ଏବର ଚାଇନା ଓ କାଲିର ଭାରତ

ଉପେନ୍ଦ୍ର ବିଶ୍ୱାଳ

ଫ୍ରାନ୍ସର ନଷ୍ଟ୍ରାଡମସ୍‌ ହେଉଛନ୍ତି ଜଣେ ବିଶ୍ୱବିଖ୍ୟାତ ଭବିଷ୍ୟବିତ୍‌। ୫ଶହ ବର୍ଷ ପୂର୍ବେ ସେ କରିଥିବା ପୂର୍ବାନୁମାନଗୁଡ଼ିକ ଅନେକାଂଶରେ ସତ୍ୟ ସାବ୍ୟସ୍ତ ହୋଇସାରିଛି। ‘ଭାରତ ପୁଣି ଫେରିପାଇବ ତା’ର ପୂର୍ବଗୌରବ ଓ ନେବ ବିଶ୍ୱର ସଫଳ ନେତୃତ୍ୱ’ ବୋଲି ସେ ମଧ୍ୟ ପୂର୍ବାନୁମାନ କରି ଯାଇଛନ୍ତି। ୨୦୧୭ ମସିହା ପାଇଁ କରିଥିବା ପୂର୍ବାନୁମାନଗୁଡ଼ିକ ମଧ୍ୟରୁ ପ୍ରମୁଖ ହେଲା (୧) ଉତ୍ତର କୋରିଆ ଓ ଦକ୍ଷିଣ କୋରିଆର ମିଶ୍ରଣ ଘଟି ହେବ ସଂଯୁକ୍ତ କୋରିଆ, (୨) ବିକଳ୍ପ ଓ ସୁଲଭ ଶକ୍ତି ଭାବେ ବିଶ୍ୱରେ ସୌରଶକ୍ତିର ବହୁଳ ବ୍ୟବହାର, (୩) ଭୟଙ୍କର ଆର୍ଥିକ ବିପର୍ଯ୍ୟୟକୁ ସାମ୍ନା କରିବ ଚାଇନା। ଏହାର ମୁକାବିଲା କରିବାକୁ ଯାଇ ସିଦ୍ଧାନ୍ତର ପରିବର୍ତ୍ତନ ସହିିତ ମୋଡ଼ ବଦଳାଇବାକୁ ବାଧ୍ୟ ହେବ ସେ। ବିଶ୍ୱର ରାଜନୈତିକ ଦୃଶ୍ୟପଟରେ ତା’ର ପତିଆରା କ୍ଷୁଣ୍ଣ ହେବ ଇତ୍ୟାଦି। ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ତାଙ୍କର ଏହି ପୂର୍ବାନୁମାନ ପ୍ରାୟତଃ ସତ୍ୟର ନିକଟବର୍ତ୍ତୀ। ଗତ ଦଶ ବର୍ଷ ତଳେ ଆର୍ଥିକ ମାନ୍ଦାବସ୍ଥାକୁ ସାମ୍ନା କରିଥିଲା ବିଶ୍ୱ। ଆଜି ବି ଅଧିକାଂଶ ଦେଶ ସେଇ ମାନ୍ଦାବସ୍ଥାରୁ ମୁକୁଳିପାରି ନାହାନ୍ତି। ଏପରି ସ୍ଥଳେ ବିଶ୍ୱକୁ ପୁଣି ମାଡ଼ି ଆସୁଛି ଆଉ ଏକ ଆର୍ଥିକ ମାନ୍ଦାବସ୍ଥା ବୋଲି ବିଶ୍ୱର ବହୁ ଖ୍ୟାତନାମା ଅର୍ଥନୀତିଜ୍ଞ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଆସୁଥିବା ଆର୍ଥିକ ବିପତ୍ତି ଦ୍ୱାରା ଚାଇନା ହିଁ ସର୍ବପ୍ରଥମେ ଶିକାର ହେବ ବୋଲି ଆକଳନ କରାଯାଉଛି, ଯାହାର ସୂଚନା ମଧ୍ୟ ମିଳିଲାଣି ଏବେଠୁଁ। ଚଳିତ ଶତାବ୍ଦୀର ପ୍ରଥମ ଦଶନ୍ଧିରେ ଚାଇନାର ଋଣ ପରିମାଣ ତା’ର ଜିଡିପି ବା ମୋଟ ଘରୋଇ ଉପତ୍ାଦର ଶତକଡ଼ା ୧୫୦ ଭାଗ ଥିଲାବେଳେ ସଂପ୍ରତି ତାହା ବୃଦ୍ଧି ପାଇ ୨୫୦ ଭାଗକୁ ଟପିଲାଣି। ପ୍ରଥମ ଦଶନ୍ଧିର ଶେଷ ଭାଗ ବେଳକୁ ଏକ ଡଲାରର ଅଭିବୃଦ୍ଧି ପାଇଁ ଚାଇନା ୧ରୁ ୨ଡଲାର ଋଣ କରୁଥିବା ବେଳେ ସଂପ୍ରତି ସେହି ୧ ଡଲାର ଜିଡିପି ଅଭିବୃଦ୍ଧି ପାଇଁ ୬ରୁ ୮ଡଲାର ଋଣ ଆବଶ୍ୟକ କରୁଛି। ଶସ୍ତାରେ ସାମଗ୍ରୀ ଯୋଗାଇ ବିଶ୍ୱର ବଜାର ସବୁକୁ ନିଜ କବ୍‌ଜାରେ ରଖିବାକୁ ମସୁଧା କରି ମାତ୍ରାଧିକ ସବ୍‌ସିଡିର ବ୍ୟବସ୍ଥା କଲା ସେ। ଫଳରେ ବାହ୍ୟ ଓ ଆଭ୍ୟନ୍ତରୀଣ ଋଣ ଜାଲରେ ସେ ଆଜି ଏକପ୍ରକାର ବନ୍ଦୀ। ଦିନକୁ ଦିନ ଋଣ ବୋଝ ବଢ଼ି ଚାଲିଥିବା ବେଳେ ବିଭିନ୍ନ ପ୍ରକାର ଭାରତବିରୋଧୀ କାର୍ଯ୍ୟକଳାପ ପାଇଁ ମାଓବାଦୀ, ଆତଙ୍କବାଦୀ ତଥା ପାକିସ୍ତାନକୁ ପ୍ରବଳ ପ୍ରୋତ୍ସାହିତ କରି ଚାଲିଥିଲା। ସେ ଭୁଲି ଯାଇଥିଲା ଯେ ଭାରତ ହେଉଛି ତା’ର ବ୍ୟବସାୟର ବଡ଼ ପେଣ୍ଠସ୍ଥଳୀ। ତା’ର ଆର୍ଥିକ ସ୍ଥିତି ଅନେକାଂଶରେ ନିର୍ଭର କରେ ଭାରତ ଉପରେ। ଡ୍ରାଗନ୍‌ର ମାତ୍ରାଧିକ ଦୌରାମତ୍‌ୟରେ ଭାରତୀୟମାନେ ଅତ୍ୟନ୍ତ ଉତ୍‌କ୍ଷିପ୍ତ ଆଜି। ଚାଇନା ବିରୋଧୀ ମାନସିକତାରୁ ଦେଶବାସୀଙ୍କ ମନରେ ପୁଣି ଉଜ୍ଜୀବିତ ହୋଇଛି ଜାତିପ୍ରେମର ଉଜାଣି। ଫଳତଃ ଦେଶର ପ୍ରତିଟି ଗଳିକନ୍ଦିରେ ଗହଳି ଜମାଇଥିବା ଚାଇନା ସାମଗ୍ରୀଗୁଡ଼ିକ ପ୍ରଥମଥର ପାଇଁ ପ୍ରତ୍ୟାଖ୍ୟାନର ଶିକାର ହୋଇଛି। ଚାଇନାର ବେପାର ଉପରେ ଏହା ଅନେକ ପ୍ରତିକୂଳ ପ୍ରଭାବ ପକାଇଛି। ବିଶ୍ୱ ସମୁଦାୟ ମଧ୍ୟ ଚାଇନା ପ୍ରତି ବିମୁଖ। ଆତଙ୍କବାଦଜନିତ କାର୍ଯ୍ୟକଳାପରେ ସାରା ବିଶ୍ୱ ଯେବେ ଆକ୍ତାମାକ୍ତା ଓ ଆତଙ୍କବାଦକୁ ଦୃଢ଼ ହସ୍ତରେ ଦମନ କରିବାକୁ ଏକତ୍ରିତ, ସେପରି ସ୍ଥଳେ ଆତଙ୍କବାଦୀ ଆଖଡ଼ାଶାଳ ଚଳାଇବାକୁ ପାକିସ୍ତାନକୁ ପ୍ରୋତ୍ସାହିତ କରିଚାଲିବା ତା’ପାଇଁ ଆଜି ବୁମେରାଂ ସାବ୍ୟସ୍ତ ହୋଇଛି। ପୁନଶ୍ଚ ଅନ୍ୟ ଏକ କମ୍ୟୁନିଷ୍ଟଶାସିତ ଉତ୍ତର କୋରିଆ ଆଜି ବିଶ୍ୱ ପାଇଁ ବିପଦ ଭାବେ ଉଭା ହୋଇଛି। ଦିନକୁ ଦିନ ତା’ର ଅହମିକାପୂର୍ଣ୍ଣ ଉଗ୍ର ଆଚରଣରେ ବ୍ୟଥିତ ସାରା ବିଶ୍ୱ। ଏହା ପଛରେ ମଧ୍ୟ ଚାଇନାର ହାତ ଥିବା ଜଣାଯାଏ। ଏକେ ତ ପଡ଼ୋଶୀଙ୍କ ଅନେକ ଅଞ୍ଚଳକୁ ଜବରଦଖଲ କରିଚାଲିଥିବା ଯୋଗୁଁ ପ୍ରତିଟି ପଡ଼ୋଶୀ ଦେଶ ଚୀନ ପ୍ରତି ବୀତସ୍ପୃହ। ଏହି ପରିପ୍ରେକ୍ଷୀରେ ବିଶ୍ୱରେ ଚାଇନାର ବନ୍ଧୁ-ରାଷ୍ଟ୍ର ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇଚାଲିଛି। ଚାଇନା ପ୍ରତି ବିଶ୍ୱବାସୀଙ୍କ ବିତୃଷ୍ଣା ଭାବ ଯୋଗୁଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ଏବଂ ଚାଇନାର ରପ୍ତାନି ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି, ଯାହା କି ସେଠାକାର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଣୁ ଚାଇନା ଭାରତକୁ ଆଉ ବିବ୍ରତ ନ କରି ମନାଇବାକୁ ସାଧ୍ୟମତେ ପ୍ରୟାସରତ। ଗତ ଅଗଷ୍ଟରେ ଅନୁଷ୍ଠିତ ବ୍ରିକ୍‌ସ ଶିଖର ସମ୍ମିଳନୀରେ ଭାରତର ସ୍ବରରେ ସ୍ବର ମିଳାଇ ପ୍ରଥମଥର ପାଇଁ ଆତଙ୍କବାଦକୁ ଦୃଢ଼ ଭାବେ ନିନ୍ଦା କରିଛି। ତତ୍‌ସହିତ ଭବିଷ୍ୟତରେ ଆଉ ଯେପରି ଡୋକ୍‌ଲାମ୍‌ ପରିସ୍ଥିିତି ନ ଉପୁଜେ, ସେଥିପ୍ରତି ଅଙ୍ଗୀକାରବଦ୍ଧ ହେବା ସହିତ ପଞ୍ଚଶୀଳ ନୀତିକୁ ସମ୍ମାନ ଜଣାଇବାକୁ ପ୍ରତିଶ୍ରୁତି ଦେଇଛି। ଗତ ସେପ୍ଟେମ୍ବରରେ ଅନୁଷ୍ଠିତ ଜାତିସଂଘର ମହା ଅଧିବେଶନରେ ପ୍ରଥମଥର ପାଇଁ ପାକିସ୍ତାନର କଶ୍ମୀର ଦାବିକୁ ନାପସନ୍ଦ କରି ଭାରତ ସହିତ ଶାନ୍ତିପୂର୍ଣ୍ଣ ଭାବେ ସମାଧାନର ସୂତ୍ର ବାହାର କରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଛି। ସମ୍ଭାବ୍ୟ ସଂକଟକୁ ଆକଳନ କରି ଚାଇନାର କମ୍ୟୁନିଷ୍ଟ ସରକାର ଏବେ ଭାରତ ସହିତ ହାତ ମିଳାଇବାକୁ ଆତୁର। ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବାକୁ ଖୁବ୍‌ ତପତ୍ର। ଅତୀତର ତିକ୍ତତା ଓ ମନୋମାଳିନ୍ୟକୁ ଭୁଲି ବନ୍ଧୁତାର ପ୍ରସ୍ତାବ ବାଢ଼ିଛି। କିନ୍ତୁ ଇତିହାସ କହେ ବିଶ୍ୱାସଘାତକତା, ବେଇମାନୀ ପଣରେ ଚାଇନା ହେଉଛି ବିଶ୍ୱର ବାଦଶାହ। ତାକୁ ବିଶ୍ୱାସକୁ ନେବା ବା ତା’ ପ୍ରତି ନରମ ଭାବ ପୋଷଣ କରିବା ଅର୍ଥ ନିଜ ଗୋଡ଼ରେ କୁରାଢ଼ି ମାରିବା। କମ୍ରେଡ୍‌ ଶାସକଙ୍କର ପ୍ରକୃତ ପରିଚୟ ବଖାଣି ବସେ ବିଶ୍ୱର ଦୀର୍ଘତମ କବରସ୍ଥଳ ବା ଦି ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା। ଶାସକଙ୍କ ବିରୋଧରେ ପ୍ରତିବାଦର ସ୍ବର ଉଠାଇଥିବା ସହସ୍ର ସହସ୍ର ପ୍ରତିବାଦୀଙ୍କ ଶବ ଉପରେ ଛିଡ଼ା ହୋଇ ‘ଦି ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ ଚିହ୍ନାଇ ଦେଉଛି ତା’ର ଚରିତ୍ରକୁ। ଏଇଠି ମନେପଡ଼େ ବିଶିଷ୍ଟ ଐତିହାସିକ ସ୍ବର୍ଗତ ମନ୍ମଥ ନାଥ ଦାସ କହିଥିବା କଥାଟିଏ- ଏକଦା ପାତରଅନ୍ତର, ଭେଦ-ଭାବର ଶିକାର ହେଉଥିବା ବୁଲା କୁକୁରଟି ମନରେ ବିଦ୍ରୋହ ବସା ବାନ୍ଧିଛି। ସାମ୍ୟବାଦୀ କୌଣସି ଦେଶକୁ ଯାଇ ଶାନ୍ତିରେ ଜୀବନ ନିର୍ବାହ କରିବାକୁ ସେ ମନସ୍ଥ କରିଛି। ଏଣୁ ଭାରତ ସୀମା ଡେଇଁ ଚାଇନାକୁ ପଳାୟନ କରୁଥିବା ବେଳେ ଦେଖିଲା କୁକୁର ଦଳଟିଏ ସେପଟୁ ଆସୁଛି ଭାରତ ଅଭିମୁଖେ। ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ଜିଜ୍ଞାସା କରନ୍ତେ ଚାଇନାର କୁକୁର ଦଳ ଏହି ବୁଲା କୁକୁରଟିର ଭାରତ ପ୍ରତି ବିମୁଖତାର କାରଣ ଆଗେ ଜାଣିବାକୁ ଚାହିଁଲେ। ସେଇଠୁ ବୁଲା କୁକୁରଟି କହିଲା- ପୋଷା କୁକୁରମାନେ ଏଠାରେ ମାଲିକଙ୍କ ଆଦର-ଯନତ୍ ପାଇ ବେଶ୍‌ ଆରାମରେ ରହୁଥିବା ବେଳେ ଆମେ ଅତ୍ୟନ୍ତ ଅବହେଳିତ। କେବେ କେଉଁଠି ଦୈବାତ୍‌ ଖାଇବାକୁ ମିଳିଲା ତ ନାହିଁ। ଖରା, ବର୍ଷା, ଶୀତ ଆମର ସହଚର। ପ୍ରତିବାଦ ସ୍ବରୂପ ଆମେ ଭୁକି ଭୁକି ନୟାନ୍ତ ହେଲୁଣି। କିନ୍ତୁ କୌଣସି ପ୍ରତିକାର ନାହିଁ। ଯାଉଛି ସାମ୍ୟବାଦୀ ଦେଶ ଚାଇନାରେ ଶାନ୍ତିରେ ରହିବି। ସେଇଠୁ କୁକୁର ଦଳ କହିଲେ, ଭାଇ ତୁମେ ତ କିଛି ନ ହେଲେ ବି ଭୁକି ପାରୁଛ, ପ୍ରତିବାଦ ଜଣାଇ ପାରୁଛ, ମାତ୍ର ଚାଇନାରେ ସେସବୁ ମନା। ପ୍ରତିବାଦ କରିବ ତ ଲାଠି-ଗୁଳିର ଶିକାର ହେବ। ଆମେ ସେଠି ନିଇତି ମରି ମରି ବଞ୍ଚୁଛୁ। ଭାରତ ହିଁ ସବୁଠୁ ଭଲ। ଭାରତର ଅମଙ୍ଗଳ ରଚୁଥିବା ଚାଇନାର ଚାଲବାଜି ପ୍ରତି ଆମକୁ ସତର୍କ ରହିବାକୁ ହେବ। ଭାରତର ସମୃଦ୍ଧ ଭବିଷ୍ୟତ ପାଇଁ ଆମ ଭିତରେ ସୁପ୍ତ ଥିବା ଦେଶପ୍ରେମକୁ ଆହୁରି ତୀବ୍ର କରିବାକୁ ହେବ। ତେବେ ଯାଇ ନଷ୍ଟ୍ରାଡମସ୍‌ ଭାରତ ସମ୍ପର୍କରେ କରିଥିବା ଭବିଷ୍ୟବାଣୀ ସତ୍ୟ ହେବ ଓ ଭାରତ ଚାଇନାକୁ ପଛରେ ପକାଇ ବିଶ୍ୱର ନେତୃତ୍ୱ ନେବ।

ମୋ- ୯୪୩୭୪୩୬୦୭୩, ଇ-ମେଲ୍‌ : unbiswal05@gmail.com



The Oriya daily Dharitri was started on November 24 1974 by the Samajbadi Society from Bhubaneswar, the capital city of Orissa, India. During 1986, Dharitri started web offset printing. The real growth of Dharitri started during late eighties and early nineties. READ ABOUT US

Quick Links

STAY IN TOUCH!

Copyright © Dharitri.com 2016-2017 - All rights reserved Designed and Development by: Dharitri