ଆଜିର ଅର୍ଥନୀତି/ ଆର୍‌ବିଆଇ ନିରାଶ କଲା

ଚତୁର୍ଥ ଦ୍ୱିମାସିକ ଆର୍ଥିକ ନୀତି ସମୀକ୍ଷା ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଏହାର ପଲିସି ରେଟ୍‌ (ସୁଧ ହାର) ଅପରିବର୍ତ୍ତିତ ରଖିଛି। ଦୀପାବଳି ପୂର୍ବରୁ ଏହି ଘୋଷଣା ଉତ୍ସବର ଖୁସିକୁ ବିଗାଡ଼ିଦେଇଛି, କାରଣ ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ବର୍ତ୍ତମାନର ଋଣ ଉପରେ ସୁଧହାର କମାଇବେ ନାହିଁ କିମ୍ବା କୌଣସି ନୂତନ ପୂଜା ଅଫର ଘୋଷଣା କରିବାର ସମ୍ଭାବନା ନାହିଁ। ନୂଆ ଘର ବା ଗାଡ଼ି କିଣିବାକୁ ଚାହୁଁଥିବା ଲୋକମାନେ ନିଜ ଯୋଜନାକୁ ସ୍ଥଗିତ ରଖିବେ କାରଣ ସୁଧହାର କମିବାର ସମ୍ଭାବନା ନାହିଁ। କେବଳ ଗୋଟିଏ ଆଶ୍ୱାସନାର ବିଷୟ ହେଉଛି, କେନ୍ଦ୍ରୀୟ ବ୍ୟାଙ୍କ ଅନ୍ୟ ବ୍ୟାଙ୍କଗୁଡ଼ିକ ପାଇଁ ଷ୍ଟାଚ୍ୟୁଟୋରି ଲିକୁଇଡିଟି ରେସିଓ ହ୍ରାସ କରିଛନ୍ତି, ଯାହା ଫଳରେ ସେମାନେ ନିଜ ପାଖରେ ଅଧିକ ନଗଦ ଟଙ୍କା ରଖିପାରିବେ। ତେଣୁ ସେମାନେ ପୂଜା ମାହୋଲ ଅବସରରେ କିଛିଟା ରିହାତିଯୁକ୍ତ ଋଣ ଅଫର ପ୍ରଦାନ କରିପାରିବେ। ତେବେ ଏହା ବି ସମ୍ଭବପର ନ ହୋଇପାରେ, କାରଣ ଅନେକ ବ୍ୟାଙ୍କ ସେମାନଙ୍କ ଆବଶ୍ୟକତାଠାରୁ ଅଧିକ ନଗଦ ଟଙ୍କା ନିଜ ପାଖରେ ରଖିଛନ୍ତି। ଯେପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକ ସେମାନଙ୍କ ମାର୍ଜିନରୁ ଅଧିକ ଲାଭ ଗ୍ରାହକଙ୍କୁ ଦେବାକୁ ନିଷ୍ପତ୍ତି ନ ନେଇଛନ୍ତି, ଆଗାମୀ ବର୍ଷ ପର୍ଯ୍ୟନ୍ତ ସେମାନେ ଋଣ ଉପରେ ସୁଧହାର କମାଇବାର କୌଣସି ଆଶା ନାହିଁ। ମୁଦ୍ରାସ୍ଫୀତି ବୃଦ୍ଧି ହାରକୁ ରୋକିବା ଲକ୍ଷ୍ୟରେ ରେପୋ ହାର ନ କମାଇବା ଲାଗି ଛଅଜଣିଆ ଆର୍ଥିକ ନୀତି କମିଟି ନିଷ୍ପତ୍ତି ନେଇପାରେ ବୋଲି ପୂର୍ବରୁ ଆଶା କରାଯାଉଥିଲା। କମିଟି ପୁନଃକ୍ରୟ ହାର (ଯେଉଁ ସୁଧହାରରେ କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଟଙ୍କା ଦେଇଥାଏ) ୬ ପ୍ରତିଶତ ରଖିଛି। ପୁନଶ୍ଚ ଅଭିବୃଦ୍ଧି ହାର କମୁଥିବା ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ସମ୍ଭାବ୍ୟ ହାର ୭.୩ରୁ କମାଇ ୬.୭ ପ୍ରତିଶତ ରହିବ ବୋଲି ଆକଳନ କରିଛି। ଏଠାରେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ବିରୋଧାଭାସ ସୃଷ୍ଟି କରୁଛି। ଯଦିଚ ଏହା ସ୍ବୀକାର କରୁଛି ଯେ, ଅଭିବୃଦ୍ଧି ହ୍ରାସ ପାଇଛି ଏବଂ ଏହାକୁ ସୁଧାରିବା ପାଇଁ ଆମ ଅର୍ଥନୀତିରେ ଅଧିକ ଟଙ୍କାର ଆବଶ୍ୟକତା ଅଛି, ତଥାପି ନିଜ ବଟୁଆ (ଟଙ୍କା ମୁଣା)ର ଡୋର ଢିଲା କରିବାକୁ ଏହା ରାଜି ନୁହେଁ। ଯଦି କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଥାନ୍ତା, ତେବେ ପୂଜା ଋତୁରେ ନିବେଶକ ତଥା ସାଧାରଣ ଲୋକମାନେ ଅଧିକ ଉତ୍ସାହିତ ହୋଇଥାନ୍ତେ। ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ଏହା ଯେଉଁ ନୀତି ଧରିଛି, ତାହା ରଘୁରାମ ରାଜନ୍‌ଙ୍କ ଅମଳରୁ ଚଳିଆସୁଛି। ଗତ ଅଗଷ୍ଟ ମାସରେ ଅନୁଷ୍ଠିତ ପଲିସି ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାର ୨୫ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ତେବେ ସେହି ସମୟରୁ ଖାଉଟି ମୂଲ୍ୟସୂଚୀ (ସିପିଆଇ) ମାଧ୍ୟମରେ ପରିମାପିତ ମୁଦ୍ରାସ୍ଫୀତି ବୃଦ୍ଧି ପାଇଚାଲିଛି। ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧି ଯୋଗୁ ଅଗଷ୍ଟ ସିପିଆଇ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ୩.୩୬ ପ୍ରତିଶତରେ ପହଞ୍ଚିଛି। କେବଳ ଗତ ଦୁଇମାସ ଭିତରେ ମୁଦ୍ରାସ୍ଫୀତି ୧୯୦ ବେସିସ୍‌ ପଏଣ୍ଟ ବୃଦ୍ଧି ପାଇଛି। ଏହି ସମୟ ଭିତରେ ଘଟିଥିବା କେତେକ ଘଟଣା ଯଥା କେତେକ ରାଜ୍ୟ ସରକାର କୃଷି ଋଣ ଛାଡ଼ କରିବା, ଅନେକ ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କ ପାଇଁ ସପ୍ତମ ବେତନ କମିଶନଙ୍କ ସୁପାରିସ ଲାଗୁ କରିବା, ଜିଏସ୍‌ଟି ଲାଗୁ କରିବା ଏବଂ ଖରିଫ ଫସଲ ଅମଳ କମ୍‌ ହେବ ବୋଲି ପୂର୍ବାନୁମାନ ପ୍ରକାଶ ପାଇବା ମିଳିତଭାବେ ମୁଦ୍ରାସ୍ଫୀତି ବୃଦ୍ଧି ଆଶଙ୍କାକୁ ବଳବତ୍ତର ରଖିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଗତ ତିନିବର୍ଷ ଧରି ଅଳ୍ପବହୁତେ ହ୍ରାସ ପାଇ ଆସିଥିବା ବେଳେ ଏବେ ତାହା କ୍ରମଶଃ ବୃଦ୍ଧି ପାଇବାକୁ ଆରମ୍ଭ କରି ବ୍ୟାରେଲ ପିଛା ୬୦ ଡଲାର ଛୁଇଁବାକୁ ବସିଲାଣି। ବର୍ତ୍ତମାନ ତୈଳ ଦର ଆମ ଦେଶରେ ଗତ ତିନି ବର୍ଷ ଭିତରେ ସବୁଠୁ ଉଚ୍ଚା ରହିଛି। ଯଦିଚ କେନ୍ଦ୍ର ସରକାର ଆମଦାନୀ ଶୁଳ୍କରେ ୨ ଟଙ୍କା ହ୍ରାସ କରିଛନ୍ତି, ତଥାପି ଏହା ଏତେ ସାମାନ୍ୟ ଯେ ମୂଲ୍ୟବୃଦ୍ଧିକୁ ଅଟକାଇବାରେ ବିଶେଷ ଫଳପ୍ରଦ ହୋଇପାରିବ ନାହିଁ। ଆଗକୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇବ ବୋଲି ଆକଳନ କରିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ ଏ ସମସ୍ତ ଦିଗକୁ ବିଚାରକୁ ନେଇଛି। ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଘରୋଇ ନିବେଶକଙ୍କୁ ଉତ୍ସାହିତ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେଇଛି। ଏହା ଭିତର ଦେଇ ରିଜର୍ଭ ବ୍ୟାଙ୍କ ଦାୟିତ୍ୱଟା କେନ୍ଦ୍ର ସରକାରଙ୍କ ମୁଣ୍ଡରେ ଚାପିଦେଇ ନିଜେ ମୁକ୍ତ ହୋଇଯାଇଛି। କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କୁ ପରାମର୍ଶ ଦେଇଛି: ତୁମେ ଭିତ୍ତିଭୂମିଜନିତ ସମସ୍ୟା ଦୂରକର, ପୁଞ୍ଜିନିବେଶ ପାଇଁ ବନ୍ଦ ହୋଇଯାଇଥିବା ପ୍ରକଳ୍ପଗୁଡ଼ିକୁ ପୁଣି ଆରମ୍ଭ କର, ଜିଏସ୍‌ଟିକୁ ସରଳ କର ଏବଂ ବ୍ୟବସାୟୀମାନେ ଯେପରି ସୁରୁଖୁରୁରେ ବେପାର କରିପାରିବେ ତା’ର ବ୍ୟବସ୍ଥା କର। ତା’ହେଲେ ଆମ ଦେଶର ଅର୍ଥନୀତି ଆଗକୁ ବଢ଼ିବ। ପ୍ରାୟ ବର୍ଷେ ହେଲା ବିମୁଦ୍ରୀକରଣ ଏବଂ ଜିଏସ୍‌ଟି ଲାଗୁଜନିତ ମାନ୍ଦାବସ୍ଥା ସହ ଯୁଝୁଥିବା ଆମ ଅର୍ଥନୀତି ରିଜର୍ଭ ବ୍ୟାଙ୍କ ପାଖରୁ ଯାହା ଆଶା କରୁଥିଲା, ତାହା ମିଳିପାରିଲା ନାହିଁ। କେନ୍ଦ୍ର ସରକାର ତୈଳ ଉପରୁ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ କରି ରିଜର୍ଭ ବ୍ୟାଙ୍କକୁ ପରୋକ୍ଷ ଇଙ୍ଗିତ ଦେଇଥିଲେ ଯେ, ଆମେ କମାଇଲୁ, ତୁମେ ବି କମାଅ। ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସାଧାରଣ ଲୋକମାନେ ବି ଆର୍‌ବିଆଇ ପାଖରୁ ସେହିପରି ପଦକ୍ଷେପ ଆଶା କରୁଥିଲେ। କିନ୍ତୁ ରିଜର୍ଭ ବ୍ୟାଙ୍କ ସମସ୍ତଙ୍କୁ ନିରାଶ କଲା।



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri