନ୍ଧବିଶ୍ୱାସ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରାଣୀମାନଙ୍କ ବ୍ୟବହାର ନେଇ ଅନେକ ଭୁଲ୍‌ ଧାରଣା ଲୋକଙ୍କ ମନରେ ରହିଛି। ତାହା ଦୂର ହେବା ଦରକାର। ଏଠାରେ ସେହିପରି କେତେକ ଅନ୍ଧବିଶ୍ୱାସ ବିଷୟରେ ଉଲ୍ଲେଖ କରାଯାଉଛି। ଲୋକଙ୍କ ମନରେ ଭୁଲ୍‌ ଧାରଣା ଅଛି ଯେ ମଣିଷ କୌଣସି ପକ୍ଷୀ ଶାବକକୁ ଛୁଇଁଦେଲେ ମାଆ ପକ୍ଷୀ ଆଉ ତାକୁ ଗ୍ରହଣ କରେ ନାହିଁ। ସତକଥା ହେଉଛି ଅନେକ ପକ୍ଷୀଙ୍କର ଘ୍ରାଣଶକ୍ତି ଦୁର୍ବଳ। ସେମାନେ ମଣିଷର ଗନ୍ଧ ବାରିପାରନ୍ତି ନାହିଁ। କିନ୍ତୁ କୌଣସି ମଣିଷ ଯଦି ପକ୍ଷୀ ବସାରୁ ଛୁଆପକ୍ଷୀକୁ ଉଠାଇ ଧରେ, ତେବେ ମାଆପକ୍ଷୀଟି ପାଖରୁ ଏହା ଦେଖିପାରେ। ସେତେବେଳେ ମଣିଷଠାରୁ ଭୟ ପାଇ ବସା ଛାଡ଼ି ଚାଲିଯାଏ ଏବଂ ବିପଦ ଆଶଙ୍କାରେ ଛୁଆ ପାଖକୁ ଆଉ ବସାକୁ ଆସେ ନାହିଁ। ଅନ୍ଧବିଶ୍ୱାସ: ମାଛମାନେ ଜଳାଶୟର ଆକାର ଅନୁସାରେ ବଢ଼ନ୍ତି, ତେଣୁ ଏଥିରେ ଯେତେ ଇଚ୍ଛା ସେତେ ମାଛ ରଖିପାରିବେ। ସତ୍ୟ: ମାଛମାନେ ନିଜର ଜିନ୍‌ ଅନୁସାରେ ଯେତିକି ବଢ଼ିବା କଥା ବଢ଼ନ୍ତି। ତେବେ ଜଳାଧାର ଯଦି ଅତି ଛୋଟ ହୋଇଥାଏ, ତେବେ ମାଛମାନେ ଭଲ ବଢ଼ିପାରନ୍ତି ନାହିଁ, ଅସୁସ୍ଥ ହୋଇପଡ଼ନ୍ତି ଏବଂ କଷ୍ଟ ଭୋଗନ୍ତି। ଅନ୍ଧବିଶ୍ୱାସ: ର଼୍ୟାଟ୍‌ଲସ୍ନେକ୍‌ମାନେ ଆକ୍ରମଣ କରିବା ପୂର୍ବରୁ ଶବ୍ଦ କରନ୍ତି। ସତ୍ୟ: ଏହି ସାପମାନେ କାହାକୁ କାମୁଡ଼ିବା ପୂର୍ବରୁ ଆଦୌ ଶବ୍ଦକରି ସଚେତନ କରିଦେଇ ନ ଥାନ୍ତି। ସେମାନେ ଡିରିଯାଇଥିଲେ ଶବ୍ଦକରି ନିଜର ଉପସ୍ଥିତି ଜଣାଇଦେଇଥାନ୍ତି। ଅନ୍ଧବିଶ୍ୱାସ: ଓଟପକ୍ଷୀ ବାଲିରେ ନିଜ ମୁଣ୍ଡକୁ ପୋତେ। ସତ୍ୟ: ସେମାନେ ସେପରି କରନ୍ତି ନାହିଁ। କାରଣ ସେପରି କଲେ ପ୍ରଶ୍ୱାସ ନେଇ ନ ପାରି ମରିଯିବେ। କିନ୍ତୁ ସେମାନେ ଗାତଖୋଳି ନିଜର ଅଣ୍ଡାକୁ ସେଥିରେ ପୋତିଦିଅନ୍ତି। ମଝିରେ ମଝିରେ ତାକୁ ଖୋଳି ଅଣ୍ଡାକୁ ଲେଉଟାଇ ଦିଅନ୍ତି, ଯାହାଫଳରେ ଅଣ୍ଡାର ସବୁ ପାଖ ସମାନ ଭାବେ ସୂର୍ଯ୍ୟତାପ ପାଇପାରିବ। ଏହି ସମୟରେ ଦୂରରୁ ଦେଖିଲେ ଓଟପକ୍ଷୀ ନିଜ ମୁଣ୍ଡକୁ ବାଲିରେ ପୋତୁଥିବା ପରି ଦେଖାଯାଏ। ଅନ୍ଧବିଶ୍ୱାସ: ସାପଟିଏ ମୋଡ଼ିମୋଡ଼ି ହୋଇ ରହିଥିବା ବେଳେ ହିଁ କାମୁଡ଼ିପାରେ। ସତ୍ୟ: ମୋଡ଼ିମୋଡ଼ି ହୋଇ ରହିବା ଅବସ୍ଥା ସାପର ଆକ୍ରମଣାତ୍ମକ ନୁହେଁ ବରଂ ସୁରକ୍ଷାତ୍ମକ ସ୍ଥିତି। ସାପଟିଏ ଯେକୌଣସି ଅବସ୍ଥାରେ କାମୁଡ଼ିପାରେ, କିନ୍ତୁ ମୋଡ଼ିମୋଡ଼ି ହୋଇ ରହିବା ଅବସ୍ଥାରେ କାମୁଡ଼ିବା ତା’ ପାଇଁ ସୁବିଧାଜନକ ହୋଇ ନ ଥାଏ। ଅନ୍ଧବିଶ୍ୱାସ: ସାପମାନେ ମାଈଅଣ୍ଡିରା ଯୋଡ଼ାଯୋଡ଼ା ହୋଇ ବୁଲନ୍ତି। ସତ୍ୟ: ପ୍ରଜନନ ଋତୁ ଛଡ଼ା ସାପମାନେ ଯୋଡ଼ାଯାଡ଼ା ହୋଇ ବୁଲନ୍ତି ନାହିଁ। ଅନ୍ଧବିଶ୍ୱାସ: ବାଦୁଡ଼ିମାନେ ଅନ୍ଧ। ସତ୍ୟ: ବାଦୁଡ଼ିମାନଙ୍କର ଛୋଟ ଛୋଟ ଆଖି ଅଛି ଯାହା ସମ୍ପୂର୍ଣ୍ଣ କ୍ରିୟାଶୀଳ। ସେମାନେ ଅନ୍ଧାରରେ ସୋନାର ବା ପ୍ରତିଧ୍ୱନି ମାଧ୍ୟମରେ ଉଡ଼ିପାରନ୍ତି ଏବଂ ସେମାନଙ୍କର ଶ୍ରବଣ ଓ ଘ୍ରାଣଶକ୍ତି ଅତି ପ୍ରଖର। ଅନ୍ଧବିଶ୍ୱାସ: ଷଣ୍ଢମାନେ ନାଲି ରଙ୍ଗ ଦେଖିଲେ ଭୀଷଣ ପ୍ରତିକ୍ରିୟା ଦେଖାନ୍ତି। ସତ୍ୟ: ଷଣ୍ଢମାନେ ବର୍ଣ୍ଣାନ୍ଧ। ସେମାନେ କୌଣସି କାର୍ଯ୍ୟକଳାପ ଦେଖି ନିଜ ପ୍ରତି ବିପଦ ଆଶଙ୍କା କଲେ ପ୍ରତିକ୍ରିୟାଶୀଳ ହୁଅନ୍ତି। ଅନ୍ଧବିଶ୍ୱାସ: ଓଟମାନେ ନିଜ କୁଜରେ ପାଣି ସଂଚୟ କରି ରଖନ୍ତି। ସତ୍ୟ: ଓଟର କୁଜରେ କେବଳ ଚର୍ବି ଥାଏ। ଓଟମାନଙ୍କର ଅଣ୍ଡାକାର ଲୋହିତ ରକ୍ତକୋଷ ଥାଏ, ଯାହା ଧୀରେଧୀରେ ପାଣି ଶୋଷିବା ଓ ଛାଡ଼ିବା କାମ କରେ। ଅନ୍ଧବିଶ୍ୱାସ: ହାତୀର ଚର୍ମ ମୋଟା। ସତ୍ୟ: ହାତୀର ଚର୍ମ ଖୁବ୍‌ ସମ୍ବେଦନଶୀଳ। ଏପରି କି ମାଛିଟିଏ ବି ତା’ ପିଠିରେ ବସିଲେ ସେ ଅନୁଭବ କରିପାରେ। ସେମାନେ ଅଧିକ ଖରା ବି ସହିପାରନ୍ତି ନାହିଁ। ତେଣୁ ନିଜକୁ ସୁରକ୍ଷା ଦେବା ପାଇଁ ପଙ୍କରେ ଗାଧାନ୍ତି। ମାଆମାନେ ଛୁଆଙ୍କୁ ସବୁବେଳେ ଛାଇରେ ରଖିବାକୁ ଚେଷ୍ଟା କରନ୍ତି। ଅନ୍ଧବିଶ୍ୱାସ: ମାଈ କୁକୁଡ଼ାର ଦାନ୍ତ ନ ଥାଏ। ସତ୍ୟ: ସେମାନଙ୍କର ଦାନ୍ତ ଅଛି। ଅନ୍ଧବିଶ୍ୱାସ: କୁମ୍ଭୀର ଦୁଃଖିତ ଥିବାର ଛଳନା କରି କାନ୍ଦେ। ସତ୍ୟ: କୁମ୍ଭୀରମାନେ ଚୋବେଇପାରନ୍ତି ନାହିଁ। ତେଣୁ ସେମାନେ ଖାଦ୍ୟକୁ ଧୀରେଧୀରେ ଗିଳନ୍ତି। ତାଙ୍କ ଲୋତକଗ୍ରନ୍ଥି ଗଳା ପାଖରେ ଥିବାରୁ ଗିଳିବା ବେଳେ ଚାପଗ୍ରସ୍ତ ହୋଇ ଆଖିରୁ ଲୁହ ବାହାରିପଡ଼େ। ଅନ୍ଧବିଶ୍ୱାସ: ଗୋଲ୍‌ଡଫିଶ୍‌ ତିନି ସେକେଣ୍ଡ ପର୍ଯ୍ୟନ୍ତ ମନେରଖିପାରେ। ସତ୍ୟ: ଗୋଲ୍‌ଡଫିଶ୍‌ ଓ ଅନ୍ୟ ମାଛ ଶବ୍ଦ ଚିହ୍ନିପାରନ୍ତି, ମଣିଷକୁ ଚିହ୍ନିପାରନ୍ତି ଏବଂ ନିଜର ଖାଇବା ସମୟ ମନେରଖିପାରନ୍ତି। ଅନ୍ଧବିଶ୍ୱାସ: ଉକୁଣି ସଫା ବା ଅସନା କେଶକୁ ପସନ୍ଦ କରେ। ସତ୍ୟ: ଉକୁଣି କେଶକୁ ଭଲପାଏ, ତାହା ସଫା ହେଉ, ତେଲିଆ ହେଉ ବା ଅସନା ହେଉ। ଅନ୍ଧବିଶ୍ୱାସ: ବହୁରୂପୀ ଏଣ୍ଡୁଅ ପରିବେଶ ସହ ଖାପ ଖୁଆଇବା ପାଇଁ ରଙ୍ଗ ବଦଳାଏ। ସତ୍ୟ: ସେମାନେ ନିଜର ମନ ହେଲେ ରଙ୍ଗ ବଦଳାନ୍ତି। ଅନ୍ଧବିଶ୍ୱାସ: ସଂଗୀତ (ପଦ୍ମତୋଳା) ଶୁଣିଲେ ସାପ ପ୍ରତିକ୍ରିୟା ପ୍ରକାଶ କରନ୍ତି। ସତ୍ୟ: ସାପ କିଛି ଶୁଣିପାରେ ନାହିଁ। ନାଗେଶ୍ୱରୀକୁ ସେମାନେ ଏକ ବାଡ଼ି ବୋଲି ଭାବନ୍ତି। ନାଗେଶ୍ୱରୀକୁ ତାଙ୍କ ଆଗରେ ହଲାଇଲେ, ଏହା କାଳେ ତାଙ୍କ ଦେହରେ ବାଜି ଆଘାତ ଲାଗିବ, ସେଥିପାଇଁ ନିଜକୁ ବାଁ ଡାହାଣକୁ ଘୁଞ୍ଚାଇ ନେଉଥାନ୍ତି। ଅନ୍ଧବିଶ୍ୱାସ: ନୀଳତିମି ଏକ କାର୍‌କୁ ବି ଗିଳିଦେଇ ପାରେ। ସତ୍ୟ: ସେ ସବୁଠାରୁ ବଡ଼ ଏକ ବଡ଼ କମଳା ଆକୃତିର ଜିନିଷକୁ ହିଁ ଗିଳିପାରେ। ଅନ୍ଧବିଶ୍ୱାସ: ମୂଷା ଛେନା ଖାଇବାକୁ ଭଲ ପାଏ। ସତ୍ୟ: ମୂଷା ଛେନା ଅପେକ୍ଷା ମିଠା ଖାଇବାକୁ ଅଧିକ ଭଲ ପାଏ। ଏହି ଅନ୍ଧବିଶ୍ୱାସ ସମ୍ଭବତଃ କାର୍ଟୁନ ମୁଭିରୁ ଆସିଛି। ସମାନ ପ୍ରକାର ଅନ୍ଧବିଶ୍ୱାସ ଯଥା ଠେକୁଆ ଗାଜର ଖାଇବା ଓ ହାତୀ ଚିନାବାଦାମକୁ ଭଲପାଇବା ସେହି କାର୍ଟୁନ ମୁଭିରୁ ଆସିଥାଇପାରେ। ଅନ୍ଧବିଶ୍ୱାସ: ଗଣ୍ଡା ନାକରେ ଶିଙ୍ଗ ଥାଏ। ସତ୍ୟ: ଗଣ୍ଡା ନାକରେ କେବଳ ଜଟୀକୃତ ଲୋମ ଥାଏ। ଅନ୍ଧବିଶ୍ୱାସ: ମାଛମାନେ ମୂକ। ସତ୍ୟ: ସେମାନେ ବିଭିନ୍ନ ପ୍ରକାର ଶବ୍ଦ କରନ୍ତି, କିନ୍ତୁ ଆପଣମାନେ ସେ ଶବ୍ଦ ଶୁଣିପାରନ୍ତି ନାହିଁ। ଅନ୍ଧବିଶ୍ୱାସ: ଶାର୍କମାନଙ୍କର କ୍ୟାନ୍‌ସର ହୁଏ ନାହିଁ। ସତ୍ୟ: ସେମାନଙ୍କୁ ବି କ୍ୟାନ୍‌ସର ହୁଏ। ଶାର୍କର ପେଶୀକୁ କ୍ୟାନ୍‌ସର ନିରାକରଣ ଚିକିତ୍ସାରେ ବ୍ୟବହାର କରୁଥିବା ଏକ କମ୍ପାନୀ ହିଁ ଏପରି ଅନ୍ଧବିଶ୍ୱାସର ଜନକ। ଅନ୍ଧବିଶ୍ୱାସ: ଜିଆକୁ ଦୁଇଖଣ୍ଡ କରିଦେଲେ ତାହା ଦୁଇଟି ଜିଆରେ ପରିଣତ ହୋଇଯାଏ। ସତ୍ୟ: ଏମିତି କଲେ ଜିଆଟି ମରିଯାଏ। ଅନ୍ଧବିଶ୍ୱାସ: ମାଛି ଗୋଟିଏ ଦିନ ବଞ୍ଚେ। ସତ୍ୟ: ମାଛି ୨୦ରୁ ୩୦ ଦିନ ବଞ୍ଚେ। ଅନ୍ଧବିଶ୍ୱାସ: ଛାରପୋକ ବିଛଣା ଓ ଅନ୍ୟ ଜିନିଷ କଣା କରିପାରେ ଓ ଉଡ଼ିପାରେ। ସତ୍ୟ: ସେମାନେ କେବଳ ଚାଲିପାରନ୍ତି। ଅନ୍ଧବିଶ୍ୱାସ: ସବୁ ବୁଢ଼ିଆଣୀଙ୍କର ଜାଲ ଅଛି। ସତ୍ୟ: କେତେକ ଶିକାରୀ ବୁଢ଼ିଆଣୀ ଯଥା ଉଲ୍‌ଫ ସ୍ପାଇଡର, ଜମ୍ପିଂ ସ୍ପାଇଡର ଓ ଟ୍ରାପ୍‌ଡୋର ସ୍ପାଇଡର ଜାଲ ତିଆରି ନ କରି ତାଙ୍କ ଶିକାରକୁ ଅନୁଧାବନ କରନ୍ତି କିମ୍ବା ଶିକାରଟି କେତେବେଳେ ପାଖକୁ ଆସିବ ଜଗିବସନ୍ତି। ତେବେ ସବୁ ବୁଢ଼ିଆଣୀଙ୍କର ସିଲ୍‌କ ଅଛି, କିନ୍ତୁ ସମସ୍ତେ ଜାଲ ବୁଣିବାରେ ତାକୁ ବ୍ୟବହାର କରନ୍ତି ନାହିଁ। ଅନ୍ଧବିଶ୍ୱାସ: ଉଇ ଏକ ଧଳା ପିମ୍ପୁଡ଼ି ମାତ୍ର। ସତ୍ୟ: ଉଇ ଓ ପିମ୍ପୁଡ଼ି ସମ୍ପୂର୍ଣ୍ଣ ଭିନ୍ନ ପ୍ରଜାତି। ସେମାନଙ୍କ ଭିତରେ ଅନେକ ପ୍ରଭେଦ ଅଛି। ଉଦାହରଣ ସ୍ବରୂପ, ପିମ୍ପୁଡ଼ିଙ୍କର ଜଟିଳ ଆଖି ଥିବା ବେଳେ ଉଇଙ୍କର ଆଖି ନାହିଁ।

Email: gandhim@nic.in



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri